Unknown

 

 

 

 

 

 

 

 

 

 

 

ମଧ୍ୟ ରାତ୍ରିର କାହାଣୀ

ଅକ୍ଷୟ କୁମାର ମହାନ୍ତି

 

ମଧ୍ୟରାତ୍ରିର ମୁଖବନ୍ଧ

 

ମୁଁ ଜଣେ ଗାଳ୍ପିକ ନୁହେଁ । ଗଳ୍ପ ଲେଖକଙ୍କ ତାଲିକାରେ ମୋର ନାଁ ଅଛି କି ନା ସେକଥା ଦେଖିବାର ଆଗ୍ରହ ନାହିଁ । ତେଣୁ ମୋର ସ୍ପଷ୍ଟୋକ୍ତି ଯେ ଗଳ୍ପ ଲେଖକ ହବାପାଇଁ ମୁଁ ଏ କେତୋଟି ଲେଖିଛି– ତା’ନୁହେଁ । ଏ କେତୋଟି ମୋର ସ୍ୱତଃପ୍ରବୃତ୍ତ ଚିନ୍ତା ଓ ଭାବର ପରିପ୍ରକାଶ । ଯେହେତୁ ଗଳ୍ପର ଏକ ନିୟମିତ ପୃଷ୍ଠପୋଷକତା କରିନାହିଁ ସେଥିପାଇଁ ପ୍ରଥମେ ମୁଁ ସ୍ୱୀକାର କଲି ଯେ ମୁଁ ଗାଳ୍ପିକ ନୁହେଁ ।

ଅବଶ୍ୟ ୟା ପରେ ମୋର ଏକ ଯୁକ୍ତି ରହିଛି । ନିୟମିତ ଗଳ୍ପ ଲେଖୁ ନଥିଲେ ବି ମୋର ଅନ୍ୟ ବିଭାଗର ଲେଖା, ଯଥା:– ନାଟକ ବା ଉପନ୍ୟାସ ସବୁ ଭିତରେ ତ କେବଳ ଗଳ୍ପହିଁ ରହିବା ସ୍ୱାଭାବିକ୍‍ । ଅର୍ଥାତ୍‍ କୌଣସି ନାଟକ ବା ଉପନ୍ୟାସ ଗଳ୍ପ ବିନା ସମ୍ଭବ ନୁହେଁ ଯେହେତୁ–ତେଣୁ ଗଳ୍ପ ଲେଖିବାଟାକୁ ସ୍ୱତନ୍ତ୍ର ଭାବରେ ଏକ ବିଭାଗ ବୋଲି ମାନିନବାକୁ ପ୍ରସ୍ତୁତ ନୁହେଁ ।

ଅନ୍ୟ ପକ୍ଷରେ କହିବାକୁ ଗଲେ, ବରଂ ଗଳ୍ପକୁ ଏକ ଗଳ୍ପର ଭାବପ୍ରକାଶ ପାଇଁ ମାଧ୍ୟମ ଭାବରେ ଉପସ୍ଥାପିତ କରାଯାଇ ତାକୁ ବିଭିନ୍ନ ବିଭାଗ କରାଗଲାଣି । ଗଳ୍ପ, କ୍ଷୁଦ୍ରଗଳ୍ପ, ଆଭାସ ଗଳ୍ପ, ସଂକେତ ଗଳ୍ପ, ମିନିଗଳ୍ପ ଏହିପରି ଆଧୁନିକ ସାହିତ୍ୟର କର୍ଣ୍ଣଧାରମାନେ ଅନେକ ଉପନାମ ଦେଇ ଚାଲିଛନ୍ତି ।

ମୋର ଲେଖା ଗଳ୍ପଗୁଡ଼ିକ ପାଇଁ ମୁଁ ବିଭାଗ ନିର୍ଣ୍ଣୟ କରିବାର ବହୁ ପୂର୍ବରୁ ଗଳ୍ପ ରଚନା ଦିଗରୁ ମୁଖ ଫେରାଇଛି । ୟାର କାରଣ ଦୁଇଟି ହୋଇପାରେ । ଏକ୍‌ରେ ମୁଁ ସେଇ ଗଳ୍ପକୁ ନେଇ ଉପନ୍ୟାସ ବା ନାଟକରେ ଜୀବନ୍ୟାସ ଦେଇ ସେ ବିଭାଗରେ ବିଶେଷତ୍ୱ ଚାହିଁଲି ।

 

ଦ୍ୱିତୀୟ କାରଣଟା କେତେକାଂଶରେ ବ୍ୟକ୍ତିଗତ । ତାକୁ ଏଠି ଆଲୋଚନା କରି ଲାଭ ନାହିଁ ।

 

ମୋଟାମୋଟି କହିବାକୁ ଗଲେ ଏ ଲେଖା ବେଶ୍‌ କିଛି ବର୍ଷ ତଳର । କେବଳ ପ୍ରଥମ ଓ ଶେଷଟିକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକ ପ୍ରାୟ ଦଶବର୍ଷ ତଳର ସ୍ମୃତି ମନ୍ଥନ । ସେତେବେଳେ କେବଳ ଲେଖିବାପାଇଁ କେତେଗୁଡ଼ିଏ ଲେଖିଥିଲି । ସମୟ କ୍ରମେ ତା’ ଭିତରୁ କେତୋଟି ବିଭିନ୍ନ ସ୍ଥାନରେ ପ୍ରକାଶିତ ହୋଇଥିବାରୁ ପାଇବା ସହଜ ହେଲା ।

 

ଲେଖା ସମ୍ପର୍କରେ ଆଲୋଚନା ପ୍ରସଙ୍ଗରେ ମୋର ଯେଉଁ କେତେକ ଶୁଭଚିନ୍ତକ ମତେ ଏଇ ଗଳ୍ପ ସମ୍ପର୍କରେ ପ୍ରବର୍ତ୍ତାଇଛନ୍ତି ସେମାନେ ମୋର ଗଳ୍ପ ଆଉ ନ ଲେଖିବା ସିଦ୍ଧାନ୍ତ ଶୁଣିଛନ୍ତି । କାରଣ ଖୋଜିବାକୁ ପ୍ରଶ୍ନ କରିଛନ୍ତି । ମୁଁ ସେମାନଙ୍କୁ କାରଣ କିଛିନାହିଁ ବୋଲି ଠକିଦେଇଚି । କିନ୍ତୁ ଜନ୍ମଧ୍ୟରୁ କେତେକଙ୍କ ବିଶେଷ ଅନୁରୋଧକୁ ଏଡ଼ିଦେଇ ପାରିଲି ନାହିଁ । ସେ ଅନୁରୋଧ ହେଲା–କେତୋଟି ଗଳ୍ପକୁ ଏକତ୍ର କରି ସଂକଳନ ଛାପିବାପାଇଁ ।

 

ମୁଁ ମଣିଷ । ତେଣୁ ପ୍ରବୃତ୍ତିକୁ ଦମନ କରିପାରିଲି ନାହିଁ । ବରଂ ଏ ପ୍ରସ୍ତାବଟିକୁ ମନରେ ଅନେକବାର ରୋମନ୍ଥ କରିଛି । ତା’ପରେ ଯେତେବେଳେ ମନସ୍ଥ କଲି ଏପରି ଏକ ଉଦ୍ୟମ କରାଯାଇପାରେ ବୋଲି ସେତବେଳେ ଦେଖିଲି ମୋର ଲିଖିତ ଗଳ୍ପମାନଙ୍କର ପାଣ୍ତୁଲିପି ଉଦ୍ଧାର କରିବା ଏକାନ୍ତ ଅସମ୍ଭବ । ପ୍ରକାଶିତ ଅପ୍ରକାଶିତ ଯେଉଁଗୁଡ଼ିକ କେବଳ ମିଲିଲା ସେଥିରୁ କେତୋଟି ଏଠି ସ୍ଥାନ ପାଇଛି ।

 

ଗଳ୍ପଗୁଡ଼ିକର ଦୈର୍ଘ୍ୟ, ବିଷୟବସ୍ତୁ ଏବଂ ଉପସ୍ଥାପନା ଦୃଷ୍ଟିରୁ ଏଗୁଡ଼ିକ ଗଳ୍ପ, କ୍ଷୁଦ୍ରଗଳ୍ପ ଅବା ମିନିଗଳ୍ପ ସେକଥା ମୋର ସମ୍ମାନାସ୍ପଦ କଥାକାରଗଣ ନିର୍ଦ୍ଧାରଣ କରିପାରନ୍ତି । ମୁଁ ସେଥିପାଇଁ ବିଶେଷ ଆଗ୍ରହୀ ନୁହେଁ ଏଇଥିପାଇଁ ଯେ ମୋର ଜାଣିବାରେ ଆଉ କିଛି ଆଶାବାଦି ନାହିଁ । ଅଥବା ଏ ସଂକଳନକୁ ସାହିତ୍ୟ ଜଗତ ନିମନ୍ତେ ଏକ ଭେଟି ବୋଲି ଆଦୌ କହିବି ନାହିଁ । ବରଂ ଏହାକୁ ମୋର ମୋ ପାଇଁ ସ୍ମାରକୀ ବୋଲି ଗ୍ରହଣ କରୁଛି ।

 

ଯଦି କେହି ମୋର ଏ ସଂକଳନକୁ ପଢ଼ିବାବେଳେ ତାଙ୍କୁ କୌଣସି ଗୋଟିଏ ଗଳ୍ପ ଭଲ ଲଗିଲା–ତେବେ ସେଇଟାହିଁ ମୋ ପାଇଁ ଯଥେଷ୍ଟ ।

 

ଏ ରଚନା ସମ୍ପର୍କରେ ଯେ କୌଣସି ପ୍ରକାରର ମତାମତ ପାଇଁ ସର୍ବଦା କୃତଜ୍ଞ ରହିବି ।

 

ଅଗଷ୍ଟ ପନ୍ଦର, ୧୯୭୮

ଅକ୍ଷୟ କମାର ମହାନ୍ତି

☆☆☆

 

ଉତ୍ସର୍ଗ

 

ହେ ମୋର,

 

‘ମଧ୍ୟ ରାତ୍ରିର କାହାଣୀ’ ଗଣ !

 

ଜୀବନର ସନ୍ଧ୍ୟରେ ଯିଏ ପାଦ ଦେଲେ, ମଧ୍ୟରାତ୍ରିରେ ନିସ୍ତାର ଲଭି ତୁମ ଭିତରେ ଆତ୍ମଗୋପନ କଲେ । ଅନ୍ୟପ୍ରାନ୍ତରେ ଠିଆହୋଇ ସମୟର ଦୂରବୀକ୍ଷଣ ଯନ୍ତ୍ର ଧରି ସେ ସମସ୍ତ ପଦଚିହ୍ନଗୁଡ଼ା ଚିହ୍ନଟ କରିବାକୁ ଚେଷ୍ଟା କରୁଛି ମାତ୍ର ।

 

ଏକକୁ ଅନେକ କରି ବିଭିନ୍ନ ରୂପଦେଇ ବିଭିନ୍ନ ଅବସ୍ଥାରେ ମୁଁ ଯେ କେବଳ ତୁମମାନଙ୍କ ପାଇଁ ମୋ ମନର ଫୁଲବନରେ ଚରିତ୍ରମାନଙ୍କୁ ଆବିଷ୍କାର କରିଛି ସେଥିପାଇଁ ବର୍ତ୍ତମାନ ଯଦି ଏମାନେ ଜୀବନ୍ୟାସ ପାଆନ୍ତେ ତେବେ ମତେ କରନ୍ତେ କି ନା ମୁଁ ଜାଣେନା । କେବଳ ଏତିକି ଜାଣେ—ମୋ ଚାରିପଟରେ ଅତୃପ୍ତ ଆତ୍ମାସବୁ ମୁକ୍ତିଲାଭ ପାଇଁ ପ୍ରେତନୃତ୍ୟ କରୁଥିଲେ ଯେଣୁ ଭୟାଳୁ ଅବସ୍ଥାରେ ତୁମମାନଙ୍କୁ ନିମିତ୍ତ କଲି ।

 

ଅନ୍ୟାନ୍ୟ ରଚନା ଭିତରେ ଭିନ୍ନ ଭିନ୍ନ ଚରିତ୍ରର ରୂପରେଖ ସ୍ୱାତନ୍ତ୍ର୍ୟ ଲାଭକରି ଆତ୍ମପ୍ରକାଶ କରିଛି । ଅନ୍ୟ କିଏ କେମିତି ଗ୍ରହଣ କରିଛନ୍ତି କହିପାରିବି ନାହିଁ । କିନ୍ତୁ ସବୁ ରଚନାର ପ୍ରକାଶବେଳେ କାହାକୁ ଉତ୍ସର୍ଗ କରିଛି ବୋଲି ‘ମିତା’ କେବଳ ପ୍ରଥମ ପୃଷ୍ଠା ଦେଖି ନିରାଶ ହୋଇଛି-। ତେଣୁ ଆଜି ଏ ସମାରୋହ କେବଳ ତା’ ପାଇଁ ।

 

ହୁଏତ ଅନ୍ୟଥା ସେ ତୁମମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନଥାନ୍ତା ଯେହେତୁ ତୁମମାନଙ୍କ ଭିତରୁ ଅଧିକାଂଶ ତା’ର ପରିଚିତ । ତଥାପି ତାକୁ ଉତ୍ସର୍ଗ କରିବାର ଉଦ୍ଦେଶ୍ୟ ହେଲା–ତା’ର ଦମ୍ଭ ପଣତ ତଳେ ତୁମେମାନେ ଆଶ୍ୱାସ ଲଭିବ ଏବଂ ତୁମ ଭିତରର କ୍ଷୁଧିତ ପ୍ରାଣଗୁଡ଼ିକ ମୁକ୍ତି କାମନା କରିବେ ।

 

ପୁଣି ସେଇ ଅନେକକୁ ଏକରେ ପରିଣତ କରିବାର ପ୍ରୟାସ ।

 

ମଧ୍ୟ ରାତ୍ରିର କାହାଣୀ– ‘ମିତା’ ହାତରେ ।

 

ଅକ୍ଷୟ

☆☆☆

 

ଆଳାପ

 

୧.

ମଧ୍ୟ ରାତ୍ରିର କାହାଣୀ

୨.

ଭଟ୍ଟା

୩.

ନାଲି ତ୍ରିଭୁଜ

୪.

ଏକ ବ୍ୟର୍ଥ ନିଶିଥର ଉପକଥା

୫.

ତୃତୀୟ ଅଙ୍କର ନାୟିକା

୬.

ଛନ୍ଦା କବରୀ

୭.

ଶେଷ କାହାଣୀ

☆☆☆

 

ମଧ୍ୟ ରାତ୍ରିର କାହାଣୀ

 

ସେଦିନ କାକକୃଷ୍ଣ ଘନ ଅନ୍ଧାର ରାତି ।

 

ସେଇ ଅନ୍ଧକାରର ବିଜନତା ଭିତରେ କବିଙ୍କ ଦ୍ୱାରରେ କରାଘାତର ଶବ୍ଦ । ଆଶ୍ଚର୍ଯ୍ୟ ହେଲେ କବି ଶ୍ୱେତକଣ୍ଠ ! ଏ ନିଷିଦ୍ଧ ଅଞ୍ଚଳରେ ଅପ୍ରତ୍ୟାଶିତ ମୁହୂର୍ତ୍ତରେ କିଏ ହୋଇପାରନ୍ତି ?

 

ଚତୁର୍ଦ୍ଦିଗରେ ପ୍ରହରୀ । ରାଜପୁରୀର ସୀମାରେଖା ଏ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପ୍ତ । ଉଆସ କାହିଁ ଦୂରରେ ଆଖି ପାଏନା ଚାହିଁ ଦେଖିଲେ । ତଥାପି ଏ ଅଞ୍ଚଳ ପ୍ରହରୀ ମୁକ୍ତ ନୁହେଁ ଯେହେତୁ ଏମାନେ ସମସ୍ତେ ରାଜକର୍ମଚାରୀ ଅଥବା ରାଜାଙ୍କର ଜାୟଗୀର ଭୋଗ କରୁଥିବା ଅନୁଗ୍ରହ ପ୍ରାର୍ଥୀ ପରିବାର ଗଣ । କବିଙ୍କର ଆତ୍ମୀୟ ସ୍ୱଜନ କେତେ, ତାହା ସେ ଭଲଭାବରେ ଜାଣନ୍ତି । ଦିବାର ସ୍ପଷ୍ଟ ଆଲୋକରେ ଯେ ନିଃସଙ୍ଗତା ଅନୁଭବ କରେ, ତା’ର ଦ୍ୱାରଦେଶରେ ଏତେ ରାତିରେ କାହାରି ଆଗମନ ?

 

ରାଜ ଉଆସରୁ ତ ଏପରି ଅସମୟରେ କିଛି ସମ୍ୱାଦ ଆଶା କରନ୍ତି ନାହିଁ ସେ । ତେବେ...... ???

 

ଅତି ସନ୍ତପର୍ଣରେ କବାଟ ଖୋଲିଲେ । ଯାହା ଦେଖିଲେ ସେଥିରେ ତାଙ୍କର ବାକ୍‌ସ୍ଫୁରଣ ହେଲାନାହିଁ । ଜଣେ ନାରୀ...... ! ତନୁଲତାରେ ରୂପର ମାଧୁରୀ । ବୟସର ଛନ୍ଦରେ ଦୋଳାୟତ ଯୌବନ । ଏ ନିଶିଥର ଦ୍ୱିତୀୟ ଯାମରେ ଏପରି ଏକ ଆଗମନ କାହିଁକି ?

 

‘ଭିତରକୁ ଆସିବି ?’

 

ଭିତରକୁ ପ୍ରବେଶ କଲେ ରମଣୀ । ଛଳ ଆଭରଣ ତାଙ୍କର ଆହୁରି କିଞ୍ଚିତ ମୁକ୍ତ ହେଲା-। ସେ ସହଜହୋଇ ପ୍ରଶ୍ନ କଲେ ।

 

‘ଆଜି ରାଜସଭାରେ ଯେଉଁ କାବ୍ୟ ଆପଣ ପାଠ କଲେ–କହିପାରିବେ, ପ୍ରକୃତରେ ସେ କାବ୍ୟ ନାୟିକା କିଏ ?’

 

ହଠାତ୍‍ କବିଙ୍କ ମୁହଁରେ ଯେମିତି ଅନ୍ଧକାରର ସମସ୍ତ କାଳିମା ଏକାଥରକେ ଛାଟି ଦେଇଗଲା ଏଇ କଥାପଦକ । ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ତାଙ୍କ ନିମନ୍ତେ ଏଇ ପ୍ରଶ୍ନ । ପ୍ରଥମେ ସେ ଜାଣିବାକୁ ଚେଷ୍ଟାକଲେ–ସେ ସ୍ୱପ୍ନ ଦେଖୁଛନ୍ତି ନା ସତ୍ୟ ଅନୁଭୂତି ।

 

କି ଉତ୍ତର ଦେବେ ଶ୍ୱେତକଣ୍ଠ ଏହି ଆଶାତୀତ ପ୍ରଶ୍ନର ତାହା ଠିକ କରିପାରିଲେ ନାହିଁ । ନିଜର ଆଶଙ୍କାକୁ ଅବ୍ୟକ୍ତ ରଖି ସେ ଉତ୍ତର ଦେଲେ ।

 

‘କାବ୍ୟନାୟିକା ହିଁ କାବ୍ୟନାୟିକା ।’

 

‘କେବେ ନୁହେଁ ।’

 

‘ଏଥିରେ ଅବିଶ୍ୱାସର କ’ଣ କାରଣ ଥାଇପାରେ ଦେବୀ ?’

 

‘କାରଣ ଯଥେଷ୍ଟ । ସେଥିପାଇଁ ତ ଏ ଅସମୟରେ ଅଗୋଚରରେ ଆସିବାକୁ ପଡ଼ିଲା-।’

 

‘ଠିକ୍‌ ବୁଝିପାରିଲି ନାହିଁ ଏହାର ମର୍ମ । ଆଉ ବୁଝି ମଧ୍ୟ ପାରିନାହିଁ କ’ଣ ପାଇଁ ଏ ପ୍ରକାର ଆଲୋଡ଼ନ । ରାଜସଭାସଦ୍‌ଙ୍କର ମନୋରଞ୍ଜନ ନିମନ୍ତେ ରଚିତ ଏକ ନଗଣ୍ୟ କବିତା ସଭାରେ ପଠିତ ହେଲାପରେ ସେ ପୃଷ୍ଠାର ଅସ୍ତିତ୍ୱ ଶେଷ ପାଏ । ସେଥିରେ ନାୟିକା ସମ୍ପର୍କରେ ଅପରିଚିତା ଦେବୀଙ୍କର ଅପ୍ରତ୍ୟାଶିତ ଆଗମନ ଏବଂ ଏ ପ୍ରଶ୍ନ ଏ ଅଧୀନ ବୁଝି ପାରିନାହିଁ ।’

 

ଉତ୍ତର ଶୁଣି ସାରିବା ପରେ ନାରୀଙ୍କର ଝୀନ ଉତ୍ତରୀୟ ଆହୁରି ଶିଥିଲ ହେଲାପରି ମନେହେଲା । ତା ଭିତରୁ ତେଜୋଦୀପ୍ତ ମୁଖ, ଜ୍ୱଳନ୍ତ ଚକ୍ଷୁ ଆହୁରି ସ୍ପେଷ୍ଟ ହୋଇ ଉଠିଲା । ଅଧରରେ କବି ସ୍ପଷ୍ଟ ଦେଖିପାରିଲେ ଉପହାସର ଲାସ୍ୟଛଟା ।

 

‘କବି ! ଆପଣ କବି ହୋଇପାରନ୍ତି । ବୈଶାଖରେ ବସନ୍ତର ସନ୍ଧାନ ଦେଇ କବିତା ଛଳରେ ଅନ୍ୟକୁ ପ୍ରତାରିତ କରିପାରନ୍ତି; କିନ୍ତୁ ବାସ୍ତବ ଜୀବନରେ ଆପଣଙ୍କର କବିତା, ଆକ୍ଷେପ ବୁଝିବାପରି ଆହୁରି ଅନେକେ ଥାଇପାରନ୍ତି ସେକଥା କେବେ ଅନୁମାନ କରିଛନ୍ତି ?’

 

‘ଏତେଦୂର ସ୍ପର୍ଦ୍ଧା ମୁଁ କରିବି ନାହିଁ ଦେବୀ ! ଏ ନଗଣ୍ୟ କବି କେବଳ ଏତିକି ଜାଣିଛି ଯେ ତା’ଠାରୁ ଅଶେଷ ଜ୍ଞାନୀ ଏଇ ରାଜପରିଷଦଗଣ । ସଭାର ପ୍ରତ୍ୟେକଟି ସଭାସଦ୍‌ ତା ପାଇଁ ଜ୍ଞାନୀ ବିଶାରଦ । ସେଥିପାଇଁ ଏ ଅଧୀନ ସେମାନଙ୍କର ସ୍ୱୀକୃତି ପାଇଁ ନିଜର କୃତିକୁ ଉପସ୍ଥାପିତ କରେ ଏବଂ ସେତିକି ଲାଭକଲେ ନିଜକୁ ଧନ୍ୟ ମନେ କରେ ।’

 

‘ଯାହାର ସ୍ୱୀକୃତି ଲୋଡ଼ନ୍ତି ଆପଣ ତାକୁହିଁ ବର୍ଣ୍ଣନା କରିବାରେ ତାଙ୍କୁ ଅସମ୍ମାନ କରି ଧୃଷ୍ଟତା କରିଛନ୍ତି ।’

 

‘ମୁଁ ବୁଝିପାରିଲି ନାଇଁ......’

 

ଆହୁରି କ୍ଷିପ୍ତ ହେଲାପରି ଜଣାଗଲେ ଆଗନ୍ତୁକା ।

 

‘ଆପଣ ଠିକ୍‌ ବୁଝିଚନ୍ତି ଯେ ଆପଣ ରାଜଜେମାଙ୍କୁ ହିଁ ଲକ୍ଷ୍ୟକରି ଆଜିର କାବ୍ୟ ରଚନା କରିଛନ୍ତି ।’

 

‘କ୍ଷମା କରିବେ, ଏ ଯୁକ୍ତି ଅପ୍ରାସଙ୍ଗିକ ।’

 

‘ଅସମ୍ଭବ । କାରଣ ଆଜି ସଭାସଦ୍‌ଙ୍କ ଗହଣରେ ରାଜକୁମାରୀ ମଧ୍ୟ ଉପସ୍ଥିତ ଥିଲେ । ଯେଉଁ ଆଜାନୁଲମ୍ୱିତ ଘନକୃଷ୍ଣ କେଶରାଶି, କପାଳର ଚୂର୍ଣ୍ଣକୁନ୍ତଳ, ଚିବୁକର ତିଳଚିହ୍ନ, ମୀନନୟନର ଛଟା ସାଙ୍ଗକୁ ଚମ୍ପକ ଅଙ୍ଗୁଳିର ଲାବଣ୍ୟ ଶୋଭାର ସମାହାର କଥା ବର୍ଣ୍ଣନା କରିଥିଲେ ତାହା ଏ ରାଜ୍ୟରେ. କେବଳ ରାଜକୁମାରୀ ନବନୀତାଙ୍କ ବ୍ୟତୀତ ଆଉ କାହାରି ପାଖରେ ସମ୍ଭବ ନୁହେଁ ।’

 

ଏହାପରେ ବେଶ୍‌ କିଛି ସମୟ ପାଇଁ କବି ନୀରବ ହେଲେ । ମନେହେଲା ତାଙ୍କର ଯୁକ୍ତି ଉପସ୍ଥାପିତ କରିବାକୁ ସେ ଭାଷା ଖୋଜୁଛନ୍ତି । ଉନ୍ମତ ଗ୍ରୀବା ତାଙ୍କର ସାମାନ୍ୟ ଅବନତ ହେଲା ।

 

ଏକ ଦୀର୍ଘଶ୍ୱୀସ ତ୍ୟାଗ କଲେ କବି । ମନେହେଲା, ଯେମିତି କିଛିକ୍ଷଣ ପୂର୍ବରୁ କହିଥିବା ଉକ୍ତି ତାଙ୍କର–‘ସଭାର ପ୍ରତ୍ୟେକଟି ବ୍ୟକ୍ତି ଜ୍ଞାନୀ ବିଶାରଦ’ ସମ୍ପୂର୍ଣ୍ଣ ଯଥାର୍ଥ । ଏଥର ତାଙ୍କୁ ପ୍ରତ୍ୟୁତ୍ତରର ଗତି ବଦଳେଇବାକୁ ପଡ଼ିବ । ଶାନ୍ତ, ନମ୍ରକଣ୍ଠରେ ନିଃସହାୟ ଯୁକ୍ତି ତୋଳିଲେ କବି–

 

‘ଯଦି ତାହାହିଁ ହୋଇଥାଏ, ତେବେ ମୁଁ କ’ଣ ରାଜଜେମାଙ୍କର ଅସମ୍ମାନ କରିଛି ?’

 

‘କେବଳ ଅସମ୍ମାନ ନୁହେଁ, ଅକ୍ଷମଣୀୟ ଅପରାଧ । ତେଣୁ ଶାସ୍ତିବିଧାନ କରିବେ ନିଜେ ରାଜଜେମା ।’

 

ତ୍ରସ୍ତ ହୋଇ ଶଙ୍କାପୂର୍ଣ୍ଣ ଚାହାଣୀରେ ଚାହିଁଲେ ଶ୍ୱେତକଣ୍ଠ । କଣ୍ଠ ତାଙ୍କର ଭୟ ବିଜଡ଼ିତ-। ବାକ୍‌ରୁଦ୍ଧ । କିଛିକ୍ଷଣ ପରେ ପ୍ରଶ୍ନ କଲେ–

 

‘ଆପଣଙ୍କ ପରିଚୟ ପାଇପାରେ ?’

 

‘ରାଜକୁମାରୀ ନବନୀତାଙ୍କର ଅନ୍ତଃପୁର ଚାରୁଶୀଳା । ନିଜେ ମୁଁ ବାର୍ତ୍ତାଘେନି ଆସିଛି ଅନ୍ତଃପୁରରୁ । ସେ ଆପଣଙ୍କୁ ସାକ୍ଷାତ କରିବାକୁ ଚାହାଁନ୍ତି ।’

 

‘ମୋତେ ? ରାଜ ଅନ୍ତଃପୁରର ରାଜଦୁଲାଳୀଙ୍କ ସାକ୍ଷାତ କରିବା ମୋ ପକ୍ଷରେ କି ସମ୍ଭବ ?’

 

‘ତା’ ନହେଲେ ସେ ନିଜେ ଶାସ୍ତି ବିଧାନ କରିବେ କିପରି ? କିନ୍ତୁ ଏ ବାର୍ତ୍ତା ଯେପରି ସମ୍ପୂର୍ଣ୍ଣ ଗୋପନ ରହେ । ନଚେତ୍‍ ବଂଶାନୁକ୍ରମେ ଆପଣଙ୍କୁ ଏ ଦଣ୍ତ ଭୋଗ କରିବାକୁ ପଡ଼ିବ । ଯାହାର ଜାୟଗୀର ଉପରେ ନିର୍ଭରକରି ଜୀବନଧାରଣ କରନ୍ତି, ତାଙ୍କର କନ୍ୟାର ରୂପ ବର୍ଣ୍ଣନା କରିବାର ଆସ୍ପର୍ଦ୍ଧା ଥାଇପାରେ ଆପଣଙ୍କର ?’

 

ନତମସ୍ତକ ହୋଇ ସବୁ ଶୁଣିଗଲେ ଶ୍ୱେତକଣ୍ଠ ଏ, ଭର୍ତ୍ସନା । ସତେ ଯେମିତି ସବୁକଥା କେବଳ ସେ ଶୁଣିଯିବା ଉଚିତ । ତା’ର ପ୍ରତ୍ୟୁତ୍ତରରେ ତାଙ୍କର କିଛି କହିବାର ନାହିଁ । ଏହା ଏକ ଅନୁରୋଧ ନୁହେଁ ଆଦେଶ । ତେଣୁ ଶିରୋଧାର୍ଯ୍ୟ ନକହି ଗତି ନାହିଁ ।

 

ତାଙ୍କୁ ସହଚରୀ କହିଗଲା–ରାଜପ୍ରାସାଦର ଠିକ୍‌ ଉତ୍ତର ପଟକୁ ଏକ କ୍ଷୁଦ୍ର ଲୌହ ଫାଟକ । ତାରି ନିକଟରେ ଏକ ନିର୍ଦ୍ଦିଷ୍ଟ ଦିନରେ ଠକ୍‌ ଆସନ୍ନ ସନ୍ଧ୍ୟା ସମୟରେ ଅପେକ୍ଷା କରିବାକୁ ହେବ କବିଙ୍କୁ ।

 

ସେହିଠାରେହିଁ ସେ ପରିବର୍ତ୍ତୀ ନିର୍ଦ୍ଦେଶ ପାଇଁ ଅପେକ୍ଷା କରିବେ । ଏତିକି ବାର୍ତ୍ତା ନେଇ ରାଜକୁମାରୀଙ୍କଠାରୁ ନିଶାର୍ଦ୍ଧରେ ଆସିଥିଲେ ସହଚରୀ ଚାରୁଶୀଳା । କବିଙ୍କୁ ଦୟା ଦେଖାଇବା କିମ୍ୱା କ୍ଷମା କରିବା– କୌଣସି ଶକ୍ତିର ଅଧିକାରିଣୀ ନୁହଁନ୍ତି ସେ । ସବୁକିଛି ରାଜକୁମାରୀଙ୍କ ଆଦେଶ, ଅବଜ୍ଞା କରିବାର ଉପାୟ ନାହିଁ ।

 

କର୍ତ୍ତବ୍ୟ ସମାପନ କରି ଚାଲିଗଲେ ଚାରୁଶୀଳା । ସ୍ୱପ୍ନର ପ୍ରତିବିମ୍ୱ ଭଳି ଅଦୃଶ୍ୟ ହେଲେ ରାତ୍ରିର ଅନ୍ଧକାର ଭିତରେ । ତାଙ୍କରି ଯିବା ବାଟକୁ ଚାହିଁ ରହିଲେ କବି ।

 

ଆଉଥରେ ସବୁକଥା ଆମୂଳଚୂଳ ମନ ଭିତରେ ଓଲଟାଇ ଗଲେ । ନିଜ ଆଖିକୁ ପରୀକ୍ଷା କରି ଦେଖିଲେ ।

 

ନାଃ ଏସବୁଗୁଡ଼ା କଳ୍ପନାର କଥାନୁହେଁ, ସ୍ୱପ୍ନ ମଧ୍ୟ ନୁହେଁ । ନିରାଟ ବାସ୍ତବ । ରାତ୍ରିର ଶେଷ ପ୍ରହର ପର୍ଯ୍ୟନ୍ତ କବି ସେହିପରି ସ୍ଥାଣୁପାଲଟି ଠିଆହୋଇ ରହିଲେ ।

 

ତା’ପରେ ପ୍ରତିଟି ମୁହୂର୍ତ୍ତ ତାଙ୍କ ପାଇଁ ଅବ୍ୟବସ୍ଥିତ । ବିବ୍ରତ ଚଳ ଚଞ୍ଚଳ ଅବସ୍ଥା ଆଣିଦେଲା । ନିର୍ଦ୍ଦିଷ୍ଟ ଦିନ ଏବଂ ସମୟର ପୂର୍ବରୁ ସେ କେବଳ ମାନସ ଚକ୍ଷୁରେ ନିରୀକ୍ଷଣ କରୁଥିଲେ କ’ଣ ହୋଇପାରେ ତାଙ୍କର ଅବସ୍ଥା । ଆଖି ଆଗରେ ସେ ରାଜାଙ୍କର ସମସ୍ତ ରାଜବିଚାର ଏବଂ ରାଜଦଣ୍ତ ଦେଖିଛନ୍ତି । ପରିଣାମ ତାଙ୍କର କ’ଣ ହେବ ସେ ତାହାହିଁ କଳ୍ପନା କରୁଥିଲେ । ତାଙ୍କର ଦଣ୍ତବିଧି କାହାଭଳି ହୋଇପାରେ ସେ ଚିନ୍ତାରେ ସେ ନିମଗ୍ନ ରହିଥିଲେ । ହଠାତ୍‌ ତାଙ୍କରି କେତୋଟି ଦଣ୍ତ ବିଚାର ଭିତରୁ ଗୋଟିଏ ମନେପଡ଼ିଲା–ଠିକ୍‌ ସେହି ଧାରାହିଁ ସତେ ତାଙ୍କ ପାଇଁ ପ୍ରଯୁଜ୍ୟ ହୋଇପାରେ ।

 

ନଦୀତୀରରେ ସ୍ନାନରତା କେତେକ ରାମଣୀଙ୍କୁ ଅଶ୍ଲିଳ କୁତ୍ସିତ ଇଙ୍ଗିତ ପ୍ରକାଶ କରିଥିଲା ଯେଉଁ ବ୍ୟକ୍ତି–ତାକୁ ରାଜସଭାରେ ସମ୍ପୂର୍ଣ୍ଣ ଉଲଗ୍ନ କରି ଯେଉଁଦିନ ଘୁଙ୍ଗୁର ପିନ୍ଧାଇ ଘଣ୍ଟାଘଣ୍ଟା ଧରି ନାଚିବାକୁ ଏବଂ ନାଚ ବନ୍ଦହେଲେ ଚାବୁକ୍‌ ମାଡ଼ରେ ନଚାଇବାକୁ ରାଜା ଆଦେଶ ଦେଲେ ସେତେବେଳେ ମଧ୍ୟ କବିଙ୍କ ଦେହରେ ସିତ୍କାର ଆସିଥିଲା ।

 

କବିଙ୍କର ଦୋଷ ପ୍ରାୟ ସେହି ପ୍ରକାର ଦଣ୍ତପାଇଁ ସାବ୍ୟସ୍ତ ହୋଇପାରେ । ହୁଏତ ରାଜକୁମାରୀଙ୍କ ସଙ୍ଗେ ନିଜେ ରାଜମାତା ଆସି ଏ ପ୍ରକାର ଧୃଷ୍ଟତା ପାଇଁ ଅନେକ ଦାସୀ ପରିଚାରୀଙ୍କ ଦ୍ୱାରା ଲାଞ୍ଛିତ କରିପାରନ୍ତି । ଯେହେତୁ ଏହା ସ୍ୱୟଂ ରାଜକୁମାରୀଙ୍କ ଅପମାନ । ଅନେକ ମାନସିକ ଆଲୋଡ଼ନ ନେଇ ବିବ୍ରତ ହେଲେ ଶ୍ୱେତକଣ୍ଠ । ସମ୍ପୂର୍ଣ୍ଣ ବିନିଦ୍ର କଟିଚି ରଜନୀ ଏ କେତେଦିନ ।

 

ସର୍ବଶେଷରେ ନିର୍ଦ୍ଦିଷ୍ଟ ଦିନ ଉପଗତ ହେବାର ବେଶ୍‌ କିଛିକ୍ଷଣ ପୂର୍ବରୁ ଶ୍ୱେତକଣ୍ଠ ଏକ ସିଦ୍ଧାନ୍ତରେ ନିଜକୁ ଉପନୀତ କରାଇଲେ ।

 

ହୁଏତେ ଅନେକ ନିର୍ଯ୍ୟାତନା ଭୋଗ କରିବାକୁ ପଡ଼ିପାରେ ତାଙ୍କୁ । କିନ୍ତୁ ସର୍ବୋପରି ରାଜାକୁମାରୀଙ୍କୁ ଆଉଥରେ ଦେଖିବାର ସୁଯୋଗ ମିଳିପାରେ ଏହି ଆଶା ହୁଏତ ନିର୍ଯ୍ୟାତନାର ଯନ୍ତ୍ରଣାଠାରୁ ଅଧିକ ଆନନ୍ଦ ଦେଇପାରେ କବିଙ୍କୁ । ସେତିକି ବାସନା ପରେ କବି ହୁଏତ ଶଙ୍କାହୀନ ଭାବରେ ସେଠାରେ ପହଞ୍ଚି ପାରନ୍ତି ।

 

ସମୟ ଅତିବାହିତ ହେଲା । ଉତ୍କଣ୍ଠା ଶେଷକରି ସେହି ଦିନ, ବାର ଉପଗତ ହେଲା ।

 

ଶ୍ୱେତକଣ୍ଠ ଠିକ୍‌ ନିର୍ଦ୍ଦିଷ୍ଟ ସମୟରେ ଆସି ଉପସ୍ଥିତ ହେଲେ ସେଇ ସେ ଫାଟକ ସମ୍ମୁଖରେ । ଦାସଦାସୀ ପରିଚାରୀମାନଙ୍କର ସମାରୋହ, ଅସଂଖ୍ୟ ଜଗୁଆଳୀ, ରାଣୀହଂସପୁର ସମୀପସ୍ଥ ଉଦ୍ୟାନପରେ ଏହି ଲୌହ କବାଟ ।

 

ଜୀବନପ୍ରତି ମମତା ତୁଟେଇ ଅପେକ୍ଷା କଲେ ଶ୍ୱେତକଣ୍ଠ । ତଥାପି ତାଙ୍କୁ ଲାଗିଲା– ସେ ଯେମିତି ତାଙ୍କ ଜୀବନର ଏକ ସଫଳ ମୁହୂର୍ତ୍ତକୁ ଅପେକ୍ଷା କରୁଚନ୍ତି । ହୁଏତ ସେହି ମୁଖଦର୍ଶନରେ ହିଁ ତାଙ୍କର ପୂର୍ଣ୍ଣତା ଆସିବ ଏବଂ ସେସବୁ ପ୍ରକାର ଶାସ୍ତିକୁ ମୁଣ୍ତପାତି ଗ୍ରହଣ କରିବାକୁ ସମର୍ଥ ହେବେ ।

 

ଝୁମ୍‍......... ଝୁମ୍‌......... ଝୁମ୍‌.........

 

ପାଦର ଝୁଣ୍ଟିଆ ଆଉ ପା’ଝମର ଶବ୍ଦ ।

 

ରାଜଜେମା ନବନୀତା !!!

 

ଧିରେ ଅତି ଧିରେ ସେ ଦରକା ଉନ୍ମୁକ୍ତ ହେଲା ।

 

ସଞ୍ଜର ଛାଇ ଅନ୍ଧାରରେ ବାହାରକୁ ଆସିଲେ ନବନୀତା, ସାଥୀରେ ଅନ୍ତଃପୁର ସହଚରୀ ଚାରୁଶୀଳା ।

 

ଅତି ଯତ୍ନ ସହକାରେ ନିଃଶବ୍ଦରେ ଫାଟକ ଉନ୍ମୁକ୍ତ କଲେ ଚାରୁଶୀଳା । ପୁଣି ଜେମା ଆସିବା ମାତ୍ରେ ଫାଟକ ରୁଦ୍ଧକଲେ ଭିତରପଟୁ ।

 

ଆଶ୍ଚର୍ଯ୍ୟ ହେଲେ ଶ୍ୱେତକଣ୍ଠ । ଯେଉଁ ପ୍ରତିଟି ପଦପାତରେ ଲକ୍ଷ ପାରିଜାତର ସ୍ୱପ୍ନ, ଯେଉଁ ପାଦର ନିମ୍ନ ଭାଗ ଧରଣୀର ଧୂଳି ସ୍ପର୍ଶକରି ନାହିଁ ସେଇ ପଦ୍ମଗନ୍ଧା ବାମାର ପଦଯୁଗଳ ଆଜି ଗତିଶୀଳ ।

 

ଶ୍ୱେତକଣ୍ଠଙ୍କୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇ ନବନୀତା ଆଗେଇ ଚାଲିଲେ.....

 

ପଥଚଲା ଜଣାପଡ଼ୁ ନଥାଏ କବି ଶ୍ୱେତକଣ୍ଠଙ୍କୁ । ପରିସ୍ଥତିକୁ ବୁଝବାଭଳି କ୍ଷମତା ନଥିଲା ସେତେବେଳେ ତାଙ୍କର । ସେ କେବଳ ଯାହା ଆଦେଶମତେ କରି ଯାଉଥିଲେ । ଜଣେ ଅପରାଧୀର କୌଣସି ଗତ୍ୟନ୍ତର ନଥିବା ଭଳି ସେ କେବଳ ଅନୁସରଣହିଁ କରି ଚାଲିଥିଲେ ।

 

ରତିବନର ଏକ ନିଭୃତ ପ୍ରକୋଷ୍ଠ । ତା’ରି ଭିତରେ ନବନୀତା ଆଉ ଶ୍ୱେତକଣ୍ଠ । ପ୍ରକୋଷ୍ଠ ନିଝୁମ ଅନ୍ଧାର । ସେଇ ଅନ୍ଧକାରର ଗଭୀରତା ଭିତରେ କଥୋପକଥନର ପର୍ଯ୍ୟାୟ ।

 

ରତିବନ ଉଦ୍ୟାନ ନୁହେଁ । ବନ କହିଲେ ଅତ୍ୟୁକ୍ତି ହେବନାହିଁ । ଉଆସର ରମଣୀମାନେ ଜଙ୍ଗଲ ପରିଭ୍ରମଣ କରିବାର ସଉକ ପାଇଁ ଏ ବନ ତିଆରି କରାଯାଇଛି । ଉଆସଠାରୁ ବେଶ୍‌ କିଛି ଦୂରରେ ବିରାଟ ଆକାରର ଏଇ ବନ । ଏଠାରେ ବୃକ୍ଷଲତା ଯଥେଷ୍ଟ ରୋପଣ କରାଯାଇ ସେଇ ଅନୁପାତରେ ବିଭିନ୍ନ ରମଣୀୟ ପଶୁ ଓ ପକ୍ଷୀମାନଙ୍କୁ ଆଶ୍ରୟ ଦିଆଯାଇଛି । ରାଣୀ ବା ରାଜରମଣୀ କେହି ଛଳ ଶିକାର କରିବାକୁ ମନକଲେ ସେହିଠାରେହିଁ ଅହିଁସ୍ର ଜନ୍ତୁ ବା ପକ୍ଷୀମାନଙ୍କୁ ଶିକାର କରି ଶିକାରୀର ଗୌରବ ନେଇଥାନ୍ତି ।

 

ସେଇ ରତିବନ.........

 

ଶ୍ୱେତକଣ୍ଠ ଆଉ ନବନୀତା–ନବନୀତା ଆଉ ଶ୍ୱେତକଣ୍ଠ ।

 

‘ତୁମେ ନା ଚାହିଁଥିଲ କବି ତୁମ ଲେଖାର ଛଳରେ, ଯଦି ଗୋଟିଏ ରାତ୍ରି ମୋ ସହିତ ଅତିବାହିତ କରିବାକୁ ମିଳିନ୍ତା ତୁମକୁ–ତା’ହେଲେ ତୁମ ଲେଖନୀ ଜୀବନ୍ୟାସ ପାଆନ୍ତା ? ତୁମ ଜୀବନର ଚରମ ସାଫଲ୍ୟ କେବଳ ଗୋଟାଏ ରାତ୍ରି ଏକତ୍ର ଉଦ୍‌ଯାପନ ଏକାନ୍ତ ନିରୋଳାରେ ବୋଲି ପ୍ରକାଶ କରିଥିଲ ନାଁ ? ମୁଁ ଯଦି କୁହେ ଯେ ତୁମ ସାଥିରେ ଏହି ରାତ୍ରି ଯାପନ ପାଇଁ ମୁଁ ପରୋକ୍ଷରେ ତୁମ ଭିକ୍ଷାର ଅନୁମୋଦନ କରିଛି ତେବେ କହିପାରିବ–କିଛି ପାଇଛ ?’

 

‘ଅନେକ.......... ।’

 

‘ଏଇ ନିଝୁମ ଅନ୍ଧାର ଭିତରେ କ’ଣ ତୁମେ ଦେଖି ପାରୁଛ ? ତୁମର ଅତିପ୍ରିୟ–ତୁମରି ଭାଷାରେ ଏଇ ତନୁ ବଲ୍ଲରୀ, ଚମ୍ପକ ଅଙ୍ଗୁଳି, ଘନକେଶ, ଆୟତନୟନ, ତୀକ୍ଷ୍ଣନାସା, ତ୍ରିବଳୀ, ଚିବୁକ, ଓଷ୍ଠାଧର, ଆଉ...... ଆଉ ମନେନାହିଁ । ଏସବୁ କ’ଣ ଦେଖିପାରୁଚ ତୁମେ ? ଉପଭୋଗ କରିପାରୁଚ ?’

 

ବିମୁଗ୍‌ଧ କଣ୍ଠରେ ଏହି ପ୍ରଶ୍ନର ଉତ୍ତର ଦେଲେ ଶ୍ୱେତକଣ୍ଠ ।

 

‘ଉପଭୋଗ କରିପାରୁଛି ରାଜକୁମାରୀ ! ଦେଖି ନପାରିଲେ ବି ଉପଭୋଗ କରୁଛି ସେଇ ଘନ କେଶପାଶର ଭୁରୁଭୁରୁ ଗନ୍ଧ, ଉପଭୋଗ କରୁଛି ଚନ୍ଦନ, ଅଗୁରୁ ଚର୍ଚ୍ଚିତ ତନୁବଲ୍ଲରୀରୁ ଆମୋଦିତ ସୁରଭି, ଆଉ ଉପଭୋଗ କରୁଛି କଣ୍ଠର ମୋତିହାର, ବାହୁର ବାଜୁବନ୍ଧ, କଟୀର ଚାପସରି ସାଙ୍ଗକୁ ପାଦର ଝୁଣ୍ଟିଆ ଆଉ ପା’ଝମର ଦୋଳନରେ ଏକ ମିଶ୍ରରାଗର ଅଫୁରନ୍ତ ଗୁଞ୍ଜରଣ ।’

 

ଦୟାପରବଶ ହୋଇ ଏକ ମହମବତୀ ପ୍ରଜ୍ଜ୍ୱଳିତ କଲେ ନବନୀତା ।

 

‘କବି ! ରାତ୍ରିର ଶେଷରେହିଁ ଏ ଆଲୋକ ଶିଖା ନିର୍ବାପିତ ହେବ । ତା’ପରେ ଏ ଅଭିସାରର ସମାପ୍ତି । କୁହ, ତୁମର ମନସ୍କାମନା ଏଥର ପୂର୍ଣ୍ଣ ହେଲା ? ମନଭରି ଦେଖ । ସାର୍ଥକ କର ତୁମ ବାସନା । ମୁଁ ଚାହେଁ ତୁମ ଲେଖନୀ ସଞ୍ଜିବୀତ ହେଉ । ମର ଦେହକୁ ନେଇ ଅମର ରଚନା ତୁମେ ସୃଷ୍ଟି କର ।’

ଶ୍ୱେତକଣ୍ଠ ନିଜେ ବି ବୁଝିପାରୁ ନଥିଲେ କାହିଁକି ତାଙ୍କ ଚକ୍ଷୁକୁ ଅଦ୍ଭୁତ ସୌନ୍ଦର୍ଯ୍ୟର ସମାରୋହ ଆଚ୍ଛାଦିତ କରି ଦେଇଛି ଲୁହର ଏକ ପରଦା ଟାଣିଦେଇ । ତୃଷାତୁର ନୟନ ତାଙ୍କର ଆହୁରି ଆର୍ଦ ହୋଇ ଉଠୁଥିଲା କ୍ରମଶଃ ।

ପ୍ରହର ପରେ ପ୍ରହର ଗଡ଼ି ଚାଲିଲା । ଶେଷ ପ୍ରହର ଆଗତ ପ୍ରାୟ । ରାଜଜେମାନଙ୍କୁ ଫେରି ଯିବାକୁ ପଡ଼ିବ ଏବଂ ପର ମୁହୂର୍ତ୍ତରୁ ପୁଣି ଦୁହେଁ ପରସ୍ପର ଏକାନ୍ତ ଅପରିଚିତ ।

ହଠାତ୍‌ ନବନୀତା ପ୍ରଶ୍ନ କଲେ ।

‘କବି ! ମୁଁ ଯଦି କହିବସେ ଯେ ମୁଁ ତୁମକୁ ଭଲ ପାଇ ବସିଛି ତା’ହେଲେ ତୁମେ ମୋତେ କ’ଣ ପ୍ରତ୍ୟୁତ୍ତର ଦେବ ?’

ହସି ଉଠିଲେ ଶ୍ୱେତକଣ୍ଠ ।

ଏତେବେଳେ ହାତ ତାଙ୍କର ନିଜ ଆଖି ନିକଟକୁ ଉଠିଗଲା । ଆଖି ଏବଂ ଚିବୁକରୁ ନିଜର ଲୋତକ ଦୁଇଧାର ପୋଛିଦେଇ ସାରିଲାପରେ ଶ୍ୱେତକଣ୍ଠ ଚିନ୍ତାକଲେ ଉତ୍ତର ଦେବାପାଇଁ । କିନ୍ତୁ ବାକ୍‌ରୁଦ୍ଧ ହେଲା । ତାଙ୍କୁ ନୀରବ ରହିବା ଦେଖି ଆଉଥରେ ପ୍ରଶ୍ନକଲେ ନବନୀତା ।

 

‘ନୀରବ ରହିଲ କବି ! କ’ଣ ତୁମର କିଛି ଆଉ କହିବାର ନାହିଁ ?’

 

‘ହଁ ଅଛି । କହିବି–ରାଜଦୁଲାଳୀ ମୋତେ ପରିହାସ କରୁଛନ୍ତି । ଯଦି ତା’ ନୁହେଁ, ତା’ହେଲେ ଏଇଟା ତାଙ୍କର ଅଶେଷ ଖେୟାଲ୍‌ ଭିତରୁ ଗୋଟାଏ ଖେୟାଲ୍‌ । କବି ଶ୍ୱେତକଣ୍ଠ ପ୍ରତି ଅଲିଅଳି ରାଜଜେମା ଦୟାପରବଶ ହେବା ସମ୍ଭବ କେବଳ । ହେଲେ, ଅନୁରକ୍ତ ନୁହେଁ । କାରଣ କବି ଶ୍ୱେତକଣ୍ଠ ନିକଟରେ ରାଜକୁମାରର ପୌରୁଷ, ସେନାପତିର ସାହସ ଅଥବା ବଣିକର ହୀରା ନୀଳାଭରା ବୋଇତ ନାହିଁ । ରାଜକୁମାରୀ ନବନୀତା ଆକୃଷ୍ଟ କେବେ ହୋଇ ନପାରନ୍ତି ।’

 

ଆହତା ହେଲେ ନବନୀତା । କିନ୍ତୁ ସଂଯତ କଲେ ନିଜକୁ ।

 

ଅଳୀକ ଯେ ସ୍ୱପ୍ନ, ତାକୁ ବାରମ୍ୱାର ରାତ୍ରିର ଗଭୀରତାରେ ଧରିବାକୁ ଚେଷ୍ଟାକଲେ ତାହା ସତ୍ୟ ହୋଇ ପାରିବନି, ହୁଏତ ଭୁଲ ନୁହଁନ୍ତି ଶ୍ୱେତକଣ୍ଠ । ତଥାପି ଅଭିମାନର ସ୍ୱର ତୋଳିଲେ ନବନୀତା ।

 

‘ବେଶ୍ ! ଏଥର ସମୟ ହୋଇଛି । ଯଦି ଆଉ କିଛି ତୁମର ଭିକ୍ଷା ବାକି ଥାଏ କରିପାର, ଶେଷଥର ପାଇଁ...... ।’

 

‘ଥାଳ ମୋର ଶୂନ୍ୟ ଫେରିବ ନାହିଁତ ?’

 

‘ପ୍ରତିଶ୍ରୁତ ଦେଲି..........’

 

ମୁଖ ଉତ୍ତୋଲନ କରି ଆଉଥରେ ଭଲକରି ଦେଖି ନେଲେ ନବନୀତାଙ୍କୁ କବି ଶ୍ୱେତକଣ୍ଠ । ତା’ପରେ ଚାହିଁଲେ ମହମବତୀର ଶିଖାକୁ ।

 

‘ଏ ଆଲୋକ ଲିଭେଇବାକୁ ଅନୁମତି ପାଇବି ?’

 

ରାଜକୁମାରୀ ଭଲକରି କବିଙ୍କର ମୁଖମଣ୍ତଳକୁ ନିରୀକ୍ଷଣ କଲେ । ଆଖି ଦୁଇଟିରେ ଭରି ଉଠିଥାଏ ଯେମିତି ଅନେକ ପ୍ରଶ୍ନ । ସତେ ଯେପରି ତାଙ୍କର ଶାନ୍ତ ସରଳ ଅଧର ଭିତରୁ ଅବ୍ୟକ୍ତ ସ୍ୱରରେ କେତୋଟି ଶବ୍ଦ ନିଷ୍କୃତି ଲାଭ ନକରିପାରି ଆତ୍ମଗୋପନ କରୁଥିଲେ.......... ‘କ’ଣ ପାଇଁ କବି ?’

 

ଶ୍ୱେତକଣ୍ଠଙ୍କର ସ୍ୱର ସେତେବେଳକୁ ବେଶ୍‌ ଥରି ଉଠିଥାଏ । ରାଜକୁମାରୀଙ୍କର ଚାହିଁ ରହିବାର ଦେଖି ସେ ସ୍ୱତଃ କହି ପକାଇଲେ ।

 

‘ମଣିଷ କିଛିଟା ଭୁଲ ବା ପାପ କରିବାକୁ ବସିଲେ ତା’ପାଇଁ ଅନ୍ଧାର ହିଁ ଏକମାତ୍ର ସହାୟ–ଯେଉଁ କାଳିମା ଭିତରେ କଳଙ୍କ ଆତ୍ମଗୋପନ କରିବ, ସେଥିପାଇଁ ଅନୁମତି ଭିକ୍ଷା କରୁଛି-।’

 

ନବନୀତାଙ୍କର ମନର ଅବସ୍ଥା ବୁଝିବା ଅସମ୍ଭବ । କ’ଣ ଘଟିବାକୁ ଯାଉଛି ତାହା ସେ ନିଜେ ମଧ୍ୟ ଜାଣନ୍ତି ନାହିଁ । ଏ ପ୍ରଶ୍ନଟିତାଙ୍କୁ ଠିକ୍‌ ଅଳିକଲା ଭଳି ଲଗିଲା ଆଉ ସେ ନୀରବରେ ମଥା ହଲାଇ ନିଜର ସ୍ୱୀକୃତି ଦେଲେ ।

 

ମହମବତୀ ଶିଖାକୁ ନିର୍ବାପିତ କଲେ ଶ୍ୱେତକଣ୍ଠ ।

 

ନିରନ୍ଧ୍ର ଅନ୍ଧକାର ଭିତରେ ସେଇ ଆଲକ୍ତ ରଞ୍ଜିତ ପଦଯୁଗକୁ ଦୁଇ ହାତରେ ତୋଳି ଧରି ନିଜ ଅଧର ସ୍ପର୍ଶ କଲେ ଶ୍ୱେତକଣ୍ଠ ।

 

ଶିହରୀ ଉଠିଲେ ରାଜଦୁଲାଳୀ..........

 

ସେତେବେଳକୁ ଫେରିବାର ସମୟ ହୋଇ ଯାଇଥାଏ ।

 

ଅନ୍ତଃପୁରର ଗବାକ୍ଷ ନିକଟରେ ଆନମନା ହୋଇ କହି ଚାଲିଥା’ନ୍ତି ସହଚରୀ ଆଗରେ ରାତ୍ରିର ଅନୁଭୂତି । ଏଇ ପଦସ୍ପର୍ଶ ସମ୍ପର୍କରେ ସହଚରୀ ପ୍ରଶ୍ନ କରନ୍ତେ କହିଲେ ତାକୁ ।

 

ସେତେବେଳେ ଅଙ୍ଗରେ ମୋର ବେପଥୁ, ଶିହରଣ, ପଦସ୍ପର୍ଶର ଅର୍ଥ ମୁଁ ମଧ୍ୟ ବୁଝି ପାରିଲିନି ଚାରୁଶୀଳା ! ତେଣୁ ପ୍ରଶ୍ନ କରନ୍ତେ ତାଙ୍କର ଯୁକ୍ତି ହେଲା–ଦିନେ ନା ଦିନେ ଏମିତି କେଉଁ ରାଜ୍ୟର ରାଜକୁମାର ପକ୍ଷୀରାଜ ଘୋଡ଼ା ଚଢ଼ି ଆସି କୁଆଡ଼େ ମୋତେ ନିଜର କରି ନେଇ ଯିବ । ସବୁ ଅଧିକାର କରି ବସିବ, ହେଲେ ଏଇଯେ ସ୍ମୃତି ଟିକକ ଯେଉଁ ସ୍ଥାନରେ ସେ ସ୍ୱାକ୍ଷର କଲେ ସେଠି ତ ଆଉ କାହାର ଦ୍ୱିତୀୟ ହେବାର ନାହିଁ । ତେଣୁ ସେତିକିରେ ଅଦ୍ୱିତୀୟ ହେବାରେ ମଧ୍ୟ ତାଙ୍କର କୁଆଡ଼େ ଅଶେଷ ଗୌରବ......... ।

 

ନବନୀତାଙ୍କ ଚକ୍ଷୁରେ ସେତବେଳକୁ ଲୋତକ । ପରିବେଶକୁ ସହଜ କରିବାକୁ ପ୍ରଶ୍ନ କଲା ଚାରୁଶୀଳା ।

 

‘ମୋ ପାଇଁ କିଛି କହିଲେନି ? ମୁଁ ଯେ ଏତେ ପରିଶ୍ରମ କରି ନିଜକୁ ବିପନ୍ନ କରି ଫାଟକ ଖୋଲିଲି........ ।’

 

ହଁ ଚାରୁଶୀଳା, ତୋ ପାଇଁ ମଧ୍ୟ ଦୁଇଧାଡ଼ି କହିଛନ୍ତି–‘ତୁମ ବାନ୍ଧବୀଙ୍କୁ କହିବ ରାଜକୁମାରୀ ! ଯେଉଁ ଭରସା ରଖି ସେ ତାଙ୍କ ପ୍ରାଣର ବାନ୍ଧବୀଙ୍କୁ ଏକ ଅନାଗତ ପୁରୁଷ ହାତରେ ଛାଡ଼ିଦେଇଥିଲେ, ସେ ପୁରୁଷ ନିଜର ପୌରୁଷକୁ ଅବମାନନା କରି ଅକ୍ଷତ ଅବସ୍ଥାରେ ତାଙ୍କ ବାନ୍ଧବୀଙ୍କୁ ଫେରେଇ ଦେଇଗଲା ।’

 

ଦୁହେଁ ଦେଖିଲେ– ବାହାରଟା ବେଶ ପରିଷ୍କାର ହୋଇଗଲାଣି । କୁଆଁତାରାର ଅସ୍ତିତ୍ୱ ମଧ୍ୟ କ୍ରମେ ଦୁର୍ବଳ ହୋଇ ଆସିଲାଣି । ରାତ୍ରିର କ୍ଳାନ୍ତି ଦୂର କରିବା ପାଇଁ ଦୁହିଁଙ୍କୁ ଅନ୍ତତଃ କିଛିଟା ବିଶ୍ରାମ କରିବାର ଆବଶ୍ୟକ ।

 

ବାହାରେ କୋଳାହଳ କ୍ରମେ ବଢ଼ି ଆସୁଛି ।

☆☆☆

 

ଭଟ୍ଟା

 

ସମୁଦ୍ର ।

 

ସାମୁଦ୍ରିକ... ।

 

ଏକ ସ୍କେଚ୍‍...

 

ଅଥବା ସଂକ୍ଷିପ୍ତ ଟିପ୍‌ପଣୀ ହୋଇପାରେ ।

 

ଗତାନୁଗତିକ ଧାରା: ଚିରାଚରିତ ରୀତି: କେତୋଟି ମୌଳିକତା ନେଇ ।

 

ସମ୍ପୂର୍ଣ୍ଣ ନୂତନତ୍ୱ ବିହୀନ ।

 

ଯେଣୁ ଗତାନୁଗତିକ ଧାରା । ତେଣୁ ଚିରାଚରିତ ରୀତି ।

 

କାରଣ ହେଲା ସହଜ ମୌଳିକତା ।

 

ସମୁଦ୍ର ସାମୁଦ୍ରିକ ।

 

ସିପ, ଶଙ୍ଖ, ଶାମୁକାର ସମାରୋହ ଅଥବା ବ୍ରସ୍‌, ସ୍ପାଚୁଲା ଆଉ ପ୍ୟାଲେଟର ସମାହାର-

 

ସାଗରର ଭିଜାବାଲି ବା ମନର ବାଲୁଚରରେ ଦୁଇଟି ସମୁଦ୍ର କଙ୍କଡ଼ା ‘ଷ୍ଟିଫେନ୍‌’ ଆଉ ‘ଜଲି’ ।

 

ସମୁଦ୍ର ଢେଉରେ ଉପରକୁ ଉଠି ଆସିଲେ ଆଉ ପୁଣି ଗାତ ଭିତରକୁ ପଶିଗଲେ କାହା ପାଦଶବ୍ଦ ଶୁଣି । ସେ ପ୍ରକୃତି ହୋଇପାରେ, ସମୟ ହୋଇପାରେ, ପରିସ୍ଥିତି ବା ନହେବ କାହିଁକି ?

 

ତେଣୁ ଗତାନୁଗତିକ ଧାରା–ଚିରାଚରିତ ରୀତି ! ନୂତନତ୍ୱ ବିହୀନ । ଯେହେତୁ ସମୁଦ୍ର ଆଉ ସାମୁଦ୍ରିକ କେହି ନୂତନ ନୁହଁନ୍ତି । ଅ ଠାରୁ କ୍ଷ ପର୍ଯ୍ୟନ୍ତ ଯେପରି କୌଣସି ଅକ୍ଷର ନୂତନ ନୁହେଁ-। ତଥାପି ତା’ର ବ୍ୟବହାର ଭିନ୍ନରେ ନୂତନର ସୃଷ୍ଟି । ନୂତନ ଆଉ ପୁରାତନ, ପରୀକ୍ଷାମୂଳକ ବା ଗତାନୁଗତିକ ଏକ ମାନସିକ ପ୍ରକ୍ରିୟା ।

 

ଏଇ ମୁହୂର୍ତ୍ତର ସମୁଦ୍ର ପୁଣି ଆର ମୁହୂର୍ତ୍ତରେ ଭିନ୍ନ, କାରଣ ସେ ସମୁଦ୍ର । ସେ ଚିରାଚରିତ, ଗତାନୁଗତିକ । ତେଣୁ ଚିର ନୂତନ, ଯେହେତୁ ଏକାନ୍ତ ପୁରାତନ...... ।

 

ସମୁଦ୍ର !

 

ସେଥିପାଇଁ ସମୁଦ୍ରର ତୃଷ୍ଣା ନେଇ ସମୁଦ୍ର ଷ୍ଟଡି କରିବାକୁ ଜୀବନର ପଣ କରିନେଇଛନ୍ତି ଷ୍ଟିଫେନ୍‌ । ଅନନ୍ତ ସମୁଦ୍ରର ପ୍ରତିଟି ଅବସ୍ଥାକୁ ସେ ଧରି ରଖିବାକୁ ଚାହାଁନ୍ତି ତାଙ୍କ ତୁଳି ଆଉ ରଙ୍ଗ ମାଧ୍ୟମରେ । ସେ କିନ୍ତୁ ଜାଣନ୍ତି ଯେ ସମୁଦ୍ରର ଅସୀମ ଅବସ୍ଥା ମଧ୍ୟରୁ ନିଜର ଜୀବନକାଳ ଭିତରେ ହୁଏତ ମାତ୍ର କିୟଦଂଶ ସ୍କେଚ୍‌କୁ ଆଣି ପାରିବେ । ଜାଣି ଜାଣି ଏହିପରି ଏକ ଅଭିଳାଷକୁ ଜୀବନରେ ଚରିତାର୍ଥ କରିବାର ଲକ୍ଷ୍ୟ ନେଇ ଆଗେଇବାର ଉଦ୍ଦେଶ୍ୟ... ।

 

ହଁ, ହୋଇପାରେ–ଏକ ଅସମାପିକାକୁ ଧରି ଜୀବନଟାସାରା କଟେଇ ଦେଇହବ ବେଶ୍ ତୃପ୍ତିରେ । ଏମିତି ଦିନ କେବେ ଆସିବ ନାହିଁ । ଯେତେବେଳେ କି ଗୋଟାଏ ବିଭାଗ ସରିଗଲା ବୋଲି ଆଉ ଗୋଟାଏ ବିଭାଗ ନିର୍ବାଚନ ସଂପର୍କରେ ଚିନ୍ତା କରିବାକୁ ପଡ଼ିବ । କାରଣ ଏଇ ସମୁଦ୍ରର ବିଭିନ୍ନ ମୁଦ୍ରାରୁ ହିଁ ସେ ତାରୁଣ୍ୟରେ ସନ୍ଧାନ କରିପାରିବେ ସାଗର କନ୍ୟାର ଶଙ୍ଖସ୍ତନ, ସ୍ଫୀତ ଜଘନ, ଦମ୍ଭ ନିତମ୍ୱ । ଏଇଥିରେ ପୁଣି ଅଛି ଉଦ୍ଦାମ ଯୌବନ, ରାଶି ରାଶି ସ୍ୱପ୍ନ, ଦୁରନ୍ତ ସଂଘର୍ଷ ।

 

ବୟସର ଦ୍ରୁତ ଅଗ୍ରଗତି ପରେ ଏହି ଅବିରାମ ଗତି ମନେହେବ କ୍ଳାନ୍ତ ପଥିକର ଶିଥିଳ ପ୍ରଚେଷ୍ଟା ଭଳି । ଲହରୀର ଆରୋହୀ ଗତି ଗୁଡ଼ାକ ମନେହେବ ବିଫଳ ପ୍ରୟାସ ଆଉ ଅନ୍ତିମର ଅନନ୍ତ ମଧ୍ୟରେ ଆତ୍ମ ବିଲୁପ୍ତି ପାଇଁ ଅବରୋହ । ତେଣୁ ଅନ୍ତଃହୀନ–ଏ ଅସମାପିକା । ଆହରଣ କରିବାର ପ୍ରୟାସ କେବେ ନିବୃତ୍ତି ନେବାର ନୁହେଁ ।

 

ତଥାପି ତା’ରି ବ୍ୟବହାର ଭିନ୍ନରେ ନୂତନର ସୃଷ୍ଟି ।

 

ଏହାହିଁ ଷ୍ଟିଫେନ୍‌ଙ୍କର ଯୁକ୍ତି ।

 

ଏହି ଉକ୍ତିକୁହିଁ ସେ ଅଳ୍ପ କେତେଗୋଟି ବାକ୍ୟରେ ସେଦିନ ପ୍ରକାଶ କରିଥିଲେ ପ୍ରଶ୍ନକର୍ତ୍ତା ସେଇ ପ୍ରୌଢ଼ଙ୍କ ସମ୍ମୁଖରେ... ।

 

ସମୁଦ୍ରର ରୂପକୁ ଏକାନ୍ତ ଭାବରେ ଲକ୍ଷ୍ୟ କରି କ୍ୟାନ୍‌ଭାସ୍‌କୁ ରୂପାନ୍ତରିତ କରିବା ଏକ କଷ୍ଟସାଧ୍ୟ ଅଧ୍ୟବସାୟ । ସମୁଦ୍ର ଷ୍ଟଡି କରିବାକୁ ହେଲେ କୋଟିଏ ସମୁଦ୍ରର ଶୋଷ ନେଇ କେବଳ ଗୋଟିଏ ସମୁଦ୍ର ପାଖରେ ବସାଯାଇପାରେ । କାରଣ ସେ ଭଣ୍ତାର ସରିବା ପୂର୍ବରୁ ହୁଏତ ଅନେକ ଜନ୍ମ କ୍ରମାଗତ ଭାବରେ ଇତି ହେବା ସ୍ୱାଭାବିକ ।

 

ପ୍ରୌଢ଼ ହୁଏତ କିଛି ବୁଝିଲେ କିଛି ବୁଝିଲେନି । ହାତରେ ସ୍କେଚ୍‌ ଆଉ ତା’ ଉପରେ ଅସଂଖ୍ୟ ଅଙ୍କା ବଙ୍କା ଦୁର୍ବୋଧ୍ୟ ଚାର୍‌କୋଲ ପେନ୍‌ସିଲ ଗାରକୁ ଦେଖି ଭାବିଥିବେ ତାଙ୍କ ସାନ ଝିଅ ଜଲି ମଧ୍ୟ ବେଳେବେଳେ ୟାଠାରୁ ସ୍ପଷ୍ଟଗାର କାନ୍ଥ ଉପରେ ଅଙ୍ଗାର ଧରି ଟାଣେ ଏବଂ ଗାଳି ଖାଏ-

 

ପ୍ରୌଢ଼ଙ୍କର ପରବର୍ତ୍ତୀ ପ୍ରଶ୍ନ ନିହାତି ମାମୁଲି ଅନ୍ୱେଷଣ । ସେଇ ଗତାନୁଗତିକ, ଚିରାଚରିତ–ଘରଦ୍ୱାର, ପିତାମାତା, ଶିକ୍ଷାଦୀକ୍ଷା ।

 

ଷ୍ଟିଫେନ୍‌ ଏଇ କେତେଗୁଡ଼ିଏ ପ୍ରଶ୍ନର ମଧ୍ୟ ଏକ ଛାଞ୍ଚପକା ଉତ୍ତର ତିଆରି କରିଛନ୍ତି ଜୀବନର କସ୍ମିନ କାଳେ ପ୍ରୟୋଜନ ହେବ ବୋଲି । ସେହି କେତୋଟି ଧାଡ଼ି ସେ ଉପସ୍ଥାପିତ କରନ୍ତି ସୁବୋଧ୍ୟ ଗଦ୍ୟ ପାଠକଙ୍କ ଭଳି...... ।

 

ବମ୍ୱେର କୌଣସି ଏକ ଉପକଣ୍ଠରେ ଭୂମିଷ୍ଠ ହୋଇଥିଲେ । ପିତା ହୁଏତ ହୋଇଥିବେ କେହି ଉଇଲିୟମ, ଜୋସେଫ୍‌ ବା ସେମିତି କିଛି । ମାତା ମଧ୍ୟ ସେମିତି କେହି ମେରୀ, ମିଲି ବା ରୋଜି–ବିଦେଶୀ ବିଦେଶିନୀ । ଭାରତରେ ଦୀର୍ଘଦିନ ଅବସ୍ଥାନ କରୁଥିଲେ । ସେହି ଅବସ୍ଥାନ କାଳରେ ସହବାସ । ବାସ୍‌... ।

 

ହୁଏତେ ଷ୍ଟିଫେନ୍‌ ତାଙ୍କର ମାତାଙ୍କର ଗଭକୋଷରେ କଷି ଧରିଥିବେ ।

 

ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବାର ଅବ୍ୟବହିତ ପୂର୍ବରୁ ଏକ ନାତିଦୀର୍ଘ ଭାବପ୍ରବଣତା ବିଯୁକ୍ତ ବିଦେଶୀୟ ନିଷ୍ପତ୍ତି... ।

 

ଭାରତରେ ଭୂମିଷ୍ଠ ସନ୍ତାନ ସେ ଦେଶକୁ ଫେରି ପାରେନା । ଜୀବକୋଷଠାରୁ ଆରମ୍ଭ କରି ପ୍ରତି ରକ୍ତକଣିକା ସେହି ବିଦେଶୀୟ ଉପାଦାନରେ ଗଢ଼ା ହେଲେ ବି ସୁଦ୍ଧା ଜନ୍ମରୁ ଭାରତୀୟ–ଜଳବାୟୁରେ ଅଙ୍ଗପୁଷ୍ଟ । ନିଶ୍ୱାସ ପବନ ଆଉ ମୁହଁରେ ପାଣି ମାଧ୍ୟମରେ ଏ ମାଟିରେ ଅବିଚ୍ଛେଦ୍ୟ ସ୍ୱାକ୍ଷର । ତେଣୁ ସେ ସନ୍ତାନ କେବେହେଲେ । ସେ ମାଟି ମାଡ଼ି ପାରେନା ।

 

ଅପତ୍ୟ ସ୍ନେହର ସମସ୍ତ ସ୍ୱାଦୁ ଦୋହନ କରିସାରିବା ପରେ ଷ୍ଟିଫେନ୍‌ଙ୍କ ପାଇଁ ଏ ଶିରୋନାମାରେ ଯେତେବଳେ ଏଭଳି ସିଦ୍ଧାନ୍ତ ସାବ୍ୟସ୍ତ ହେଲା ସେତେବେଳେ ସେ କେତେବଡ଼ ହୋଇଥିଲେ ସେ କଥା ସେ ଠିକ୍‌ ମନେ ରଖିବାକୁ ଚାହିଁନାହିାଁନ୍ତି । ତେବେ ଏତିକି ଜାଣନ୍ତି ଯେ ପ୍ରକୃତ ପିତାମାତା ଆଉ ଅପ୍ରକୃତ ପିତାମାତା । ମଧ୍ୟରେ ଏକ ବିଭାଜନ ରେଖା ଟାଣିବାର ହେତୁହେବାର ବହୁଆଗରୁ ସେ ବିଚ୍ଛିନ୍ନ ହୋଇଥିଲେ । ତା’ପରେ କେଇଟା ମୁହୂର୍ତ୍ତ ସେ କାନ୍ଦିଥିବେ ଆଉ ପରକ୍ଷଣରେ ନାଲି କଣ୍ଢେଇ ବା କୌଣସି କ୍ୟାଥଲିକ୍‌ ଫାଦର ପରିଚାଳିତ ଅନାଥାଶ୍ରମର ଆୟାକୁ ଦେଖି ସବୁ ଭୁଲି ଯାଇଥିବେ ।

 

କିନ୍ତୁ ଭାରତ ଛାଡ଼ିବା ପୂର୍ବରୁ ଷ୍ଟିଫେନ୍‌ଙ୍କ ନାମରେ ଛାଡ଼ିଗଲେ ଅନେକ ସମ୍ପତି–ବେଶ୍‌ କେତୋଟି କୋଠା, ଯଥେଷ୍ଟ ବ୍ୟାଙ୍କ ବାଲାନ୍ସ, କୌଣସି ଆଇନ ବ୍ୟବସାୟୀଙ୍କ ମାର୍ଫତରେ । ଆଉ ଏକଥା ମଧ୍ୟ ଷ୍ଟିଫେନ୍‌ ଶୁଣିଛନ୍ତି ଯେ ତାଙ୍କର ହେତୁ ଆସିବା ପର୍ଯ୍ୟନ୍ତ କୁଆଡ଼େ ଯଥେଷ୍ଟ ଅର୍ଥ ବିଦେଶରୁ ଆସି ତାଙ୍କର ବ୍ୟାଙ୍କ ବାଲାନ୍ସକୁ ଅଧିକରୁ ଅଧିକତର କରୁଥିଲା ।

 

ସେଇ ଅର୍ଥର ପ୍ରାଚୁର୍ଯ୍ୟ ଭିତରେ ଷ୍ଟିଫେନ୍‌ ଆଜି ବେଶ୍‌ ଧନୀ । ତାଙ୍କର ଜୀବନକାଳ ଭିତରେ ଅର୍ଥର ଅଭାବ ପଡ଼ିବାର ସମ୍ଭାବନା ନାହିଁ । କାହିଁକି କେଜାଣି ଏ ବୃତ୍ତିପ୍ରତି ତାଙ୍କର ଆକର୍ଷଣ । ଅପରିସୀମା କ୍ଷୁଧ୍ୟ ନେଇ ଜୀବନରେ ଅଙ୍କନ କରିବାର ଅଭିଲାଷ । ଏହି ବାଟରେ ପିତାମାତା ଅଥବା ପୂର୍ବାପର ସମ୍ୱନ୍ଧ ସଂଜ୍ଞାସୂଚକ ପ୍ରଶ୍ନ ଯଥେଷ୍ଟ କମ୍‌ ଭେଟିବାକୁ ପଡ଼ିବ ବୋଲି ସମ୍ଭବତଃ ଏଇଟା ତାଙ୍କର ଅବଚେତନ ମନର ଲଜିକ୍‌ ।

 

ତାଙ୍କର ବ୍ୟତିକ୍ରମ ହେଲା–ପିତାଙ୍କମାତାଙ୍କର ଖୋଜ ଖବର ରଖିବାକୁ ସେ କେବେ ଚେଷ୍ଟା କରି ନାହାଁନ୍ତି । ଯେହେତୁ ସେ ସମ୍ପର୍କ ଜାହିର କରିବାର ଅବକାଶ ତାଙ୍କର ଆସିବାର ନାହିଁ ।

 

ଆଉ ବିଶେଷତ୍ୱ ହେଲା–ଶିକ୍ଷାର ମାଧ୍ୟମରେ କେବଳ ସେଇ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ସେ ଘୃଣା ବୋଧ କରିଛନ୍ତି । ଯେମିତିକି ଥରେହେଲେ କୌଣସି କାରଣରୁ ସେଭଳି ଏକ ମାଟି ସ୍ପର୍ଶ କରିବା ତାଙ୍କ ଭାଗ୍ୟରେ ନଜୁଟୁ । ନାଁଟା କେବଳ ତାଙ୍କ ପିତାଙ୍କର ଦାନ ବୋଲି ତାକୁ ସେ ପୋଛିଦେଇ ପାରିନାହାଁନ୍ତି ।

 

ବାଇଶିବର୍ଷ ବୟସ୍କ ଏକ ରୂପଶ୍ରୀ ତରୁଣର ଏଇ ଉକ୍ତିରେ ସନ୍ତୋଷ ପ୍ରକାଶ କଲେ ପ୍ରୌଢ଼ । ଆଉ ଜଲିକୁ ଡାକିବାରେ ଗୁରୁତ୍ୱ ଦେଲେନି....... ।

 

ସମୁଦ୍ରତୀରର ବାଲିଅଂଶତକ ଟପିଗଲା ପରେ କିଛି ବାଟରେ ରାଜରାସ୍ତା । ଠିକ୍ ରାଜ ରାସ୍ତାଟି ଆରପାଖରେ ପ୍ରୌଢ଼ଙ୍କର ଘର । ବିରାଟ ପ୍ରାସାଦ । ସେଇ ପ୍ରାସାଦରୁ ଡେଇଁ ଡେଇଁକା ସମୁଦ୍ରକୂଳକୁ ଆସେ ଏଇ ଯୋଉ ଝିଅଟି–ତା’ରି ନାଁ ଜଲି । ଆଠ ନ’ବର୍ଷର କୁନିଝିଅଟିଏ । କହରା କହରା ବାବୁରି ବାଳ, କହିଲା, କହିଲା ବଡ଼ ବଡ଼ ଆଖି, ନାଲି ଟୁକୁଟୁକୁ ଓଠ । ଚମ୍ପାଫୁଲ ଭଳି ଦେହର ରଙ୍ଗ । ଷ୍ଟିଫେନ୍‌ଙ୍କର ମତ ଯେ ଜୀବନରେ ଏତେ ସୁନ୍ଦର ଝିଅ କେବେ ସେ ଦେଖି ନାହାଁନ୍ତି-

 

ସେଦିନ ଚାକର ବୁଲେଇବାକୁ ଆଣିଥାଏ । ବୁଲିବୁଲି ଷ୍ଟିଫେନ୍‌ଙ୍କ କ୍ୟାମ୍ପ ପାଖରେ ପହଞ୍ଚିଲା । ସେଠି ସେ ଇଜେଲ ପୁଣି ତା ଉପରେ ଏତେ ବଡ଼ ଗୋଟାଏ କ୍ୟାନ୍‌ଭାସ ଦେଖି ଅଟକିଗଲା । ଏଇଟା କ’ଣ, ସେଇଟା କ’ଣ କହି ବିବ୍ରତ କଲା ଷ୍ଟିଫେନ୍‌ଙ୍କୁ । ଝିଅଟିର ପ୍ରଶ୍ନରେ ମୁଗ୍‌ଧ ହେଲେ । ମୁଖରିତ ହେଲେ । ତା’ପରେ ଚାକର ପିଲାଟି ଡାକିବାରେ ଗୋଟାଏ ଉତ୍ତର ।

 

‘ମୁଁ ଦେଖୁଚି ପରା । ମୁଁ ଯିବିନି ।’

 

ସେଥିପାଇଁ ପ୍ରୌଢ଼ ଆସିଥିଲେ । ଆଉ ଏଇସବୁ ଆଲୋଚନା କରି ଷ୍ଟିଫେନ୍‌ଙ୍କ ପାଖରୁ ଫେରିଗଲେ ଝିଅଟିକୁ ବାଧ୍ୟନକରି ।

 

ସେହିଦିନଠାରୁ କେମିତି କେଜାଣି ସେଇ ସମୟ ହେଲାମାତ୍ରେ ଜଲି ଚାଲିଆସେ ଷ୍ଟିଫେନ୍‌ଙ୍କର ସେଇ କ୍ୟାମ୍ପ ଛତା ତଳକୁ । ଏକ ଲୟରେ ସେଠି ବସେ । ଅଙ୍କାବଙ୍କା ଗାରଗୁଡ଼ାକୁ ଦେଖେ । ହଠାତ୍‌ କୁଆଡ଼େ ଦିନେ ସେଇ ଗାରଗୁଡ଼ିକରୁ ତା’ର ଛବିଟା ବାହାରି ପଡ଼ିବ.....ଅବିକଳ ତା’ରି ଭଳି ।

 

ଜଲିକୁ ଆଉ ଘରେ ମଧ୍ୟ କେହି ଖୋଜନ୍ତି ନାହିଁ । ଦରକାର ପଡ଼ିଲେ ନିର୍ଦ୍ଦିଷ୍ଟ ସେଇ ସ୍ଥାନକୁ ଲୋକ ପଠେଇ ଡକେଇ ଆଣନ୍ତି ।

 

ବେଶ୍‌ କିଛିଦିନ ତଳର କଥା ଇଏ...... ।

 

ୟା ଭିତରେ ଦୀର୍ଘ ଆଠବର୍ଷ ବିତି ଯାଇଛି ।

 

ଆଠବର୍ଷ ପରେ ଭାରତର ବିଭିନ୍ନ ସ୍ଥାନ ବୁଲିବୁଲି ପୁଣି ଏଇ ସମୁଦ୍ରକୂଳକୁ ଫେରିଛନ୍ତି ଷ୍ଟିଫେନ୍‌ । ଆଜକୁ ଚାରିଦିନ ହବ ସେ କ୍ୟାମ୍ପ କଲେଣି । ଅବିକଳ ସେଇ ସ୍ଥାନରେ ସେଇଠି ସେମିତି । ସେଇ ଗେରୁଆ ରଙ୍ଗର କୋଠାକୁ ଚାହିଁ ଆଠବର୍ଷ ତଳର ସ୍କୃତି ମନ୍ଥନ କରିବାକୁ ଆରମ୍ଭ କରିଛନ୍ତି ।

 

ମନ ଭିତରେ ତାଙ୍କର ସେ ଆଠବର୍ଷ ତଳର ଜଲି । କହରା କହରା ବାଳ, କହିଲା କହିଲା ଆଖି, ଖଣ୍ତାଧାର ପରି ନାକ, ବାମପଟ ପଟେ ଠିକ ଓଠ ତଳକୁ ଛୋଟ ତିଳ ଚିହ୍ନଟିଏ । ଫିକ୍‌କରି ହସିଦେଲାବେଳେ ଦି’ଗାଲ ମଝିରେ ଦି’ଟା ଛୋଟ ଭଉଁରୀ । ସତେ ଯେମିତି ସେ ପ୍ରତୀକ୍ଷା କରୁଛନ୍ତି ସେଇ ଜଲିକୁ । ଅନ୍ୟମନସ୍କ ଭାବରେ ଷ୍ଟିଫେନ୍‌ ନିଜର ପ୍ୟାଲେଟ୍‌ରେ ରଙ୍ଗ ଗୋଲିବାବେଳେ ହାତରେ ସ୍ୱାଚୁଲାକୁ କାମୁଡ଼ି ଘଣ୍ଟା ଘଣ୍ଟା ଧରି କଣ୍ ଯେମିତି ଭାବୁଛନ୍ତି....... ।

 

ଜୀବନରେ ଏଇ ସ୍ଥାନଟା ପ୍ରତି ତାଙ୍କର କେତେ ଆକର୍ଷଣ । ହୁଏତ ଏଇଠି ତାଙ୍କର ଚିତ୍ରକର ଜୀବନର ସବୁଠାରୁ ଶେଷ୍ଠ ସ୍ମୃତି ରହି ଯାଇଛି । କାରଣ ସେ ଆଜିଯାକେ ଆଙ୍କିଥିବା ଶ୍ରେଷ୍ଠ ଚିତ୍ରହିଁ ତାଙ୍କର ଏଇ ସାଗର ବେଳାଭୂମିର ଅବଦାନ । ଆର୍ଟରୋଲ୍‌ଟା ଖୋଲି ଅନ୍ୟମନସ୍କ ଭାବରେ ସବୁ ଚିତ୍ରଗୁଡ଼ିକୁ ପୁଣିଥରେ ଓଲଟାଇ ଦେଖୁଥିଲେ ଷ୍ଟିଫେନ୍‌ ।

 

ହଠାତ୍‌ ତାଙ୍କ ଦୃଷ୍ଟି ଅଟକି ଗଲା ଗୋଟିଏ ଦିଗରେ । ଦୁଇଟି ତରୁଣୀ ଆଉ ତାଙ୍କ ସାଙ୍ଗରେ ଠିକ୍‌ ସେଇ କୁନି ଝିଅଟି ବୋଧହୁଏ । ଦୂରକୁ ଅବିକଳ ସେମିତି ଦିଶୁଛି । ମନେହେଲା ଧାଇଁଯାଇ ଦେଖି ଆସିବେ, ଡାକି ଆଣିବେ । ପର ମୁହୂର୍ତ୍ତରେ ନିଜର ଖିଆଲ୍‌ ପାଇଁ ଲଜ୍ଜିତ ହେଲେ ସେ । ଜଲି ହୁଏତ ୟା ଭିତରେ......ଛି ଛି ।

 

ଜଲିକୁ ସେଇ ଆଠବର୍ଷ ତଳର ଆଠବର୍ଷର ଝିଅ ସ୍ଥାନର ରଖି ଭୁଲ କରିଛନ୍ତି ସେ । ହୁଏତ ତା’ ଦେହରେ ରଙ୍ଗ ଫିଟିଥିବ । ଆଖିରେ ନିଶା ଛୁଟୁଥିବ । ଅଙ୍ଗରେ ବସନ୍ତର ଆମୋଦ ନେଇ ଜଲି........ ।

 

‘ଟିକେ ଆମେ ଦେଖିପାରିବୁ ଭିତରେ ଆସି ?’

 

ଚମକି ପଡ଼ିଲେ କାହାର କଥାରେ ଷ୍ଟିଫେନ୍‌ । ସେଇ ଦୁଇ ତରୁଣୀ ଆଉ ସେ ବାଳିକା । ଅନ୍ୟମନସ୍କ ଭାବରେ ମଥା ହଲେଇ ସମ୍ମତି ଦେଲେ । ତା’ଭିତରୁ ତରୁଣୀ ଦୁଇଜଣ ସେ ଚରିତ୍ର ଚିତ୍ରର ରୋଲ୍‌ଗୁଡ଼ା ଫିଟେଇ ଦେଖିବା ଆରମ୍ଭ କଲେ । କିଛି ସମୟ ପରେ କ୍ରୀଡ଼ାରତା ବାଳିକାଟି ପୁଣି ବାଲିରେ ଖେଳିବାକୁ ଚାଲିଗଲା ତା’ ପଛେ ପଛେ ଜଣେ ତରୁଣୀ ମଧ୍ୟ । ସେଇ ଛତାର ଟିକିଏ ଦୂରକୁ ଠିଆ ହୋଇ ସେଇମାନେ ସମୁଦ୍ର ଦେଖିଲେ । କିନ୍ତୁ ଅନ୍ୟଜଣକ ଖେଳେଇ ଚାଲିଥାଏ ସେଇ ରୋଲଗୁଡ଼ାକ । ଷ୍ଟିଫେନ୍‌ ଅନ୍ୟମନସ୍କ ଭାବରରେ ଛୁରୀଟାକୁ ଧରି ପ୍ୟାଲେଟ ଉପରେ ରଙ୍ଗ ନିରୁପଣ କରୁଥାନ୍ତି । କିନ୍ତୁ ଆଖି ତାଙ୍କର ସେଇ କୁନି ଝିଅଟି ଉପରେ । ସେତେବେଳକୁ ଟିକିଟିକି କଙ୍କଡ଼ା ପଛରେ ଗୋଡ଼େଇବା ଆରମ୍ଭ କରି ଦେଲାଣି ସେ । ପାଖରେ କିଏ ଚିତ୍ର ଦେଖୁଚି ସେଥିପ୍ରତି ତାଙ୍କର ନଜର ନାହିଁ । କେତେ ତ ଏମିତି ଆସି ଦେଖିବାକୁ ବିବ୍ରତ କରୁଛନ୍ତି ।

କିଛିକ୍ଷଣ ପରେ ଷ୍ଟିଫେନ୍‌ ମୁହଁ ବୁଲେଇ ଦେଖନ୍ତି ତ ତରୁଣୀଟି ତାଙ୍କ ଆଡ଼କୁ ପଛକରି ଚିତ୍ରଗୁଡ଼ିକ ଦେଖି ଚାଲିଚି । ହଠାତ୍‌ ଆଖି ତା’ର ଅଟକି ଗଲା ଗୋଟିଏ ଚିତ୍ର ଉପରେ । ଷ୍ଟିଫେନ୍‌ ଆଶ୍ଚର୍ଯ୍ୟ ହେଲେ ନାହିଁ । କାରଣ ପ୍ରକୃତରେ ସେ କେତୋଟି ତାଙ୍କ ଜୀବନର ଶ୍ରେଷ୍ଟ ଚିତ୍ର...... ।

ସାଗରବେଳାରେ ଅସ୍ତଗାମୀ ସୂର୍ଯ୍ୟ ଆଉ ବେଳାଭୂମିରେ ବାଳିକାଟିଏ....... ଅପରୂପା...... ଜଲି । ବେଶ୍‍ କେତୋଟି ଚିତ୍ର ତା’ର ବିଭିନ୍ନ ଭଙ୍ଗୀର ।

ହଠାତ୍‌ ତରୁଣୀଟି ପ୍ରଶ୍ନ କଲା ।

‘ଆପଣ ଚିତ୍ର ବିକନ୍ତି ?’

ଅତି ସହଜଭାବେ ସ୍ୱାଚୁଲାଟା ଇଜେଲ୍‌ ଉପରେ ଠକ୍‌ ଠକ୍‌ କରୁ କରୁ ଉତ୍ତର ଦେଲେ ଷ୍ଟିଫେନ୍‌ ।

‘ବିକେ ନାହିଁ ବୋଲି କହିଲେ ଭୁଲ ହେବ । କାରଣ ଚିତ୍ରକର ମୁଁ । ଚିତ୍ର ବ୍ୟବସାୟୀ ନହେଲେ ବି ଲୋକେ ଭାବିବେ । ଆପତ୍ତି ନଥିଲା ବିକା କିଣା ମୂଲଚାଲ୍‌ କରିବାରେ ତେବେ ସେଇ କେତେଟା ଛବି ଉପରେ ଆପାତତଃ ନୁହେଁ ।’

 

‘କାରଣ ?’

 

‘କିଛି ନୁହେଁ, କାରଣ ତା’ପଛରେ କିଛିଟା ସ୍ମୃତି....... । ଏଇ ସାଗରବେଳାରେ ଠିକ ଏଇଠି ସେ ମଡ଼େଲକୁ ପାଇଥିଲି । ତା’ପାଖରେ ମୁଁ ଋଣୀ । ତା’ ଘରକୁ ଯିବାଭଳି ପରିଚୟ ଯେହେତୁ ନାହିଁ ଏକାନ୍ତ ଭାବରେ ଏଠି ଆସି ତାକୁ ଅପେକ୍ଷା କରୁଚି । ତେଣୁ ସେଇ ଚିତ୍ର ବିକିବାର ପ୍ରଶ୍ନ ଉଠିବନି କେବେ ।’

 

‘କିନ୍ତୁ ସେଇ ମଡ଼େଲ୍‌କୁ ଆପଣ ନିଶ୍ଚୟ ପ୍ରତିଶ୍ରୁତି ଦେଇଥିଲେ ଯେ ତା’ଚିତ୍ର ଖଣ୍ତେ ଅତିଶୀଘ୍ର ଆଙ୍କି ତାକୁ ପଠେଇ ଦେବେ ବୋଲି....... ସେ ପ୍ରତିଶ୍ରୁତି କ’ଣ ଆପଣ ରଖିଛନ୍ତି ?’

 

ଚମକି ପଡ଼ିଲେ ଷ୍ଟିଫେନ୍‌ । କିଏ ଏଇ ତରୁଣୀ ଯେକି ତାଙ୍କ ପ୍ରତିଶ୍ରୁତି ଜାଣିଚି । ଆଗେଇ ଯାଇ ଚାହିଁଲେ ସେ........ ।

 

ଇସ୍‌ !!!

 

ହାତରୁ ଖସି ପଡ଼ିଲା ପ୍ୟାଲେଟ୍‌ ଆଉ ସ୍ୱାଚୁଲା । ମୁହଁକୁ ଚାହିଁ ହେଲାନି ବେଶି ସମୟ । ତଥାପି ଆଖି ଦି’ଟାକୁ ଟାଣି ଧରି କ’ଣ ଯେମିତି ଖୋଜୁଥାନ୍ତି ସେ ମୁହଁରୁ ଷ୍ଟିଫେନ୍‌ ।

 

ମୁହଁ ଉପରର କଟାକଟା ଅଖା ବସନ୍ତର ଦାଗ ଆଉ ଆଖିର କଳା ଭଅଁର ଡୋଳାକୁ ଘେରି ରହିଥିବା ଫୁଲା ଭିତରୁ ଯେମିତି ଜଲିର କୌଣସି ସ୍ମୃତି ମିଳିବନି–କେବଳ ସେଇ ପ୍ରତିଶ୍ରୁତିଟା ଛଡ଼ା ।

 

କୁନି ଝିଅଟି ଖେଳୁ ଖେଳୁ ଆସି ଡାକିଲା ।

 

‘ଅପା ଯିବା........’

 

ଷ୍ଟିଫେନ ଥରେ ସେ ଛୋଟ ଝିଅଟିକୁ ଆଉ ଥରେ ତାଙ୍କର ସେ ପେପର କ୍ୟାନ୍‌ଭାସ, ତୁଳୀରେ ଧରିରଖିଥିବା ଜଲିକୁ ଚାହିଁ କ’ଣ ଯେମିତି ମିଳଉ ଥିଲେ ।

 

ଷ୍ଟିଫେନ୍‌ଙ୍କର ମୁଣ୍ତ କେମିତି ପୀଡ଼ନ ଅନୁଭବ କଲା । ତାଙ୍କର ସାହସ କୁଳେଇଲାନି ଚାହିଁବାକୁ–ସେ ଗେରୁଆ ରଙ୍ଗର କୋଠା ଭିତରକୁ ଏମାନେ ଯାଉଛନ୍ତି କିନାଁ..... !

 

ସମୁଦ୍ରରେ ଜୁଆର ସେଦିନ ବହୁତ ବେଶୀ । ଅମାବାସ୍ୟା କି କ’ଣ ହବ ବୋଧହୁଏ । କାରଣ ଶୀଘ୍ର ଅନ୍ଧାର ମାଡ଼ି ମାଡ଼ି ଆସୁଛି । ସବୁ ଆଡ଼ ଅସ୍ପଷ୍ଟ ।

 

କେବଳ ସ୍ପଷ୍ଟ ସେଇ ସମୁଦ୍ର ଆଉ ତା’ର ଢେଉ...... !!!

☆☆☆

 

Unknown

ନାଲି ତ୍ରିଭୁଜ

 

ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ପ୍ରତ୍ୟେକ ଲୋକ ଅଳ୍ପେ ବହୁତ ଗୋଟିଏ ଗୋଟିଏ ନିଉରଟିକ ପେସେଣ୍ଟ । କୌଣସି ନା କୌଣସି ସ୍ଥାନରେ ସାମାନ୍ୟ ବ୍ୟତିକ୍ରମ ସେମାନଙ୍କର ଦେଖା ଦେଇଥାଏ-। ଅବଶ୍ୟ ଏଥିପାଇଁ ସ୍ଥାନ କାଳ ପାତ୍ରର ବିଚାରଟା ଏକାନ୍ତ ଆବଶ୍ୟକ । ବହୁ ଜ୍ଞାନୀ, ପଣ୍ତିତ, ବିଶାରଦ ଅଥବା ବିଜ୍ଞାନୀମାନଙ୍କ କାର୍ଯ୍ୟ କଳାପକୁ ନିରୀକ୍ଷଣ କଲେ ଗୋଟାଏ ସିଦ୍ଧାନ୍ତରେ ପହଞ୍ଚିଯିବାର ସମ୍ଭାବନା ଅଛି ଯେ ‘ପାଗଳାମୀ’ ଶବ୍ଦଟା ଗୋଟାଏ ରିଲେଟିଭ୍‌ ଟର୍ମ । ଏ ପ୍ରକାର ମତାମତ ଦବା ପୂର୍ବରୁ ପାରିପାର୍ଶ୍ୱିକ ଅବସ୍ଥାକୁ ସମ୍ଭାବ୍ୟ ଅର୍ଥରେ ନିରୀକ୍ଷଣ କରାଯିବା ସର୍ବାଦୌ ବାଞ୍ଛନୀୟ ।

 

ହୁଏତ ଏହି ଉପସର୍ଗରେ ମୁଁ ଉପାଖ୍ୟାନଟା ମୋ ଆଡ଼କୁ କେମିତି ଟାଣିବି ଚିନ୍ତା କରୁଚି-। ତେବେ ଏଇଟା ନିଶ୍ଚୟ ଯେ ମୁଁ କୌଣସି ‘ନିଉରସିସ୍‌’ ମାପିବା ଯନ୍ତ୍ର ସମ୍ମୁଖରେ ଏ ପର୍ଯ୍ୟନ୍ତ ଯଦିଓ ବସିନାହିଁ ବା ବସିବାର କାମନା କରିନାହିଁ ତଥାପି ମୋ ସମ୍ପର୍କରେ କେତେଟା ବିଶେଷ ପ୍ରକୃତି ମୁଁ ଲକ୍ଷ୍ୟ କରିଚି । ତେଣୁ କହିବାକୁ କୁଣ୍ଠାବୋଧ କରିବି ନାହିଁ ଯେ ମୋ ସମ୍ପର୍କରେ ମୋର ସିଦ୍ଧାନ୍ତ ଯଦି ଘୋଷଣା କରିବାକୁ କୁହାଯାଏ ତେବେ ଏ ପ୍ରକାର ଏକ ପ୍ରକୃତିଗତ ଦୋଷରେ ମୁଁ ସାଧାରଣ ଅପେକ୍ଷା ସାମାନ୍ୟ ଅଧିକ ନିଶ୍ଚୟ ହେବି ।

 

ତା’ର କାରଣ–ମୋର କେତେଟା ପିଲାଳିଆୀକୁ ଧରାଯାଉ । ପିଲା ବୟସ ଟପି ପିଲାର ବାପ ଡାକ ଶୁଣିବାର ସୌଭାଗ୍ୟ ବହୁ ଆଗରୁ ହୋଇ ସାରିଥିଲେ ମଧ୍ୟ ଏ ପ୍ରକାର ବ୍ୟବହାରକୁ ଏଡ଼ିଦେଇ ପାରିନାହିଁ । ଉଦାହରଣ ସ୍ୱରୂପ–ସମସ୍ତଙ୍କ ଆଖି ଆଢ଼ୁଆଳରେ ସମ୍ପୂର୍ଣ୍ଣ ଆଲୋକପୂର୍ଣ୍ଣ ଲୋକବିହୀନ ସହରର ରାଜରାସ୍ତାରେ, ସାମାନ୍ୟ ବେଶୀ ରାତିରେ ସାଇକେଲ ହ୍ୟାଣ୍ତଲ୍‌ରୁ ହାତ ଦି’ଟା ଛାଡ଼ି ସାଇକେଲ ଚଳେଇ ରାସ୍ତାର ଗୋଟିଏ ପାଖରୁ ଅନ୍ୟପାଖକୁ ସାପେଇ ସାପେଇ ଯିବା, କିମ୍ୱା ଏକାନ୍ତ ଏକା ମୋର କ୍ୱାର୍ଟରରେ ଚାରିଆଡ଼ୁ କବାଟ ଝରକା ବନ୍ଦକରି ପୋଷାକ ବଦଳିଲାବେଳେ ଅବଶିଷ୍ଟ ଅଣ୍ତରୱୟାରକୁ ଖୋଲି ଦେଇ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ସେଇ ଅଣ୍ତରୱୟାରକୁ ସର୍କସର ପହିଲମାନ୍‌ ଲୁହାବଲ୍‌ ଫୋପାଡ଼ିଲା ଭଳି ଘର ଛାତକୁ ଫୋପାଡ଼ି ଧରିବା ଇତ୍ୟାଦି ଇତ୍ୟାଦି ଏହିପରି ଅନେକ ବିକୃତି ବେଳେବେଳେ ସ୍ୱତଃପ୍ରବୃତ୍ତ ଭାବେ ବାହାରି ପଡ଼ିଥାଏ-

 

ଉପରୋକ୍ତ ଉଦାହରଣ ଲୋକଲୋଚନର ଆଢ଼ୁଆଳରେ ହୁଏବୋଲି କିଏ ଜାଣନ୍ତି ନାହିଁ କିନ୍ତୁ ଏକଥା ସତ୍ୟ ଯେ ଦୌନନ୍ଦିନ ଜୀବନର ଗତାନୁଗତିକ କାର୍ଯ୍ୟକ୍ରମ ଭିତରେ ମଧ୍ୟ କେତେବେଳେ ଅସ୍ପଷ୍ଟ ଭାବରେ କିଛିଟା ବିକୃତ ସ୍ୱଭାବ ଦେଖାଦେଇ ପରିଚିତ ମହଲରେ ଏକକ ପ୍ରକୃତି–ବିଶିଷ୍ଟ ଲୋକ ବୋଲି ମତାମତ ସୃଷ୍ଟି କରିଛି । ସେଥିପାଇଁ ମତେ କେତେଟା ଉପନାମ ନମିଳିଛି ବୋଲି ନୁହେଁ । ଯାହାକୁ ଅର୍ଥାତ୍‌ ଯେଉଁ ଅପନାମକୁ ଅପଭ୍ରଂଶ କଲେ ହୁଏତ–ଗୋଠଖଣ୍ତିଆ, ଟିଙ୍ଗା, ଟିଣା ଇତ୍ୟାଦି ଶବ୍ଦରେ ଆସି ପହଞ୍ଚିପାରେ । ତେବେ ଏ ସ୍ୱୀକାରୋକ୍ତି ପାଇଁ ମୋର କ୍ଷୋଭନାହିଁ । ଯେହେତୁ ସେଇ ଅପଭ୍ରଂଶାତ୍ମକ ଏକ ଢଗକୁ ଏଠିଉଦ୍ଧାର କରିବାକୁ ଯାଇ କହିବି ଯେ–ଦେଉଳ ତୋଲେଇ ଯେହେତୁ ନାଁ ନବାର ନାହିଁ ତେଣୁ...... ।’ କାରଣ, ଲକ୍ଷ୍ୟଟା ହେଲା ନାଁ’ଟା ପଡ଼ୁ । ସୁନାମ ଦୁର୍ନାମରେ ଯାଏ ଆସେ ନାହିଁ ।

 

କ୍ଳିଷ୍ଟତା ଦୂରକରି ବର୍ତ୍ତମାନ–ଗୋଟାଏ ଉଦାହରଣରେ କଥାଟାକୁ ମୋଡ଼ ଧରେଇବି । ଆପଣ ଯଦି ଏ ଲେଖାଟି ପଢ଼ି ମତେ ଲେଖକବୋଲି ଭାବୁଥିବେ ତେବେ ମୁଁ ସେ ପ୍ରକାର ଲେଖକ–ଯେ କି ନନ୍ଦନକାନନରେ ବସି କଟକର କୋଠା ବା ନାଲି ଧୂଲିର ଚିନ୍ତାକରୁଚି । ଆଉ କଟକର ରାଜରାସ୍ତାକୁ ଅନେଇ ନନ୍ଦନକାନନର ପାରିଜାତ କଥା ଚିନ୍ତା କରୁଚି । ଏକଥାଟାକୁ ଆଉ ମନସ୍ତାତ୍ତ୍ୱିକ ଅର୍ଥରେ ବିଶ୍ଳେଷଣ ନକରିବା ଉଚିତ । ନହେଲେ ଆଉ ଗହିରୀଆ କିଛି ବାହାରିପାରେ-। ସଂକ୍ଷେପରେ–ଦୂରତ୍ୱ ପ୍ରେମ । ଦୂରରେ ଥିବା ଅଥବା ଦୂରେଇ ଯାଇଥିବା ବନ୍ଧୁ ଦୂରରେ ଥିବା ପର୍ବତ । ଯେହେତୁ ଦୂରତାଟାହିଁ ବେଗ ଆବେଗ ସବୁ ସୃଷ୍ଟି କରେ ସେଥିପାଇଁ ମୋର ହୁଏତ ଏପରି ପ୍ରତିକ୍ରିୟା ।

ଆଜି ସେମିତି ଏକ ପ୍ରତିକ୍ରିୟା । ମୁଁ ଏଠି ନନ୍ଦନକାନନରେ ବସିଛି । କିନ୍ତୁ ମୋର ମନେ ପଡ଼ୁଚି ମୋର ଏକ ସହରୀସ୍ମୃତି । ଅବଶ୍ୟ ବେଳେବେଳେ ଏମିତି ମଧ୍ୟ ହୁଏ ଯେ ଘରେ ବସି ଓ ସହରର ଧୂଳିରେ ଅତ୍ୟନ୍ତ ଶ୍ୱାସରୁଦ୍ଧ ହୋଇ ଉଠିଲା ପରେ ଏଇ ନନ୍ଦନକାନନର ସାଉଁଳା ଘାସର ଗାଲିଚା କଥା ମନେ ପଡ଼େ ଏବଂ ତାରି ଉପରେ କିଛିଟା ବଙ୍କା ତେଢ଼ା ସ୍ମୃତି । ଆଜି ଏଇ ମୁହୂର୍ତ୍ତରେ ମୁଁ ଯେଉଁ ଘଟଣାର ଖିଅ ଛିଣ୍ତା ଗୁଡ଼ିସୂତାଭଳି ସଂଗ୍ରହ କରି ଗଅଣ୍ଠେଇବାକୁ ଯାଉଚି ସେଇଟା ସେଇ ରାଜରାସ୍ତା ଉପର ସୂତା । ମୋର ଚତୁଃପାର୍ଶ୍ୱରେ ଥିବା ଗଛଲତା, ରେଷ୍ଟସେଡ଼୍‌ ବା ଶିଶୁରେଳ ଗାଡ଼ିର କିଛି ସମ୍ପର୍କ ସେଥିରେ ନାହିଁ ।

(ଛିଣ୍ତା ସୂତାକୁ ଗଅଣ୍ଠେଇବା ପ୍ରକୃତି ତ ଆଗରୁ କହିଚି–ସେଇ ପ୍ରାପ୍ତ ବୟସର ପିଲାଳିଆମୀ ରୂପକ ନିଉରଟିସିଜମ୍‌)

ପ୍ରଥମେ ଆଗ ଛିଣ୍ତା ସୂତାଗୁଡ଼ାକ ସଂଗୃହୀତ ହେବା ଦରକାର । ତା’ପରେ କିଏ କେତେ ନମ୍ୱର ସୂତା ଆଲୋଚନା ନକରି ବରଂ କୋଉଥିରେ କେତେ ମାଞ୍ଜା ଦିଆ ହେଇଚି ସେ ବିଚାର କରିବାକୁ ମୁଁ ଅନ୍ୟମାନଙ୍କ ଉପରେ ଛାଡ଼ିଦେଲି ।

 

ପୂର୍ବାଭାସ:– କେଜାଣି କାହିଁକି ଗୋଲ ଗୋଲ ଲମ୍ୱା ଲମ୍ୱା ଚମ୍ପାକଢ଼ିଆ ଆଙ୍ଗୁଠିଗୁଡ଼ିକ ମତେ ଭଲଲାଗେ ବୋଲି ସେଇ ଝରକାଟାକୁ ମୁଁ ବହୁତ ସମୟରେ ଚାହିଁରହେ । (ହଠାତ୍‌ ମୋର ମନେ ହେଲା–ଘରର ଅବସ୍ଥିତି ସମ୍ପର୍କରେ ମୋର କହିବା ଉଚିତ ଥିଲା ପ୍ରଥମେ । ଦୁଇଟିଯାକ ଘର ଏକାଧାଡ଼ିରେ ଏବଂ ଲଗାଲଗ ହୋଇ । ମୋ ପାରାପେଟ୍‌ରେ ଠିଆ ହେଲେ ପାଖ ଘରର ଝରକା ପାଖରେ ଯଦି କେହି ଠିଆ ହୁଅନ୍ତି ତେବେ ଝରକାର ରୋଲିଂକୁ ଧରିଥିବା ଆଙ୍ଗୁଠି ଗୁଡ଼ାକହିଁ ଏପଟରୁ ଦେଖିବା ସମ୍ଭବ । ଅନ୍ୟକିଛି ନୁହେଁ ।) ବେଳ ଅବେଳରେ ସେ ଆଙ୍ଗୁଠିଗୁଡ଼ାକ ଝରକା ରେଲିଂ ଦେହରେ ଲଟେଇ ଯାଇଥିବାର ମୁଁ ଦେଖେ । ମୋର ହଠାତ୍‌ କବି କଳ୍ପନା ଯେ ପ୍ରକଟିତ ନହେଇଚି ବେଳେବେଳେ ଏକଥା ନୁହେ । ସେତେବେଳେ ମତେ ଲାଗେ ହୁଏତ ବଡ଼ ଟାଣୁଆ ଗଛ ଦି’ଟାରେ ଦି’ଟା ଲତାଗୋଛା ଲଟେଇ ଯାଇଛନ୍ତି, ଆଶ୍ରୟ ଚାହୁଁଛନ୍ତି ବା ଝୁଲି ପଡ଼ିଛନ୍ତି କିମ୍ୱା ଏହିପରି କିଛି ।

 

ଅବଶ୍ୟ ମୋ ଘର ମାନେ–ମୁଁ ଭଡ଼ାଟିଆ । କିନ୍ତୁ ସେମାନେ ସ୍ଥାୟୀ । ବହୁତ କଷ୍ଟରେ ରାଜ ରାସ୍ତାର ସନ୍ନିକଟ ଗଳିର ଏକ ଦି’ମହଲା କୋଠାର ଉପର ମହଲାରୁ ବଖରାଏ ଘର ପାଇ ସେ ଘରେ ପେଇଂ ଗେଷ୍ଟଭାବରେ ରହିବା କଟକ ସହରରେ ଗୋଟାଏ ଆଚିଭ୍‌ମେଣ୍ଟ ବୋଲି ଧରିନିଆଯାଇପାରେ । ସତ କହିବାକୁ ଗଲେ ଯୋଉଦିନ ଏପରି ଏକ ଘର ମତେ ମିଳିଲା, ମୋର କାହିଁକି ମନେହେଲା ଯେ ଏ ସହରରେ ରହିବାର ଅନେକ ତିକ୍ତତା ହୁଏତ ଜୀବନରେ ଏତେ ବିଷାକ୍ତ ଭାବରେ ଆଉ ଅନୁଭୂତ ହେବାନହିଁ ।

 

ସେମାନେ ହେଲେ କିନ୍ତୁ ସେ ଘରର ମାଲିକ । ଠକ ମୋ ରୁମ୍‌ ପାଖଟା ସେମାନଙ୍କ କୋଠା । ଆଉ ବିଶେଷକରି ସେଇପାଖ ଝରକା ରେଲିଂ ଉପରେହିଁ ମୁଁ ବେଳେବେଳେ ଲକ୍ଷ୍ୟ କରେ ସେ ଚମ୍ପାଫୁଲରୁ ମେଞ୍ଚାଏ ଝୁଲିପଡ଼ନ୍ତି । ଚେଷ୍ଟା ଯେ ନକରିଚି ନୁହେଁ ତଥାପି ଚେଷ୍ଟା କଲେବି ମୁହଁ ଦେଖିବାର ଯୁ ନାହିଁ ।

 

ବିନେ:–ମୁଁ ସାମାନ୍ୟ ବେଶି ରାତିରେ ଘରକୁ ଫେରିଲାବେଳେ (ଅଭ୍ୟାସ ବୋଲି ଆଗରୁ ସ୍ୱୀକାର କରି ସାରିଛି) ଦେଖିଲି ଯେ ଖାଣ୍ଟି ବସ୍ତି ବାଳୁଙ୍ଗା ଟୋକା ଦି’ଚାରିଟା ମୋ ଘର ସାମନା (ତାଙ୍କ ଘର ସାମନା ମଧ୍ୟ । ଯେହେତୁ ରାସ୍ତାର ଏ କଡ଼ରେ ଆମେ ଆଉ ସେ ପାଖରେ ଏକ ପ୍ରଶସ୍ତ କାନ୍ଥ) ସେ ଚଉଡ଼ା କାନ୍ଥଟା ଉପରେ କେତଟା ଖବରକାଗଜରେ ଲେଖା ହୋଇଥିବା ତୋଫାନ କ୍ଳବ Vrs ରକେଟ କ୍ଳବ-ପୋଷ୍ଟର ମାରୁଚନ୍ତି । ଦୁଆର ମୁହଁରେ ଗତିଟାକୁ ଶିଥିଳ କରିବା ଭିତରେ ଉପରକୁ ଚାହିଁଦେଲି । ଏଇଟା ମଧ୍ୟ ଏକ ଲଜ୍ଜ୍ୟା-ଜନକ ସ୍ୱୀକାରୋକ୍ତି ଯେ ସାମାନ୍ୟ ବଦଅଭ୍ୟାସ ହେଇଯାଇଛି ଉପରକୁ ଅନେଇବାଟା ଏଘରେ ରହିବା ପରେ । ତେଣୁ ସେଇ ବଦଅଭ୍ୟାସ ବଶତଃ) ଉପରକୁ ଚାହିଁ ଦେଲାବେଳେ ନଜର ପଡ଼ିଲା ରେଲିଂ ଉପରେ ସେ ମେଞ୍ଚାକ ଆଙ୍ଗୁଠି । ସାଇକେଲଟାରୁ ଓହ୍ଲେଇବା ଓ ଉପରକୁ ଉଠେଇବା ଇତ୍ୟାଦି ଭିତରେ ମୋର କାନରେ କିଛିଟା ଶବ୍ଦ ପଡ଼ିଲା ଅସ୍ପଷ୍ଟ ଭାବରେ । ମନେହେଲା ସେଇ ଭଦ୍ରମହିଳା କାହାରି ସହିତ କାହା ସମ୍ପର୍କରେ କିଛି ମତବ୍ୟକ୍ତ ବୋଧହୁଏ କରୁଛନ୍ତି । ସ୍ଥାନକାଳ ପାତ୍ରର ବିବେଚନା କରି ମୋର ମନେହେଲା ଯେ ସେ ବୋଧହୁଏ ଏଇ ପୋଷ୍ଟର ଲଗାଉଥିବା ବସ୍ତି ହିରୋଙ୍କ ବିଷୟରେ କିଛି କହୁଛନ୍ତି ।

 

ନିଜର ଦକ୍ଷତାଟା ଖଟେଇବାର ଏଇଟା ଗୋଟାଏ ମୌକା ଭାବି ଖୁବ୍‌ ଶୀଘ୍ର ଚିନ୍ତା କରିନେଲି ଯେ କାରଣଟା କ’ଣ ହୋଇପାରେ । ପୁଣିଥରେ ନିରେଖି ଦେଖିବାକୁ ଚେଷ୍ଟା କଲି ସେ ପୋଷ୍ଟରକୁ–‘ତୋଫାନ କ୍ଳବ Vrs ରକେଟ କ୍ଳବ’ ପାଖକୁ ଆଉ ଗୋଟିଏ ଖବର କାଗଜ ଲମ୍ୱିଗଲାଣି–‘ପ୍ରଦର୍ଶନୀ ଫୁଟବଲ ମ୍ୟାଚ, ଟିକଟର ମୂଲ୍ୟ– ମାଗଣା’, ତା ପାଖକୁ ବୋଧହୁଏ ଆଉ ଗୋଟାଏ କାଗଜ ଲାଗିବ । ତଳ ଟୋକାଟା ଅଠା ଲଗଉଚି ବାଲଟିରୁ କାଢ଼ି ଆଉ ଖଣ୍ତେ ଖବର କାଗଜ ପଛରେ । ସେଥିରେ ହୁଏତ ଲେଖାଥିବ ଖେଳ ପଡ଼ିଆର ନାଁ । ଆଉ ତାରିଖ ।

 

ଖବର କାଗଜ ଉପରେ ଦାନ୍ତକାଠିକୁ ଛେଚି ବ୍ରସ୍‌କରି ଲେଖା ହେଇଥିବା ବଙ୍କା ତେଢ଼ା ଅକ୍ଷର ଗୁଡ଼ାକୁ ନିରେଖି ଦେଖିବାରେ ମୋର କାହିଁକି ହଠାତ୍‌ ମନେହେଲା ଯେ ଏ ପ୍ରକାର ପୋଷ୍ଟର ମରାହେବାର ଜଣେ ଅସନ୍ତୁଷ୍ଟ ହୋଇ ପାରେ । ତେଣୁ ଅସନ୍ତୁଷ୍ଟ ହବାର କାରଣ କ’ଣ ହୋଇପାରେ ବୋଲି ସେଇ ଅଳ୍ପକ୍ଷଣ ଭିତରେ ମତେ ଗଭୀର ଅନୁଧ୍ୟାନ କରିବାକୁ ପଡ଼ିଲା ।

 

କ’ଣ ହୋଇଥିବ ଭାବିଭାବି ଗୋଟାଏ ସିଦ୍ଧାନ୍ତରେ ସହସା ଉପନୀତ ହେଲି ଯେ ସାମନା କାନ୍ଥରେ, ଏତେ ସୁନ୍ଦର ଭାବରେ, ସରକାରୀ ପଇସାରେ ସାରା କାନ୍ଥଟା ରଙ୍ଗ କରାଯାଇ ଜଣେ ବିଶିଷ୍ଟ ଚିତ୍ରକର ଯୋଉ ଆଙ୍କୁଛନ୍ତି ଗୋଟାଏ ବିରାଟ ନାଲି ତ୍ରିଭୁଜ, ତା’ ତଳକୁ ଦୁଇ ବା ତିନ୍‌ପରେ ଏବଂ ପାଖକୁ ଦୁଇ ତିନୋଟି ସୁନ୍ଦର ସୁନ୍ଦର ମୁହଁ, ତାରି ଉପରେ ଖବର କାଗଜ ଉପରେ ଏପ୍ରକାର ଅକ୍ଷର ସେ ଆଙ୍ଗୁଠିର ଅଧିକାରିଣୀ ବୋଧହୁଏ ସହିପାରୁ ନାହାଁନ୍ତି ।

 

କେଜାଣି କାହିଁକି ମୋର ପୌରୁଷ ଗୋଟାଏ ଛୋଟ କାଟର ବିସ୍ଫୋରଣ ଖୋଜୁଥିଲା । ସାଙ୍ଗେ ସାଙ୍ଗେ ସେ ପିଲାଗୁଡ଼ାକୁ ପାଟି କରିଦେଲି । ଅଳ୍ପ ଧକରେ ସେମାନେ ଅଧାରେ ଛାଡ଼ିଗଲେ-। ମତେ ଲାଗିଲା ମୋର ପୌରୁଷ କିଞ୍ଚିତ୍‌ ତୃପ୍ତ ଲାଭ ଗରିଚି । କିଛିଟା ବୋଧହୁଏ ମାନସିକ ତୃପ୍ତି ମଧ୍ୟ ବଢ଼ିଚି ।

 

ଆଉଦିନେ:–ପୁଣି ସେଇ ରାତିରେ ଫେରିଲାବେଳେ ଦେଖିଲି କିଛିଟା ବଚସା ଚାଲିଥାଏ । ଉପସ୍ଥିତି ଭିତରେ ଦୁଇ ଚାରିଜଣ ଲୋକ ଏବଂ ସେ ‘ଆଙ୍ଗୁଠି ।’ ଘରର ଚାକର ମଧ୍ୟ ଠିଆ ହୋଇଛି । ବୁଝିବାରେ ଜଣାଗଲା ଯେ–ସେଇ ନାଲି ତ୍ରିଭୁଜ ଓ ଚିତ୍ର ଲେଖାକୁ ପୁନର୍ବାର ରଙ୍ଗ କରିବା ପାଇଁ ଲୋକ ଆସିଛନ୍ତି । କିନ୍ତୁ ଏଇ ‘ଆଙ୍ଗୁଠି’ ଘରର ଚାକର ଯାଇ ସେମାନଙ୍କୁ କାନ୍ଥ ଖରାପ ପାଇଁ ମନା କରୁଚି । ମୋର ସେ ରାତି କଥା ହଠାତ୍‌ ମନେ ପଡ଼ିଲା, ଆରେ ଏ ଚାକରଟା କିଛି ବୁଝିନି । ଚଣ୍ତାଳ ଯଦି ଜାଣନ୍ତା ଯେ ତା’ ମାଲିକାଣୀ କ’ଣ ଚାହାଁନ୍ତି ତେବେ ଏ ଭୁଲ ଆଉ ସେ କରନ୍ତା ନାହିଁ । ଆଉ ବିଳମ୍ୱ ନକରି ସେ ଚାକର ଉପରେ ସାମାନ୍ୟ ମୂରବୀତ୍ୱ ପ୍ରତିପାଦନ କଲି ।

 

‘ଏଃ, ତମର କ’ଣ ଅଛି କିହେ ? ସେଇଟାତ ଅନ୍ୟ ଲୋକର କାନ୍ଥ । ସେଠି ସରକାରୀ ଅନୁମତି ନିଆ ହୋଇ ଲେଖା ହେଇଚି, ତମେ କିଏ ମନା କରିବ ? ଆଉ ଥରେ ରଙ୍ଗ ଦିଆହେଲେ ଭଲ ଦେଖାଯିବ ସିନା ।’

 

ସେ ବିଚରା ଫେରିଗଲା, ମୋର ପୌରୁଷର ଦାମ୍ଭିକତା ଆଉଟିକେ ପ୍ରଚ୍ଛନ୍ନ ଭାବରେ ପରିପ୍ରକାଶ କରିବାରୁ ମୋର ତୃପ୍ତି ମଧ୍ୟ ଅନେକ ବଢ଼ି ଯାଇଥାଏ । ତେବେ ପରିକ୍ଷାର୍ଥୀ ଜଣେ ତା’ର ପରୀକ୍ଷା ଫଳକୁ ଅନେଇବାର ପୂର୍ବ ମୁହୂର୍ତ୍ତରେ ଯେଉଁ ବ୍ୟଗ୍ରତା ଆଉ ବ୍ୟାକୁଳତା ନେଇ–ଦେଖିବି କିନାଁ ମୋ ନାଁ ଥିବ କି ନାଁ ଭାବି ଅନାଏ ମୋର ଠିକ୍‌ ସେଇ ଅବସ୍ଥା ହେଲା । ମୋର ଏ ବାଁ ହାତର ପୁରୁଷ ପଣିଆଟା ଯଦି ସେ ନାରୀ ଦେଖି ନ ଥିବେ...... ? ସେ ଦେଖିଚନ୍ତି କି ନାଁ ଅର୍ଥାତ୍‌ ସେ ଆଙ୍ଗୁଠି ଗୁଡ଼ାକ ଅଛନ୍ତି କି ନାଁ ଜାଣିବା ପାଇଁ ଉପରକୁ ଅନେଇବି ଅନେଇବି ନାହିଁ ଏ ଭିତରେ ଅନେଇ ଦେଲି ଉପରକୁ (ଅଭ୍ୟାସ କଶତଃ) ଅପେକ୍ଷାକୃତ କଣେଇଁ କରି, ଆଃ... ସେ ଆଙ୍ଗୁଠି ଗୁଡ଼ାକ ନିଶ୍ଚୟ ଅଛନ୍ତି ।

 

ପୁଣି ଦିନେ–ବହୁତ ବେଶି ରାତିରେ ଫେରିଲା ବେଳକୁ ଦେଖିଲି ଯେ ସେଇ ଚାକରଟୋକା ଠିଆ ହେଇଚି । ତାଙ୍କର ତଳ ବାରଣ୍ତାରେ । ଆଉ ଦି’ ଚାରିଟା ଛୋଟ ଟୋକା ରୀତିମତ୍‌ କେଇଟା ଇଟା ଧରି ସେଇ ଲେଖାଟା ଉପରେ ଘଷା ଲଗେଇଛନ୍ତି । ଉଦ୍ଦେଶ୍ୟ ନିଶ୍ଚୟ ସେ ଲେଖାଟାକୁ ବିକୃତ କରିବା ଓ ଲିଭେଇବା । ଭାବିଲି ଏଇଟା ମୋର ପୁରୁଷତ୍ୱ ପ୍ରତିପାଦନ କରିବାରେ ତୃତୀୟ ଅଙ୍କ । ତେଣୁ ସାମାନ୍ୟ ଉଚ୍ଚଦରର ଇମୋସନ୍‌, ସେଣ୍ଟି ମେଣ୍ଟ ନହେଲେ କ୍ଳାଇମାକ୍‌ସ ଜମିବନାହିଁ । ସାଇକଲଟାକୁ ଷ୍ଟାଣ୍ତ ମାରିଦେଇ ସେ ଟୋକାକୁ ଯାଇ ଆଗ ଧରିଲି ।

 

‘ଏଇଟାହେଲା ସରକାରୀ ଜିନିଷ, ତମକୁ ବର୍ତ୍ତମାନ ପୁଲିସରେ ଦେବି ।’

 

ଏ ଧମକରେ ସେମାନେ ସତୃଷ୍ଣ ନୟକରେ ବାରଣ୍ତାରେ ଠିଆ ହୋଇଥିବା ସେ ଚାକର ଟୋକାକୁ ଚାହିଁଲେ । ମତେ କେମିତି ଲାଗିଲା, ସେ ଦିନର ଜିଦ୍‌ ପାଇଁ ସେ ଏ କାର୍ଯ୍ୟ କରିବାକୁ ଯୋଜନା କରୁଚି । ଗୋଟାଏ ରୀତିମତ୍‌ ଚାଲେଞ୍ଜଭଳି ଲାଗିଲା ମତେ, ବୀରଦର୍ପରେ ଏ ଆହ୍ୱାନଟାକୁ ମୁଁ ଗ୍ରହଣ କରି ସେ ଟୋକାକୁ ତାନେ ବେଶ୍‌ ଗାଳିଦେଲି । କିନ୍ତୁ ସେତିକିରେ ସନ୍ତୁଷ୍ଟ ହୋଇଥିଲେ ମତେ କେମିତି ଲାଗିଲା ଭଗବାନ୍‌ ଅସନ୍ତୁଷ୍ଟ ହୋଇଥାନ୍ତେ କାରଣ ଏତେଦିନ ପରେ ସେ ଗୋଟାଏ ଆଙ୍ଗୁଠିରୁ ବାହା ଗଲେଇବାର ସୁଯୋଗ ଦେଇଚନ୍ତି । ଏଇ ଅବସରରେ ତାଙ୍କ ଘରେଲୋକଙ୍କ ସାଙ୍ଗରେ ଯତ୍‌କିଞ୍ଚିତ ଆଳାପ କରିନେବା ଭଲ । ସେ ଟୋକା ଉପରେ ପାଟିକରି ତା ମାଲିକଙ୍କୁ ଡାକି ଦେବାକୁ କହିଲି ।

 

ସେଇଆ ମଧ୍ୟ ହେଲା । ଘର ଭିତରକୁ ଜଣେ ବାବୁ ଆସିଲେ (ଜଣେ ପ୍ରୌଢ଼–ତେଣୁ ଅନୁମାନ କରିନେଲି ସେ ଆଙ୍ଗୁଠି ଗୁଡ଼ିକର ବାପା ହେବା ସମ୍ଭବ । ଏବଂ ଯେଣୁ ପ୍ରୌଢ଼ ବୟୋଽଧିକ ନୁହଁନ୍ତି ତେଣୁ ସେ ଆଙ୍ଗୁଠି ଗୁଡ଼ାକ ମଧ୍ୟ ସଜଫୁଟା ଚମ୍ପାଫୁଲ ହବା ସମ୍ଭବ ଏଥିରେ ଆଉ ଦ୍ୱିଧା ରହିଲା ନାହିଁ)

 

ତା’ପରେ ସେ ବାବୁଙ୍କୁ ଖୁବ୍‌ କହିଲି ସେ ଚାକର ବିଷୟରେ । ମୋ ସ୍ୱର ନିଶ୍ଚୟ ବେଶ୍‌ ଉଚ୍ଚ ଥିଲା । କାରଣ ମୁଁ ଚାହୁଁଥିଲି ମୋ ସ୍ୱରଟା ବେଶ୍‍ ସ୍ପଷ୍ଟ ଭାବରେ ଉପର ମହଲାକୁ ଯାଉ । ଦେଖିବାର ସୁଯୋଗ ନଥିଲା ଯେଣୁ ତାଙ୍କ ବାରଣ୍ତାରେ ଠିଆ ହୋଇଥିଲି ।

 

ବାବୁ ଜଣକ ନୀରବରେ ଦୁଃଖ ଜଣେଇଲେ । ମନେହେଲା ଗୋଟାଏ ଐତିହାସିକ ବିଜୟ କରି ମୁଁ ଫେରିଲି । ସେ ସମୟରେ ଅବଶ୍ୟ ଆଉ ଉପରକୁ ଚାହିଁବାକୁ ମନେ ନାହିଁ । କିନ୍ତୁ ଧନୁର ଟଙ୍କାର ଟା ନିଶ୍ଚୟ କାନରେ ପଡ଼ିଥିବ ଏଥିରେ ଦ୍ୱିମତ ହେବାର ନାହିଁ ।

 

ତଳ ମହଲାରେ ମୋର ନୈଶ୍ୟ ଭୋଜନ ସମାପନକରି ମୁଁ ଯେତେବେଳେ ଉପରକୁ ଆସିଲି, ସେତେବେଳେ ମୋ ମନରେ ଅନେକ ପରିକଳ୍ପନା ।

 

ମୋର ଦାମ୍ଭିକତା, ସ୍ପଷ୍ଟବାଦୀତା, ନିର୍ଭୀକତା ସମ୍ପର୍କରେ ଗୋଟାଏ ସମ୍ୟକ ଆଲୋଚନା ଚାଲିଥିବ କି... ? ମୋର ଘରଦ୍ୱାର କୋଉଠି ଏବଂ ମୁଁ କ’ଣ କରେ ଗୋଟାଏ ଗବେଷଣା ଚାଲିଥିବକି ? ଅବା ସବୁ ଆଲୋଚନା ସରିଯାଇ ଗୋଟିଏ ଚିନ୍ତା ରାଜ୍ୟରେ ସମସ୍ତେ ଅଳ୍ପେ ବହୁତ ବିଚରଣ କରୁଥିବେ କି... ?

 

ପାହାଚଗୁଡ଼ାକ ଶେଷକରି ମୋ କୋଠରୀ ଭିତରକୁ ମୁଁ ଯେତେବେଳେ ପ୍ରବେଶ କଲି ହଠାତ୍‌ ମୋର କାନରେ ପଡ଼ିଲା ଗୋଟାଏ ଚାପା କଇଁ କଇଁ କାନ୍ଦ ଏବଂ ଆଉ ଗୋଟାଏ ବଳିଷ୍ଠ ସ୍ୱରଟା ଟିକେ ପରିଚିତ ମନେହେଲା ତେଣୁ ସେଇ ପ୍ରୌଢ଼ଙ୍କର । ଆଉ ଆରଟା...... ? କିଛି ବୁଝିପାରିଲିନି । କାନ ପାରି ଶୁଣିଲି, ଯାହା କାନରେ ପଡ଼ିଲା ।

 

‘ସେଇଟା କ’ଣ ସେଠି ଲେଖା ନହେଇଥିଲେ ଚଳିନଥାନ୍ତା ?’

 

ତା’ପରେ କାନ୍ଦ, ଆଉ କିଛି ଶୁଣିବାକୁ ଚେଷ୍ଟା କରିବାର ଧୈର୍ଯ୍ୟ ରହିଲା ନାହିଁ । କିଛି ଯେମିତି ବୁଝିପାରିଲି ନାହିଁ । ମସ୍ତିଷ୍କର ତନ୍ତୁଗୁଡ଼ାକ ମୋର କେମିତି ଟଣା ଓଟରା ହେଇ ଅଡ଼ୁଆ ହେଇଗଲେ । କଷ୍ଟେମଷ୍ଟେ ରାତିଟା ଶୋଇଗଲି ।

 

ତା’ପରଦିନ:–ମୁଁ ଯାହାଙ୍କ ଘରେ ପେଇଁଗେଷ୍ଟ ଭାବରେ ଥାଏ ସେ ବାବୁ ତଳ ମହଲାରେ ବସି ଚା’ ଖାଉଥାନ୍ତି । ତାଙ୍କ ପାଖରେ ଗୋଟାଏ ଆଳନେଇ ବସି କଥାବାର୍ତ୍ତା ଛଳରେ ଆରଘରେ ସବୁ କେଉଁମାନେ ଅଛନ୍ତି ବୋଲି ପଚାରିଲି, ଏବଂ କଥାବାର୍ତ୍ତା ଛଳରେ ଯାହା ଜାଣିଲି ତା’ର ସାରାଂଶ ହେଲା ।

 

ପାଖ ଘରର ବାବୁ ଜଣକ (ଗତ ରାତ୍ରିର ପ୍ରୌଢ଼) ପରିବାର ନିୟନ୍ତ୍ରଣ ବିଭାଗର ଜଣେ ବଡ଼ ହାକିମ ଆଉ ତାଙ୍କ ଝିଅ ଅନିନ୍ଦ୍ୟ ସୁନ୍ଦରୀ, ସର୍ବଗୁଣ ସମ୍ପନ୍ନା, ଏବଂ ସର୍ବୋପରି ଲକ୍ଷ୍ମୀ ପ୍ରତିମା । ଅଳ୍ପଦିନ ତଳେ ସେ ଲକ୍ଷ୍ମୀ ପ୍ରତିମା କୁଆଡ଼େ ଅତ୍ୟନ୍ତ ସୁଠାମ ଉଚ୍ଚର୍ବଶଜ, ଉଚ୍ଚପଦସ୍ଥ ଯୁବକଙ୍କୁ ବିବାହ କରିଥିଲେ । ବିବାହର ସପ୍ତମଦିନ ତାଙ୍କର ସ୍ୱାମୀ ଗାଡ଼ି ଚଳେଇ ଆସୁଥିବାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି....... ।

 

ବାସ୍‌, ବର୍ତ୍ତମାନ ଅଛିଣ୍ତା ସୂତା ସବୁ ଗଅଣ୍ଠେଇବା ସରିଯାଇଛି । ବରଂ ଏଇ ନନ୍ଦନକାନନରେ ବସି ସାମନା ଆଖି ବନ୍ଦ କରି ଏ ଅଡ଼ୁଆ ସୂତାକୁ ଲଟେଇରେ ଗୁଡ଼େଇ ବସିଲେ ହୁଏତ ଏଇଆ ହେଇପାରେ ।

 

ସେଇ ଯେ ତନୁତନିମା–ଆଙ୍ଗୁଠି ମେଞ୍ଚାକ ଝରକା ରେଲିଂ ଉପରେ ବୁଣିଦେଇ ବହୁ ସମୟ ଧରି ଠିଆ ହୋଇ ସେ ଅପର କାନ୍ଥରେ ଥିବା ପେଣ୍ଟିଂକୁ ଦେଖେ ଏବଂ ବଡ଼ବଡ଼ ଅକ୍ଷରରେ ଲେଖା ହୋଇଥିବା ‘ଦୁଇ ବା ତିନ ପରେ......’କୁ ଚାହିଁ ଭାବେ....... ଖୁଉବ୍‌...... ମାନେ ଯଥେଷ୍ଟ...... କିନ୍ତୁ...... ।

 

ଧରାଯାଉ, ବହୁତ ଚେଷ୍ଟାକରି ସେହିପରି କେତକ ବସ୍ତି ବାଳୁଙ୍ଗାଙ୍କୁ ପଇସା ଦେଇ ସେ ଗୁଡ଼ାକ ସେଠୁ ଲିଭେଇ ଦେବାକୁ ଚେଷ୍ଟା କରେ ସେ ଲକ୍ଷ୍ମୀପ୍ରତିମା, ବାପାଙ୍କର ସରକାରୀ ଚାକିରୀରେ ବାଧାଆଣି । ହୁଏତ ତାକୁହିଁ ଦେଖେଇ ବାପା ତାଙ୍କର ଉପର ହାକିମଙ୍କ ଠାରୁ ବାହାଦୂରୀ ନେଇଥିବେ (ବାପାଙ୍କର ବସ୍‌ ବାପାଙ୍କ ଘରକୁ ବୁଲି ଆସିଲା ବେଳକୁ) ।

 

ହଠାତ୍‌ ମୋର କାହିଁକି ମନେ ହଉଚି–ମୋର ବହୁତ ଦିନର ପିଲାଳିଆମୀ ପ୍ରକୃତି ପୁଣି ତେଜି ଉଠିଚି । ମୋର ଟେବୁଲ... ତଳୁ ଖବର କାଗଜର ଗଦା ଭିତରୁ ଗୋଟାଏ କୋଉ ଖବର କାଗଜ ଉଦ୍ଦେଶ୍ୟରେ ମୁଁ ସବୁ ଖେଳେଇ ଚାଲିଚି ।

ଏଇତ....... ବାହାରିଲା । ଏଇ ତାରିଖରେ ପଞ୍ଚମ ପୃଷ୍ଟାରେ ଷଷ୍ଠ କଲମରେ ହଁ... ଏଇଠି ଲେଖା ଅଛି ।

‘ଟେଷ୍ଟ ଟିଉବ୍‌ ଶିଶୁ । ଅନ୍ୟତମ ବୈଜ୍ଞାନିକ ଡକ୍ଟର ଅମୁକ ଆବିଷ୍କାର କରିଛନ୍ତି ଯେ ପିତୃତ୍ୱ ନଥାଇ ମଧ୍ୟ...... ।’

ବାସ୍‌ କଇଁଚିଟି କାଢ଼ି ଚାରିକଡ଼ ଯାକ ବାଗେଇକରି ସେଇ ସମ୍ୱାଦଟା କାଟିବା ଆରମ୍ଭ କଲି...... ସରିଗଲା । କିଛିଟା ଅଠା ତା’ପଛରେ ବୋଳି ମୁଁ ବର୍ତ୍ତମାନ ବାହାରୁଚି ତା’ବଖରାର ଆଇନା ପାଖରେ ଲଗେଇଦେବି । ସେ ଯେତେବେଳେ ନିଦରୁ ଉଠି ଦେଖିବ....... ।

ନାଃ, ମୁଁ ନିଦରୁ ଉଠିଲି, ମୋର ଚିନ୍ତାର ଖିଅ ଛିଣ୍ତିଗଲା ।

ମୁଁ ଉଠୁନି ତା’ଘରେ ଖବର କାଗଜର କଟିଂ ମାରିବାକୁ, ମୁଁ ନନ୍ଦନକାନନର ଏକାନ୍ତ ନିର୍ଜ୍ଜନ ଏକ ସ୍ଥାନରେ ବସି କଲମ ଧରିଚି । ମୋର ମନର ଚିନ୍ତାକୁ ମୁଁ ରୂପ ଦଉଚି ନନ୍ଦନକାନନର କେଇଟା ଗଛ ସନ୍ଧିରୁ । ମତେ ଯେମିତି ଜଣା ପଡ଼ୁଚି ସେ ଆଉ ସେଦିନର ଘଟଣା ପରେ ଝରକା ରେଲିଂ ଉପରେ ତା’ର ଆଙ୍ଗୁଠି ଗୁଡ଼ାକ ଲଟକେଇ ଦେଇ ଚାହୁଁ ନଥିବ ସେ ଗୋଲଗୋଲ ଲେଖା ଅକ୍ଷରକୁ ଆଉ ବଡ଼ ନାଲି ତ୍ରୀଭୁଜଟାକୁ ।

ଏତେ ଗୁଡ଼ାକ ଆଗେଇ ଭାବିବା ଆଉ କଳ୍ପଲୋକରେ ତା’ସମ୍ପର୍କରେ ସମାଧାନ ଖୋଜିବା ପରେ ମୁଁ ପୁଣି ନିଜକୁ ନିଉରଟିକ୍‌ ବୋଲି ପରୋକ୍ଷରେ ବୋଧହୁଏ ପ୍ରତିପାଦିତ କରି ସାରିଚି ।

 

ବର୍ତ୍ତମାନ ମୋ ଆଖି ଆଗରେ ନନ୍ଦନକାନନ୍ଦର ନାଲିହଳଦୀ ଫୁଲର ଓ ରାଜରାସ୍ତା ପାଖର ସେ ହଳଦିଆ କାନ୍ଥରେ ନାଲି ତ୍ରିଭୁଜର ମିଶ୍ରଣ । ମତେ ଜାଲଜାଲୁଆ ଦେଖାଯାଉଚି ସେଇ ନାଲି ତ୍ରିଭୁଜଟା ।

☆☆☆

 

ଏକ ବ୍ୟର୍ଥ ନିଶିଥର ଉପକଥା

 

ମାନମୟୀ ମୌନୀ ରାତ୍ରୀର ନିସ୍ତବ୍‌ଧତା ହୋଇ ଉଠିଚି ଆହୁରି ନିବିଡ଼ । ଆକାଶରେ ସେ କେଉଁ ପୂର୍ଣ୍ଣମୀର ଚନ୍ଦ୍ରର ଅଧରରେ ଅଫୁରନ୍ତ ହସର ଜୁଆର ଝରିପଡ଼ୁଛି ଜ୍ୟୋତ୍ସ୍ନା ରୂପରେ ଏହି ତୃଷାତୁରା ଧରାଣୀ ବକ୍ଷରେ । ସେହି ଶାନ୍ତ ଶୀତଳ ଜ୍ୟୋତ୍ସ୍ନାର ସ୍ପର୍ଶରେ ଧରଣୀ ରାଣୀର ଅଙ୍ଗରେ ଭରିଉଠିଚି ଅମୀୟ ସୁଷମା, ଅସୁମାରୀ, ହେନା, ଜୁଇ, ଜାଇ, ରଜନୀଗନ୍ଧାର ପୁଷ୍ପିତ ସ୍ତବକର ଛତ୍ରେ ଛତ୍ରେ ସେ ଉପହାର ଦେଉଅଛି ତୃପ୍ତିର ଲାସ୍ୟ । ବାସନ୍ତିକାର ମଧୁସ୍ପର୍ଶରେ ସତେ ଯେମିତି ସେଗୁଡ଼ିକ ମସ୍ତକ ଆଲୋଡ଼ନ କରି ଚନ୍ଦ୍ରର ମଧୁ ଚନ୍ଦ୍ରିକାକୁ ଛଳ ରାଗରେ ତାଙ୍କର ବଧୂଲି ଅଧର ସ୍ପର୍ଶ କରିବାକୁ ବାରଣ କରୁଅଛନ୍ତି । ଅଦୂରସ୍ଥ ପୁଷ୍କରଣୀରେ ସନ୍ତରଣ କରୁଥିବା ରାଜହଂସ ମନଭରି ପାନ କରୁଚନ୍ତି ଶୀତଳ ଜ୍ୟୋତ୍ସା ।

 

ଝୁମ୍‌... ଝୁମ୍‌... ଝୁମ୍‌...ଝୁମ୍‌ ।

 

ଦ୍ୱାର ଖୋଲିଦେଲା ପ୍ରହରୀ । ଭିତରକୁ ପାଦଦେଲା ମଧୂଛନ୍ଦା, ଦ୍ୱାର ବନ୍ଦ ହେଲା । କଟା ମାର୍ବଲ ଦିଆ ଉଦ୍ୟାନ ପଥରେ ଅଗ୍ରସର ହେଲା ମଧୁଛନ୍ଦା । ଅନତିଦୂରରେ ତା’ର ପ୍ରାସାଦ । ଦ୍ୱାରପରେ କକ୍ଷ ପର୍ଯ୍ୟନ୍ତ ଲମ୍ୱି ଯାଇଛି ମାର୍ବଲ ପଥରର ଏକ ଅପ୍ରଶସ୍ତ ରାସ୍ତା । ଦୁଇ କଡ଼ରେ ଗଙ୍ଗଶିଉଳୀ ଫୁଲରୁ ନିଘଞ୍ଚ ଦୁଇଧାର, ତା’ର ଦୁଇ ପାଖରେ ମନୋରମ ଉଦ୍ୟାନ, ହେନା, ମଲ୍ଲୀ, ରଜନୀଗନ୍ଧା ସ୍ତବକରୁ ବାହାରି ଆସୁଚି ଏକ ଆମୋଦଭରା ସୁବାସ । ଫୁଟନ୍ତା ଗୋଲାପର ପାଖୁଡ଼ା ଦେଇ ସେ ତା’ର ବାସଭରା ଦେହ ପ୍ରତି ଜଣାଉଛି ଆମନ୍ତ୍ରଣ ।

 

ମଧୁଛନ୍ଦା ଆଗେଇ ଚାଲିଛି ଆହୁରି ଜୋରରେ । ନୀରବ ନିସ୍ତବ୍‌ଧ ରାତ୍ରିର ନୀରବତା ଭାଙ୍ଗୁଛି ତା’ର ପଦର ନୂପୁରର ରୁଣୁଝୁଣୁ ଶବ୍ଦରେ । କ୍ଳାନ୍ତ ଶିଥିଳ ପଦରେ ତା’ର କ୍ରମଶଃ ଆହୁରି ଅଳସଭରି ଯାଉଛି । ଏକ ଲୟରେ ଆଗେଇ ଚାଲିଛି ତା’ରି କକ୍ଷଆଡ଼େ । ମନରେ ଅସୁମାରୀ ଭାବନା । ପଦର ତାଳେ ତାଳେ ଖସି ପଡ଼ୁଛି କବରୀ ମଣ୍ଡନ କରୁଥିବା ପୁଷ୍ପଗୁଚ୍ଛର କେତେକ ପାଖୁଡ଼ା ।

କକ୍ଷରେ ପ୍ରବେଶ କଲା ମଧୁଛନ୍ଦା । ଏକ ଆବେଗରେ ଧାଇଁଗଲା ସେ ତା’ର ପ୍ରସାଧନ ପ୍ରକୋଷ୍ଠକୁ । ସମ୍ମୁଖ ଦର୍ପଣରେ ତା’ର ପ୍ରତିବିମ୍ୱ । ସେ ଆହୁରି ନିରୀକ୍ଷଣ କରି ଦେଖିଲା ।

କେତେ ସୁନ୍ଦର ତା’ର ବେଶବିନ୍ୟାସ । କପାଳରେ ଚନ୍ଦନର ପରିପାଟୀ ସ୍ୱେଦ ବିନ୍ଦୁରେ ମଲିନ ପଡ଼ି ଆସୁଥିଲେ ବି ସମ୍ପୂର୍ଣ୍ଣ ଲିଭିଯାଇନାହିଁ । ସେଇ ଟିପା ସହିତ ଦୁଇ ଭ୍ରୁଲତା ମଧ୍ୟରେ ସରୁ କୁଙ୍କୁମର ଗାର । ଠିକ୍‌ ତାରି ଉପରକୁ ଝୁଲି ଆସିଚି ସୀମନ୍ତରୁ ଟୀକା । ସରୁ ସରୁ ଭ୍ରୂଲତାର ଭଙ୍ଗୀ ସହିତ ହରିଣୀ ଆଖିର ପତାରେ କଜ୍ଜଳ ଧାରର ଛଟା । ଗଳାରେ ଚନ୍ଦ୍ରହାରଠାରୁ ଆରମ୍ଭ କରି ଗୋଡ଼ର ପାଝମ ଆଉ ପାଦର ଝୁଣ୍ଟିଆ ପର୍ଯ୍ୟନ୍ତ ଭରି ରହିଛି ଅଙ୍ଗରେ ତା’ର ଅଳଙ୍କାର ସାମଗ୍ରୀ । ଝୀନ୍‌ବସ୍ତ୍ର ଭିତର ଦେଇ ତା’ଅଙ୍ଗର କାନ୍ତି ଆହୁରି ପ୍ରସ୍ଫୁଟିତ ହେଉଥାଏ । ଘର୍ମାକ୍ତ ବେହରଣ ତା’ର ଜଡ଼ିଯାଇ ଦେହରେ ରୂପ ବିନ୍ଧାଣୀର ଚାତୁରୀକୁ ଆହୁରି ସ୍ପଷ୍ଟ କରି ତୋଳିଛି । କାଞ୍ଚୁଲା ଆଉ ଉତ୍ତରୀୟ କଟିମେଖଳାର ଉପରଦେଇ ଝୁଲିପଡ଼ିଛି ତଳକୁ ।

ଦୀର୍ଷଶ୍ୱାସ ଛାଡ଼ିଲା ମଧୁଛନ୍ଦା । ମନରେ ଯେମିତି ଖେଦ ଭରିଗଲା । ନିଜକୁ ଦେଖିବାପରେ ଆହୁରି କ୍ଳାନ୍ତ ମନେକଲା ସେ । ଭୁଲିଗଲା ତା’ର ପ୍ରସାଧନ ବେହରଣ ଉନ୍ମୁକ୍ତ କରିବାପାଇଁ । ଫେରିଲା ତା’ର ବିଶ୍ରାମ କକ୍ଷକୁ, କିନ୍ତୁ ବିଶ୍ରାମ ନେଇ ପାରୁନାହିଁ ।

 

ଗବାକ୍ଷ ନିକଟରେ ଯାଇ ଠିଆ ହେଲା, କାହିଁ କେତେଦୂର ଯାଏ ସେ ବଗିଚା । କେତେ ରଙ୍ଗର ପୁଷ୍ପଲତା ଭରି ରହିଛି ବଗିଚାରେ । ହେଇ... ଆଗରେ ରାଧା ତମାଳକୁଞ୍ଜ । ତା’ରି ଭିତରେ ଶଙ୍ଖ ମଲମଲ ପଥରରେ ତିଆରି ହୋଇଛି ଉପବେଶନ କରିବା ପାଇଁ ସ୍ଥାନ, ଛୋଟ କୁଞ୍ଜଟିଏ । କ୍ଷୁଦ୍ର କୃତ୍ରିମ ପୁଷ୍କରିଣୀର ଆକାରରେ କରାଯାଇ ତା’ରି ଭିତରେ ତିଆରି ହୋଇଛି ବିଳାସକୁଞ୍ଜ । ଆହୁରି ବ୍ୟଥିତ ହେଇ ଉଠିଲ ମଧୁଛନ୍ଦା ।

 

ତା’ର ଦୃଷ୍ଟି ଲମ୍ୱିଗଲା କାହିଁ କେତେ ଦୂରକୁ...... ।

 

ରାଜନର୍ତ୍ତକୀ ମଧୁଛନ୍ଦା ବିଶାଳ ଅବନ୍ତି ରାଜ୍ୟର ରାଜନର୍ତ୍ତକୀ । ମହାପ୍ରତାପୀ ଶଙ୍ଖଧ୍ୱଜଙ୍କର ରାଜନର୍ତ୍ତକୀ– ଆମୋଦ କକ୍ଷର ଏକମାତ୍ର ପ୍ରତୀକ ।

 

ଚରଣଯୁଗଳର ରୁଣୁଝୁଣୁ ନିକ୍ୱଣରେ ସଙ୍ଗୀତର ତାଳେ ତାଳେ ଅଙ୍ଗରେ ଅଭିନୟ ଭରି ସେ ମୁଗ୍‌ଧ କରେ ରାଜା ଓ ରାଜସଭାର ଅନ୍ୟ ସଭାସଦ୍‌ମାନଙ୍କୁ । ରୂପରେ, ନୃତ୍ୟରେ ମୁଗ୍‌ଧ ହୁଅନ୍ତି ଅଭ୍ୟାଗତଗଣ । ରାଜେନ୍ଦ୍ରାସନରୁ ଥାଇ ରାଜା ଉପହାର ଦିଅନ୍ତି ମଣିମୁକ୍ତାର ମାଳା, ସୁବର୍ଣ୍ଣହାର, ଏମିତି କେତେ କ’ଣ । ଗୋଲାପି ଅଧରରେ ଲସ୍ୟଛୁଟାଇ, ଆୟତ ନୟନରେ କଟାକ୍ଷହାଣି, ଅଧୋବଧନରେ ବିଦାୟ ସୂଚକ ପ୍ରଣତି ଜଣେଇ ପଛକୁ ଫେରିଆସେ ମଧୁଛନ୍ଦା ।

 

ସତର୍କ ପ୍ରହରୀ ଭିତରେ ତା’ର ଉଆସ । ଶଙ୍ଖ ମଲ୍‌ମଲ୍‌ ପଥରରେ କୋଟିକମ କରା କାରୁକାର୍ଯ୍ୟ ହୋଇ ନିର୍ମିତ ହୋଇଛି ସେ ପ୍ରାସାଦ । ତୀକ୍ଷ୍ଣ ଦୃଷ୍ଟି ତା’ରି ସୁରକ୍ଷା ଉପରେ ।

 

ହସିଲା ଏକ କ୍ଷୋଭର ହସ ମଧୁଛନ୍ଦା......... ।

 

ଅଦୂରରେ ପ୍ରହରୀଗଣ ପାଇଚାରୀ କରୁଛନ୍ତି । ସତେ ଯେମିତି ଏକ ମୂଲ୍ୟବାନ ରତ୍ନ ଭଣ୍ତାରକୁ ସେମାନେ ଜଗିରହିଛନ୍ତି । ହଁ....... ନୁହେଁତ ଆଉ କ’ଣ ।

 

ସେ ଏକ ମୂଲ୍ୟବାନ ରତ୍ନ । ଯାହାର ମୂଲ୍ୟ ଅଛି କିନ୍ତୁ ଜୀବନ ନାହିଁ । ତାକୁ ନେଇ ଅନ୍ୟମାନେ ଗୌରବାନ୍ୱିତ ମନେ କରିବେ । ସୁଖୀ ହେବେ । ଆମୋଦ କରିବେ । କିନ୍ତୁ ତା’ର ନିଜସ୍ୱ କିଛି ନାହିଁ । ଆପଣାର ଆଶା ଆକାଙ୍‌କ୍ଷା ବୋଲି କିଛି ନାହିଁ । ସେ କାହାକୁ ଚାହିଁପାରିବ ନାହିଁ । କାହାକୁ ଆପଣାର କରିପାରିବ ନାହିଁ । ତା ଅଙ୍ଗରୁ କ୍ଷୁଧା ଜାଗ୍ରତ ହୋଇ ପାରିବ ନାହିଁ । କେବଳ ଏକମାତ୍ର ରାଜଉପଭୋଗ୍ୟା ସେ । ରାଜାଙ୍କର ବିଳାସର ପ୍ରତୀକ ।

 

ଯେଉଁଦିନ ରାଜାଙ୍କର କେବଳ ଇଚ୍ଛା ହେବ ସେ ଆସିବେ ତାରି କକ୍ଷକୁ । ମଧୁବଚନ କହି ମନ ତୋଷିବାକୁ ହେବ ମଧୁଛନ୍ଦାକୁ । ଶିଥିଳ ଚରଣ ଚାଲି ତାକୁ ଆହୁରି କ୍ଷିପ୍ର ହେବାକୁ ପଡ଼ିବ ସେଇ ରାଧାତମାଳ କୁଞ୍ଜର ରଙ୍ଗାଳୟରେ । ସେଇଠାରେ ବସି ଆମୋଦିତ ହେବେ ରାଜା–ତା’ର ତ୍ରାଣକର୍ତ୍ତା । ଯୌବନର ସମସ୍ତ ପୁଞ୍ଜୀକୁ ସମର୍ପି ସେ ରାଜାଙ୍କୁ ତୁଷ୍ଟ କରିବ । ତାଙ୍କର ତୁଷ୍ଣା ମେଣ୍ଟାଇବ । ତାଙ୍କରି ପାଇଁତ ଏଇ ତନୁ ତନିମା, ଅଙ୍ଗର ସୁରଭି । ବୟସର ସୁସଜ୍ଜିତ ବେଳାଭୂମି ଯୌବନ ।

 

ବାସ୍‌, ଏତିକି ସେ ତା’ର ମା’ଠରୁ ଶିଖିଚି, ଶୁଣିଛି ଆଉ ଅକ୍ଷରେ ଅକ୍ଷରେ କାର୍ଯ୍ୟରେ ପ୍ରତିପାଦନ କରିବାକୁ ନିର୍ଦ୍ଦେଶ ପାଇଚି ।

 

ଗର୍ଭଧାରିଣୀ ମାତା ତା’ର ଚନ୍ଦ୍ରକଳା । ଏଇ ବଂଶର ବୁଢ଼ାରାଜାଙ୍କ କାଳରୁ ସେ ମଧ୍ୟ ଥିଲା ରାଜନର୍ତ୍ତକୀ । ତା’ଦେହରେ ମଧ୍ୟ ଯୌବନର ଅପରିମାପ ଜୁଆର ଦିନେ ଛୁଟିଥିବ । ସେ ମଧ୍ୟ ନିଜର ତନୁବଲ୍ଲରୀକୁ ଭେଟି ଦେଇଥିବ ରାଜାଙ୍କର ଚରଣ ତଳେ ଏଇ ରାଧାତମାଳ କୁଞ୍ଜର ଆଢ଼ୁଆଳରେ । କ୍ଷିପ୍ତ ହୋଇ ଉଠିଥିବେ ରାଜା । ଉଭୟ ବେପଥୁ ମନ ନେଇ ଫେରି ଆସିଥିବେ ଏଇ ଶୟନ କକ୍ଷକୁ । ରାତ୍ରି ଉଦ୍‌ଯାପନ କରିଥିବେ ରାଜା । ତା’ପରେ ଫେରି ଯାଇଥିବେ ତାଙ୍କର ଉଆସକୁ । ଅନ୍ତଃପୁରର ରାଣୀ ଗହଣକୁ । କିନ୍ତୁ ଚନ୍ଦ୍ର କଳା ? ରାଜାର ସ୍ତ୍ରୀ ହେଇପାରେ ସେ ହେଲେ ରାଣୀ ତ ନୁହେଁ ? ସେଇ ମିଳନର ତଥାସ୍ତୁ ଆଶୀର୍ବାଦର ଗୌରବ ହେଇପାରେ ଏଇ ମଧୁଛନ୍ଦା– ହେଲେ ସେତ ରାଜଜେମା ନୁହେଁ !!!

 

ନାଁ....... ସେମାନେ ରାଜଗଣିକା, ରାଜନର୍ତ୍ତକୀ, ରାଜଉପଭୋଗ୍ୟା । ବାହାରର ଛାଇସୁଦ୍ଧା ପଡ଼ିବାର ଆଶଙ୍କା ନାହିଁ ଏମାନଙ୍କ ଉପରେ, କେବଳ ରାଜାଙ୍କ ବ୍ୟତୀତ । ତଥାପି ସେମାନେ ଗଣିକା । ଜଣକ ଛଡ଼ା ଆଉ ଜଣକର ଦେହର ଗନ୍ଧରେ ଆମୋଦିତ ହେବାର ଅବକାଶ କେବେ ହବନାହିଁ ସେମାନଙ୍କର; ତଥାପି ସେମାନେ ଗଣିକା ।

 

ମନେପଡ଼ୁଚି ମଧୁଛନ୍ଦାର–ସତରେ ! କେତେ ବୁଦ୍ଧି ତା’ର । ଏତେ ପିଲାଦିନୁ ମଧ୍ୟ କେମିତି ସେ କେବେହେଲେ ଥରେ ତା’ପିତାର ପରିଚୟ ପଚାରି ନାହିଁ । ହଁ, ହୁଏତ ପଚାରିବାର ନଥିଲା । କାରଣ ଜଣେ ପିତାର ସାହାଯ୍ୟରେହିଁ ତା’ର ପୃଥିବୀ ବକ୍ଷକୁ ଆସିବା କେବଳ ସମ୍ଭବ, ଏକଥାତ କାହିଁ ବାଲ୍ୟାବସ୍ଥାରେ ଜାଣିବାର ସୁଯୋଗ ପାଇ ନଥିଲା । ସେ କେବଳ ଜାଣିଥିଲା ଜଣକୁ ତା’ର ମାତାକୁ । ବୟସର ଗତି କ୍ରମେ ତାକୁ ଚନ୍ଦ୍ରକଳା ସବୁ ବିଷୟ ସହିତ ପରିଚୟ କରାଇ ଦେଇଛି ।

 

ମଧୁଛନ୍ଦା ଆହୁରି ବୋଧ କଲା । ଅଙ୍ଗରେ ତା’ର ଯୌବନର ଉଦ୍ଦାର କାମନା । ତନୁରେ ବେପଥୁ । ଗୋଟି ଗୋଟି ହୋଇ ସତରଟି ବସନ୍ତ ବହିଯାଇଛି ତା’ରି ତନୁ ତନିମା ଉପରେ-। ପ୍ରତ୍ୟେକଟି ବସନ୍ତ କିନ୍ତୁ ତାଙ୍କର ଦାନ କିଛି ଦେଇ ଯାଇଛନ୍ତି ମଧୁଛନ୍ଦାର ଅଙ୍ଗ ସୁଷମାକୁ, କିନ୍ତୁ କେହି ତାକୁ ଯାତନା ଦେଇ ନଥିଲେ । କିନ୍ତୁ ଏଇ ଶେଷ ତିନୋଟି ବସନ୍ତର ଯେ ଜ୍ୱାଳା ସେ ଅଙ୍ଗରେ ଅନୁଭବ କରୁଛି ସେଥିପାଇଁ ସେ ଆହୁରି ଚିନ୍ତିତ । କେମିତି କେଜାଣି ଅଙ୍ଗରେ ତା’ର ଶିହରଣ । ମନରେ ଆଲୋଡ଼ନ, ଦେହରେ ଏକ ଅପରିସୀମ କ୍ଷୁଧା । ଶିରା ପ୍ରଶିରାର ରକ୍ତରେ ତା’ର ଜ୍ୱଳନ । ପ୍ରତି ମୁହୁର୍ତ୍ତରେ ସେ ବୋଧ କରୁଛି ଯେ ଏ ପ୍ରାସାଦ ତା’ପାଇଁ ଏକ ଲୌହ ପିଞ୍ଜରା-। ସେ ଏକ ମୁକ୍ତ ପକ୍ଷୀସମ ଉଡ଼ିଯିବାକୁ ଚାହିଁଛି ଦିଗନ୍ତର ଆରପାରିକୁ ସାଥିର ଆଶାରେ-। କିନ୍ତୁ ନିରାଶ ହୋଇଛି ।

 

ଆୟତ ନୟନରେ କଜ୍ଜଳ ଗାର ଦେଲାବେଳେ ସେ ତା’ର କଟାକ୍ଷକୁ ଦେଖି ମୁଗ୍‌ଧ ହୋଇଛି । ଅଙ୍ଗରେ ନଟୀର ଆବରଣ ପିନ୍ଧିବା ପୂର୍ବରୁ ତା’ର ନଗ୍ନ ରୂପକାନ୍ତିକୁ ଦେଖି ସେ ଆମୋଦିତ ହୋଇଛି । ସେ ବୋଧ କରିଛି ତା’ଅଙ୍ଗରେ ପ୍ରତି ଛତ୍ରେ ଛତ୍ରେ ଏଇ ଯୌବନର ପ୍ରତ୍ୟେକ ଶାଖା ପଲ୍ଲବିତ ହୋଇଛନ୍ତି । ତେଣୁ କେଜାଣି କେମିତି ଏକ ପରିକଳ୍ପନାରେ ଏକ ଖେୟାଲୀର ଚିତ୍ର ଆଙ୍କି ତାରି ଉଦ୍ଦେଶ୍ୟରେ ନିଜର ବଧୂଲିଅଧର ପ୍ରକମ୍ପିତ କରି ଅକୁହା ଅଶୁଣା କଥା କହିବାର ଉଦ୍ୟମ କରୁଛି । କିନ୍ତୁ ହାୟ ! ସେ ସବୁ ଆଶାରେ ହିଁ ମରି ଯାଇଚି ? ତା’ରି ପରଠାରୁ କେମିତି କେଜାଣି ସେ ଉତ୍ତାପ କେତେଟା ନିଷ୍ପ୍ରଭ ହୋଇ ଉଠିଚି ଏଇ ଅଣନିଶ୍ୱାସୀ ପ୍ରକୋଷ୍ଠ ଭିତରେ । ୟା’ ମଧ୍ୟରେ ରାଜା ଶଙ୍ଖଧ୍ୱଜ ଯେ କେବେ କ୍ୱଚିତ ନ ଆସନ୍ତି ତା’ନୁହେଁ ବରଂ ତାଙ୍କରି ମୁଖରେ–ତୁମେହିଁ ପୂର୍ବର ସମସ୍ତ ରାଜନର୍ତ୍ତକୀଙ୍କ ମଧ୍ୟରୁ ସୁନ୍ଦରୀ ମଧୁଛନ୍ଦା ! ଏତେ କାନ୍ତି ତୁମ ତନୁରେ...... ଏମିତି କେତେ କଥା ଶୁଣି ସେ ଆମୋଦିତ ହୋଇ ନାହିଁ ବରଂ ତା’ରି ପୂର୍ବ କ୍ଷତର କ୍ଷରଣ ହୋଇଛି । କିନ୍ତୁ କର୍ତ୍ତବ୍ୟର ଉପାସିକା ଭାବରେ ନିଜକୁ ସମର୍ପି ଦିଏ ସେ ରାଜାର ପାଦତଳେ, ଏଇ ବିଳାସ କକ୍ଷରେ । ଏକ ମଦମତ୍ତ ହସ୍ତୀର ଆକ୍ରମଣରେ ତ୍ରସ୍ତା ହରିଣୀଟି ଭଲି ସେ ଆଖିବୁଜି ଆତ୍ମବଳୀ ଦେଇ କ୍ଷଣିକ ଆବେଗକୁ ଶାନ୍ତ କରିଛି କିନ୍ତୁ ତା’ର ତୃଷ୍ଣା ମେଣ୍ଟି ନାହିଁ । ସେ ଦହନ ଜ୍ୱଳନ ବରଂ ତା’ର ଦ୍ୱିଗୁଣିତ ହୁଏ । ସେ ଜଣକ ଆଖିରେ କଳ୍ପନା କରିଛି ଅମାୟିକତା, ଆବେଗ, ଉତ୍କଣ୍ଠା କିନ୍ତୁ ତା’ରି ବଦଳରେ ଆବିଷ୍କାର କରେ ରାଜାଙ୍କ ଚାହାଁଣୀରେ ଲୋଭ, ହିଂସ୍ରତା ଆଉ ଏକ ନଗ୍ନ କ୍ଷୁଧା ।

 

ତଥାପି ସେ କେବେ ଅସ୍ୱସ୍ତ ବୋଧକରି ନଥିଲା, ଅତିଷ୍ଠ ହୋଇ ନଥିଲା, କିନ୍ତୁ ଆଜି କ’ଣ ହେଲା !!!

 

କାହିଁକି ଆଜି ତା’ବୁକୁରେ ଅସୁମାରୀ ବେଦନା ? କାହିଁ ତା’ର ମନରେ ଅପର୍ଯ୍ୟାପ୍ତ ଦ୍ୱନ୍ଦ୍ୱ-? କାହିଁକି ତା’ର ଅଙ୍ଗରେ ଅସୁମାରୀ ପୀଡ଼ନ ? ସତରେ କ’ଣ ସେ ଆଜି ନିଜର ଆୟତ୍ତରେ ନାଚୁ ନଥିଲା ? ଏତେ ସୁନ୍ଦର ନୃତ୍ୟ କ’ଣ ସେ ଜାଣି ଜାଣି ପରିବେଷଣ କରିପାରିଥିଲା ? ତା’ର ମନେପଡ଼ିଲା ସବୁ, ପୁଣି ଥରେ ଆଜିର ଘଟଣାକୁ ଲେଉଟେଇବାକୁ ଇଚ୍ଛା ହେଲା ତା’ର... ।

 

ଏକ ବିଶେଷ ଆମୋଦର ଆୟୋଜନ ଆଜି । ମଧୁଛନ୍ଦାକୁ ନାଚିବାକୁ ହେବ । ଅନେକ ବାହାରର ଅତିଥି ଆଜି ଯୋଗ ଦେବେ ରଙ୍ଗାଳୟରେ । ରଙ୍ଗବେରଙ୍ଗ ଆଲୋକ ଝାଡ଼ରେ ସୁସଜ୍ଜିତ ରଙ୍ଗାଳୟର ମଣ୍ତପ । ଏକମାତ୍ର ରାଜକୁମାର ଚନ୍ଦ୍ର ଚନ୍ଦନଙ୍କର ଏକବିଂଶତମ ଜନ୍ମତିଥି । ସେଇ ଉପଲକ୍ଷେ ଆୟୋଜିତ ଆଜିର ପ୍ରମୋଦ । ନିଜେ ଉପସ୍ଥିତ ରହିବେ କୁମାର ଚନ୍ଦ୍ର ଚନ୍ଦନ । ଜ୍ୟୋତ୍ସ୍ନାସିକ୍ତ ସନ୍ଧ୍ୟାର ପ୍ରଥମ ପ୍ରହରରେହିଁ ଆରମ୍ଭ ହେବ ନୃତ୍ୟ । ମଧୁଛନ୍ଦା ନିଜକୁ ସଜାଇଲା । ପାଦରେ ଦେଲା ଆଲକ୍ତ ।

 

ଅଙ୍ଗୁଳୀରେ ଝୁଣ୍ଟିଆ । ବଳାରେ ପାଝମ । ବନାରସୀ ପାଟର ବେହରଣ । ତା’ଉପରେ କଟିମେଖଳା, କାଞ୍ଚୁଲା ଉପରେ ଝିନଉତ୍ତରୀୟ । ଅଙ୍ଗରେ ସବୁଆଡ଼େ ରତ୍ନବିଭୁଷଣ । କଟିରେ ଚାପସଚି, ଗଳାରେ ଚନ୍ଦ୍ରହାର, ବାହୁରେ ବାଜୁବନ୍ଧ, ହସ୍ତରେ ରତ୍ନ କଙ୍କଣ, ସୀମନ୍ତରେ ଟୀକା, ଦେହରେ ଅଗୁରୁ ପ୍ରଲେପ । ନୟନରେ କଜ୍ଜଳ, କପାଳରେ ଚନ୍ଦନଟୀକା କୁଙ୍କୁମ, ଗଭାରେ ରତ୍ନଫଳକ । ସେବତୀ, ମଲ୍ଲୀ, ଚମ୍ପକ, ବକୁଳ ଆଦି ନାନା ଫୁଲରେ ତିଆରି ହୋଇଥିବା ଗଜରା ହାରରେ ଶୋଭିତ କଲା ତା’ରି କବରୀ, ହସ୍ତ, ବାଜୁ । ବକ୍ଷ ଉପରେ ଲମ୍ୱାଇଲା କର୍ପୁରର ମାଳା । ପ୍ରସାଧନ ସମାପ୍ତ କରି ପରିଚାରୀକୁ ବିଦାୟ ଦେଇ ଦର୍ପଣରେ ଦେଖିଲା ନିଜକୁ ମଧୁଛନ୍ଦା । ଆତ୍ମହରା ହେଇ ଉଠିଲା । ନିଜ ରୂପରେ । ଇସ୍‌ କେତେ ସୁନ୍ଦରୀ ସେ ? ପ୍ରଥମେ ତା’ର ଦୃଷ୍ଟି ଆକର୍ଷଣ କଲା ଚିବୁକର ତିଳକ ଆଉ ତା’ସାଙ୍ଗକୁ ଅଧରର ରକ୍ତିମ ଆଭା ।

 

ଆରମ୍ଭ ହେଲା ନୃତ୍ୟ । ରଙ୍ଗାଳୟ ଭରପୁର ହେଇ ଉଠିଚି ଅତିଥି ସମାଗମରେ । ପ୍ରଥମେ ଭୂମିପ୍ରଣାମ ସାରି ସେ ମୁହଁ ଟେକିଲା ନାଚ ଆରମ୍ଭ କରିବା ଉଦ୍ଦେଶ୍ୟରେ ।

 

ହଠାତ୍‌ ଆଖିରେ ପଡ଼ିଲା ରାଜା ଶଙ୍ଖଧ୍ୱଜଙ୍କ ନିକଟରେ ଉପବେଶନ କରିଥିବା ଯୁବକ ଉପରେ । ପ୍ରଥମ ଦୃଷ୍ଟି । ମନ ଭିତରେ ଚମକି ଉଠିଲା ମଧୁଛନ୍ଦା–ଏଇ ତେବେ କଣ୍‌ କୁମାର ଚନ୍ଦ୍ର ଚନ୍ଦନ ? ଏକଲୟରେ ଚାହିଁଛନ୍ତି ତା’ରିଆଡ଼େ ? କେଡ଼େ ସୁନ୍ଦର ? ଏତେ ରୂପଶ୍ରୀ କ’ଣ ସମ୍ଭବ ଜଣେ ପୁରୁଷ ପାଖରେ ? ପ୍ରଶସ୍ତ କପାଳ ଉପରକୁ କାକକୃଷ୍ଣ ଗହଳ କେଶଗୁଚ୍ଛ, କପାଳରେ ହୋମଚିତା । ସୁଦୀର୍ଘ ନାସିକ । ଢଳଢଳ ଭାବପୂର୍ଣ୍ଣ ଚକ୍ଷୁ । ସୁଢଳ ମୁଖମଣ୍ତଳ । ପ୍ରଶସ୍ତ ବକ୍ଷ । ପେଶି ଯୁକ୍ତ ଦେହର ସୁଠାମ ଗଠନ, ଗୌରକାନ୍ତି ସାଙ୍ଗକୁ ରତ୍ନଖଚିତ ରାଜ ପୋଷାକ....... ।

 

ଭାବାନ୍ତର ହେଲା ମଧୁଛନ୍ଦା । ସେ ଯେ ନର୍ତ୍ତକୀ... ନୃତ୍ୟ ଆରମ୍ଭ କରିବା ଉଚିତ୍‌ । ଆରମ୍ଭ କଲା ନୃତ୍ୟ । ଚପଳ ଛନ୍ଦର ତାଳେ ତାଳେ ନୂପୁର ନିକ୍ୱଣ ଫୁଟି ଉଠିଲା ସଙ୍ଗୀତର ପ୍ରତିଟି ସୁରରେ । ଏକ ମୁଗ୍‌ଧା ହରିଣୀଭଳି ଡେଇଁ, ବୁଲି ନାଚିବାକୁ ଲାଗିଲା ମଧୁଛନ୍ଦା । ନାଚର ପ୍ରତିଟି ସୁଯୋଗରେ ସେ ରାଜକୁମାରଙ୍କୁ ଦେଖିବାରେ ଚେଷ୍ଟା କରିଚି ଏବଂ ଦେଖିଚି–ଏକଲୟରେ ଚାହିଁଛନ୍ତି କୁମାର ତା’ରିଆଡ଼େ । କେମିତି କେଜାଣି ଅପ୍ରତିହତ ସେ ଦୃଷ୍ଟି । ଆଖିରେ ଅସୁମାରୀ କାମନା । ମୁହଁରେ ଅନେକ ଅନୁରୋଧ । ମନରେ ଅଶେଷ ଆଗ୍ରହ । ଆହୁରି କ୍ଷିପ୍ତ ହୋଇଉଠିଲା ମଧୁଛନ୍ଦା । ତା’ର ମନରେ ଯେମିତି ଆଜି କ୍ଳାନ୍ତି ନାହିଁ ।

 

ନୃତ୍ୟର ଲୟ ବଢ଼ି ଚାଲିଲା । ସେମିତି ଚାହିଁଥାନ୍ତି ଚନ୍ଦ୍ର ଚନ୍ଦନ ମଧୁଛନ୍ଦା ଆଡ଼େ । ମଧୁଛନ୍ଦାର ମନରେ କ୍ରମେ ଏକ ପ୍ରଶ୍ନ ଜାଗ୍ରତ ହେଲା । ରାଜକୁମାରଙ୍କର ଆଉ ତା’ର କଳ୍ପଲୋକର ମଣିଷ ଭିତରେ କିଛି ସାମଞ୍ଜସ୍ୟ ନାହିଁ ତ ? କେମିତି ତାକୁ ଜଣାଗଲା ଯେ ହଁ ଅଛି ବୋଧହୁଏ । ଆହୁରି ପାଗଳିନୀ ପରି ନାଚି ଚାଲିଲା ମଧୁଛନ୍ଦା । ସେ ନାଚର ଲାସ୍ୟ ଆହୁରି ଉପଭୋଗ୍ୟ ହେଲା, ତଥାପି କ୍ଳାନ୍ତି ନାହିଁ ମଧୁଛନ୍ଦାର । କରତାଳିରେ ପୁରି ଉଠିଲା ରଙ୍ଗାଳୟ । ସେଥିରେ ମଧ୍ୟ ମଧୁଛନ୍ଦାର ତୃପ୍ତ ନାହିଁ । ସେ ଯେମିତି ତା’ର କଳ୍ପଚକ୍ଷୁରେ ଦେଖୁଚି ଯେ ଏ ରଙ୍ଗାଳୟରେ ଆଉ କେହି ନାହିଁ କେବଳ ଜଣକ ଛଡ଼ା । ଆଉ ସେ ଜଣକ ପାଇଁ ହିଁ ସେ ନାଚୁଛି । ତାଙ୍କରି ପ୍ରଶଂସାହିଁ ମଧୁଛନ୍ଦାର କାମନା । ନାଚି ନାଚି ନିଜର ଭାରସାମ୍ୟ ହରେଇ ଆୟତ୍ତରେ ରହି ନପାରି ପଡ଼ିଗଲା ମଧୁଛନ୍ଦା । ସେ ଖାଲି ଏତିକି ଶୁଣିଚି କରତାଳି ଆଉ ସମସ୍ତଙ୍କ ମୁହଁରେ ଭୁରିଭୁରି ପ୍ରଶଂସା । ନିଜକୁ ସଂଯତ କରି ଉଠିଲା ମଧୁଛନ୍ଦା । ଦେଖିଲା ରାଜା ଶଙ୍ଖଧ୍ୱଜ ମୁଗ୍‌ଧ ଦୃଷ୍ଟିରେ ତାକୁ ଚାହିଁ ରହି ‘ଚମତ୍କାର’ ବୋଲି ପ୍ରଶଂସା କରୁଛନ୍ତି । ତା’ପରେ ଶଙ୍ଖଧ୍ୱଜଙ୍କ ହାତରୁ ଆସି ପଡ଼ିଲା ତା’ରି ନିକଟରେ ଏକ ରତ୍ନର ମାଳା । ତାକୁ ଉଠାଇ ସେ ତା’ର ଆନତ ଦୃଷ୍ଟି ତୋଳି ଚାହିଁଲା ରାଜକୁମାରଙ୍କ ଆଡ଼କୁ....... ।

 

କିନ୍ତୁ ଏ କ’ଣ କୁମାର କାହାନ୍ତି ? ବିକଳ ହୋଇଗଲା ତା’ରି ପ୍ରାଣ । ସବୁ ଯେମିତି ଅନ୍ଧାର ଦେଖାଗଲା ତାକୁ । ସେଇ ଅନ୍ଧାର ଭିତରେ ସେ ମନେ ପକାଇବାକୁ ଚେଷ୍ଟା କଲା । ବୋଲ୍‌ର ତିହାଇ ଉପରେ ସେ ଘୁରି ଘୁରି ନାଚିବା ବେଳେ ଜଣେ କିଏ ଚାଲିଗଲେ ରଙ୍ଗାଳୟ ଛାଡ଼ି-। ହଁ... ହଁ ସେଇ ତେବେ କୁମାର । ଆଖିରେ କେମିତି ଥିଲା ତାଙ୍କର ଏକ ବେଦନାସିକ୍ତ ଚାହାଁଣି-। ନାଚର ଗତି ଭିତରେ କିନ୍ତୁ ସେକଥା ଭାବିବା ପାଇଁ ଅବକାଶ ପାଇ ନଥିଲା ସେ ପୁରସ୍କାର ମାଳାଟା ଧରି ଚାଲି ଆସିଛି ମଧୁଛନ୍ଦା ।

 

ହୁଏତ ରଙ୍ଗାଳୟ ଶୂନ୍ୟ ହୋଇ ଯାଇଥିବ । ରାଜା ଓ ରାଜକୁମାର ନିଦ୍ରା ଯିବେଣି ଗଜଦନ୍ତ ପଲଙ୍କର ଦୁଗ୍‌ଧଫେନନିଭ ଶୁଭ୍ର ଶଯ୍ୟା ଉପରେ । କିନ୍ତୁ ମଧୁଛନ୍ଦା !

 

ନାଃ... ସେ ମଧ୍ୟ ନିଦ୍ରା ଯିବ । କାହିଁକି ଏ ଅହେତୁକ ଘଟଣାକୁ ନେଇ ଆଲୋଡ଼ନ ଜଗାଇବ ସେ ମନରେ ।

 

ନିଜକୁ ଶଯ୍ୟା ପାଖକୁ ନେବାକୁ ମନସ୍ଥ କଲା ମଧୁଛନ୍ଦା । କିନ୍ତୁ ଏ କ’ଣ ? ଫାଟକ ଖୋଲିଲା ବୋଧହୁଏ ପ୍ରହରୀ । ତେବେ ମଧୁଛନ୍ଦାର ଅନୁମାନ ସତ୍ୟ । ସେ ଠିକ୍‌ ଆଶା କରୁଥିଲା ଆଜି ନୃତ୍ୟରେ ମୁଗ୍‌ଧ ହୋଇଛନ୍ତି ରାଜା । ନିଶ୍ଚୟ ରାତ୍ର ଉଦଯାପନ କରିବାକୁ ଆସିବେ ତା’ରି ପ୍ରାସାଦକୁ । ନିଜକୁ ଭାବନାରୁ ମୁକ୍ତ କରିନେଲା ମଧୁଛନ୍ଦା । କପାଳର ସ୍ୱେଦବିନ୍ଦୁ ଉତ୍ତରୀୟ ପଣତରେ ଯତ୍ନରେ ପୋଛିଦେଲା, ସତେ ଯେମିତି ସେ ପ୍ରସ୍ତୁତ ।

 

ଆଗେଇ ଆସୁଛନ୍ତି ରାଜା । ଜ୍ୟୋତ୍ସ୍ନା ଭିଜା ଆଲୋକରେ କେବଳ ଦୂରରୁ ତାଙ୍କର ଅସ୍ପଷ୍ଟ ଛାୟାଟା ନିକଟତରେ ହେଉଅଛି । ଆଶ୍ଚର୍ଯ୍ୟ ହେଲା ମଧୁଛନ୍ଦା । ଆଜି ଏ ବ୍ୟତିକ୍ରମ କାହିଁକି-? ଆସିବା ସଙ୍ଗେ ସଙ୍ଗେ ଦେହରକ୍ଷୀ ଆସି ଖବର ଦେଇଯାଏ ଆଗ । କିନ୍ତୁ ରାଜା ଆଜି ଏକା କାହିଁକି ? ଆଉ ଚିନ୍ତାର ଅବକାଶ ନାହିଁ ଭାବି ପ୍ରାସାଦର ଦରଜା ଆଡ଼କୁ ଅଗ୍ରସର ହେଲା ମଧୁଛନ୍ଦା-। କିନ୍ତୁ ଯାହା ଦେଖିଲା ସେଥିରେ ତା’ର ଆଉ ପଦ ଚଳିଲା ନାହିଁ । ବରଂ ଭିତରକୁ ଆସି ସେ ଅନ୍ଧକାରରେ ଠିଆହୋଇ ରହିଲା ଏକ ମୁହୂର୍ତ୍ତର ପ୍ରତୀକ୍ଷାରେ ।

 

କି ଆଶ୍ଚର୍ଯ୍ୟ !

 

ଅବନ୍ତୀର ରାଜକୁମାର ଚନ୍ଦ୍ର ଚନ୍ଦନ–ଯାହାଙ୍କୁ ପ୍ରଥମ କରି ଆଜି ସେ ଦେଖିଲା ରଙ୍ଗାଳୟରେ । ଆଉ ଯାହାଙ୍କର ଭାବନାରେ ହିଁ ଏପର୍ଯ୍ୟନ୍ତ ନିଜକୁ ବିକ୍ଷତ କରୁଥିଲା ମଧୁଛନ୍ଦା ସେ ପୁଣି କାହିଁକି ? ଏ ଅର୍ଦ୍ଧ ରାତ୍ରିରେ ? ।

 

ମଧୁଛନ୍ଦା ବୋଧକଲା ନିଜେ ସେ ଅନ୍ଧକାରରେ କବାଟ ନିକଟରେ ଠିଆହୋଇ ଗୋଟା ସୁଦ୍ଧା ଏକ ଅହେତୁକ ଭୟରେ ଓଦା ହୋଇଗଲାଣି ଝାଳରେ । ଚନ୍ଦ୍ର ଚନ୍ଦ୍ରନ ମଧ୍ୟ ପହଞ୍ଚି ଯିବେଣି ଦ୍ୱାରନିକଟରେ । କିନ୍ତୁ ଭରସି କରି ଡାକି ପାରୁନାହାନ୍ତି ମଧୁଛନ୍ଦାକୁ । କେହି କାହାକୁ ଦେଖି ପାରୁନାହାନ୍ତି । ହୁଏତ ଉଭୟେ ଅନ୍ୟର ଉପସ୍ଥିତିକୁ ଜାଣି ପାରୁଚନ୍ତି । ପ୍ରଭେଦ ମାତ୍ର ତିନିଚାରି ହାତର ବ୍ୟବଧାନ ।

 

ଏମିତି କିଛିକ୍ଷଣ କଟିଗଲା । ନୀରବତା ଭଙ୍ଗକରି ଦ୍ୱାରରେ ମୃଦୁ କରାଘାତ କଲେ ଚନ୍ଦ ଚନ୍ଦ୍ରନ । ପ୍ରତୀକ୍ଷମାଣା ଭଳି ମଧୁଛନ୍ଦା ଯନ୍ତ୍ରବତ୍‌ ଦ୍ୱାର ଖୋଲିଲା ।

 

‘ଛନ୍ଦା......’

 

କଣ୍ଠରେ ଅନେକ ସାହସ ସଞ୍ଚୟ କରି ଡାକିଲେ ଚନ୍ଦ୍ରଚ ନ୍ଦନ । କଣ୍ଠରେ ତାଙ୍କର ଶ୍ଳେଷ ପୂରି ରହିଥିବା ଭଳି ଜଣାଗଲା ।

‘କୁମାର !......’ ଚମକି ପଡ଼ିଲା ମଧୁଛନ୍ଦା, ‘ଆପଣ ?’

 

‘ହଁ ଛନ୍ଦା... ମୁଁ ।’

 

ଆଉକିଛି କହି ପାରିଲେନି କୁମାର । ମଧୁଛନ୍ଦା ମଧ୍ୟ ନୀରବ । ତା’ମନରେ କେବଳ ଗୋଟିଏ ଚିନ୍ତା...... ‘ଛନ୍ଦା.......’ ଏ ନାମରେ ତ କେହି ଡାକି ନାହିାଁନ୍ତି ତାକୁ । ନିଜର ନାଁର ଏକ ଅଂଶ ହେଲେ ବି ସେଇ ଡାକଟାରେ ଯେ ଏତେ ମମତା ପରିସ୍ଫୁଟ ହେଇପାରେ ସେକଥା ତା’ର କଳ୍ପନାତୀତ । କେତେ ମଧୁବୋଳା ଜଣାପଡ଼ୁଚି ।

 

‘ଭିତରକୁ ଡାକିବନାହିଁ ମତେ ?’

 

ଇସ୍‌ କେତେ ଛୁଆଟି ଭଳି ଅଳି କରୁଛନ୍ତି କୁମାର ? ଠିକ୍‌ ତ’ ଏମିତି ତା’ର ମନରମଣିଷ ତାକୁ କୁହନ୍ତା କି ବୋଲି ସେ କଳ୍ପନା କରେ ।

 

‘ଆସନ୍ତୁ.......’

 

ଭିତରକୁ ପ୍ରବେଶ କଲେ କୁମାର । ସେମିତି ସ୍ଥାଣୁଟିଭଳି ଠିଆହୋଇ ରହିଲା ମଧୁଛନ୍ଦା-

 

ନିକଟକୁ ଆସିଲେ କୁମାର ।

 

‘ଛନ୍ଦା ! ଆଜି ସେଇ ପ୍ରଥମ ଦିନରେ କେମିତି କେଜାଣି ମୁଁ ନିଜକୁ ହଜାଇ ବସିଛି । ଜୀବନରେ ରାଜବଂଶରେ ଜନ୍ମହୋଇ ଅନେକ ସୁନ୍ଦରୀଙ୍କର ସଂସ୍ପର୍ଶରେ ଆସିବାପରେ ବି ମୁଁ ଭାବୁଚି ଯେ ମୋର ହୁଏତ ମନର ଅନୁମାନ ମିଥ୍ୟା ନୁହେଁ । ମୁଁ ମୋର କର୍ମପାଇଁ ହୁଏତ ଲଜ୍ଜ୍ୟାବୋଧ କରିବା କଥା । ଏତେ ରାତିରେ ଠିକ୍‌ ଚୋରଙ୍କ ପରି ତମରି ପ୍ରାସାଦକୁ ଆସିଛି । ମୁଁ ସ୍ୱୀକାର କରୁଛି ଏହାର କୈଫିୟତ ମୁଁ ହୁଏତ ଦେଇପାରିବି ନାହିଁ । ତଥାପି ମୁଁ ନାଚାର । ମୁଁ ଦୁର୍ବଳ ହୋଇପଡ଼ିଛି ଛନ୍ଦା । ମତେ ଆଜି ତମେ ଅନୁମତି ଦିଅ । ମତେ ଅନେକ କିଛି କହିବାକୁ ଦିଅ । ମତେ ଅନେକକ୍ଷଣ ତୁମକୁ ଦେଖିବାକୁ ଦିଅ ।’

 

ଏତକ ଏକା ନିଶ୍ୱାସକେ କହି ଦମ୍‌ ନେଲେ କୁମାର । ସେଇ ଭିତରେ ଶୁଣାଗଲା । ମଧୁଛନ୍ଦାର କୋହ । ଫୁଲି ଫୁଲି ୟା ଭିତରେ କାନ୍ଦି ଉଠିଥିଲା ସେ, ଠିକ ଛୋଟ ଶିଶୁଟିଏ ପରି ।

 

ଚମକି ପଡ଼ିଲେ କୁମାର । ମଧୁଛନ୍ଦା କାନ୍ଦୁଚି, ଏତେ ସୁନ୍ଦର ଯେଉଁ ଆୟତ ନେତ୍ର କଟାକ୍ଷ, ସେଇଥିରେ ଭରି ଯାଇଥିବ ଲୁହ ? ମୁକ୍ତାପରି ଢଳ ଢଳ ହେଉଥିବାର ସ୍ପଷ୍ଟ ଦେଖିପାରିଥିଲେ କୁମାର ମଧୁଛନ୍ଦାର ଆଖିରେ ।

 

‘ତମେ କାନ୍ଦୁଛ ଛନ୍ଦା ! ମୁଁ ତୁମକୁ ଆଘାତ ଦେଇଛି ?’

 

‘କୁମାର !’

 

‘ମତେ ତା’ହେଲେ କ୍ଷମା ଦିଅ ଛନ୍ଦା ।’

 

‘ଶୁଣନ୍ତୁ କୁମାର ! ମୋର ମନରେ ଆଘାତ ଦେବାରେ କିଛି ନାହିଁ । କିନ୍ତୁ କାହିଁକି ମୁଁ କାନ୍ଦୁଛି ମୁଁ ନିଜେ ଜାଣେନା । ଆଶ୍ୱର୍ଯ୍ୟ ! ଆପଣ କାହିଁକି କିନ୍ତୁ ନିଜକୁ ହରାଇ ବସିଛନ୍ତି ମୋହରି ରୂପର ମାଧୁରୀରେ । ତା’ଛଡ଼ା ମୁଁ ତ ଦୁଷ୍ପ୍ରାପ୍ୟ ନୁହେଁ । ରାଜନର୍ତ୍ତକୀ ମୁଁ । ରାଜଗଣିକା । ରାଜଉପଭୋଗ୍ୟ । ମୁଁ ଏବଂ ମୋ ବଂଶର ସମସ୍ତ ଦାୟଦ । ତେଣୁ ଆପଣହିଁ ତମୋର ରୂପସମ୍ଭାରର ହକ୍‌ଦାର ।’

 

‘ଛନ୍ଦା ! ତମେ ସେଇ ଅଭିମାନରେ କାନ୍ଦୁଛ ? ରାଜନର୍ତ୍ତକୀ ତୁମେ । ମୋର ପ୍ରେମିକା ହେଇପାରନା । ଏଇଥିପାଇଁ ତ ? ମୁଁ କିନ୍ତୁ କହୁଚି ଛନ୍ଦା ! ମୁଁ ସେ ଉପଭୋଗର ବାସନା ନେଇ ଆଜି ଆସିନାହିଁ । ଶରବିଦ୍ଧପକ୍ଷୀପରି ମୋର ପକ୍ଷ ଆଜି କ୍ଷତବିକ୍ଷତ ସେହି ଚିନ୍ତାରେ । କାମନାର ଲିପ୍‌ସା ଯେ ମୋର ନାହିଁ ତା’ନୁହେଁ, କିନ୍ତୁ ସେଇ ମୋର ଏକମାତ୍ର ଅଭିପ୍ରାୟ ନୁହେଁ ।’

 

‘କୁମାର !’ ଚମକି ଉଠିଲା ମଧୁଛନ୍ଦା । କ’ଣ ତା’ହେଲେ ଚନ୍ଦ୍ର ଚନ୍ଦନଙ୍କର ଅଭିପ୍ରାୟ ? କ’ଣ ସେ ଚାହାଁନ୍ତି ?

 

‘ତା’ହେଲେ କ’ଣ ଆପଣଙ୍କ ଅଭିପ୍ରାୟ କୁମାର ?’

 

ଶକ୍ତି ସଞ୍ଚୟ କରି ପ୍ରଶ୍ନକଲା ମଧୁଛନ୍ଦା ।

 

‘ତୁମରି ଅଭିଷ୍ଟ ହିଁ ମୋର ଅଭିପ୍ରାୟ ଛନ୍ଦା ! ତମେ ଯଦି ରାଜନର୍ତ୍ତକୀ ଭାବରେ ଉପଯାଚିକାର ଜୀବନ କଟେଇବାର ଆଶଙ୍କାରେ ମର୍ମାହତ ତା’ହେଲେ ମୁଁ କହୁଚି ମୁଁ ଦେବି ତୁମକୁ ରାଜରାଣୀର ସମ୍ମାନ ।’

 

‘କୁ...ମା...ର !’

 

ଚିତ୍କାର କରି ଉଠିଲା ଛନ୍ଦା । କ’ଣ ସେ ଶୁଣିଲା ? କ’ଣ ସେ କହିଲେ ?

 

‘ଆପଣ ଫେରିଯାନ୍ତୁ କୁମାର... !’

 

‘ଛନ୍ଦା... !’

 

‘ହଁ... ଯାହା କେବେହେଲେ ସମ୍ଭବ ନୁହେଁ... ।’

 

‘କାହିଁକି ସମ୍ଭବ ନୁହେଁ ?’ ।

 

‘ସେ ଲଗ୍ନ ଗଡ଼ିଯାଇଚି କୁମାର । ହୁଏତ ସୁଦୀର୍ଘ ଅତୀତରେ ନହେଲେବି ନିକଟ ଅତୀତରେ ଏକ ନିଷ୍ପାପ ଫୁଲଟିଏ ଥିଲି । ସେତିକିବେଳେ ହୁଏତ ଏଭଳି ଏକ ନିବେଦନ ଆବେଦନ ମୋ ମନରେ ଆଲୋଡ଼ନ ସୃଷ୍ଟି କରିଥାନ୍ତା; କିନ୍ତୁ ସେ ସମୟ ଅତିବାହିତ ହୋଇଯାଇଅଛି । ମୋର ପରିଚୟ କେବଳ ରାଜବଂଶ ନିକଟରେ ରାଜନର୍ତ୍ତକୀ । ରାଜାଗଣିକା ଛଡ଼ା ଆଉକିଛି ନୁହେଁ ।’

 

‘ଛନ୍ଦା ! ଆଜି ଗୋଟିଏ ମାତ୍ର ରାତ୍ରିର ସାଫଲ୍ୟ ପାଇଁ ଜୀବନଯାକ ମଧୁମୟ କରିବାକୁ ମୁଁ ମଧ୍ୟ ପ୍ରସ୍ତୁତ ଅଛି । କିନ୍ତୁ କାହିଁକି ତୁମେ ବାଧାଦେବ ମୋତେ ?’

 

‘କୁମାର... । ଭୁଲିଯା’ନ୍ତୁ ଆପଣଙ୍କର ଏ କ୍ଷଣିକ ଉତ୍ତେଜନା । ଗଣିକା ଉପଭୋଗ୍ୟା ହେଇପାରେ କିନ୍ତୁ ଅନ୍ତଃପୁରବାସିନୀ ରାଣୀ ନୁହେଁ । କାଲି ଆପଣ ରାଜସିଂହାସନ ଅଧିକାରୀ ହୋଇସାରିଲେ ମୁଁ ମଧ୍ୟ ଆପଣଙ୍କର ପରିଚର୍ଯ୍ୟାରେହିଁ ନିଯୁକ୍ତା ହେବି ।’

 

‘ତେବେ ସେଇ ଏକା ସମ୍ଭୋଗ ପାଇଁ ମୁଁ ଯଦି ଅନ୍ତଃପୁରର ରାଜରାଣୀ କରିବାର ପ୍ରତିଶ୍ରୁତି ଦିଏ ?’

 

‘କୁମାର ! ଅବନ୍ତୀପୁରର ରାଜା ଶଙ୍ଖଧ୍ୱଜଙ୍କ କୁମାର ଚନ୍ଦ୍ର ଚନ୍ଦ୍ରନଙ୍କ ମୁଖରେ ଏ ଉକ୍ତି ଶୋଭାପାଏନା । ତାଙ୍କର ରାଜରାଣୀ ହେବାର ଅଧିକାରିଣୀ ମୁଁ ନୁହେଁ । କାରଣ ମୁଁ ଅଯୋଗ୍ୟା । ଭବିଷ୍ୟତରେ ତାଙ୍କର ରାଜନଟୀ, ଗଣିକା ଭାବରେ ମୁଁ ଉପଭୋଗ୍ୟା ହୋଇପାରେ; କିନ୍ତୁ......’

 

ଆହୁରି ଅଶାନ୍ତ ହୋଇ ଉଠୁଥିଲେ କୁମାର । ଆକୁଳତାରେ ଧରିପକାଇଲେ ମଧୁଛନ୍ଦାର ଶିରୀଷ କୋମଳ ହସ୍ତର ପାପୁଲିକୁ ନିବେଦନ ଉଦ୍ଦେଶ୍ୟରେ ।

 

‘ଭବିଷ୍ୟତରେ ଯାହା ସମ୍ଭବ ଆଜି କାହିଁକି ନୁହେଁ ଛନ୍ଦା ?’

‘କୁମାର...’ଚମକି ଉଠିଲା ମଧୁଛନ୍ଦା ।

‘ଭବିଷ୍ୟତରେ ମୁଁ ଆପଣଙ୍କର କାମିନୀର ସ୍ଥାନ ଅଧିକାର କରିପାରେ କିନ୍ତୁ ବର୍ତ୍ତମାନ ପାଇଁ ଆପଣ ମତେ ମାତାର ସମ୍ମାନ ଦିଅନ୍ତୁ ।’

‘ଛ...... ନ୍ଦା’

ଚମକି ପଡ଼ିଲେ କୁମାର ଚନ୍ଦ୍ର ଚନ୍ଦନ ।

‘ମୁଁ... ଗଣିକା । ହେଲେ କହି ପାରିବେ କୁମାର, କାହିଁକି ଆମମାନଙ୍କର ଏ ନାମକରଣ-? ଜୀବନରେ ଅନ୍ୟ ପୁରୁଷର ଛାୟା ସୁଦ୍ଧା ସ୍ପର୍ଶ କରିବାର ଅବକାଶ ନାହିଁ ତଥାପି ପିତୃତ୍ୱର ପରିଚୟ ଦବାପାଇଁ ସମ୍ୱଳ କିଛି ନାହିଁ । । ରାଜାଙ୍କର ପ୍ରିୟ ନର୍ତ୍ତକୀ ମୋର ମାତା । ତାଙ୍କରି ସ୍ପର୍ଶ ଛଡ଼ା ସେ ଦ୍ୱିତୀୟ ପୁରୁଷର କଳ୍ପନା ମଧ୍ୟ କରି ନାହିଁ । କିନ୍ତୁ ମୁଁ ଯେତେବେଳେ ଧରା ବକ୍ଷକୁ ଆସିଲି ମୋର ପିତୃତ୍ୱର ପରିଚୟ ନାହିଁ । କହିପାରିବେ କୁମାର ମୋର ମାତା ଯଦି ଅନ୍ତଃପୁରର ରାଣୀ ହେଇଥାନ୍ତା ତା’ହେଲେ ଆପଣଙ୍କ ପିତା ଶଙ୍ଖଧ୍ୱଜଙ୍କ ସହିତ ମୋର ସମ୍ପର୍କ କ’ଣ ହେଇଥା’ନ୍ତା ଆଉ ଆପଣ ମୋର କ’ଣ ହୋଇଥା’ନ୍ତେ ? କିନ୍ତୁ ସେ ପରିଚୟ ମଧ୍ୟ ଛିନ୍ନ ହେଲା ଏମିତି ଏକ ଜ୍ୟୋତ୍ସ୍ନା ଝରା ବିନିନ୍ଦ୍ର ରଜନୀରେ ଯୋଉଦିନ ଆପଣଙ୍କର ପିତା ଆସି ମୋର ଅଭ୍ୟର୍ଥନା ଚାହିଁଲେ । ଆଜକୁ ମାତ୍ର ଦୁଇବର୍ଷ ତଳର କଥା । ମୋ ଦେହରେ ଜନ୍ମଠାରୁ ଆଜି ପର୍ଯ୍ୟନ୍ତ ମାତ୍ର ସତରଟି ବସନ୍ତ ଅତିକ୍ରମ କରିଛନ୍ତି । ଆଉ, ଦୁଇବର୍ଷ ତଳେ ମୁଁ ନିଜକୁ ରଙ୍ଗାଳୟରେ ଯେଉଁଦିନ ପ୍ରଥମେ ଉପସ୍ଥିତ କରାଇଲି ମୋର ଜନନୀ ସାଥୀରେ, ସେହିଦିନୁ ମୋର ମାତା ମୁକ୍ତି ପାଇଥିଲେ ଏ ନୃତ୍ୟ କଳାରୁ । ଆଉ ରାଜ ଅନୁଗ୍ରହରୁ ମୁଁ ସେବା କରୁଛି ରାଜାଙ୍କର । ହୁଏତ ଜଣକ ଛଡ଼ା ଆଉ କାହାର ଦେହର ଗନ୍ଧରେ ଆମୋଦିତ ହୋଇ ନଥିଲେ ବି ମୁଁ ମଧ୍ୟ ଗଣିକା । ଏହା ମୋର ବୃତ୍ତି ।’

 

‘ଛନ୍ଦା.........ମତେ.......ଆଉ’

 

କିଛି କହି ପାରିଲେନି କୁମାର ମସ୍ତକକୁ ଚାପି ଧରିଥାନ୍ତି ତାଙ୍କର ତାମ୍ର ଶୁଭ୍ର କରତଳରେ-

 

‘ଆପଣ ମଧ୍ୟ ଆଉ କିଛି ଦିନପରେ ଅଭିଷେକ ହୋଇ ସିଂହାସନରେ ବସିବେ । ଆପଣଙ୍କର ବିବାହ ହେବ ଆଉ ବିବାହ ମଧୁରାତ୍ରି ଉତ୍ସବରୀତି ଆପଣ ମୋ ନିକଟକୁ ଶିକ୍ଷା ନେବାକୁ ଆସିବେ ତା’ପରେ ହୁଏତ ଅନେକବାର ରାଜଗଣିକା ମଧୁଛନ୍ଦା ଆପଣଙ୍କର ଚିତ୍ତ ବିନୋଦନ କରିବ । ହେଲେ ଅନ୍ତଃପୁର ବାସିନୀ ରାଜରାଣୀ ଭାବରେ ନୁହେଁ, ରାଜଗଣିକା ଭାବରେ । ଆପଣ ଜାଣନ୍ତି କୁମାର ! କେବଳ ଆମରି ବଂଶରୁ କନ୍ୟାହିଁ ଧରାବକ୍ଷରେ ଜୀବନ ଧରି ରହପିାରିବେ ପୁତ୍ର ସନ୍ତାନ ନୁହେଁ ?’

 

‘କିନ୍ତୁ ଛନ୍ଦା.......ମୁଁ ହୁଏତ ଚାହିଁଥିଲେ ଏ ପାପର ପ୍ରାୟଶ୍ଚିତ୍ତ ହୋଇପାରିଥାନ୍ତା ।’

 

‘ମୁଁ ଜାଣେ କୁମାର ! କିନ୍ତୁ ସେଇଟା ଆପଣଙ୍କର ଏହି ପ୍ରସ୍ତାବରେ ନୁହେଁ, ଆପଣ ମୋତେ କାମନା କରି ଯେତିକି କ୍ଷତ ବିକ୍ଷତ ହୋଇଛନ୍ତି ଆପଣଙ୍କ ଦର୍ଶନ ପରଠାରୁହିଁ ମୁଁ ବେଶୀ ଅସଞ୍ଜତ ହୋଇଛି । କିନ୍ତୁ ପଥ କାହିଁ ? ସେ ପ୍ରାୟଶ୍ଚିତ ସମ୍ଭବ ହେବ କେବେ ଜାଣନ୍ତି ?’’

 

‘କେବେ ?’

 

‘ଯେଉଁଦିନ ଆପଣ ସିଂହାସନର ଅଧିକାରୀ ହେବେ । ଆପଣଙ୍କର କାମନା ତାର୍ଥ ପାଇଁ ନିଜକୁ ଅର୍ଘ୍ୟ ଭାବରେ ନିବେଦନ କରିବି ଏଇ ରାଧାତମାଳ କୁଞ୍ଜରେ, ସେଇଦିନ । ସେଇଦିନ ପରେ ଯଦି କେବେ ଆପଣ ଆବିଷ୍କାର କରିବେ ଯେ ମୁଁ ଜାୟା ସାମର୍ଥ୍ୟ ନେଇ ଜନନୀ ହେବାକୁ ଯାଉଛି, ସେଇଦିନ ଆପଣ ଯଦି ପ୍ରତିଜ୍ଞା କରିବେ ଯେ ଏଇ ଗଣିକାର ସନ୍ତାନ ଯଦି କନ୍ୟା ହୁଏ, ତା’ହେଲେ ସେ ଆପଣଙ୍କ ପାଟରାଣୀର ସନ୍ତାନକୁହିଁ ବିଭା ହେବ । ଆମ ଦୁହିଁଙ୍କର ସ୍ୱପ୍ନ ହୁଏତ ସେହିଠାରେହିଁ ସଫଳ ହେବ କୁମାର ! ରାଜଅଂଶର ରକ୍ତ ରାଜଅଂଶରେ ମିଶିବ । ଆଉ ଆମର ଏହି ନିଷ୍ପାପ ଆଦର୍ଶ ଥାଇ ମଧ୍ୟ ଏ କଳଙ୍କ ନାମର ଉଦ୍ଧାର ହେବ । ଆଜି ନୁହେଁ ।’

 

‘ଛନ୍ଦା ! .....ମୋର ଜ୍ଞାନଚକ୍ଷୁ ତୁମେ ଖୋଲି ଦେଇଛ ଛନ୍ଦା । ତୁମରି ବାସନା ଅବଶ୍ୟ ସତ୍ୟରେ ପରିଣତ କରିବ ଏଇ ଚନ୍ଦ୍ର ଚନ୍ଦ୍ରନ, ଏଇ ପ୍ରତିଶ୍ରୁତି ମୁଁ ଦେଉଛି । ମୁଁ ଆଜି ପାଇଁ ଲଜ୍ଜିତ । ତୁମେ ମହତ୍‌, ମତେ କ୍ଷମା ଦିଅ ।’

 

କଇଁ କଇଁ ହୋଇ କାନ୍ଦି ଉଠିଲା ମଧୁଛନ୍ଦା । ତା’ର ମନର ମଣିଷର ଏକ ସ୍ୱପ୍ନକୁ ଏପରି ଭାବରେ ଫେରାଇ ଦେଉଛି ।

 

‘କୁମାର ! ଆପଣ ଫେରିଯାନ୍ତୁ । ରାତ୍ରିର ଶେଷଯାମ ପ୍ରାୟ ଶେଷ ହେବା ଉପରେ । ହୁଏତ ଆଉ କିଛିକ୍ଷଣ ପରେ ଅବନ୍ତୀପୁର କୋଳାହଳ ମୁଖର ହେଇ ଉଠିବ । ଜନଗଣ ଜାଣିବେ ଆପଣ ରାଜଗଣିକା ମଧୁଛନ୍ଦାର କକ୍ଷରେ ଅଭିଷେକ ପୂର୍ବରୁ ମଧ୍ୟ ଅତିଥି ହୋଇଛନ୍ତି । ରାଜା ଶଙ୍ଖଧ୍ୱନ ନିଜେ କ୍ଷୁବ୍‌ଧ ହେବେ, ଆଉ ମୁଁ ମୃତ୍ୟୁଦଣ୍ତ ପାଇବି । ମୃତ୍ୟୁଦଣ୍ତ ପାଇଁ ମୋର ତିଳେହେଲେ ଶଙ୍କା ନାହିଁ କୁମାର । ହେଲେ ମୋର ଅଭୀଷ୍ଟ କାମନାତ ପୂର୍ଣ୍ଣ ହେବ ନାହିଁ । ମୋର ଆପଣଙ୍କ ସହିତ ମିଳନର ବାସନା ଚିରଦିନ ପାଇଁ ଅତୃପ୍ତ ରହିଯିବ... ।’

 

‘ଛନ୍ଦା......’

 

କୋହ ଜର୍ଜ୍ଜରିତ ହୋଇ କ୍ଷିପ୍ର ଗତିରେ ଚାଲିଗଲେ କୁମାର ଚନ୍ଦ୍ର ଚନ୍ଦନ । ଅପସରି ଗଲା ତାଙ୍କର ଛାଇ ଦୂରକୁ ଦୂରକୁ ।

 

ଆହୁରି କୋହ ଉଠିଲା ମଧୁଛନ୍ଦାର, ନିରୀହା ଶିଶୁଟି ଭଳି ବିଳପୀ ଚିତ୍କାରକରି ଶଯ୍ୟା ଉପରେ ଢ଼ଳି ପଡ଼ିଲା ସେ ।

 

ଉଦ୍ୟାନରେ ବୃକ୍ଷର ପତ୍ରରୁ ରାତ୍ରି ଶେଷର କାକର ବିନ୍ଦୁ ଜମିଜମି ଖସି ପଡ଼ୁଥିଲା ଘାସର ଗାଲିଚା ଉପରେ । ସତେ ଯେମିତି ଦୁଇଟି ବ୍ୟଥିତ ପ୍ରାଣର ବିରହରେ ସେମାନେ ଅଶ୍ରୁମୋଚନ କରୁଥିଲେ ।

 

ରାଧାତମାଳ ବିଳାସ କୁଞ୍ଜରେ ବୋଧହୁଏ ବିରହିଣୀ ଚକୋରୀଟିଏ କେବଳ ଆଶ୍ରୟ ନେଇଥିଲା ଏବଂ ବିଳପୀ ଉଠୁଥିଲା ରାତ୍ରର ବିଚ୍ଛେଦ ବ୍ୟଥାରେ ।

☆☆☆

 

ତୃତୀୟ ଅଙ୍କର ନାୟିକା

 

ସେ ଲଗ୍ନରେ ମଧ୍ୟ ଥିବ ହୁଏତ ଚନ୍ଦ୍ର ଆଉ ଚନ୍ଦ୍ରମାର ସମାରୋହ । ଲକ୍ଷେ ଚନ୍ଦ୍ର ମଲ୍ଲୀକାର ସ୍ପର୍ଶ ଆକୁଳ ଜ୍ୟୋତ୍ସ୍ନା ଝରିଝରି ଝରି ପଡ଼ୁଥିବ ସେଇ ପାଷାଣଖଣ୍ତ ଉପରେ । ମେଘ ବିହୀନ ଆକାଶରେ ଅୟୁତ ତାରକାର ସମାରୋହ । ଶେଷ ଚୈତ୍ରର ବାସନ୍ତିକାରେ ଅନେକ ଚ୍ୟୁତ ଗନ୍ଧର ଆକୁଳତା । ଦୂରର ଝାଉଁବନର ଶିଖରରେ ଥିବା ଅଶେଷ ଦୋଳନ, ସ୍ପନ୍ଦନ ।

 

ଚତୁର୍ଦ୍ଦିଗରେ ରାଶି ରାଶି ପ୍ରସ୍ତର ଖଣ୍ତର ଆହ୍ୱାନ–ମୁକ୍ତି । ସେ ଗୁଡ଼ିକ ମୁକ୍ତି ଚାହାଁନ୍ତି ସେ ଗୁଡ଼ିକଙ୍କର ମଧ୍ୟ ସ୍ୱପ୍ନ ଥାଇପାରେ ବିରହ ବିଧୂର ନାୟକ ଅବା ରତି ସୁଖପ୍ରିୟା ନାୟିକା ସାଜିବାରେ-। କେତେବେଳେ ସେମାନେ ନୃତ୍ୟ କରିବେ । କେତେବେଳେ ରାସ ରଚିବେ–ଅବା କେତେବେଳେ ବାତ୍ସଲ୍ୟ ପ୍ରେମରେ ଉଦ୍‍ବୁଦ୍ଧ ହୋଇ ସୃଷ୍ଟିକାମୀ ହେବେ । ମୁଦ୍ରା ପରେ ମୁଦ୍ରା–ଆନତ ନୟନ, ସଲ୍ଲଜ୍ଜ ଅଭିମାନ ଅବା ପୌରୁଷର ଅହଙ୍କାର । ପୁରୁଷାର୍ଥ ପ୍ରଣୟ ନିବେଦନ । ଅନେକ... ଅନେକ ସୃଷ୍ଟି ଯେମିତି ଶିଳ୍ପୀଙ୍କର ମାନସପଟରେ ଦ୍ୱନ୍ଦ ଆରମ୍ଭ କରିଛନ୍ତି ପ୍ରକାଶ ଆଶାରେ । ନାଃ... ଶେଷ ନାହିଁ ।

 

ଏମିତି ଜ୍ୟୋସ୍ନାବିଧୌତ ରଜନୀର ସମାରୋହ ପରେ ଆସେ କେତେ କାକକୃଷ୍ଣ ମେଘ ମେଦୁର ଘନ ଅନ୍ଧାର ରାତି । ପୁଣି ଚକ୍ରବତ୍‌ ଘୁରିଚାଲିଥିବା ଜ୍ୟୋତ୍ସ୍ନା, ଅମା–ଅମା ଜ୍ୟୋତ୍ସ୍ନା ।

 

ଆଜିପରି ଏମିତି ଏକ ଜ୍ୟୋସ୍ନାଝରା ନିଶିଥିନୀ ପ୍ରତିକ୍ରିୟା ତୋଳିଥିବ ଶିଳ୍ପୀଙ୍କ ମନରେ ସତେ । ଝାଉଁବନର ସଙ୍ଗୀତ ଭରିଦେଇଥିବ ତାଙ୍କ ହୃଦୟରେ ଶୃଙ୍ଗାର । ତା’ପରେ ସେ ଅନୁଭବ କରିଥିବେ ବିରହ ବିଧୁର ବ୍ୟଥା... ଆଃ, କାହିଁ କେତେ ଦୂରରେ ମନର ମାନସ ପ୍ରତିମ, କେତେ ବର୍ଷର ବ୍ୟବଧାନ ସତେ ! ।

 

ରୂପପିଆସୀ ରୂପକାରର ରୂପବତୀ ପ୍ରିୟତମା ଚାରୁଶୀଳା, ପଦ୍ମଗନ୍ଧା ବାମା ବାସର ରାତି ଜାଗର ଜାଳି ପଥଚାହିଁ ବସିଥିବ । ମନେ ପଡ଼ୁଥିବ ତା’ର ବିଗତ ଦିନର ଉଚ୍ଛ୍ୱାସ, ଉଲ୍ଲାସ । ଇଷ୍ଟ ସୁମରଣା କରି ମନାସି ବସୁଥିବ କେତେ ଯେ କାମକା ତା’ର ପ୍ରିୟତମକୁ ଫେରାଇ ଆଣିବା ପାଇଁ । କେଉଁ ଅଚାନକ ଶବ୍ଦରେ ନିଶାର୍ଦ୍ଧରେ ନିଦ ଭାଙ୍ଗିଯାଉଥିବ ତା’ର ତା’ର ପ୍ରିୟତମ ଫେରିଲା କି ? କେତେବେଳେ ଅବା ଭାରି ହେଉଥିବ ଅଙ୍ଗକୁ ବସନ । କୋହରେ ଏକାନ୍ତରେ ପିନ୍ଧା ପଣତକୁ ଖସାଇ ଝାଉଁଳି ପଡ଼ୁଥିବ ଲାଜଲାଜ ହୋଇ ।

 

ହାୟ ! କିନ୍ତୁ ଏ ରାଶି ରାଶି ପ୍ରସ୍ତର ଖଣ୍ତର ସ୍ତୁପ ଭିତରୁ ବାହାରି ଯିବାର ସମ୍ଭାବନା ଯେ ନିକଟ ଭବିଷ୍ୟତରେ ନାହିଁ । ଆଃ... ବିଚ୍ଛେଦ–କି ଦାରୁଣ ! ଅଶେଷ କାରୁଣ୍ୟ ମନଭିତରେ ଧରି ଶୋଇ ପଡ଼ନ୍ତି ଶିଳ୍ପୀ ।

 

ଇସ ! ଏ କଣ ସେ ଦେଖୁଛନ୍ତି ? ସେଇ ତାଙ୍କ ମନର ମାନସୀ ତା’ର ଛନ୍ଦ ଚପଳ ଚରଣ ଚାଲି ବନହଂସୀର ଗତିରେ ଆଗେଇ ଆସୁଛି... ସତେତ ସେ ମୁହଁ ! ...ହଁ...ହଁ ସେଇ ମୁହଁ । ଶିଳ୍ପୀ ଠିକ୍‍‍ ଦେଖି ପାରୁଛନ୍ତି- ନିହାଣମୁଗୂରରେ ସେ ଯେତେବେଳେ ଆଜି ବ୍ୟସ୍ତ ଥିଲେ ସେତିକିବେଳେ ରାଜା ନିଜେ ଆସି ପଛପଟେ ଠିଆ ହୋଇ ଦେଖୁଥାନ୍ତି ଶିଳ୍ପୀଙ୍କର କାରିଗରୀ ଚାତୁରୀ । ରାଜା ନିଜର ଅତିପ୍ରିୟ ଶିଳ୍ପୀଙ୍କୁ ବହୁ ଆଦରରେ ବଢ଼େଇ ଦେଇଥିଲେ ଅନ୍ତଃପୁରର ସୁବାସିତ ତାମ୍ବୁଳ ଖଣ୍ଡ ନିଜ ପାନବଟାରୁ । ଆଉ ସେଇ ସୁବାସିତ ତାମ୍ବୁଳ ଖଣ୍ଡ–ଶିଳ୍ପୀ ନିଜ ମୁଖକୁ ନେବା ଆଗରୁ ତାଙ୍କର ମନେ ପଡ଼ିଥିଲା ନିଜର ପ୍ରିୟତମା କଥା, ଆଃ...ସେ ଯଦି ଖଇଥାନ୍ତା ଏ ଖିଲିପାନ, ତେବେ ! ସେ ସୁବାସିତ ତାମ୍ବୁଳ...ହଁ...ହଁ ତାକୁହିଁ ଖାଇଚି ଏଇସେ ତାଙ୍କରି ମାନସ ପ୍ରତିମା । ତାକୁହିଁ ସେବନ କରି ତା’ର ବଧୁଲି ଅଧର ରଞ୍ଜିତ—ଏହା ଠିକ୍‍ ଦେଖିପାରୁଛନ୍ତି ନିଜେ ଶିଳ୍ପୀ ।

 

ଚିହ୍ନିବାରେ ଭୁଲ୍‍ ହେବାର ନୁହେଁ ତାଙ୍କର–ସେହି ସେ ଚୂର୍ଣ୍ଣକୁନ୍ତଳ ଆକର୍ଣ୍ଣ ଭୂରୁଯୁଗ, ମୀନାକ୍ଷି, ତୀକ୍ଷ୍ଣନାସା,ମରାଳଗ୍ରୀବା, ତ୍ରିବଳୀ, ଉନ୍ନତ ବକ୍ଷୋଜ ନାଭି, କ୍ଷୀଣ କଟିଦେଶ, ଦମ୍ଭନିତମ୍ୱ, ପୃଥୁଳ ଜଘନ, ସୁଠାମ ପଦଯୁଗ ସାଙ୍ଗକୁ ସୁଗୋଲ ବାହୁଦ୍ୱୟ, ରକ୍ତରଙ୍ଗ କରପତ୍ର ଆଗକୁ ଚମ୍ପକ ଅଙ୍ଗୁଳିର ସମଷ୍ଟି । ଆଃ... ଶିଳ୍ପୀ ବିମୋହିତ ହୋଇ ଉଠିଲେ । ବହୁଦିନ ଧରି ବିଚ୍ଛେଦ ପରେ ସତେକି ଅଭିମାନିନୀ ଧାଇଁ ଆସିଛି ନିଜେ ଉଚ୍ଛନ୍ନ ମନନେଇ । ତାଙ୍କ ରକ୍ତରେ ଉତ୍ତାପ ଜାଗିଲା, ଶିହରଣ ଆସିଲା । ଆହୁରି ନିବିଷ୍ଟ ଚିତ୍ତରେ ସେ ଲକ୍ଷ୍ୟ କଲେ ।

 

ସତେତ ! ସେ ତାଙ୍କର ମାନସୀ ଛଡ଼ା ଆଉ କେହି ହୋଇ ନପାରେ । ଏପରି କୁଙ୍କୁମ ଲେଖା, କଜ୍ଜଳ ପ୍ରଲେପ, ନାକର ବସଣି ଖଞ୍ଜା, ଗଳାରେ ଚନ୍ଦ୍ରାହାର ଶୋଭା, କର ଯୁଗରେ କଙ୍କଣ ଆଭା, କଟିରେ ମେଖଳା, ଚାପସରି, ପାଦରେ ପାଝମ, ଝୁଣ୍ଟିଆ ସାଙ୍ଗକୁ ଆଲକ୍ତର ସେବା ଆଉ କାହାରି ପାଖରେ ସମ୍ଭବ ହୋଇ ପାରେନା । ବହୁ ଦିନରୁ କ୍ଷୁଧିତ ତାଙ୍କର ଅନ୍ତରାତ୍ମା ନିବିଡ଼ ଆଶ୍ଳେଷରେ ଭରି ଉଠେ । ଅଗ୍ରସର ହୁଅନ୍ତି ସେହି ପ୍ରିୟତମା ମାନସୀ ପ୍ରତିମାକୁ ଆଲିଙ୍ଗନ କରିବାକୁ...... ହସି ହସି କହି ଉଠେ ମାନସୀ ।

 

ଶିଳ୍ପୀ ! ଅନେକ ଚାତୁରୀ ଦେଇ ନିହାଣ ମୁଗୁରରେ ଏତେ ଯେ ଶିଳ୍ପକଳା ସୃଷ୍ଟିକରି ଚାଲିଛ–ଥରେ ହେଲେ ମତେ ତମ ସ୍ମୃତିକୁ ଆଣନାଁ... ? ଗୋଟିଏ ସୁଦ୍ଧା ମୋ ଛବି ଆଙ୍କିବାକୁ ତୁମର ଇଛା ହୁଏନା... ? ଏଇ କ’ଣ ତୁମ ପ୍ରେମ, ଭଲ ପାଇବା ? ମୋଠାରୁ ଦୂରେଇ ଆସି ପୂରାପୂରି ତୁମେ ମୋତେ ଭୁଲିଗଲ ?

 

ଝରି ପଡ଼ିଲା ଅସୁମାରୀ ଅଭିମାନ ସେଇ ନହୁଲି ଅଧରରୁ । ଶିଳ୍ପୀ ଆହତ ହେଲେ । ମାନଭଞ୍ଜନ କରିବାକୁ ଆଗେଇଗଲେ ଅଭିମାନିନୀ ନିକଟକୁ ।

 

...ଆରେ ! ଏ କ’ଣ ସେ ଯେ ସ୍ୱପ୍ନ ଦେଖୁଛନ୍ତି ? ହଠାତ୍‌ ତାଙ୍କ ଆଖି ଆଗରେ ସେଇ ମାନମରା ଚନ୍ଦ୍ରମୁଖ ।

 

ଶିଳ୍ପୀ ନିହାଣ ମୁଗୁର ଧରିଲେ ଦ୍ୱିଗୁଣ ଉଚ୍ଛ୍ୱାସରେ । ଗଢ଼ି ଚାଲିଲେ ରୂପର ପ୍ରତିମା... ।

 

‘ଅଭିମାନିନୀ’–ସମ୍ପୂର୍ଣ୍ଣ ହେଲା ।

 

ମାନମୟୀର ଓଷ୍ଠାଧରରେ ମାନିନୀର ଶେଷ ସ୍ପର୍ଶ ଦେଇସାରିଲା ପରେ ଶିଳ୍ପୀ ଅନୁଭବ କଲେ–ନାଃ...ଏତ ତାଙ୍କ ମାନିନୀ ହୋଇ ନପାରେ । ତାଙ୍କର ମାନସୀ ଯେ କେତେ ସୁନ୍ଦର ? ୟାକୁ ସେ ନିଜର ମାନସୀ ନାମିତ କରି ଅପମାନିତ କରି ପାରିବେ ନାହିଁ । ତାଙ୍କ ପ୍ରିୟତମାର ଅନୁରୋଧ ଦ୍ୱିଗୁଣ ହୋଇ ତାଙ୍କ ସ୍ମୃତି ମନ୍ଥନ କଲା । ନା ନା... ତାଙ୍କୁ ଆଉ ଗୋଟାଏ ଗଢ଼ିବାକୁ ହେବ । ଅବିକଳ ସେଇ ଓଠ, ସେଇ ମୁହଁ, ଡାଲିମ୍ୱ ମଞ୍ଜିପରି ଦନ୍ତ ପଂନ୍ତି । କେଶବତୀ କନ୍ୟା, ଲାସ୍ୟମୟୀ... ନହେଲେ... ନହେଲେ ଅନ୍ୟାୟ କରିବେ ସେ... ।

ହସି ହସି, ଅବା ଅଭିମାନ କରି ସ୍ୱପ୍ନରେ ଆସି ମାନସୀ ତାଙ୍କର ନାଚି ଗାଇ ଚାଲିଯାଏ–ଆଉ ମାନସୀ ପାଗଳ ଶିଳ୍ପୀ ଧରି ରଖନ୍ତି ସେ ଭଙ୍ଗୀମା ସବୁକୁ ନିହାଣ ମୁଗୁର ସାହାଯ୍ୟରେ ପଥର ଦେହରେ । ଗୋଟି ଗୋଟି ନୁହେଁ କୋଟି କମକୂଟ ଶହ ଶହ ମୂର୍ତ୍ତି ଗଢ଼ା ହୋଇ ଚାଲିଲା ।

ସ୍ୱପ୍ନରେ ସହବାସ, ମିଳନ, ବିରହ ସବୁ ଅନୁଭବ କରି ସବୁ ଚିତ୍ରକୁ ପିଆସୀ ମନରେ ଗଢ଼ି ଚାଲିଲେ ଶିଳ୍ପୀ ।

...ଆଉ ସେଇ ଶିଳ୍ପର ଅମର କୃତୀ–ଅୟୁତ ଅୟୁତ ପଥରର ସ୍ତୁପ ଆଜି ରୂପାନ୍ତରିତ ଏଇ କୋଣାର୍କରେ– ଏହାହିଁ କୋଣାର୍କ କଳାର ଇତିକଥା ।

‘ତେବେ କୁହ ମାନସୀ ! ଜୀବନରେ କ’ଣ ମୋର ସ୍ୱପ୍ନ ସାର୍ଥକ ହେବ ନାହିଁ ? ଠିକ୍‌ ବିଚ୍ଛେଦ କଷ୍ଟରେ ପୀଡ଼ିତ ପ୍ରତିଟି ନିର୍ବାସିତ ଶିଳ୍ପୀ ନିଜର ରୂପ ପ୍ରିୟାକୁ ବିରହ ଦୁଃଖ ଭିତରେ ରୂପଦେଇ ଆବିଷ୍କାର କରିବାକୁ ଚାହିଁଲା ଭଳି ମୁଁ ମଧ୍ୟ ଚାହିଁଛି କିଛିଟା ସୃଷ୍ଟି କରିବାକୁ ତମକୁ ମନରେ ରଖି । ତମେ ଭାବୁଚ ସତରେ କ’ଣ ସୃଷ୍ଟି କରିବା ଭଳି ସାମର୍ଥ୍ୟ ମୋର ନାହିଁ ? ମୋର ଭରସା ଅଛି ନିଶ୍ଚୟ ପାରିବି । କିନ୍ତୁ ମତେ କୁହ ! ତମେ ମୋର ମାନସୀ ଭୂମିକାରେ ସବୁଦିନ ପାଇଁ ରହିବକି ?

ହୁଏତ ମୁଁ କୋଣାର୍କ ଭଳି ପୃଥିବୀର ଆଶ୍ଚର୍ଯ୍ୟ ଭିତରୁ ଗୋଟାଏ କିଛି ସୃଷ୍ଟି କରି ନପାରେ । ହେଲେ ଏଇ ମାଟିର କେତେଜଣଙ୍କ ଭିତରୁ ଯେ ଜଣେ ହେଇ ପାରିବି ଏ ଭରସା ମୋର ଅଛି..... ।’

 

ହସିଲା ମାନସୀ ।

 

‘ବେଶ୍‍ ତ ! ମତେ କୁହ, ତମେ କ’ଣ ଚାହଁ ?’

 

‘ତମକୁ’

 

‘ମତେ ? ନାଁ ତମର ସୃଷ୍ଟିକୁ ? କୋଉଟା ତମର ଲକ୍ଷ୍ୟ ?’

 

‘ଲକ୍ଷ୍ୟ ମୋର ସାର୍ଥକ ସୃଷ୍ଟି, କାରଣ ମୁଁ ଜାଣେ କେବଳ ତା’ରି ଭିତରେହିଁ ମୁଁ ତମକୁ ଚିରଦିନ ପାଇଁ ଧରି ରଖି ପାରିବି । ମୋ ନିଜର ପରିସର ଭିତରୁ ମୁଁ ଖୋଜି ପାଇବି ତମକୁ । କାରଣ ତମେ ଆଉ ମୋର ସୃଷ୍ଟି ଦୁହେଁ । ପରସ୍ପରର ପରିପୂରକ ।’

 

‘ମୁଁ ରାଜି । ତମରି ଲେଖା ପାଇଁ ଯାହା କିଛି ତ୍ୟାଗ କରିବାକୁ ପଡ଼ିବ ମୁଁ ସେଥିପାଇଁ ପ୍ରସ୍ତତ । ମତେ ଥରେ ଚିନ୍ତା କରିବାକୁ ସମୟ ଦିଅ........’

 

କିଛି ଦିନ ବିତିଗଲା । ତା’ପରେ ଆଉ କୋଣାର୍କର ସେଇ ପଥରଚଟାଣ ଉପରେ ଦୁହିଁଙ୍କର ସାକ୍ଷାତ ହେଇନି । ହଠାତ୍‌ ଦିନେ ଗୋଟିଏ ଚିଠି ଆଉ ତା’ସାଙ୍ଗରେ ଖଣ୍ତେ ନିମନ୍ତ୍ରଣପତ୍ର-। ମାତ୍ର କେଇଟା ଧାଡ଼ି ।

 

‘ତମେ ଚାହିଁଥିଲ ତୁମର ସୃଷ୍ଟି ସଂଜୀବିତ ହେଉ । ସେଇଟାହିଁ ତୁମର ଲକ୍ଷ୍ୟ ବୋଲି ଉପସଂହାର ବାଢ଼ିଥିଲ । ତମର ସୃଷ୍ଟି ଅନବଦ୍ୟ ହଉ–ଏଇ କାମନା କରିବା ଛଳରେ ମତେ ଦୂରେଇ ଯିବାକୁ ପଡ଼ିଲା । ତମେ ହସିବ ମୁଁ ଜାଣେ–କିନ୍ତୁ ମୁଁ ଠିକ୍‌ କହୁଚି । ଆଚ୍ଛା କୁହତ, ଥରେ କୋଣାର୍କ କେମିତି ହେଲା ବୋଲି ପଚାରିଲି ବୋଲି ତମେ ସେଇଯେ ଶିଳ୍ପୀମାନଙ୍କ ବିଷୟରେ ଉଦାହରଣ ବାଢ଼ିଥିଲ ସେମାନେ କ’ଣ ତାଙ୍କର ସ୍ତ୍ରୀ, ପ୍ରିୟତମାମାନଙ୍କୁ ପାଖରେ ପାଇଥିଲେ ଏତେ ସୃଷ୍ଟି କରିପାରି ଥା’ନ୍ତେ ? ତମୁରି କଥାରୁ ମୁଁ ଯାହା ବୁଝିଥିଲି–ବିଚ୍ଛେଦ ହିଁ ସାର୍ଥକ ସୃଷ୍ଟିର ମନ୍ତ୍ର ।’

 

‘ମତେ ବିଦାୟ ଦିଅ’

 

ତା’ପରେ ବାହାଘର ନିମନ୍ତ୍ରଣ କାର୍ଡ଼ ଯୋଉଥିରେ ବେଶ୍ ବଡ଼ ବଡ଼ ଅକ୍ଷରରେ ଲେଖାଥାଏ ୟା ନା ସାଙ୍ଗକୁ ତା’ର ଭାବି ସାମାଜିକ ସ୍ୱାମୀର ନାଁ ବାପାର ନାଁ ଇତ୍ୟାଦି ।

 

କାହାଣୀ ଶୁଣିବା ଭଳି ଶୁଣିଗଲି ସବୁ...... ।

 

କେବଳ ପଦେ ପ୍ରଶ୍ନ ପୁଣି କେବେ ପଚାରେନି, ଆଜି ଏମିତି ଖାଲି ପଚାରି ଦେଲି ।

 

ଆଚ୍ଛା କୁହତ, ଏଇ କୋଣାର୍କ ! ତମେ ଏତେ ଭଲ ପାଅ କାହିଁକି ? ଆଉ ଏଠିକି ଆସିଲା ପରେ ଏତେ ଆତ୍ମବିସ୍ମୃତ ହେଇଉଠ କାହିଁକି ?

 

ବାସ୍‌..........ତା’ରି ପରେ କହିଗଲେ ମତେ ଏତକ । ଅବଶ୍ୟ କହିଦେଇ ସେ ହୁଏତ ଭାବୁଥିବେ ଠିକ୍‌ କରିଚନ୍ତି କି ନାଁ ? ଯେତେହେଲେ ବି ମୁଁ ଜଣେ ନାରୀ । ହୁଏତ ଅତୀତର ଦଲିଲରେ ଆଉ କାହାର ସ୍ୱାକ୍ଷର ଅଛି କି ନା........ଏଇଟା ବୋଧହୁଏ ଭାବିଥିବି...... । ଏଇଥିପାଇଁ ସେ ହୁଏତ ଟିକିଏ ଅସ୍ୱସ୍ତି ଅନୁଭବ କରିଥାଇ ପାରନ୍ତି ।

 

କିନ୍ତୁ କାଇଁକି ଯେ ? ମୋର ଭାବିବାର କ’ଣ ଅଛି ? ଜୀବନ–ନାଟକରେ ଭୂମିକାଟା ତ ମୋର ଶଙ୍ଖା ସିନ୍ଦୁରର ସ୍ୱାକ୍ଷର ।

 

କିଛି ସମୟ ପାଇଁ ସେ ‘ମୋ’ଠାରୁ ସାମାନ୍ୟ ଦୂରେଇ ଯାଇଥିଲେ । ଖେୟାଲରେ ଗୋଟାଏ କିଛି ଲେଖିବାକୁ ନିଶ୍ଚୟ । ହଁ.......ସେ ଲେଖୁଥିଲେ । କିଛି ବିଶେଷ ଉଦ୍ଦେଶ୍ୟ ନ’ରଖି ମୁଁ ତାଙ୍କ ହାତ ଆଡ଼କୁ ଲକ୍ଷ୍ୟ କଲି । ଆଉ କିଛି ଅବଶ୍ୟ ଦୂରରୁ ଦେଖାଗଲା ନାହିଁ । ଖାଲି ଉପରେ ବଡ଼ ବଡ଼ ଅକ୍ଷର କେଇଟା–

 

ତୃତୀୟ ଅଙ୍କର ନାୟିକା–

☆☆☆

 

ଛନ୍ଦା କବରୀ

 

କବରୀ ନାଁଟା ପାଇଁ କବରୀ ଯେତିକି ବିଶେଷତ୍ୱ ବୋଧ କରେ ତା’ଠାରୁ ବେଶୀ ବେଳେବେଳେ ବିତସ୍ପୃହ ହୋଇଉଠେ ଯେତେବେଳେ ତା’ନାଁଟାକୁ ତା’ର ଲେଖାଯୋଖାର ଆଈ ଓ ଅଜା ବା ଗାଁର କିଏ କିଏ ସବୁ କବ, କବା କବ୍‌କବି ବୋଲି ଡାକି ଦିଅନ୍ତି । ସେ ମନେ ମନେ ଚିଡ଼ିଉଠେ–ହେଃ ଲୋକଗୁଡ଼ା କି ପଶୁ ମ ! ତିନିଟା ଅକ୍ଷର କ...ବ...ରୀ ପାଟିରେ ପଶୁ ନାଇଁ ଆଉ ସ୍ନେହ ଖାଲି ତରଳି ବୋହି ପଡ଼ୁଚି ତାକୁ ବିଚିତ୍ର କରି ଡାକିବାରେ ? ଦିନେ ନୁହେଁ, ମାସେ ନୁହେଁ ବର୍ଷ ବର୍ଷ ଧରି ସେ ଚିଡ଼ି ଆସୁଚି । ଯେବଠଉଁ ତା’ର ପ୍ରତିବାଦ କଲାଭଳି ଜିଭ ଲେଉଟିଲାଣି କବରୀ ସେହିଦିନଠାରୁ ପ୍ରତିବାଦ କରି ଆସୁଛି, ତଥାପି ସେମାନେ ଶୁଣନ୍ତି ନାହିଁ । ଏଇଠି ବର୍ତ୍ତମାନ ପ୍ରଶ୍ନଉଠେ ଯଦି ସେମାନେ ସେମିତି ବିକୃତ କରି ଡାକିବେ ଏବଂ ସେଇଆହିଁ ଡାକିପାରିବେ ତେବେ ତା’ବାପା ବୋଉ ତା’ ନାଁଟା ସେଇ ଅନୁଯାୟୀ ରଖିଲେନି କାହିଁକି ?

 

ଅବଶ୍ୟ ବେଶ୍‌ କିଛିଦିନ ତଳେ...ଧରାଯାଉ ଯେତେବେଳେ କବରୀକୁ ନଅକି ଦଶ ହେଇଥିବ ସେତେବେଳେ ଦିନେ ସୁଲିଆଈ ଉପରେ ଚିଡ଼ି ସେ ଅଧଘଣ୍ଟାଏ କାନ୍ଦିଥିଲା । ତା’ଭାଇର ଅଠବର୍ଷିଆ ଯୋଡ଼ ରିଷ୍ଟଟା କଟିଲାପରେ ଯୋଉ ପାଲା ଆଉ ଖାଇବା ପିଇବା ହେଇଥିଲା ସେଥିପାଇଁ ଗାଁ’ରୁ ଅଧେଲୋକ ଲେଖାଯୋଖା ବନ୍ଧୁବାନ୍ଧବ ନାଁରେ ଆସି ଯାଇଥିଲେ । ସୁଲିଆଈ ଆସିଥାଏ ତିନିଦିନ ଆଗରୁ । ସେ ତିନିଦିନଯାକ ସେମିତି ଇଆଡ଼ୁ ସିଆଡ଼ୁ ଡାକିଡାକି ସର୍ବଶେଷରେ ‘କବା’ ବୋଲି ଡାକିବାପାଇଁ ଯେତେବେଳେ ସୁଲିଆଈ ସିଦ୍ଧାନ୍ତରେ ପହଞ୍ଚିଲେ ସେତେବେଳେ କବରୀ ବହୁତ ଚେଷ୍ଟା କରିଥିଲା ତାଙ୍କୁ ବନାନ୍‌ ଉଚ୍ଚାରଣ ପ୍ରଭୃତି ଶିଖେଇ ଠିକ୍‌ ଭାବରେ ନିଜ ନାଁଟା ଡକେଇବାକୁ । କିନ୍ତୁ ଫଳ କିଛି ହେଲାନାହିଁ ଆଉ ଉତ୍ସବର ଚରଣ ପର୍ବରେ ଲୋକମାନେ ଭର୍ତ୍ତିହେଇଥିଲା, ସମୟରେ ସାମାନ୍ୟ ପାନଖଣ୍ତେ ପାଇଁ ଯୋଉପ୍ରକାରର ପାକୁଆ ପାଟିଟା ମେଲେଇ ସୁଲିଆଈ ‘କବା...ଲୋ’ ବୋଲି ଡାକିଦେଲା, ସେ ସମସ୍ତ ଉତ୍ସବ କବରୀ ପାଇଁ ପାଣି ଫାଟିଗଲା ।

 

କବରୀ ସେଦିନ ଖାଲି କାନ୍ଦିନାହିଁ ବୋଉ ସାଙ୍ଗରେ ଏକାଜିଦ୍‌ ତା’ନାଁଟା ବଦଳେଇ ଦିଆଯିବ । ଏଇ ଝୁଙ୍କ୍‌ଟା ବେଶ୍‌ ପରିପକ୍ୱ ମତିଭଳି ସେ ତା’ବୋଉଙ୍କୁ ମଧ୍ୟ ବୁଝେଇ ଦେଇ ପାରିଲା, ଆଉ ବୋଉ ମଧ୍ୟ ମନସ୍ଥ କଲେ ବାପାଙ୍କୁ ଏ ସମ୍ପର୍କରେ କହିବାକୁ । କଥାଟା କିନ୍ତୁ ସାମାନ୍ୟ ଅଲଗା ରକମର ହେଲା । ତା’ପରଦିନ ବାପା ଅଫିସରୁ ଫେରିଲା ପରେ ବୋଉ ଯେତେବେଳେ ଜଳଖିଆ ବାଢ଼ିଦେଇ ପ୍ରସ୍ତାବ ବାଢ଼ିଲେ ଯେ ନିକଟରେ ମାଇନର କ୍ଳାସ ପରୀକ୍ଷାବେଳେ ତା’ନାଁଟା ବଦଳେଇ ଦେଇ ଆଉ ଗୋଟାଏ କିଛି କରିଦବା ବୋଲି ବାପା ହସି ଉଠଲେ । କବରୀ କାନପାରି ବାପାଙ୍କ ମତାମତକୁ ଅପେକ୍ଷା କରିଥାଏ ।

 

‘ଆରେ ବୁଝିଲ ! ତମେ ଏ ନାଁ ବାଛିବାଟାରୁ କିଛି ବୁଝ ନାହିଁ । ତା’ନାଁଟା କବରୀ ମୁଁ ଦେଇଚି କ’ଣ ତମେ ମୁଁ ଡାକିବୁ ବୋଲି ? ଦେଖିବ, ତା’ ଅସଲ ଲୋକଟା ଯେତେବେଳେ ଗେହ୍ଲେଇକରି କବରୀ...ବୋଲି ମେଞ୍ଚାଏ ସ୍ନେହ ବୋଳି ଡାକିଦବ ନାଁ ସେତେବେଳେ ପ୍ରକୃତରେ ମୋ ଝିଅର କବରୀରୁ କେଶରାଶି ଖସିଆସି...’ଇତ୍ୟାଦି ଇତ୍ୟାଦି କ’ଣ ଆଉ ଗୁଡ଼ାଏ ୟାଡ଼ୁ ସିଆଡ଼ୁ କହିଲେ କବରୀର ମନେରହିଲା ନାଇଁ । ବୋଉ ଖାଲି ଚିଡ଼ିକରି କହିଲେ ।

 

‘ଛାଡ଼ମ ! ତମେ ତଦିନକୁ ଦିନ ଛୁଆହେଇ ଯାଉଚ । ସେଇ ପିଲାଳିଆ କଥାଗୁଡ଼ାକ ।’

 

ତା’ପରେ ବୋଉ ରାଗିକରି ବୋଧ୍‌ହୁଏ ବାହାରି ଆସିଲେ । ଆଉ ହଠାତ୍‌ କବରୀକୁ ବାରଣ୍ତା ପାଖରେ ଠିଆ ହେଇଥିବାର ଦେଖି ଚଳେଇ ନେଇ କହିଲେ–

 

‘ହଁମ...ସେ ରାଜି ହେଇଛନ୍ତି, ଖାଲି କହୁଛନ୍ତି, ମାଇନର ପରୀକ୍ଷାବେଳକୁ କାଇଁକି ବଦଳେଇବା ? ଏକାଥରେ ମାଟ୍ରିକ ପରୀକ୍ଷାବେଳକୁ ଯଦି ତା’ମନକୁ ନଯାଏ ବଦଳେଇ ଦବା ।’

 

ସେଦିନ କବରୀର ମନଫିକା ପଡ଼ିଯାଇଥିଲା । ଏ ଲୋକଗୁଡ଼ିକ ତା’ର ଅସୁବିଧା କେହି ବୁଝୁନାହାଁନ୍ତି । ଛୋଟପିଲା ତଳେ ରଖି ତା’ର ସମସ୍ତ ଆତ୍ମାଭିମାନକୁ ଦଳି ଦଉଛନ୍ତି । ବାପାଙ୍କ କଥାଗୁଡ଼ାକ ଆଉ ସେ ତା’ପରେ ମନେ ପକେଇନାହିଁ । କ’ଣ ବା ସେ ମନରଖା କଥାଗୁଡ଼ାକ ମନେରଖିହବ ?

 

ଦିନେ କିନ୍ତୁ ସେ କଥାଟା ତା’ର ଫିକା ଫିକା ହେଇ ଅଳ୍ପ ମନେ ପଡ଼ିଥିଲା । ଅବଶ୍ୟ ବେଶ୍‌ କିଛିଦିନ ପରେ–

 

ତା’ର ଟିଉସନ୍‌ ମାଷ୍ଟର ଯିଏ ରହିଲେ–କେଜାଣି କେମିତି ସେ ସୁଲିଆଈ ଗାଁ ଆଡ଼ର କି କ’ଣ ସେ ମଧ୍ୟ ସେମିତି ନାଁ’ଟାକୁ ବିକୃତ କରି ତାକିଲେ । ହଠାତ୍‌ ଛୋଟେଇ କରି ‘କବ’ ବୋଲି ଡାକିବା ଆରମ୍ଭ କଲେ । କବରୀ ମନେ ମନେ ଭାବିଲା–ନାଃ କେଇଦିନ ଯାଉ । ହଠାତ୍‌ ପ୍ରଥମରୁ ତାଙ୍କୁ ଚିଡ଼େଇ ଦେଲେ ଖରାପ ପିଲାବୋଲି ମୂଳରୁ ଧାରଣା କରିନେବେ । ବରଂ ସୁବିଧା ଦେଖି ଗୋଟାଏ କହିବାକୁ ପଡ଼ିବ ।

 

ଏମିତି ଭାବରେ କେଇଦିନ ଗଲା । କବରୀ ଯେ ସବୁବେଳେ କଥାଟା ମନଭିତରେ ନରଖିଚି ସେକଥା ନୁହେଁ, କିନ୍ତୁ ଗୋଟାଏ ସୁଯୋଗ ଅପେକ୍ଷାରେ ଥାଏ । ହଠାତ୍‌ କାହିଁକି କେଜାଣି ତା’ର ମନକୁ ଆସିଲା ।

 

‘କାଇଁ... ସାର୍‌ଙ୍କ ପାଟିରେ ଏଇ ‘କବ’ ଡାକଟା ଏତେ ଖରାପ ଶୁଣା ଯାଉନିତ ! କେମିତି କେଜାଣି ଗଳାଟାକୁ କରି ସେ ଡାକନ୍ତି ମନେହୁଏ ସିନେମାରେ ଡାକିଲା ଭଳି ।’

 

ତା’ସାର୍‌ କେମିତି ଡାକନ୍ତି ଏକଥା କହିବାକୁ ଯାଇ ସହପାଠିନୀମାନଙ୍କ ଆଗରେ ସେ ଡାକିବାର ଚେଷ୍ଟା କରିଚି, ଗଳାକୁ ସାମାନ୍ୟ ମୋଟା କରିବାର ଚେଷ୍ଟା କରିଚି, ଥରେଇଚି, ଲମ୍ୱେଇ କରି ଡାକିଛି, କିନ୍ତୁ କୋଉ ଗୋଟାଏବି ଠିକ୍‌ ସାର୍‌ଙ୍କଭଳି ହୋଇନାହିଁ । ବରଂ ବୋଉର ବେଳେବେଳେ ରାଗ ଉପରେ କିଛି ଗୋଟାଏ ମନାକରିବାକୁ ଥିଲେ ଯୋଉ ‘କବ୍‌ବରୀ’ ଡାକଟା ପାଟିରୁ ବାହାରେ ତା’ଅପେକ୍ଷା ସାର୍‌ଙ୍କର ଏଇ ‘କବ’ ଡାକଟା ତାକୁ ବେଶୀ ଭଲ ଲାଗେ । ଆଉ ଦିନକୁ ଦିନ ବେଶ୍‌ ଭଲ ଲାଗିବାକୁ ଆରମ୍ଭ କଲା । ତେଣୁ ସେ ୟା ଭିତରେ ମନସ୍ଥ କରି ସାରିଛି ଯେ ସାର୍‌ଙ୍କ ପାଟିରେ ଏଇ ‘କବ’ ଡାକଟା ଅର୍ଥହୀନ ହୋଇପାରେ କିନ୍ତୁ ବେଶ୍‌ ନରମ ଆଉ ଭଲ ଶୁଭୁଛି... ଏଇ ଡାକଟା ଥାଉ ।

 

ଏଇକଥା ଚିନ୍ତା କଲାବେଳେ ଥରେ ଖଣ୍ତେ ତା’ମୁଣ୍ତକୁ ଜୁଟିଥିଲା ଯେ ବାପା ଦିନେ କହୁଥିଲେ ତା’ନାଁଟା ଦିନେ ତାକୁ ଭଲ ଲାଗିବ–ଏବଂ କିଏ ଗୋଟାଏ ଅସଲ ଲୋକ ଡାକିଲେ ଭଲ ଲାଗିବ । ତାକୁ ଲାଗିଲା–ବାପା ଅସଲ ଲୋକ କହିବା ଅର୍ଥ ବୋଧହୁଏ ପାଠୁଆ ଶାଠୁଆ ଲୋକ । ତେଣୁ ସାର ଡାକୁଛନ୍ତି, ତାକୁ ଭଲ ଲାଗୁଛି । ଅବଶ୍ୟ ତା’କବରୀ କ’ଣ ଖସି ଲୋଟି ପଡ଼ିବ କି ଆଉ କ’ଣ ହବ, ଏକଥା ଯୋଉ କହୁଥିଲେ ସେଗୁଡ଼ା କିନ୍ତୁ ମିଛ । କବରୀ ଅର୍ଥ ସାର୍‌ ତାକୁ ବୁଝେଇଛନ୍ତି ଯେ ମୁଣ୍ତବାଳର ଖୋସା । ସିଏ ତ’ ଖୋସା କରେନି–ବେଶୀ, ତେଣୁ ଖସିବାର ସମ୍ଭାବନା ନାହିଁ ।

 

ବର୍ତ୍ତମାନ ଅବଶ୍ୟ କବରୀ ସମ୍ପର୍କରେ ବା ତା’ ନାମକରଣ ଉପରେ ଆଉକିଛି ଆଲୋଚନା କରାଯାଇ ପାରିଥା’ନ୍ତା, ଆହୁରି କିଛିଟା ଦୃଷ୍ଟାନ୍ତ ବା ଅନୁଭୂତିକୁ ରୂପ ଦେଇ ହେଇ ପାରିଥାନ୍ତା, କିନ୍ତୁ ଉତ୍କଣ୍ଠାଟା ଅଧିକ ବଢ଼ିବାର ଆଶଙ୍କାରେ ଆଲୋଚନାର ଗତି ବଦଳେଇବା ଆବଶ୍ୟକ ପଡ଼ିଲା । କବରୀ ଆଉ ସାର୍‌ଙ୍କର ଏଇ ନାଁକୁ ଡାକିବା ଉପରେ ହଠାତ୍ କୌଣସି ମତାମତ ଦୃଢ଼ ହେଇପାରେ ଯେ ବୋଧହୁଏ ଖୁବ୍‌ ଶୀଘ୍ର କବରୀ ଆଉ ସାର୍‌ ରୂପାନ୍ତରିତ ହେବେ ପ୍ରେମିକା ଆଉ ପ୍ରେମିକରେ ।

 

କିନ୍ତୁ ନାଁ... ।

 

କଥାଟା ଠିକ୍‌ ସେଇଆ ନୁହେଁ, ସେଇ ଉତ୍କଣ୍ଠାଟା କାଟିବା ପାଇଁ ଭିନ୍ନ ଗତିରେ ବର୍ଣ୍ଣନାଟାକୁ ନବା ଉଚିତ । କବରୀ ବର୍ତ୍ତମାନ ସୁଦ୍ଧା ସେଇ ଅନୁଢ଼ା କିଶୋରୀ । ହୁଏତ ବୟସ ବାରବର୍ଷ ଆଉ ସାର୍‌... ?

 

ସାର୍‌ଙ୍କ ନାଁ ହେଲା ଜୟ ଜଗଦୀଶ ଦାସ । ବୟସ ୩୮ ରୁ ୪୦ ଭିତରେ । ପାଠ ପଢ଼ିଚନ୍ତି ଏମ୍‌. ଏ । ତା’ପରେ ବି ଆହୁରି କିଛି କ’ଣ ପଢ଼ିଛନ୍ତି କିନ୍ତୁ କବରୀ ଆଉ ସେଗୁଡ଼ା ବୁଝିପାରେନି ବୋଲି ପଚାରିବାକୁ ସାହସ କରେନି । ବେଶ୍‌ କିଛି ବର୍ଷ ପାଠ ପଢ଼ିସାରିବା ପରେ ପାଖରେ ଗୋଟିଏ ସ୍କୁଲର ଆସିଷ୍ଟାଣ୍ଟ ହେଡ଼ମାଷ୍ଟର ଅଛନ୍ତି ।

 

ଥରେ ପାଠ କଥା ପଡ଼ୁପଡ଼ୁ କବରୀ ପଚାରି ଦେଲା ।

 

‘ସାର୍‌ ! ଏମ୍‌. ଏ. ପାଶ୍‌ କଲାପରେ ପରା କଲେଜରେ ଲେକ୍‌ଚରର ହୁଅନ୍ତି ?’ ଏଇ କଥା ଉପରେ ଟିକେ ହସି ଦେଲେ ସାର୍‌ । ସାହସ କରି ଆଉ ଅଧିକା ପଚାରିଲା ନି କବରୀ, କିନ୍ତୁ ବାପାଙ୍କୁ ଥରେ ଏକଥାଟା ପଚାରିବାରେ ବାପା କହିଲେ ଯେ ତାଙ୍କର ଲେକ୍‌ଚରର୍‌ ହେଇ ଯିବାକୁ ଡାକରା ଆସିଥିଲା କିନ୍ତୁ ସେ ଗଲେ ନାହିଁ । ଥରେ ନୁହେଁ ଦୁଇ ତିନି ଯାଗାରୁ ସେ ଡାକରା ପାଇଛନ୍ତି, ସରକାରୀ କଲେଜ ପାଇଁ ମଧ୍ୟ, ତଥାପି ଯାଇ ନାହାନ୍ତି ଆଉ ଯିବେ ନାହିଁ ।

 

ହୁଏତ କବରୀ ତା’ପରେ ପରେ ଭାବିବା ଉଚିତ ଯେ ତା’ ସାର୍‌ କଲେଜ ପାଠକୁ ଡରିଲେ । ଆଉ କାଳେ ପାରିବେନି ବୋଲି ଗଲେନି । କିନ୍ତୁ ବାପା କହିଲେ ଯେ ବହୁତ ଭଲ ଛାତ୍ର କୁଆଡ଼େ, ବହୁତ ଭଲ ପଢ଼ନ୍ତି, ତା’ପରେ ଆଉ କବରୀ ଏକଥାକୁ ଏତେ ଗୁରୁତ୍ୱ ଦେଇ ନାହିଁ ।

 

ତେବେ ସେ ଯା’ହଉ–କବରୀ ଆଉ ସାର୍‍ଙ୍କ ସମ୍ପର୍କ ଏକାନ୍ତ ଭାବେ ଛାତ୍ରୀ ଆଉ ଶିକ୍ଷକ ତା’ଛଡ଼ା ଆଉ କିଛିଟା ଏଇ ନାଁ ଡକାରୁ ଅନୁମାନ କରାଯିବା ଉଚିତ୍ ନୁହେଁ । ଖାଲି ଏଇଠି ନୁହେଁ କବରୀ ଆଉ ସାର୍‌ଙ୍କ ଆଲେଚନା ଯଦି ମାଇଲ ମାଇଲ ଧରି ବିସ୍ତୃତ ହୁଅନ୍ତା ତଥାପି ମଧ୍ୟ ସେମାନେ ଛାତ୍ରୀ ଆଉ ସାର୍‌ । ତାଙ୍କ ଆଲୋଚନାର ଗତି ଭିତରେ ତାଙ୍କ ଦିହିଁଙ୍କ ଗତି ଯଦି କବରୀର ଘର ବା କୋତୋଟି ମାମୁଲି ମୀନାବଜାର, ସର୍କସ ବା ନନ୍ଦନକାନନ ଭିତରେ ସୀମିତ ନ ରହି ବମ୍ୱେ, ଦିଲ୍ଲୀ, ରୋମ୍, ପ୍ୟାରିସ୍‌ ମଧ୍ୟ ବୁଲି ଆସନ୍ତା ତଥାପି ମଧ୍ୟ ସେମାନେ ଛାତ୍ରୀ ଆଉ ସାର୍‌-। ସେଥିପାଇଁ ଏ ଦୁହିଁଙ୍କ ସମ୍ପର୍କ ବିଷୟରେ ମନରୁ ସମସ୍ତ ବିକାର ତ୍ୟାଗ କରିବା ଉଚିତ୍‌-। ଯଥେଷ୍ଟ ସ୍ନେହ ଏବଂ ଆନ୍ତରିକତା ପରିବାର ସହିତ ଥିଲେ ମଧ୍ୟ ସେ ଆନ୍ତରିକତାର ସୁରକ୍ଷା ପାଇଁ ଜୟ ଜଗଦୀଶ ବେଶୀ ଯତ୍ନବାନ୍‌ ।

 

‘କବ’ ଡାକଟା ସାର୍‌ଙ୍କ ପାଟିକୁ ଭଲ ଲାଗିବାର ଏଇ ସିଦ୍ଧାନ୍ତରେ କବରୀ ପହଞ୍ଚିଛି ଯେ-

 

ଯୋଉଦିନ ସେ ସାର୍‌ଙ୍କ ନାଁଟା ଜୟଜଗଦୀଶ ଦାସ ବୋଲି ଶୁଣିଲା ସେତେବେଳେ ଭୂଗୋଳ ବହିକୁ ଦାନ୍ତରେ କାମୁଡ଼ି ଧରି ପେଟେ ହସିଥିଲା ତେଣୁ ସେଇ ପ୍ରକାର ବିକୃତିଆ ନାଁ ଟାକୁ ସବୁବେଳେ ଯୋଉ ପାଟି ଉଚ୍ଚାରଣ କରୁଚି ସେ ପାଟି ପାଇଁ ‘କବ’ ନାଁ’ଟା ଯଥେଷ୍ଟ ଭଲ ।

 

ସେଥିପାଇଁ ତାଙ୍କ ପାଟିରେ ଭଲ ଶୁଣାଯାଉଚି... ।

 

ଯୁକ୍ତିଟା ନିତାନ୍ତ ସରଳ ଓ ସହଜ–କଷ୍ଟିଆ କଷ୍ଟିଆ ଅଙ୍କ ଯିଏ ସବୁବେଳେ କରେ ତା’ପାଇଁ ମାନସାଙ୍କ ଗୁଡ଼ା ଅତି ସହଜ । ମୁହେଁ ମୁହେଁ କହିଦେଇ ହେବ ।

 

କବରୀ ବାପା ଜୟଜଗଦୀଶଙ୍କର ଏକାନ୍ତ ଗୁଣମୁଗ୍‌ଧ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜୟଜଗଦୀଶଙ୍କୁ ନିୟୋଜିତ କରିବା ପୂର୍ବରୁ ତାଙ୍କ ସମ୍ପର୍କରେ ସିଏ ଯାହା ପ୍ରଶଂସା ଶୁଣିଥିଲେ ବାସ୍ତବିକ ଏଇ ବର୍ଷକରୁ ଅଧିକ ସମ୍ପର୍କରୁ ସେ ବୁଝି ପାରିଚନ୍ତି ଯେ ସେ ତା’ଠାରୁ ଯଥେଷ୍ଟ ଅଧିକ । ତେଣୁ ପରିବାରର ଜଣେ ଭଳି ଗ୍ରହଣ କରି ନିଆ ହେଇଚି ଜୟଜଗଦୀଶଙ୍କୁ ।

 

ବୀରକିଶୋରଙ୍କ ଦ୍ୱିତୀୟ ସନ୍ତାନ କବରୀ । ପୁଅକୁ ୧୮ ବର୍ଷ ବୟସରେ ଯେତେବେଳେ ନିଜେ ନେଇ ଖଡଗପୁର ଆଇ. ଆଇ.ଟି. ରେ ମେଧାବୀ ଛାତ୍ର ଭାବରେ ଭର୍ତ୍ତି କରେଇ ଆସିଲେ ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଲିଲା ପିତାର କର୍ତ୍ତବ୍ୟ କରିଥିବାରୁ–ସତ, ହେଲେ ଘରଟା ଖାଲି ଖାଲି ଲାଗିଲା । ଚାକିରୀରୁ ରିଟାୟାର୍ଡ଼ କରିବାର ଯଥେଷ୍ଟ ଆଗରୁ ସେ ସ୍ୱଇଚ୍ଛାରେ ଅବ୍ୟାହତି ନେଇ ସାରିଛନ୍ତି ଏଇ ଅଳ୍ପ କେତେଦିନ ହବ । ଯଥେଷ୍ଟ ସମ୍ପତ୍ତି । ଅଶେଷ ଅମାୟିକତା ଭିତରେ ହୁଏତ ଗତାନୁଗତିକ ପ୍ରକ୍ରିୟାରେ ଅନେକ ବିଳାସ ଭିତରେ ବୁଡ଼ିରହି ସଂଖ୍ୟାଧିକ ସନ୍ତାନର ଜନକ ହେବା ସ୍ୱାଭାବିକ, କିନ୍ତୁ ସେଥିପାଇଁ ସେ ସତର୍କ ରହିଛନ୍ତି । ଏଥିନିମନ୍ତେ ସେ କୌଣସି ପରିବାର କଲ୍ୟାଣ ଆଲୋଚନା ଚକ୍ରରେ ଯୋଗ ଦେଇ ବା ଛୋଟ ପରିବାର ଉପରେ ପ୍ରଦର୍ଶନୀ ଦେଖି ପ୍ରଭାବିତ ହୋଇ ନାହାଁନ୍ତି । ସମ୍ପୂର୍ଣ୍ଣ ତାଙ୍କର ବ୍ୟକ୍ତିଗତ ଚିନ୍ତାଧାରା । ପୁଅ ହେବାର ସାତବର୍ଷ ପରେ ସେ କବରୀକୁ ନିମନ୍ତ୍ରଣ ଜଣେଇଲେ । ଏକାଜିଦ୍‌–ପୁଅ ସ୍କୁଲକୁ ଯାଇ ସାରିବ ତା’ପରେ ଆଉ ଛୁଆ ଯିଏ ହବ–ସେ ସେଇ ସମୟରେ ଗେହ୍ଲା ହବ ।

 

ତାହାହିଁ ହେଲା । କବରୀ ଝିଅ ହେବାରୁ ଅଧିକ ଗେହ୍ଲା ପାଇଲା । ପୁଅକୁ ଦୂରରେ ଛାଡ଼ି ଆସିଥିବାରୁ କିଛିଦିନ ବୀରକିଶୋରଙ୍କ ମନଟା ଖାଲି ଖାଲି ଲାଗଲା । ପୁଅର କ୍ରିକେଟ୍‌ ବ୍ୟାଟ୍‌, ବ୍ୟାଡ଼ମିଣ୍ଟନ୍‌ ରାକେଟ୍‌, ଏବଂ ଫେସନ ଚାଲି ଯାଇଥିବା ଯୋଗୁ ଅଦରକାରୀ ଘୋଷିତ ହୋଇଥିବା କେତୋଟି ବେଲ୍‌ଟ, ପ୍ରଭୃତି ଜିନିଷ ଆଖିରେ ପଡ଼ିଲେ ବୀରକିଶୋର ଯେ ସାମାନ୍ୟ ଅଭାବ ବୋଧ ନ କରୁଛନ୍ତି ସେକଥା ନୁହେଁ ତଥାପି ମନକୁ ବୋଧ ଦଉଚନ୍ତି କବରୀକୁ ଦ୍ୱିଗୁଣ ସ୍ନେହକରି । କବରୀ ଭିତରେ ସେ ବର୍ତ୍ତମାନ ପୁଅ ବେଦବ୍ରହ୍ମ ଆଉ ଝିଅ କବରୀ ଉଭୟଙ୍କୁ ଆବିଷ୍କାର କରୁଛନ୍ତି ।

 

ବେଦବ୍ରହ୍ମକୁ ଛାଡ଼ି ଆସିବା ପରେ, କବରୀ ପ୍ରତି ପୂର୍ଣ୍ଣ ଦୃଷ୍ଟି ଯେତେବେଳେ ନିୟୋଜିତ କଲେ ବୀରକିଶୋର, ସେତେବେଳେ ତା’ର ପାଠପଢ଼ା ତାଙ୍କ ଦୃଷ୍ଟିକୁ ଆସିଲା । ବହୁ ସ୍ୱୀକାର କରି ପୂରାପୂରି ପାରିବାରିକ ବ୍ୟକ୍ତିଟିଏ ଘରୋଇ ମାଷ୍ଟର ଭାବରେ ଖୋଜି ବସିଲେ । ତାଙ୍କ ଯୁକ୍ତି ହେଲା–ଝିଅଟାକୁ ପଢ଼େଇବାକୁ ହେଲେ ଝିଅ ମାଷ୍ଟ୍ରାଣୀଟିଏ ଦରକାର ଏସବୁ ଗୁଡ଼ା ବାଜେକଥା । ଭଲ ଯିଏ ଭଲ ।

 

ତାଙ୍କରି ଆବିଷ୍କାର ଏଇ ଜୟଜଗଦୀଶ । ଯାହା ଶୁଣିଥିଲେ ଯେ ଖୁବ୍‌ ଭଲ ଲୋକ ତାହା ସେ ପରେ ବିଶ୍ୱାସ କଲେ । ପ୍ରଥମେ ଅବଶ୍ୟ ବିବାହ କରି ନାହାନ୍ତି ବୋଲି ଶୁଣି ସାମାନ୍ୟ କିନ୍ତୁ ଉଠିଥିଲା ମନରେ । କିନ୍ତୁ ସମୟାନୁକ୍ରମେ ସେ ସବୁ ପରିଷ୍କାର ହୋଇଗଲା । କବରୀର ସେ କେବଳ ଶିକ୍ଷକ ନୁହଁନ୍ତି ଆହୁରି ଅନେକ କିଛି । ପାଠପଢ଼ା ସମୟର ବା ଦିନର କିଛି ଧରାବନ୍ଧା ନାହିଁ-। ନିଜ ଘର ଭଳି ଜୟଜଗଦୀଶ ବେଳେବେଳେ କାମ ପଡ଼ିଗଲେ ରାତି ନଟା ବେଳେ ମଧ୍ୟ ଆସି ପଢ଼େଇ ଯାନ୍ତି । ହୁଏତେ କାମ ପଡ଼ିଲେ ପାଞ୍ଚ ଛଅ ଦିନ ନ ଆସିଲେ ମାସ ଶେଷରେ ଦରମା ନେଲା ବେଳକୁ ହିସାବ ଦେବାକୁ ପଡ଼େ ନାହିଁ । କାମରେ ଘଣ୍ଟା ଦେଖି ହାଜରା ଦେଲା ଭଲି ନୁହେଁ କବରୀ ଭଲ ମନ୍ଦର ଦାୟିତ୍ୱ ଜୟଜଗଦୀଶଙ୍କର ।

 

ଏମିତି ବି ଦିନ ହେଇଚି–ଗ୍ରୀଷ୍ମ ଛୁଟି ଗୋଟାକଯାକରୁ ଅଧେ ଖାଲି ଭଲ କାହାଣୀ କହିଛନ୍ତି ଜୟଜଗଦୀଶ । କବରୀ କାହାଣୀ ଶୁଣିବାକୁ ଭାରି ଭଲପାଏ । କୌଣସି କାରଣ ପାଇଁ ଘରେ ଯଦି କବରୀ ରାଗିବାର ଜାଣିପାରନ୍ତି ଜୟଜଗଦୀଶ ତେବେ ସେ ରାଗ ଛଡ଼େଇବା ପାଇଁ କେବଳ ଗୋଟିଏ ଧାଡ଼ି ।

 

‘କବ ! ଆଜି ଗୋଟାଏ ବଢ଼ିଆ ଗପ ମନେ ପଡ଼ିଚି, କେମିତି ଲାଗିବ କହିଲ ?’

 

ଏତିକିରେ କବରୀ ତା’ର ସମସ୍ତ ରାଗ ଭୁଲିଯାଏ ।

 

ଏତେ ଗୁଡ଼ାଏ ଗପସପକୁ ହୁଏତ ଯେ କୌଣସି ଦୂରଦର୍ଶୀ ପିତା ଭାବରେ ବୀରକିଶୋର ପସନ୍ଦ ନକରିବା କଥା । କିନ୍ତୁ ଯେଉଁଦିନ ତାଙ୍କ କାନରେ ପଡ଼ିଲା–କୌଣସି କାରଣରୁ ଜୟଜଗଦୀଶ ରାଗିକରି କବରୀକୁ କହୁଛନ୍ତି ।

 

‘କଣ ତମେ ତମେ କହୁଚି ବୋଲି ଭାରି ବଡ଼ ମଣିଷଟାଏ ବୋଲି ନିଜକୁ ଭାବୁଚ ନା କ’ଣ ? ଠିକ୍‌ ସମୟରେ, ବାହା ହେଇଥିଲେ ମୋର ପ୍ରଥମ ଝିଅଟା ତମ ସାଙ୍ଗର ହେଇଥାନ୍ତା । ବେଶୀ ରାଗିଯିବି ଯୋଉଦିନ ହାତ ଲଗେଇବାକୁ ପଛେଇବିନି । ମାଡ଼ ଖାଇବା ବୟସ ଟପିବାକୁ ବହୁତ ବର୍ଷ ବାକିଅଛି ଜାଣିଥା ।’

 

ୟା’ପରେ ବୀରକିଶୋର ସମ୍ପୂର୍ଣ୍ଣ ଭାବରେ ଦୁହିଁଙ୍କୁ ଭିନ୍ନ ବିଚାରରେ ଦେଖିଛନ୍ତି । କବରୀ ଦାୟିତ୍ୱ ସମ୍ପର୍କରେ ସେ ଏକରକମ୍ ଭୁଲି ଯାଇଛନ୍ତି କହିଲେ ଚଳେ ।

 

ସେଦିନ ପ୍ରାୟ ରାତି ସାଢ଼େନଅଟା ହେଲାଣି । ଜୟଜଗଦୀଶ ଆସି ପହଞ୍ଚିଲେ । କବରୀ ପାଇଁ କିମ୍ୱା ତା’ଘରେ ଲୋକଙ୍କ ପାଇଁ ଏଇଟା ଆଦୌ ଅପ୍ରତ୍ୟାଶିତ ନୁହେଁ । ବରଂ ଏଇ କେଇଦିନ ହବ ସେ ଏମିତି ଜାଣି ଜାଣି ଆସୁଛନ୍ତି । ପଚାରିଲେ କହୁଛନ୍ତି ଡେରିରେ ଆସିଲେ ନିଦ ଭାଙ୍ଗିଯିବ । ବେଶୀ ସମୟ ଯାଏ ତମେ ପଢ଼ିବ । ତେଣୁ କବରୀ ଟେବୁଲଲ୍ୟାମ୍ପ ଜାଳି ପଢ଼ିବସିଲା-

 

ତା’ର ମୁହଁକୁ ଦେଖି ସେ ଯେ ପଢ଼ିବା ଅବସ୍ଥାରେ ନାହିଁ ଏକଥା ବେଶ୍‌ ଠଉରେଇ ନେଲେ ଜୟଜଗଦୀଶ ।

 

‘ଶୋଇଥିଲ କି ? ବେଳ ତ’ ହେଇନି ବୋଧହୁଏ ?’

 

‘ଆଜି ତ’ ଓଲଟି ଶୋଉ ଶୋଉ ବହୁତ ଡେରି ହବ ।’

 

‘କାହିଁକି ?’

 

‘ଆମର ଜଣେ ଭାଉଜ ଆସିଚନ୍ତି ଯେ.........’

 

‘ଆଚ୍ଛା କିଏ..........କିଏ ?’

 

‘ତାଙ୍କୁ ଆପଣ ଜାଣିନାହାନ୍ତି, ସେ ଆମର ଦୂର ସମ୍ପର୍କରେ ବନ୍ଧୁ ବାନ୍ଧବ ।’

 

‘ଓ............’

 

‘ତାଙ୍କର ବାହାଘର ଏଇ ଏବେ ହେଲାମ, ସେଇ ଭାଉଜ ଏତେ ବଢ଼ିଆ ଗପ କହନ୍ତି ନାଁ...... ଆପଣ ଆଶ୍ଚର୍ଯ୍ୟ ହେଇଯିବେ ।’

 

‘ସତେ ?’ ଅତି ହାଲକା ଭାବରେ ପଚାରିଲେ ଜୟଜଗଦୀଶ, କବରୀ ଏଇ କଥା ଉପରେ ବର୍ଣ୍ଣନା କରି କହିଲା ତାଙ୍କର ସାମର୍ଥ୍ୟ ଉପରେ ।

 

ସାର୍‌ ! ଆପଣ ଜାଣିନାହାନ୍ତି, ଯୋଉ ବଢ଼ିଆ ଗପ କୁହନ୍ତି ନାଁ... ତାଙ୍କଠୁ ମୁଁ ବହୁତ ଗପ ଶୁଣେ । ତାଙ୍କ ବାହାଘର ଜମା ଦି’ବର୍ଷ ହେଲା ।’

 

‘ଆଚ୍ଛା... ଏଇନେ କ’ଣ ଗପ ଶୁଣୁଥିଲ ?’

 

‘ହଁ ପରା... ଠିକ୍‌ ଆରମ୍ଭ ହେଇଚି... ଆପଣ ଡାକିଲେ ।’

 

‘ତେବେ ମୁଁ ଆଜି ଯାଉଚି । ସେ କେତେବେଦିନ ରହିବେ କି ?’

 

‘ତା କହିପାରିବିନି । ଦି’ଚାରିଦିନ ବୋଧହୁଏ ରହିବେ ।’

 

‘ଗୋଟାଏ କଥା କରିବା, ଏଇ ଦି’ଚାରିଦିନ ମୁଁ ଟିକେ ଶୀଘ୍ର ଚାଲିଆସିବି । ତା’ପରେ ତମେ ରାତିଯାକ ବସି ଗପ ଶୁଣୁଥିବ । ଆଜି ମୁଁ ଯାଉଚି । ତମ ମୁହଁରୁ ଜଣାପଡ଼ୁଚି ଯେ ତମେ ଗପ ଭିତରେ ଗୋଟାସୁଦ୍ଧା ପଶି ଯାଇଥିଲ ।’

 

‘ନାଇଁ ସାର୍‌ ଜାଣେ ଆପଣ ରାଗିବେ...’

 

ଠୋ ଠୋ ହେଇ ହସିଉଠିଲେ ଜୟଜଗଦୀଶ । ହଠାତ୍‌ ତାଙ୍କୁ ଜଣାଗଲା ଯେମିତି କବରୀର ବୟସ ଆହୁରି କମିଯାଇଛି ତାଙ୍କ ଆଗରେ ।

 

‘ନାଁ ନାଁ ମୁଁ ରାଗିବିନାଇଁ, ମୁଁ ଗଲି...’

 

ଉତ୍ତରକୁ ଅପେକ୍ଷା ନରଖି ଚାଲିଗଲେ ଜୟଜଗଦୀଶ । ଆଲୁଅ ଲିଭେଇ ଭାଉଜଙ୍କ ପାଖକୁ ଖଟଉପରକୁ ଫେରିଲାବେଳେ ନିଜ ମୁଣ୍ତକୁ କୁଣ୍ତେଇ ମନେ ପକେଇନେଲା ଗପଟା କୋଉଠି ଅଟକି ଥିଲା ବୋଲି ।

 

ଭାଉଜ ପଚାରିଲେ ।

 

‘ପଢ଼ିଲନାଇଁକି କବରୀ ! ସାର୍‌ ଆସିଥିଲେ ପରା ?’

 

‘ନାଁ ବାବା... ଆଜି ଇଚ୍ଛା ନାହିଁ । କହିଦେଲି ମୋର ଜଣେ ଭାଉଜ ଆସିଛନ୍ତି । ତାଙ୍କଠାରୁ ଗପ ଶୁଣିବି । ସେ ନୂଆଭାଉଜ ପୁରୁଣା ହେଇନାହାନ୍ତି... ଝାଲି ଝମର ଝମର ହେଇ କଡ଼ ଲେଉଟାଇ ଗପବହି ପଢ଼ନ୍ତି ଆଉ କାହାଣୀ କୁହନ୍ତି । ସେଇଠୁ ତ ପଲେଇଲେ ଆଉ... ?’

 

‘ଆରେ ବାଃ... ମୋ ବିଷୟରେ ଏମିତିଆ ସାର୍ଟିଫିକେଟ ଦେଲ ?’

 

‘ହେଃ, ସେ କ’ଣ ସାର୍ଟିଫିକେଟ ବୁଝିବେ ମ...ତାଙ୍କୁ କ’ଣ ଜଣା ?’

 

‘ଆଚ୍ଛା ତମେ ଗପ ଶୁଣିବ କହିଲ ବୋଲି ସେ ପଳେଇଲେ ? ବାଃ ଭଲ ସାର୍‌ ତ...’

 

‘ଛାଡ଼ମ ଗପଟା ଜମି ଆସୁଥିଲା । ହଁ ତା’ପରେ କ’ଣ ହେଲା ?’

 

‘ତା’ପରେ କ’ଣ ହେଲା ନାଁ...’

 

ତା’ପରିଦିନ ଖୁବ୍‌ ସହଳ ଆସିଲେ ଜୟଜଗଦୀଶ ପଢ଼େଇବାକୁ । ଆସି ଦେଖନ୍ତି ତ’ କବରୀ ମଧ୍ୟ ଛାତ୍ରୀଟି ଭଳି ଆଗରୁ ବସିଯାଇଚି ପଢ଼ା ପାଖରେ । ହସ ଲାଗିଲା ଜୟଜଗଦୀଶଙ୍କୁ । କାହାଣୀ ଶୁଣିବାକୁ କେତେ ବ୍ୟାକୁଳ ସତେ ? ଜୀବନ ବିକଳରେ କେମିତି ପାଠପଢ଼ା ସାରିଦେଲେ ଯାଇ ଭାଉଜଙ୍କ ପାଖରେ ଗପଶୁଣି ବସିବ । ମୁହଁର ଗାମ୍ଭୀର୍ଯ୍ୟ ଦେଖି ହସ ମଧ୍ୟ ମାଡ଼ିଲା ତାଙ୍କୁ । ଛୋଟି ପିଲା ହେଲେ କ’ଣ ହବ ବୁଦ୍ଧି ଯଥେଷ୍ଟ । ମୁହଁର ଭାବରୁ ସାର୍‌ ଦେଖିବେ ଏକବାର ନିମଗ୍ନ ।

 

‘କ’ଣ ଆଜି ଖୁବ୍‌ ଶୀଘ୍ର ପାଠ ପଢ଼ି ବସିଯାଇଚ ନୁହେଁ ? ଯେତେ ଶୀଘ୍ର ସରିବ ଗପରେ ବସିଯିବ । ଭାଉଜ କ’ଣ ସିଆଡ଼େ ଗପ ମନେପକେଇବାରେ ଲାଗିଛନ୍ତି ?’

 

‘ସିନେମା ଯାଇଛନ୍ତି...’

 

‘ଓହୋ ହୋ...’ ହସିଉଠିଲେ ଜୟଜଗଦୀଶ । କବରୀ ବେଶ୍‌ ଯୋଜନାଟିଏ କରିଚି ଶୀଘ୍ର ପଢ଼ା ସାରିଦେଲାବେଳକୁ ସେ ଆସି ପହଞ୍ଚି ଯାଇଥିବେ ସିନେମାରୁ । ଏଇକଥା କହିବାରେ କବରୀ କିନ୍ତୁ ପ୍ରତିବାଦ କଲା ।

 

‘ନାଇଁ ମୁଁ ତାଙ୍କଠାରୁ ଗପ ଶୁଣିବିନି ବୋଲି କହିଦେଇଚି ।’

 

ଏତେବେଳକେ ଯାଇ ସାର୍‌ ବୁଝିପାରିଲେ ଛାତ୍ରୀର ଅଭିମାନ... ପ୍ରକୃତରେ ଗୋଟାଏ କିଛି କୋଉଠି ହେଇଚି । ନହେଲେ ପାଠପଢ଼ା ପାଇଁ ମୁହଁଟା ଏମିତି ହେଇ ନପାରେ । ବର୍ତ୍ତମାନ ସେଇ ଗଣ୍ତଗୋଳିଆ ପେଞ୍ଚଟାକୁ ସଜାଡ଼ିନଦେଲେ ବିପ୍ଳବ ହେବାର ସମ୍ଭାବନା ।

 

‘କାଇଁକି ? କ’ଣ ଚିଡ଼ିଲେ କି ?’

 

‘ନାଁ...’

 

‘କହିବାକୁ ମନାକଲେ ?’

 

‘ନାଁ...’

 

‘ଛୋଟ ଗପ କହି ଠକି ଦେଇଛନ୍ତି ?’

 

‘ନାଁ...’

 

‘ତମ ବାହାଘର ଗପ କହିଲେକି... କେମିତି ବେଦୀ ବନ୍ଧାହବ ଇତ୍ୟାଦି ?’

 

‘ନାଁ...’

 

ବର୍ତ୍ତମାନ ଜୟଜଗଦୀଶ ଭାବିଲେ ଯେ ବାଟଟା ଭୁଲ ହେଇଗଲା । ଏଭଳି ଜାଣି ହବନି-। ଏ ନାଁ’ରୁ ଅଧିକ ଅକ୍ଷର ସେଥିରେ ଯୋଗ ହେବାର ସମ୍ଭାବନା ନାହିଁ । ତେଣୁ ସେଥିରୁ କିଛି ବୁଝି ହବନି । ବର୍ତ୍ତମାନ ଚାପି ହେଇଯାଇଥିବା କୋହଟା ତା’ର ତା’ ତରଫରୁ ଫାଟିବା ଉଚିତ୍‌-। ତାକୁ କୁହାଇବାକୁ ପଡ଼ିବ ।

 

‘ହେଇଚି କ’ଣ ଯେ କହୁନ ? କହୁନ କାଇଁକି ?’

 

‘କିଛି ହେଇନି ତ...’

 

‘ମୁଁ ଜାଣିଚି କ’ଣ ହେଇଚି । ସେ କହିଥିବେ ଯେ ଏତେ ଅଭଦ୍ର ‘ତୋ’ ସାର୍‌ । ଦିନେ ଦି’ଦିନ ଛାଡ଼ି ଦେଇପାରୁ ନାହାନ୍ତି । ପାଠ ପଢ଼େଇବାକୁ ଦଉଡ଼ି ଆସୁଛନ୍ତି ଯେ ସିନେମା ଟିକେ ଯାଇହଉନି ।’

 

‘ଇସ୍‌ ଏକଥା କହିବେ ? ଭାରି ସାହସ ? କାଇଁକି ମୁଁ ତାଙ୍କ ସାଙ୍ଗରେ ସିନେମା ଯିବାକୁ ଝୁରୁଚି କି ?’

 

ଏଥରକ ଜୟଜଗଦୀଶ ଭାବିଲେ ଉତ୍ତରଗୁଡ଼ା ସିନା ସବୁ ବଢ଼ିଗଲା, ହେଲେ କାଇଁ କିଛି ତ’ଜଣାପଡ଼ୁନି ।

 

‘ଭାଉଜଙ୍କ ଉପରେ ଏତେ ରାଗଟା କାଇଁକି ଯେ ?’

 

‘ଆଚ୍ଛା କୁହନ୍ତୁ ତ ! ଆପଣ ଏତେ ଗପ କହୁଛନ୍ତି । ହେଲେ କୋଉ ଗପରେ ଏମିତି କାନ୍ଦନ୍ତି ?’

 

‘କାନ୍ଦନ୍ତି... ?’ କଥାଟା କେମିତି ଅଡ଼ୁଆ ଶୁଭିଲା ଜୟଜଗଦୀଶଙ୍କୁ । ଆଉ ଟିକେ ଆଗ୍ରହରେ ପଚାରିଲେ ସମସ୍ତ ଉତ୍କଣ୍ଠା ନେଇ ।

 

‘କାଲି ରାତିରେ ଆପଣ ଗଲାପରେ ଗୋଟାଏ କାହାଣୀ ସରିଗଲା । ମୁଁ ତାଙ୍କୁ ଆଉ ଗୋଟିଏ ବଢ଼ିଆ କାହାଣୀ କହିବାକୁ କହିଲି । ସେ ତ ଭାରି ଭଲ ଲେଖନ୍ତି । ସବୁଠଉଁ ଭଲ କାହାଣୀ ବହୁତ ଦୁଃଖର ହେଇଥିବ । ନୂଆ ଲେଖିଥିବେ । ସେଇଟାକୁ କହିବାକୁ କହିଲି ।’

 

‘ତା’ପରେ...’

 

‘କହିବା ଆରମ୍ଭ କଲେ । ଟିକିଏ ସମୟ କହିଚନ୍ତି କି ନାଁ... ତା’ପରେ ଦେଖିଲି ତାଙ୍କ ଆଖିରେ ଲୁହ । ଆଉ ଅଳ୍ପ କହିସାରିଲା ପରେ ତ ଖାଲି କାନ୍ଦିଲେ ଯେ, କାନ୍ଦି କାନ୍ଦି ଜମା କହିପାରିଲେନି ।’

 

ଆଶ୍ଚର୍ଯ୍ୟ ହେଲେ ଜୟଜଗଦୀଶ । କ’ଣ ଏମିତି ଗଳ୍ପ ହେଇପାରେ ଯାହାକୁ କହିଲାବେଳେ ଏତେ ପରିମାଣରେ କୋହ ଉଠିବ । ବର୍ଣ୍ଣନା କଲାବେଳେ ବହୁତ ବାସ୍ତବ କରିବାକୁ ପଡ଼ିଥାଏ ଏବଂ ସେ ଦୃଷ୍ଟିରୁ ଗାଳ୍ପିକ ନିଜେ ଜୀବନ୍ତଭଳି ଅନୁଭବ କରିବା ସ୍ୱାଭାବିକ୍‌ ତେବେ ଏତେଟା... ।

 

‘ଖୁବ୍‌ ବଢ଼ିଆ ଗପ ନାଁ... ?’

 

‘ନାଇଁମ କ’ଣ ଏମିତି ବଢ଼ିଆ ଗପ ? ତା’ପରେ ଗପଟା ଭଲ ହଉକି ଖରାପ ହଉ ସେଇଟା ଶେଷ କଲେନାଇଁ ପରା ।’

 

‘କାହିଁକି ?’

 

‘ଖାଲି ତ କାନ୍ଦିଲେ । ଆଉ ଅଧାରେ ହେଇଚନ୍ତି କହିଲେ ତା’ପରେ ଆଉ କିଛି ଆସୁନି । ଯେତେ କହିଲି କିଛି ଗୋଟାଏ କହି ଶେଷ କରିଦିଅ, କଥା ଅଧା ରଖନ୍ତିନାଇଁ... ହେଲା ନାହିଁ । ମୋର ଇଚ୍ଛା ହଉଥାଏ ମୁଁ ଯଦି ସେମିତିଆ କାହାଣୀ ଗୋଟେ ଜାଣିଥାନ୍ତି ତେବେ ସାଙ୍ଗେ ସାଙ୍ଗେ ତାକୁ ନ କାନ୍ଦିକି କହିଦେଇଥାନ୍ତି ।’

 

ଜୟଜଗଦୀଶଙ୍କୁ ଆହୁରି ହସ ମାଡ଼ିଲା । କେତେ ନିରୀହ ସତେ । କାହାଣୀର ବାକି ଅଧକ କହିଦେଇ ଜିଦିରେ ବାହାଦୁରୀ ନେବାକୁ ବସିଚି । କବରୀକୁ ସେ ଠିକ୍‌ ଚିହ୍ନିଛନ୍ତି । ମନକୁ ଯଦି ଖୁବ୍‌ ବାଧିଚି ତେବେ କିଛି ଗୋଟାଏ କାଣ୍ତ କରି ପକେଇବା ଅସ୍ୱାଭାବିକ ନୁହେଁ । ବନ୍ଧୁବାନ୍ଧବ କଥା । କାଳେ ଯଦି କହୁ କହୁ ଟାଣକରି ଦି’ପଦ କହିଦବ, ତେବେ ସେମାନଙ୍କୁ ହୁଏତ ବାଧିପାରେ-। କବରୀ ସାନ ହେଇପାରେ, କିନ୍ତୁ ଏତେ ସାନ ନୁହେଁ, ତା’କଥାଟା ଯେ ଜଣେ ନଧରିବ ଏକଥା ନୁହେଁ । ବରଂ ତା’ପୂର୍ବରୁ ପରିସ୍ଥିତିକୁ ଦେଖି ତାକୁ ଶାନ୍ତ କରିଦବା ଉଚିତ ହବ ଜୟଜଗଦୀଶଙ୍କର-

 

‘ଆଚ୍ଛା କବ ! ଏତେ ଦରଦ ଦେଇ ସେ କାହାଣୀଟା କହିଲେ ତମକୁ ଭଲ ଲାଗିଲାନି ?’

 

‘କଣ ସେ କାହାଣୀଟିରେ ଅଛି ଯେ ଭଲ ଲାଗିବ ? ପ୍ରଥମ ଆରମ୍ଭ କଲେ... ଗୋଟିଏ ଝିଅଟିଏ ଥିଲା । ତା ନାଁ କବରୀ, ମୁଁ କହିଲି ନା ଛନ୍ଦା ।’

 

‘ଛନ୍ଦା କାହିଁକି ?’ ଜୟଜଗଦୀଶ ପ୍ରଶ୍ନ କଲେ ।

 

ନିହାତି ହାଲ୍‌କା ଭାବରେ ବୁଝାଇ ଦେଲା କବରୀ–ସବୁ କାହାଣୀରେ ଯୋଉ ଝିଅଟିଏ ଥିବ ତା’ନାଁ କହିବେ କବରୀ । ଏଥରକ ତାଙ୍କ ନାଁ ରହିବ ବୋଲି କବରୀ ଜିଦ୍‌ ଧରିଲା, ଏବଂ ତାହାହିଁ ହେଲା । ଝିଅଟି ନାଁ ଛନ୍ଦା ରଖିଲେ କାଇଁକିନା ତାଙ୍କ ନାଁ ଛନ୍ଦା । ତା’ପରେ କବରୀ କହିଗଲା ଛନ୍ଦା ଭାଉଜଙ୍କ କାହାଣୀ ନିଜ ଭାଷାରେ ।

 

ଝିଅଟିର ନାଁ ଛନ୍ଦା । ଭାରି ଗେହ୍ଲାର ସେ ଝିଅ । ବେଶ୍‌ ଧନୀ ନ କୁହାଗଲେ ବି ଯଥେଷ୍ଟ ଅଛି । ଛନ୍ଦାର ମାଟ୍ରିକ ପରୀକ୍ଷା ବର୍ଷ ତା’ବାପାଙ୍କର ବହୁତ ଚିନ୍ତା ସେ କେମିତି ଫାଷ୍ଟ ଡିଭିଜନ୍‌ରେ ପାସ୍‌ କରିବ । ସେଥିପାଇଁ ପ୍ରାୟ ଚାରି ପାଞ୍ଚଜଣ ରହିଲେ ବିଭିନ୍ନ ବିଷୟ ପଢ଼େଇବାକୁ । ହେଲେ ଛନ୍ଦାର ବେଶୀ କିଛି ଉନ୍ନତି ହେଲାଭଳି ଜଣାପଡ଼ିଲା ନାହିଁ । ସେଇ ଶିକ୍ଷକଙ୍କ ଭିତରୁ ଜଣେ ଶିକ୍ଷକ ଜଗତ୍‌ବାବୁ । ବି.ଏ ପାଶ କଲାପରେ ଟିଉସନ୍‌ କରୁଥାନ୍ତି । ସେ କୁଆଡ଼େ ପାଠ ପଢ଼ଉ ପଢ଼ଉ ଆଉଜଣେ ସାରଙ୍କର ବେଳ ହେଇଗଲା ଆସିବାର ଆସିଗଲେ । ତା’ପରେ ଜଗତବାବୁ କହିଲେ ଟଙ୍କା ଖର୍ଚ୍ଚକଲେ ପାଠହୁଏନି ।

 

ଏକଥାଟା ଛନ୍ଦାକୁ ବାଧିଲା । ସେ ତା’ବାପାଙ୍କୁ କହିଦେଲା । ବାପା ଜଗତବାବୁଙ୍କୁ ଡକେଇ କଥାବାର୍ତ୍ତା କଲେ । କିନ୍ତୁ ତା’ପରେ ଗୋଟାଏ ଅବସ୍ଥା ସୃଷ୍ଟି ହେଲା ଯେ ସବୁ ଟିଉସନ୍‌ ବନ୍ଦ କରେଇ ଦିଆଯାଇ କେବଳ ଜଗତବାବୁଙ୍କୁ ରଖାଗଲା । ଜଗତବାବୁ ବୁଝେଇ ଦେଲେ ଯେ ଜଣେ ମାଷ୍ଟର ତା’ର ଧାରାରେ ଭଲକରି ପଢ଼େଇବା ଆଉ ଦଶଜଣ ଆସି ଡିଉଟି କରିବା ଭିତରେ ତଫାତ୍‌ ଅଛି । ବେଶ୍‌ କିଛିଦିନ କଟିଗଲା । ସାର୍‌ଙ୍କ ଅକ୍ଳାନ୍ତ ପରିଶ୍ରମରେ ଛନ୍ଦା ପାଶ୍‌ କଲା ସେକେଣ୍ତ ଡିଭିଜନ୍‌ରେ । ଛନ୍ଦାର ବାପା ବେଶ୍‌ ଖୁସି । ତାଙ୍କର ଇଚ୍ଛା ଛନ୍ଦା କଲେଜରେ ପଢ଼ୁ ।

 

ହାଇସ୍କୁଲ ପରୀକ୍ଷା ସରିବାର ପରେ ପରେ ଆଉ ସାର୍‌ ଆସିଲେନି ବୋଲି ନିଜେ ଛନ୍ଦାର ବାପା ଯାଇ ତାଙ୍କୁ ଡ଼ାକି ଆଣିଲେ । ଏବଂ କହିଲେ ଯେ ଛନ୍ଦା କଲେଜ ପଢ଼ିଲେବି ତାଙ୍କରି ସବ୍‌ଜେକ୍ଟ ନେଇ ପଢ଼ିବ । ଆଉ ସେ ତାକୁ ପଢ଼େଇବେ ।

 

ସେଇଆ ହେଲା, କିନ୍ତୁ ୟାରି ଭିତରେ ଦୁହିଁଙ୍କର ସାମାନ୍ୟ ଆତ୍ମୀୟତା ବଢ଼ିଲା । ସାର୍‌ଙ୍କର ଲେଖା ପଢ଼ିବାକୁ ଛନ୍ଦାର ବହୁତ ଆଗ୍ରହ । ପାଠ ପଢ଼ା ଅପେକ୍ଷା ସେ ନିଜେ ଲେଖିକା ହେବ ଏଥିପାଇଁ ଆଶାକଲା । ସାର୍‌ ମଧ୍ୟ ବହୁତ ଚେଷ୍ଟା କଲେ । ଛୋଟ ଛୋଟ ଗପ କବିତା ଲେଖେଇ ତା’ର ପ୍ରକାଶ କରିବାର ଦାୟିତ୍ୱ ନେଲେ ସେ ।

 

କଲେଜରେ ଛନ୍ଦା କବିତା, ଗଳ୍ପ ସବୁଥିରେ ଶ୍ରେଷ୍ଠ ଲେଖିକା ବୋଲି ପୁରଷ୍କାର ପାଇଲା-

 

କେଜାଣି କେମିତି ଛନ୍ଦାକୁ ଲାଗିଲା ସାର୍‌ଙ୍କ ଉପରେ ତା’ର ଆହୁରି ଅନେକ ଅଧିକାର ଅଛି । ତେଣୁ ଏକା ଜିଦ ତା’ର–ସାର୍‌ ଏମ.ଏ ପରୀକ୍ଷା ଦେବେ ।

 

ଏଇ କଥାରେ ସାର୍‌ ହସନ୍ତି କହନ୍ତି । ‘ଏମ.ଏ ପାଶ୍‌କଲେ କ’ଣ ଜ୍ଞାନ ବଢ଼ିଯିବନା ବଡ଼ ଚାକିରୀ ପାଇଯିବି ?’

 

ସାର୍‌ଙ୍କର ଏଇ କଥା ଗୁଡ଼ାକରେ ଛନ୍ଦାକୁ ଭାରି ରାଗ ମାଡ଼େ । ତା’ଦେହରେ ଛୁଞ୍ଚି ଫୋଡ଼ି ହୋଇଗଲାଭଳି ଲାଗେ । ସବୁବେଳେ ନିଜକୁ ଗରିବ କହି କହି ତାଙ୍କ ମନଟା ମଧ୍ୟ ଗରୀବ ହେଇଯାଇଛି । କୌଣସି ଉଚ୍ଚ ଧରଣର ଚିନ୍ତା ଆଉ ତା’ ଭିତରେ ପଶି ପାରିବ ନାହିଁ ।

 

ତଥାପି ଛନ୍ଦାକୁ ଭଲ ଲାଗେ । ତାଙ୍କର ଆଖି, ନାକ, ଚଉଡ଼ା କପାଳ ସବୁଗୁଡ଼ାକ ଛନ୍ଦାକୁ ବେଶୀ ଭଲ ଲାଗେ । କିନ୍ତୁ ସେ କେବେ କହି ପାରେନି । ଅନେକଥର ପରୋକ୍ଷରେ ଛନ୍ଦା ରୂପର ପ୍ରଶଂସା କରିଛନ୍ତି ସାର୍‌ । ସେ ଭାବିରଖେ ଯେତେବେଳେ ସାର୍‌ ଏମିତିଆ କଥା କହିବେ ସେତେବେଳେ ସେ ମଧ୍ୟ କହିବ ଯେ ତାଙ୍କର ଆଖି ନାକ ଇତ୍ୟାଦି......ହେଲେ ପାରେନି । ତା’ତଣ୍ଟିକି କିଏ ଚାପିଧରେ, ତା’ଦେହରୁ ଝାଳ ବୋହିଯାଏ । ଭାବେ ଆଉ ଥରକୁ ଥାଉ ।

 

ଦିନେ ସାର୍‌ ଆସି ଦେଖିଲେ ଯେ ଛନ୍ଦା ପାଠ ପଢ଼ିବାକୁ ବସିନି । ଡକେଇ ପଠେଇଲା ପରେ ମଧ୍ୟ ଆସିଲେନି । କିଛି ସମୟ ପରେ ତା’ର ବାପା ଆସିଲେ । ତାଙ୍କ ସାଙ୍ଗରେ ଗପ କରୁକରୁ ବାପା କୁଆଡ଼େ କହିଲେ ଛନ୍ଦାର ବାହାଘର ବିଷୟରେ । ଆଉ ଅଭିଯୋଗ ମଧ୍ୟ କଲେ ଯେ ଛନ୍ଦା ଜିଦ୍‌ ଧରିଚି ବର୍ତ୍ତମାନ ବାହା ହବନି । ବାପାଙ୍କର କହିବା କଥା ।

 

ଭଲ ଯାଗାରୁ ପ୍ରସ୍ତାବଟିଏ ଆସିଚି । ଛନ୍ଦା ତା’ର ପାସଙ୍ଗରେ ପଡ଼ିବନି । ଘର ଯେମିତି ବର ସେମିତି । ହାତରୁ ଖସିଗଲେ ଆଉ ମିଳିବନି । ପାଠ ପଢ଼ି କ’ଣ ହବ ? ସେମାନେ ଯଦି ଚାହୁଛନ୍ତି ।

 

ସାଧାରଣ ଭଳି ସାର୍‍ ମଧ୍ୟ ସମ୍ମତି ଦେଲେ ଅଉ ଛନ୍ଦାକୁ ଦୋଷ ଦେଲେ । ପ୍ରକୃତରେ ହେଇଯିବା କଥା, ପାଠ ପଢ଼ି କ’ଣ ହବ । ବାପା ସାର୍‌ଙ୍କୁ ଅନୁରୋଧ ଛଳରେ ଦାୟିତ୍ୱ ଦେଇଗଲେ ବୁଝେଇବାକୁ ଛନ୍ଦାକୁ । ଛନ୍ଦା ଯେମିତି ରାଜି ହେଇଯାଏ ।

 

ବାପା ଚାଲିଗଲା ପରେ ଛନ୍ଦା ପାଖକୁ ଗଲେ ସାର୍‌ । କେତେ କଥା କହିଲେ ସେତେବେଳେ ଛନ୍ଦା ଭୀଷଣ ଭାବରେ କାନ୍ଦିଲା । ସାର୍‌ଙ୍କୁ ଏତେ ଦିନ ପରେ ମୁହଁ ଖୋଲି ତା ’ମନକୁ ଯାହା ଆସିଲା ଗାଳି ଦେଲା । କାଠ, ପଥର, ନିଦା ପାହାଡ଼, ମନ ନାହିଁ, ବୁଝିବାର ଶକ୍ତି ନାହିଁ, ଏମିତି ଏମିତି କେତେ କଥା ।

 

ସାର୍‌ ସବୁ ଚୁପ୍‌ କରି ଶୁଣି ମତାମତ ପ୍ରକାଶ କଲେ ଯେ ତାଙ୍କ ସହିତ ଛନ୍ଦାର ବାହାଘର ଅସମ୍ଭବ । ବାପା ଯେତେବେଳେ ତାଙ୍କୁ ହିଁ ଭରସା କରି ଦାୟିତ୍ୱ ଦେଇଯାଇଛନ୍ତି ଛନ୍ଦାକୁ ରାଜି କରେବାରେ, ସେ ଅବସ୍ଥାରେ ସେ କେମିତି ପ୍ରସ୍ତାବ କରନ୍ତେ ନିଜେ ବାହା ହେବେ ବୋଲି ।

 

ଆହୁରି କାନ୍ଦିଲା ଛନ୍ଦା, ଆହୁରି ରାଗି ଗାଲିଦେଲା ସାର୍‌ଙ୍କୁ ଏଥର । ଗାଳି କିନ୍ତୁ ଭାରୀ ଟାଣ ଭାଷା । ମନ ଚିହ୍ନନ୍ତି ନାହିଁ, କିଛି ବୁଝନ୍ତିନାହିଁ, କାଳି କଲମରେ ଖାଲି ଲେଖି ପକେଇଲେ ଲୋକ ସ୍ୱର୍ଗକୁ ଚାଲିଯିବେ, ଇତ୍ୟାଦି ଇତ୍ୟାଦି ।

 

ଏ ସବୁର ଉତ୍ତରେ କେବଳ ଦି’ଧାଡ଼ି କହିଲେ ସାର୍‌ ।

 

‘ଛନ୍ଦା ! କହିଲ ? ସତରେ କ୍ଷତି କରିବା ଭଳି ତମର ମୁଁ କିଛି କରିଚି ? କେବେହେଲେ ତମ ଦିହରେ ଟିପ ଦବାକୁ ହାତ ଉଠେଇଚି ?’

 

ୟାର ଉତ୍ତରରେ ଛନ୍ଦା କିନ୍ତୁ ତାଙ୍କୁ ଛାଡ଼ିଲାନି । ଆହୁରି ଗାଳି ଦେଲା । ଦେହରେ ସିନା ଟିପ ଦେଇନାହାନ୍ତି ହେଲେ ମନଟାକୁ ଆମ୍ପୁଡ଼ି ବିଦାରି ଖିନ୍‌ଭିନ୍‌ କରିଦେଇଛନ୍ତି । ସ୍ୱାର୍ଥପର ! ନିଜେ ଆହୁରି କୋଉଠି ସୁନ୍ଦରୀ ଝିଅ ବାହାହେବେ ବୋଲି ଛନ୍ଦାକୁ ଠକି ଦବାକୁ ବସିଚନ୍ତି ।

 

ତା’ପରେ ଏମିତି କେତେ ପାଟି ତୁଣ୍ତ, କେତେ କଥା ଭାଷା । ଆଉ ସେଇ ଦିନୁଠୁଁ ସାର୍‌ ଆସି ନାହାଁନ୍ତି ତାଙ୍କ ଘରକୁ...... ।

 

ଏ ସବୁତକ କେମିତି ନିର୍ଲିପ୍ତ ଭାବରେ ଗଡ଼ଗଡ଼ କରି କହିଗଲା କାବେରୀ ଜୟଜଗଦୀଶଙ୍କ ଆଗରେ । ବେଶ୍‌ ଟିକିଏ ସମୟ ନୀରବ ରହିବା ପରେ ଜୟଜଗଦୀଶ ପ୍ରଶ୍ନକଲେ-

 

‘ତା’ପରେ..... ?’

 

‘ତାପରେ ଆଉ କ’ଣ ଯେ, ଛନ୍ଦା ଭାଉଜ ଆଉ କିଛି କହିତ ପାରିଲେନି । ଖାଲି କହିଲେ ସେଇ ଦିନଠାରୁ ସେ ସାର୍‌ ଆଉ ଛନ୍ଦା ଘରକୁ ଆସିଲେନି ।’

 

ସହଜ ଭାବରେ ଜୟ ଜଗଦୀଶ ଟିକିଏ ଚିନ୍ତା କରି କହିଲେ ।

 

‘କେମିତି ମ ? ଅନ୍ତତଃ.......ସେ ଝିଅର ବାହାଘର ପୂର୍ବରୁ ଥରେ ଆସିପାରିଲାନି ? ଅଭଦ୍ର ଲୋକଟା କି ?’

 

ହଠାତ୍‌ ମନେ ପଡ଼ିଗଲା କବରୀର ଗୋଟାଏ କଥା ।

 

‘ହଁ ସାର, ମନେ ପଡ଼ିଲା ଗୋଟାଏ କଥା । ଛନ୍ଦାଭାଉଜ କହୁଥିଲେ ଥରେ ସେ ସାର୍‌ ଆସିଥିଲେ । ବହୁତ ଦିନ ତଳକୁ କୁଆଡ଼େ ଛନ୍ଦା କହିଥିଲା ଯେ ତା’ର ନାଁରେ ଗୋଟାଏ ବହି ଛପାଯାନ୍ତା ଯଦି... । ସେଇଥର ବାହାଘର ପୂର୍ବରୁ ଥରେ ଆସି ଉପହାର ଦେଇଗଲେ ସାର୍‌ ଛନ୍ଦାକୁ-। ଛନ୍ଦା ଦେଖିଲା ବହିର ଲେଖିକା ସେ ନିଜେ ।’

 

‘ସତେ ?...ବାସ୍‌ ସେତିକି ଆସିଲା ? କିନ୍ତୁ ତା’ର ବାହାଘର ଦିନ ଆସିବା ଉଚିତ ଥିଲା, କାଇଁକିନା ଯେତେହେଲେ ସେ ପାଠପଢ଼ା ସାର୍‌ ତା’ବାହାଘରବେଳେ ଆସି ବରକନ୍ୟାଙ୍କୁ ଆଶୀର୍ବାଦ କରିଯିବା ଉଚିତ ଥିଲା ।’

 

ପୁଣି ବୋଧହୁଏ ମନେ ପଡ଼ିଗଲା କବରୀର ।

 

‘ଆସିଥିଲେ ସାର୍‌ ମନେପଡ଼ିଲା, ବାହାଘର ଦିନ ଆସିଥିଲେ ସେ । ଆସି ଖାଲି ଦେଖାକରି ଛନ୍ଦାକୁ ସେ ବେଶରେ ଆଶୀର୍ବାଦ କରିଗଲେ । ସେତେବେଳେ ବି କୁଆଡ଼େ ଛନ୍ଦାର ରାଗ ଯାଇନଥାଏ । ସେ କୁଆଡ଼େ ତାଙ୍କୁ କହିଲା ଯେ–ଆପଣ ସିନା ଏକା ଆସିଲେ ମୋ ବାହାଘରକୁ । ମନେ ରଖନ୍ତୁ, ଆପଣଙ୍କ ବାହାଘରକୁ ଆମେ ଦି’ଜଣଯାକ ଯିବୁ ଗାଡ଼ିରେ...’

 

ହୋ ହୋ ହେଇ ହସି ଉଠିଲେ ଜୟଜଗଦୀଶ । ସେ ହସଟା ଗୋଟାଏ ଅଦ୍‌ଭୁତ ପ୍ରକାରର । କବରୀ ବୁଝିଲା ଯେ ବେଳେବେଳେ ଅତି ଛୋଟ ଛୋଟ କଥା ହେଲେ ତାକୁ ଏମିତି ହସି ଉଡ଼େଇ ଦିଅନ୍ତି ଏ ସାର୍‌ ତା’ର ।

 

‘ଏମିତି ହସିଲେ ?’

 

‘ଆଉ କ’ଣ କରିବି ? ତମ ଛନ୍ଦାଭାଉଜ ଭଳି କାନ୍ଦିଥାନ୍ତି ? ଏଇଟାରେ ଗୋଟାଏ କାନ୍ଦିଲା ଭଳି କ’ଣ ଅଛି ?’

 

‘ମୁଁ ତ ସେଇଆ ବୁଝିପାରିଲି ନାଇଁ । କାନ୍ଦିକାନ୍ଦି ଛନ୍ଦାଭାଉଜ ଅସ୍ତବ୍ୟସ୍ତ ହେଇପଡ଼ିଲେ । ତା’ପରେ ମୁଁ ଯେତେ ପଚାରିଲି ଯେ ତା’ପରେ କ’ଣ ହେଲା ଆଉ କହି ପାରିଲେନି । ସାର୍‌ ! ବୁଝିଲେ ନାଁ, ସତେ ଯେମିତି ସେ ନିଜେ ସତକୁ ସତ ସେଇ ଛନ୍ଦା ଆଉ ଛନ୍ଦା ଭାଉଜ ନୁହଁନ୍ତି । ଆଉ ତ କିଏ ହେଇଥିଲେ ସେଇଆ ବୁଝିଥାନ୍ତି ।’

 

ହସଟା ସେମିତି ଲାଗିରହି ଜୟଜଗଦୀଶଙ୍କ ତଣ୍ଟିରେ ଲାଗିଲା ବୋଧହୁଏ । ବହୁତ ଜୋରରେ କାଶିଲେ । କାଶି କାଶି ଆଖି ଛଳଛଳ ହେଇଗଲା ତାଙ୍କର । ତା’ ସତ୍ତ୍ୱେ ମଧ୍ୟ କହିଲେ ।

 

‘ଆରେ ହୁଣ୍ତି ! ବହୁତ ଅନୁଭବ କରି କଥାଟା ସତଭଳିଆ କହିଲେ ସେମିତି ଦୁଃଖ ଲାଗେ । ଦେଖୁନ ଲୋକେ ସିନେମାରେ କେମିତି କାନ୍ଦନ୍ତି ।’

 

କଥାଟା ଅଳ୍ପେ ବହୁତେ ବୋଧହୁଏ କବରୀ ମନକୁ ପାଇଲା, ଅତି ଆଗ୍ରହରେ ପଚାରିଲା ସେ ।

 

‘ସାର୍‌ ! ଆପଣତ ବହୁତ ଗପ ଲେଖିଛନ୍ତି ଆଉ କୁହନ୍ତି । ଯଦି ଗୋଟାଏ ଏମିତି କହିଦିଅନ୍ତେ ଯେ ଏଭଳି ଗପର ବାକିତକ କ’ଣ ହବ ତେବେ ସେ ଆସିଲେ ତାଙ୍କୁ କହିଦିଅନ୍ତି ।’

 

ଟିକିଏ ଗମ୍ଭୀର ହେଲେ ଜୟଜଗଦୀଶ । ତଥାପି ତାଙ୍କ ମୁହଁରେ କବରୀପ୍ରତି କେମିତି ଗୋଟାଏ ସ୍ନେହ ଆଉ ସହାନୁଭୂତି ଭରିଉଠିଲା । ସେ ଉତ୍ତର ଦେଲେ ।

 

‘ଯେ, ଏଥିରେ ଏମିତି ବଡ଼କଥାଟାଏ କ’ଣ ଅଛି କୁହତ ? ଯେ କୌଣସି ଛୋଟ ଶସ୍ତାଦରର ଉପନ୍ୟାସ କିଣିଆଣି ପଢ଼ିଲେ ତ ସେଥିରେ ଏଇ କଥା ଲେଖାଥିବ, ତାକୁ କହିଦବ । ଆଚ୍ଛା ତମ ଛନ୍ଦା ଭାଉଜ ‘ଛନ୍ଦ ପତନ’ ବହିଟା ଲେଖିଛନ୍ତି ନା ?’

 

‘ଆପଣ କେମିତି ଜାଣିଲେ ?’

 

‘ନାଁ, ତାଙ୍କ ନାଁଟା ଛନ୍ଦାବୋଲି ଜାଣିଲି । ବହିଟା ମାର୍କେଟରେ ମିଳୁଚି । ସେଥିରେ ଏମିତିଆ ଗଳ୍ପ ସବୁ ଅଛି ବୋଧହୁଏ... ବହୁତ ଦିନତଳେ ପଢ଼ିଥିଲି ।’

 

‘ତେବେ ଆପଣ ଶେଷଟା ଗୋଟାଏ କେମିତି କହି ଦିଅନ୍ତୁ ତ । ତା’ପରେ ସେ ସାରଙ୍କର କ’ଣ ହେଲା ବା ଛନ୍ଦାର କ’ଣ ହେଲା ?’

 

ସହଜହେଇ ବସିଲେ ଜୟଜଗଦୀଣ । କିଛି ଗୋଟାଏ କହିବାକୁ ପଡ଼ିବ । ନ କହିଲେ ତ କବରୀର ରାଗ ଆହୁରି ବଢ଼ିଯାଇପାରେ ।

 

‘ସେ ସାର୍‌–ଜଗତ୍‌ବାବୁଙ୍କର ଆଉ ବିଶେଷ କିଛି ହୁଏତ ହେଇନଥିବ । ଛନ୍ଦାର ବାହାଘର ପରେ ସେ ବେଶ୍‌ କିଛିଦିନ ଦୁଃଖ କରିଥିବେ । ତାଙ୍କୁ ମଧ୍ୟ ହସ ଲାଗିଥିବ ଛନ୍ଦାର ଏଇ ଅବୁଝା କଥାରେ । ଏତେ ଦିନ ଭିତରେ ମଧ୍ୟ ଛନ୍ଦା ଜାଣି ପାରିଲାନି ତାଙ୍କୁ କ’ଣ ବୋଲି । ନହେଲେ ସେ କହିନଥା’ନ୍ତା ଅନ୍ୟ କୋଉ ଝିଅକୁ ବାହା ହେବେ ବୋଲି ତାକୁ ଛାଡ଼ି ଦେଲେ ।

 

ସାର୍‌ ଆଉ ଛନ୍ଦା ଭିତରେ ଆକାଶ ପାତାଳ ପ୍ରଭେଦ । କେବେହେଲେ ଦୁଇଟା ସମାନ୍ତରାଳ ରେଖା ମିଳି ନପାରିଲା ଭଲି ଏମିତିଆ ବଦ୍‌ଖେୟାଲକୁ ରୂପଦିଆ ଯାଇ ନ ପାରେ ।

 

କେତେଟା ଦିନ ସେ ନିଜକୁ ଅକର୍ମଣ୍ୟ ବୋଲି ମନେ କରିଥିବେ । କୌଣସି କାମରେ ମନ ଲାଗନଥିବ । ତା’ପରେ ହଠାତ୍‌ ନିଜକୁ ସଂଯତ କରିବାକୁ ଯାଇ ଗୁଡ଼ାଏ ପଢ଼ିବାକୁ ଚେଷ୍ଟା କରିଥିବେ । କାଳେ ସେଥିରେ ମନଦେଲେ ମନଟା ଭୁଲିଯିବ । କିନ୍ତୁ ହେଲା ନାହିଁ ।

 

ଗୁଡ଼ାଏ ପଢ଼ିସାରିଲା ପରେ ସେ ନିଜର ଯୋଗ୍ୟତାର ମାପକାଠିର ଦୈର୍ଘ୍ୟ ପରୀକ୍ଷା କରିବାକୁ କେତୋଟି ଉଚ୍ଚ ଚାକିରୀ ପାଇଁ ଚେଷ୍ଟା କଲେ । କିନ୍ତୁ ଯେତେବେଳେ ସେ ଦେଖିଲେ ଯେ ଗୋଟିଏ ନୁହେଁ, ଯଥେଷ୍ଟ ଉଚ୍ଚ ଚାକିରୀ ପାଇଁ ବିବେଚିତ ହେବାର କୌଣସି ଦ୍ୱିଧା ନାହିଁ, ସେତେବେଳେ ସେ କେବଳ ସେଇ ପୁରୁଣା ଶିକ୍ଷକ ଚାକିରୀରେହିଁ ନିକକୁ ସୀମିତ ରଖିଲେ ।

 

ହୁଏତ କାରଣଟା ହେଇପାରେ–ଯେଉଁ ଭୂମିକାରୁ ତାଙ୍କର ଜୀବନର ସବୁଠାରୁ ଶ୍ରେଷ୍ଠ ଘଟଣାର ଅନୁଭୂତି ହେଲା ସେଇଟାହିଁ ତାଙ୍କର ସ୍ମୃତି । ଆଉ ତାକୁ ଛାଡ଼ିବାପାଇଁ ସେ ମୋଟେ ରାଜି ହେଲେନି ।

 

ଛନ୍ଦା ପାଇଁ ସେ ଲେଖା ଆରମ୍ଭ କରିଥିଲେ । ତାଙ୍କର ଯେଉଁ ଲେଖାସବୁ ଅନେକ ଗୌରବ ଲାଭ କରିଥିଲା ସେଇ ଲେଖାସବୁକୁ ବାସ୍ତବ କରିବାକୁ ଯାଇ ସେ କେବଳ ତା’ରି ପାଇଁହିଁ ଲେଖିଲେ ।’

 

ଟିକିଏ ସମୟ ରହିଗଲା ପରେ କବରୀ ପଚାରିଲା ।

 

‘ହେଲେ ସାର୍‌ ! ଛନ୍ଦା ଯୋଉ କହିଥିଲା ସାର୍‌ଙ୍କ ବାହାଘରକୁ ଆସିବ ବୋଲି ।’

 

‘ନାଁ... ସେ ସୁଯୋଗ ଆସିଲାନି । କାଳେ ଛନ୍ଦା ଭାବିଥାନ୍ତା ଯେ ସାର୍‌ଙ୍କର ପ୍ରକୃତରେ ଅନ୍ୟ ଯାଗାରେ ବିବାହ କରିବାର ଇଚ୍ଛା ଥିଲାବୋଲି ସେ ତାକୁ ପରୋକ୍ଷରେ ମନାକଲେ, ସେଥିପାଇଁ ସେ ସାରାଜୀବନ ଅବିବାହିତ ରହିବାକୁ ମନସ୍ଥ କଲେ ।’

 

କିନ୍ତୁ ଏକଥା ସତ୍ୟ ଯେ ତା’ରି ପରଠାରୁ ଛନ୍ଦା ସହିତ ଆଉ ଦେଖା ହେଇନି । ସେ କେବେ ହେଲେବି ଦେଖା କରିବାର ସୁଯୋଗ ନବାକୁ ଚେଷ୍ଟା କରି ନାହାନ୍ତି । କାଳେ ଛନ୍ଦା ଜୀବନରେ ବା ତା’ ସଂସାରରେ ଗୋଟାଏ ମୁହୂର୍ତ୍ତ ପାଇଁ ଝଡ଼ ଉଠିପାରେ । ସେଥିପାଇଁ ସେ ଦେଖା କରିବାକୁ ଚାହିଁ ନାହାଁନ୍ତି ।

 

ବେଶ୍‍ ! କାହାଣୀଟା ଏତିକିରେ ଅଳ୍ପକରେ ଶେଷ କରାଯାଇ ପାରେ, ଛନ୍ଦା ତା’ ଘରେ ଆଉ ଜଗତ୍‌ବାବୁ ତାଙ୍କ ଘରେ । ଛନ୍ଦା ସାର୍‌ଙ୍କୁ ଭୁଲି ଚାଲିଚି–ତା’ର ଘର–ସଂସାର, ପିଲାଛୁଆ, ହସଖେଳ ଭିତରେ ଆଉ ସାର୍‌ ମନ ଭିତରେ ଆହୁରି ମନେ ପକେଇ ଚାଲିଛନ୍ତି ଛନ୍ଦାକୁ ଆଉ ତା’ର କଥା ସବୁକୁ ।’

‘ପିଲାଛୁଆ ତାଙ୍କର ହେଇନି ସାର୍‌ ?

‘କାହାର ?’

‘ଛନ୍ଦା ଭାଉଜଙ୍କର... ?’

‘ଆରେ, ମୁଁ କ’ଣ ଛନ୍ଦା ଭାଉଜଙ୍କ କଥା କହୁଚି ? ମୁଁ ଆଗ ଛନ୍ଦା କଥା କହୁଚି ନାଁ...’

ହଠାତ୍‌ ଖେୟାଲ ଆସିଲା କବରୀର । ସତେତ, କେତେବଡ଼ ଭୁଲ୍‌ଟାଏ କରି ପକେଇଲା ସେ, କାହାକଥା ନେଇ କାହା କଥାରେ ଯୋଡ଼ି ଦେଲା । ସାର୍‌ ହୁଏତ ଭାବୁଥିବେ ସେ ମନଦେଇ ଶୁଣୁନାହିଁ ବୋଲି ।

‘ବାସ୍‌ ହେଲାତ ? ଏ କାହାଣୀର ଶେଷ କେବଳ ଏଇଆହିଁ ହୋଇପାରେ ଏଇଠି ଶେଷ-। କ’ଣ ଶେଷ ଭଳି ଲାଗିଲାନି ?’

କବରୀ ଆଶ୍ଚର୍ଯ୍ୟ ହେଲା । ପ୍ରକୃତରେ ସାର୍‌ କେତେ ବଢ଼ିଆ ଭାବରେ କହିଦେଲେ ଗପଟା । ଏକବାର ସତଭଳି ଲାଗିଲା, ହେଲେ କାଇଁ ସାର୍‌ ତ ଏମିତି ଫୁଲେଇ କାନ୍ଦ କାନ୍ଦିଲେନି । ଆଉ ସମ୍ଭାଳି ନ ପାରି ସେଇକଥା ସେ କହିପକେଇଲା । ସାର୍‌ ପୁଣି ସେମିତି ଅଳ୍ପ ହସିଲେ ।

‘କବ ! ଏମିତି କେତେ ଗପ ମୁଁ ପଢ଼ିଚି, ସେଇଥିରୁ ଗୋଟାଏ ମୁଁ କହିଦେଲି କାନ୍ଦିବି କାଇଁକି ? ତମକୁ ଯଦି ଗପଟା ପୁରା ଭଲ ଲାଗିଲା ଆଉ ମନଟା ହାଲ୍‌କା ହେଇଗଲା ତେବେ ସେଇ ମୋର ଯଥେଷ୍ଟ ।’

 

ଏତିକି କହି ଜୟ ଜଗଦୀଶ ଉଠିଲେ । ତାଙ୍କର ଶୀଘ୍ର ଯିବା ଉଚିତ୍‌ । ଫାଷ୍ଟ୍‌ ସୋ ସରିବାବେଳ ହେଇଗଲା । ଛନ୍ଦା ଭାଉଜ ପ୍ରଭୃତି ଫେରୁଥିବେ ବୋଧହୁଏ । ଗପ ଶୁଣିବାପାଇଁ କବରୀ ବ୍ୟସ୍ତ ନ ହେଲେ ବି ଶୁଣେଇବାପାଇଁ ବ୍ୟସ୍ତ ହୋଇପାରେ ।

 

କବରୀ ମଧ୍ୟ ଭାବିଲା ନିଜକୁ ପ୍ରସ୍ତୁତ କରିବ ଛନ୍ଦା ଭାଉଜ ଆସିବାବେଳକୁ । ଆଉଥରେ ନିରେଖି ଦେଖିନେଲା ସାର୍‌ଙ୍କ ମୁହଁକୁ କବରୀ । କିଛି ପ୍ରତିକ୍ରିୟା ନାହିଁ ତାଙ୍କ ମୁହଁରେ । ଛନ୍ଦା ଭାଉଜ ଭଳି ଆଖି ଫାଖି ଫୁଲି ଅସମ୍ଭାଳ ନୁହଁନ୍ତି । ତା’ର ମନେହେଲା ପ୍ରକୃତ ଗାଳ୍ପିକ ସେ ।

 

ୟା’ପରେ କବରୀ କାହାଣୀର ଶେଷ ଅଧ୍ୟାୟଟା ଛନ୍ଦା ଭାଉଜଙ୍କୁ କହିସାରିଲା ପରେ ଛନ୍ଦା ଭାଉଜ କ’ଣ କହିଥାନ୍ତେ, ଆଉ କାନ୍ଦିଥାନ୍ତେ କି ନାହିଁ, ଏମିତିଆ ଗାଳ୍ପିକ ସାର୍‌–ଜୟଜଗଦୀଶଙ୍କୁ ତା’ପରଦିନ ଦେଖା କରିଥାନ୍ତେ କି ନାହିଁ ସେ ପ୍ରଶ୍ନ ଉଠିଲାନି ।

 

ତା’ର କାରଣ ସିନେମାରୁ ଛନ୍ଦା ଭାଉଜ ହେରିକା ଫେରିବା ଆଗରୁ ଭାଇ ଆସି ପହଞ୍ଚିଲେ ଗାଡ଼ି ନେଇ । ଭୁବନେଶ୍ୱରରେ ଥିବା ତାଙ୍କର କାମ ଶେଷ ହେଇଚି ତେଣୁ କାଲି ସକାଳୁ ଚାଲିଯିବାକୁ ସେ ଛନ୍ଦା ଭାଉଜଙ୍କୁ ପ୍ରସ୍ତାବ ଦେଇପାରନ୍ତି ।

 

ଆଜି ରାତିଟା ବି ବିଶେଷ କିଛି ଲାଭ ହବନାହିଁ କବରୀର, ଯେହେତୁ ଛନ୍ଦା ଭାଉଜ ଆଜି କବରୀ ପାଖରେ ଶୋଇ ନ ପାରନ୍ତି । ବେଶୀ ସମୟ ନ ମିଳିଲେ ଏତେବଡ଼ ଗପଟା କହିବ ସେ କେମିତି ?

 

ସେଇଆ ମଧ୍ୟ ହେଲା । ତା’ପରଦିନ ସକାଳୁ ସତକୁ ସତ ଦିହେଁ ଯେତେବେଳେ ବାହାରିଲେ ଜଳଖିଆ ଖାଇ ସାରିଲା ପରେ, କବରୀ ଟିକିଏ ସୁବିଧା ଦେଖି କହିଲା–

 

‘ବୁଝିଲ ଭାଉଜ ! ତମେ ଖାଲି ଚାଲି ଯାଉଚ ବୋଲି କହିପାରିଲିନି । ହେଲେ ତମେ ପୁରା କଲନି କାଲିର ସେ ଗପ ସିନା, ମୁଁ ତମକୁ ବାକିତକ ଶୁଣେଇ ଦେଇଥାନ୍ତି ।’

 

ଛନ୍ଦା ଭାଉଜ ଟିକିଏ ହସିଦେଲେ । ଟିକିଏ ଅପ୍ରତିଭ ଲାଜ ମଧ୍ୟ ସେଥିରେ ଥିଲା । କବରୀ ପୁଣି କହିଲା–

‘ମୋ ସାର୍‌ଙ୍କୁ ପଚାରିଲି, ସେ ବାକିତକ ଯୋଡ଼ିଦେଲେ ଆଉ ଏଇ ଦେଖ ! କାଲି କହୁ କହୁ ଅନ୍ୟମନସ୍କ ଭାବରେ ତମ ନାଁଟା ବି କେମିତି ଲେଖି ହେଇ ଯାଇଚି ତାଙ୍କ ହାତରୁ ।’

 

ଗପ କହିଲାବେଳେ ଜୟଜଗଦୀଶଙ୍କ ଗାରେଇ ଛାଡ଼ିଯାଇଥିବା ଖଣ୍ଡେ କାଗଜ ବଢ଼େଇ ଦେଲା କବରୀ । ଛନ୍ଦା ଭାଉଜ ସାମାନ୍ୟ ଆଶ୍ଚର୍ଯ୍ୟର ସହିତ ସେ ଲେଖାକୁ ଦେଖିବା ଭଳି ମନେହେଲା ।

 

ଏତିକିବେଳେ ପଶି ଆସିଲେ...ଭାଇ । କ’ଣ ବୋଲି ପଚାରିବାରୁ ହଠାତ୍‌ ସହଜ ହେଇ ଛନ୍ଦା ଭାଉଜ ଖାଲି ଉତ୍ତର ଦେଲେ–

 

ନାଇଁମ, ମୋ ନାଁ ସାଙ୍ଗରେ କବରୀ ନିଜ ନାଁଟା ପକେଇ କେମିତି ଲେଖିଚି ଦେଖ ତ ! ସୁନ୍ଦର ହେଇନି ?

 

ଭାଇ ପଢ଼ିଲେ–

 

ଛନ୍ଦାକବରୀ

 

ସମୟ ହୋଇଗଲା ବୋଲି ତରତରରେ ଛନ୍ଦାଭାଉଜ ଆଉ ଭାଇ ଗାଡ଼ିରେ ବସିଲେ । କିନ୍ତୁ କବରୀ ସାମାନ୍ୟ ଆଶ୍ଚର୍ଯ୍ୟ ହେଲା–ଛନ୍ଦାଭାଉଜ ସେ କାଗଜ ଖଣ୍ଡକ ନିଜ ଭ୍ୟାନିଟି ବ୍ୟାଗ୍‌ ଭିତରେ ରଖି ନେଇଗଲେ କାହିଁକି ? କ’ଣ ଭୁଲରେ ନାଁ ଜାଣିକରି ?

 

ହଁ, ହୁଏତ ଏଇ ନାଁରେ ଗୋଟିଏ ଗପ ଲେଖିବେ ବୋଲି । ନାଁଟା ବେଶ୍‌ ଭଲ ଲାଗୁଚି ତ !

 

ଛନ୍ଦା କବରୀ–

☆☆☆

 

ଶେଷ କାହାଣୀ

 

ଗୋପାଳପୁର ।

 

ସୈକତ ସାଗର ତଟ । ସନ୍ଧ୍ୟାର ସାନ୍ନିଧ୍ୟ ପରଠାରୁ ବେଶ୍‌ କିଛି ଘଣ୍ଟାଧରି ଶିଶିର ଝରି ସେଇ ବାଲୁକା ଶଯ୍ୟାକୁ ଭିଜାଇ ଦେଇଚି । ତଥାପି ଛାଡ଼ିବାକୁ ମନ ହେଉନାହିଁ ।

 

ପୁଣି ଇଚ୍ଛା ହେଉଛି ଆରାମରେ ସେଠି ଆଉ କିଛିସମୟ ଶୋଇଯିବାକୁ । ଇଏ ମଧ୍ୟ ଏକ ଚ୍ୟାଲେଞ୍ଜ୍‌ ।

ଏତେଗୁଡ଼ାଏ କାକରବିନ୍ଦୁ ମିଶି ଗୋଟାଏ ଦେହକୁ ଶୀତଳ କରିପାରୁ ନାହାନ୍ତି । ମନ ଭିତରେ ଜ୍ୱଳନ୍ତ ବହ୍ନିକୁ ଶାନ୍ତ କରିବାର କ୍ଷମତା ସେଗୁଡ଼ିକର ନାହିଁ ।

 

ଉତ୍ତାପ !

 

ରାଶି ରାଶି ଉତ୍ତାପ !!

 

ଦିନ ଗୋଟିକର ଉତ୍ତାପ ଯେମିତି ବାମ୍ପ ହୋଇ ଦେହ ଭିତରେ ପଶିଯାଇଛି । ଆଉ ସେଗୁଡ଼ିକ ବାହାରିଯିବା ସହଜ ନୁହେଁ... ।

 

ସେଇ ଗୋଟାଏ ଚିନ୍ତା ଅସ୍ତବ୍ୟସ୍ତ କରୁଛି । ବ୍ୟଥିତ କରୁଛି । ଯନ୍ତ୍ରଣା ଦେଉଛି । ଚୁନା ଚୁନା କର୍କଟ ଶାବକଗୁଡ଼ିକ ନିର୍ବିଘ୍ନରେ ଗାତରୁ ବାହାରି ମନଇଚ୍ଛା ବୁଲାଚଲା କରୁଥିବେ ।

 

ହଠାତ୍‌ ମନକୁ ଆସିଲା...

 

ହୁଏତ ଆଜି ନୁହେଁ–

 

ଆଜିଠୁ କୋଡ଼ିଏବର୍ଷ ପରର କଥା... ।

 

‘ସି’ ସାଇଟ୍‌ ଲଜ୍‌’ ।

 

ଫାଟକ ଭିତରକୁ ଗାଡ଼ି ପ୍ରବେଶ କଲା ।

 

ଧାଇଁ ଆସିଲେ ରାଜେନ୍‌ ମାଇତି । ଗାଡ଼ି ନମ୍ବର ସେ ନିଶ୍ଚୟ ଚିହ୍ନନ୍ତି ।

 

ଗଛଗୁଡ଼ାକୁ ଦେଖି ସେ ଭାବୁଥିଲେ ଯେ କାଇଁ ଏଥର ଆସିନାହାଁନ୍ତି ବୋଲି ।

 

ଗାଡ଼ିରୁ ଓହ୍ଲେଇଲା ସଂବିତ୍‌ । ସାଙ୍ଗରେ ବାପା ବି ଆସିଛନ୍ତି ।

 

ସତେ ଯେମିତି ରାଜେନ୍‌ବାବୁ କେବଳ ତାକୁହିଁ ଅପେକ୍ଷା କରୁଥିଲେ ।

 

‘ମୁଁ ଭାବିଲି ବାପାଙ୍କୁ ନେଇ ଏଥର ବୋଧହୁଏ ଓଡ଼ିଶା ବାହାରକୁ ଚାଲିଗଲେ ।’

 

‘ନାଁ, ତାଙ୍କର ଆକର୍ଷଣଟା ଆପଣଙ୍କ ପାଖରେ ।’

 

ଉଭୟ ହସିଲେ । ରାଜେନ୍‌ବାବୁ ମଧ୍ୟ ଜାଣିଲେ, ତିନିନମ୍ବର ରୁମ୍‌ଟା ଯେ କୌଣସିମତେ ମତେ ଖାଲି କରିବାକୁ ପଡ଼ିବ ।

ଏଇ କେଇବର୍ଷର ଅଭିଜ୍ଞତା । ଅନ୍ତତଃ ଥରେ ନିଶ୍ଚୟ ସଂବିତ୍‍ ଆସିବ, ବାପାଙ୍କୁ ସାଙ୍ଗରେ ନେଇ ଇନ୍‌ସ୍ପେକ୍‌ସନ କାମରେ ଗୋପାଳପୁର ଆସିବାର କଥା ।

ସରକାରଙ୍କର ଉଚ୍ଚପଦସ୍ଥ ଅଫିସର । ପ୍ରତିବର୍ଷ ସବୁ ହୋଟେଲ୍‌ର ରେକର୍ଡ଼ ଚେକ୍‌ କରିବାପାଇଁ ସେ ଏଠିକି ଆସେ । ଗୋପାଳପୁରରେ ଅନେକ ବଡ଼ ହୋଟେଲ୍‌ ଥିଲେ ମଧ୍ୟ ସେ ପସନ୍ଦ ଏଇ ‘ସି’ସାଇଟ’ ଲଜ୍‌କୁ ।

‘ସି’ସାଇଟ୍‌ ।’

ଏଇଟା ଲଜ୍‌ ବୋଲି ମଧ୍ୟ କୁହାଯାଇ ପାରିବନି । ଗୋଟାଏ ବେଶ୍‌ ବଡ଼ ଘରକୁ ଯେମିତି ଖୁବ୍‌ କଳାତ୍ମକଭାବରେ ଲଜିଂରେ ପରିଣତ କରାଯାଇଚି । ମୋଟେ ଗହଳି ହୁଏ ନାହିଁ । ବାହାରୁ ଆଡ଼ମ୍ବର ଭଳି ବିଶେଷ କିଛି ନାହିଁ । ସୁନ୍ଦର ବଗିଚାଟିଏ ସାମନାରେ । ଭିତରର ରୁମ୍‌ଗୁଡ଼ିକ ପୂରାପୂରି ଏକ ଘରୋଇ ପରିବେଶ ଆଣିଦିଏ । ଚମତ୍କାର ଚିନ୍ତାଧାରା ଖର୍ଚ୍ଚକରି ସବୁ ଫର୍ଣ୍ଣିଚର୍‌ଗୁଡ଼ିକ ତିଆରି କରାଯାଇଚି । କାନ୍ଥଗୁଡ଼ିକରେ ସିପ, ଶାମୁକା ଆଉ ଫସିଲ୍‌ର ଅସଂଖ୍ୟ ସମାରୋହ ।

କେବଳ ନିର୍ଦ୍ଦିଷ୍ଟ ଗ୍ରାହକ ଅଛନ୍ତି ଯେ କି ଏ ପରିବେଶ ସହିତ ବେଶ୍‌ ପରିଚିତ ଆଉ ନିଜକୁ ସୁହାଇ ନେଇଛନ୍ତି । ସେମାନେ ଅନ୍ୟ କୋଉଠିକି ଯିବାର ଆଶଙ୍କା ନାହିଁ । ତା’ ଭିତରୁ ପିତାପୁତ୍ର ଦ୍ୱୟ ଅନ୍ୟତମ ।

 

ସଂବିତ୍‌ ଚାହିଁଲେ ସେଠାକାର ସବୁଠୁ ଦାମୀ ହୋଟେଲ୍‌ରେ ରହିପାରନ୍ତା, ଆଉ ସେ ହୋଟେଲ୍‌ ନିଜକୁ ଭାଗ୍ୟବାନ ମଣନ୍ତା କିନ୍ତୁ ଏଠିକା ଛଡ଼ା ଆଉ କୋଉ ସ୍ଥାନରେ ରହିବାପାଇଁ ପସନ୍ଦ କରେନି ସେ । ବାପା ତା’ର ଚାହାନ୍ତି କେବଳ ସେଇ ଲଜ୍‌, ଆଉ ତାଙ୍କପାଇଁ ତିନିନମ୍ବର ରୁମ୍‌-

 

ଲଜିଂର ସବୁ ରୁମ୍‌ ଡବଲ୍‌ ବେଡ଼୍‌ ସତ କିନ୍ତୁ ଦିହେଁ ଗୋଟିଏ ରୁମ୍‌ରେ ରହନ୍ତି ନାହିଁ । ସଂବିତ୍‌ର ଯେ କୌଣସି ରୁମ୍‌ ହେଲେ ଆପତ୍ତି ନାହିଁ କିନ୍ତୁ ବାପାଙ୍କର ସେ ତିନିନମ୍ବର ରୁମ୍‌ ନ ହେଲେ ସେ ଅସ୍ୱସ୍ତି ଅନୁଭବ କରନ୍ତି । ତେଣୁ ଯେ କେହି ଭ୍ରମଣକାରୀ ଥିଲେ ମଧ୍ୟ ରାଜେନ୍‌ବାବୁ ସେଇ ରୁମ୍‌ଟିକୁ ଅତି ବିନୟର ସହିତ ଅନୁରୋଧ କରି ଖାଲି କରେଇ ଦିଅନ୍ତି ।

 

ରାଜେନ୍‌ ମାଇତି ।

 

‘ସି’ସାଇଟ୍‌’ ଲଜ୍‌ର କେୟାରଟେକର୍‌ । ତରୁଣ ଅବସ୍ଥାରେ ସେ ଏ ହୋଟେଲର ତତ୍ତ୍ୱାବଧାନରେ ଅଛନ୍ତି । ମାଲିକ ବଙ୍ଗ ଅଧିକାରୀ, ରାଜେନ୍‌ବାବୁ ମଧ୍ୟ ବଙ୍ଗଳା ପାଖାପାଖି ଅଞ୍ଚଳର ଲୋକ । ଓଡ଼ିଆ ହେଲେ ମଧ୍ୟ ଦୁଇପୁରୁଷ ଧରି ମେଦିନୀପୁର ଅଞ୍ଚଳରେ ରହି ବଙ୍ଗୀୟଭଳି ଜଣାପଡ଼ନ୍ତି । ଲଜିଂ ମାଲିକଙ୍କର ଏକାନ୍ତ ବିଶ୍ୱସ୍ତ ଏଇ ରାଜେନ୍‌ବାବୁ ଏଇ ହୋଟେଲ୍‌ର ମାଲିକ । ଯାହାକୁ ସେ ନିଜର ପରିଚୟ ଦେଇଛନ୍ତି ସେଇ କେବଳ ଜାଣେ ଯେ ସେ ଏହାର ତତ୍ତ୍ୱାବଧାରକ ବୋଲି ।

 

ଆଜି ଯୋଗକୁ ସେ ତିନିନମ୍ବର ରୁମ୍‌ ଖାଲି ଅଛି । ବେହେରାମାନେ ମଧ୍ୟ ଜାଣିଥିଲା ଭଳି ତିନିନମ୍ବରଟା ପରିଷ୍କାର କରିବାରେ ଲାଗିଗଲେ । ସଂବିତ୍‌ ମୁଣ୍ଡରୁ ଗୋଟାଏ ବୋଝ ଓହ୍ଲେଇଗଲା । ଯାହାହେଉ ବାପାଙ୍କର ରହିବା ଆୟୋଜନଟା ଭଲରେ ଭଲରେ ହେଇଗଲା । ଏଥର ବାପାଙ୍କ ସହିତ ତା’ର ବାଟରେ ସର୍ତ୍ତ ହେଇଚି–

 

ଏଇଥର ଗୋପାଳପୁର ରହଣୀ ଭିତରେ ବାପା ଲେଖିବେ ତାଙ୍କର ଶେଷ କାହାଣୀ । ବହୁତ ଦିନ ହେଲା ଲେଖାଲେଖି ଛାଡ଼ିଦେଇଛନ୍ତି ସେ । ତାଙ୍କର ଲେଖାଲେଖି ନ ଛାଡ଼ିବା ଉଚିତ୍‌ ବୋଲି ସଂବିତ୍‌ ଯୁକ୍ତି ବାଢ଼ିଥିଲା । ଆଉ ତା’ରି ଉତ୍ତରରେ ବାପା ତାକୁ ପ୍ରତିଶ୍ରୁତି ଦେଇଛନ୍ତି ଶେଷଲେଖା ଲେଖିବେ ଏଥର । ତେଣୁ ତାଙ୍କ ପସନ୍ଦ ଅନୁଯାୟୀ ସେ ତିନିନମ୍ବର ରୁମ୍‌ଟା ମିଳିବା ଉଚିତ୍‌ ।

 

ଅନ୍ୟ କୋଠରୀ ଅପେକ୍ଷା ଏ ତିନିନମ୍ବରଟା ଯେ କିପରି ଭାବରେ ଭଲ ସେକଥା ସଂବିତ୍‌ ବୁଝିନାହିଁ କେବଳ ଅନୁମାନ କରୁଛି ଯେ ସବୁ ରୁମ୍‌ ଅପେକ୍ଷା ଏହାର ବିଶେଷ ବ୍ୟବସ୍ଥାଗୁଡ଼ା ଖୁବ୍‌ ଶୃଙ୍ଖଳାଗତ ଏବଂ ସ୍ୱାଚ୍ଛନ୍ଦ୍ୟକର । ସେଲ୍‌ଫ, ଓ୍ୱାର୍ଡ଼ରୋବ୍‌ଠାରୁ ଆରମ୍ଭ କରି ଫର୍ଣ୍ଣିଚର ବାଥ୍‌ରୁମ୍‌ ପର୍ଯ୍ୟନ୍ତ ।

 

ସଂବିତ୍‌ ରହିବାକୁ ଚାହିଁନି କେବେ ବାପାଙ୍କ ସହିତ । କାରଣ ତା’ର ମଧ୍ୟ ଟିକେ ସ୍ୱାତନ୍ତ୍ର୍ୟ ଦରକାର । ବାପାଙ୍କର ସ୍ୱାତନ୍ତ୍ର୍ୟ ପାଇଁ ସଂବିତ୍‌ ରହେନାହିଁ ବା ସଂବିତ୍‌ର ସ୍ୱାତନ୍ତ୍ର୍ୟ ପାଇଁ ବାପା ରହନ୍ତି ନାହିଁ ସେକଥା କେବେ କେହି ଚିନ୍ତା କରିନାହାନ୍ତି । ତେବେ ଦିହେଁ ଦି’ଟା ରୁମ୍‌ରେ ରହିବାକୁ ଚାହାନ୍ତି ଆଉ ରହନ୍ତି ।

 

ଅବଶ୍ୟ ଥରେ ଖଣ୍ଡେ ସଂବିତ୍‌ ଭାବିଚି ବାପାଙ୍କ ବିଷୟରେ । ସକାଳୁ ଉଠି ପାଖ ହୋଟେଲ୍‌ରୁ ଦୋଷା ମଗେଇ ଜଳଖିଆ କରନ୍ତି–ଆଉ ଯେମିତି କିଛି ତାଙ୍କୁ ଭଲ ଲାଗେନି । ତା’ପରେ ହାତ ବାଡ଼ିଖଣ୍ଡ ଧରି ଚାଲିଯାନ୍ତି ବୁଲିବାକୁ, ଫେରନ୍ତି ପୁଣି ଗୋଟାଏ ବେଳକୁ । ଯେତେ ଯାହା କଲେ ବି ସେ ଖାଇବେନି ଲଜିଂରେ । ସିଆଡ଼ୁ କୋଉ ଗୋଟାଏ ହୋଟେଲ୍‌ରେ ଖାଇ ଫେରିବେ । ଘଣ୍ଟାଏ ବା ଦୁଇଘଣ୍ଟା ବିଶ୍ରାମ । ତା’ପରେ ପୁଣି ଉଠି ଚାଲିଯିବେ ସମୁଦ୍ରକୂଳ । ଫେରୁ ଫେରୁ ରାତିରେ ବେଶ୍‌ ଡେରି ।

 

ଏଇ ରୁଟିନ୍‌ରେ କେବେହେଲେ ବ୍ୟତିକ୍ରମ ହୁଏନାହିଁ । ତେଣୁ ସଂବିତ୍‌ ବାପାଙ୍କପାଇଁ କୌଣସି କଥାରେ ଆଦୌ ଚିନ୍ତିତ ହୁଏ ନାହିଁ । ବରଂ ନିର୍ବିଘ୍ନରେ ସେ ତା’ର ନିଜର ଦାୟିତ୍ୱ ନେଇ ବ୍ୟସ୍ତ ରହେ । ଥରେଥରେ ବାପାଙ୍କ ରୁମ୍‌ ଭିତରକୁ ସେ ପ୍ରବେଶ କରି ଦେଖିଚି ଯେ ବିଶେଷ କିଛି ବ୍ୟତିକ୍ରମ ନାହିଁ । ଯେ କୌଣସି ଲୋକ ଖୁସିରେ ସେ ପ୍ରକୋଷ୍ଠକୁ ବାପାଙ୍କ ନ ଥିବା ଅବସ୍ଥାରେ ବ୍ୟବହାର କରିପାରିବ ।

 

ଏଥରକ ବ୍ୟବହାର କରୁଚି ମଧ୍ୟ । କିନ୍ତୁ ଆଜି ସଂବିତ୍‌ ବ୍ୟସ୍ତ ହୋଇ ଉଠିଚି । ସେ ନିଜେ ମଧ୍ୟ କଥାଟା ଠିକ୍‌ ବୁଝିପାରୁ ନାହିଁ ।

 

‘ଦେଖ ! ନିଶ୍ଚିତ ଭାବରେ ତମେ କୌଣସି ମୂହୁର୍ତ୍ତରେ ଜାଣିକରି ବା ଅଜାଣତରେ ବାପାଙ୍କୁ କହିଦେଇଚ ।’

 

‘ଜାଣିକରି ତ ବୁଝିଲି ଆଉ ଅଜାଣତରେ ?’

 

‘ଏଇ ଧର ! ଶୋଇଥିବା ଅବସ୍ଥାରେ ତମ ପାଟିରୁ ନିଦ ବାଉଳାରେ ବାହାରିଚି ।’

 

‘ତମ ମୁଣ୍ଡଗଣ୍ଡି–ବୁଝିଲ, ସହଜେ ତ ୟାକୁ ଦେଖି ମୋ ମୁଣ୍ଡ ଖରାପ ହେଇଯାଇଚି–ପୁଣି ଆହୁରି ଟିକେ ଖରାପ କରିବାକୁ ଚେଷ୍ଟା କରୁଚ । ଆରେ ବାବା ସେଥିପାଇଁ ତ ମୁଁ ଆଉ ଗୋଟାଏ ରୁମ୍‌ରେ ଶୋଉଚି ।’

 

‘ତେବେ, ସେ ଏମିତି କଳ୍ପନା କରି ଲେଖୁଥିବେ ।’

 

ଅସମ୍ଭବ । ଏଗୁଡ଼ା ଏମିତି କଳ୍ପନା କରି ଲେଖାଯାଏ ? ଏ ଗପଟା ଯୋଉ କେତେ ପୃଷ୍ଠା ଲେଖା ହେଇଛି ତମ ଆଗରେ ପଢ଼ିଲି, ସେଥିରୁ କ’ଣ କଳ୍ପନା କରି ଲେଖା ହେଇପାରେ ବୋଲି ତମେ ଭାବୁଚ ?’

 

‘ତା’ହେଲେ କ’ଣ ସେ ସର୍ବଜ୍ଞ ?’

 

‘ଦେଖ ! ତମେ ବାପାଙ୍କର ଅସମ୍ମାନ କରନାହିଁ । ସର୍ବଜ୍ଞ ବୋଲି ମୁଁ ନ କହିଲେ ବି ତମର କହିବା ଉଚିତ୍‌ ।’

 

‘ତେବେ ନାଁ’ଟା ବଦଳେଇଲେ କାହିଁକି ?’

 

‘ଲୌକିକତା ଦୃଷ୍ଟିରୁ । ବୁଝିଲ, ମୋ ନାଁ’ଟା ସଂବିତ୍‌ ଠିକ୍‌ ଅଛି । ହେଲେ ତମ ନାଁଟା ଲଜ୍ଜ୍ୟା ବୋଲି ନ ଲେଖି ସୀମା ବୋଲି ଲେଖିଛନ୍ତି । କାଳେ...’

 

‘କାଳେ... ?’

 

‘ମୁଁ କହିପାରୁନି ।’

 

‘ମୁଁ କିନ୍ତୁ ପାରିବି ।’

 

‘କୁହ !’

 

‘ତମ ଘରକୁ ଯିବା ପରେ ଆଉ ତ’ ପୁଣି ଗୋଟାଏ ନାଁ ଦବାକଥା ତାଙ୍କର । ଶାଶୁଘର ନାଁ’ଟା ସେ ଚାହାଁନ୍ତି ମୋର ସୀମା ରହୁ ।’

 

‘ବୁଝିଲ ଲଜ୍ଜା, ମୋର ଗୋଟାଏ ଅସମୟରେ ତମେ ଟାପରା କରୁଚ । ମୋ ବାପା ଲେଖିଚି ଗପ ଯେ, ମୁଁ ଆସି ତିନିନମ୍ବର ରୁମ୍‌ରେ ରହି ସୀମା ସାଙ୍ଗରେ କେଳି ରଚନା କରୁଚି । ଅର୍ଥାତ୍‌ ସେ ସକାଳୁ ଚାଲିଗଲା ପରେ ମୁଁ ତାଙ୍କରି ତିନି ନମ୍ବରରେ ତମ ସହିତ ଆସି ଆଳାପ କରୁଚି-। ଏଇଟା ଜାଣି ତମେ ମତେ ଥଟ୍ଟା କରୁଚ ?’

 

‘ମୁଁ କିନ୍ତୁ ତୁମକୁ ମନା କରୁଥିଲି ଏଇ ରୁମ୍‌କୁ ଆସିବାପାଇଁ । ତମ ରୁମ୍‌ରେ ବସି କ’ଣ ସମୟ କାଟି ହେବନି । କିନ୍ତୁ ମୁଁ ନିଜେ ବି ଜାଣେନି ତମେ କାହିଁକି ଚାହଁ ଯେ ଏଇ ତିନି ନମ୍ବରରେ ବସିବାକୁ ।’

 

‘ମୁଁ ଚାହିଁଲି ନାଁ, ତମେ କହିଲ, ଏ ରୁମ୍‌ ଖାଲି ନୁହେଁ ଏ ବାଥ୍‌ରୁମ୍‌ ସହିତେ ମଧ୍ୟ ସବୁ ସୁନ୍ଦର ଆଉ ଆର୍ଟିଷ୍ଟିକ୍‌, ତେଣୁ ଏ ରୁମ୍‌ରେ କିଛିସମୟ ଭଲରେ କାଟିହେବ ।’

 

ଦୁହେଁ ଦୁହିଁଙ୍କୁ ଦୋଷ ଦେବାକୁ ଲାଗିଲେ । ସମ୍ମୁଖରେ ବାପାଙ୍କ ଲେଖା । ଗତ ରାତ୍ରିର ଅଧାଲେଖା କାହାଣୀ କେଇପୃଷ୍ଠାକୁ ଆଜି ସକାଳୁ ଦୁହେଁ ଆବିଷ୍କାର କରି ଆଗ୍ରହରେ ପଢ଼ିବାକୁ ବସି ଦେଖନ୍ତି ତ ସେଇଟା କେବଳ ତାଙ୍କ ଦୁଇଜଣଙ୍କ ଇତିହାସ । ବିବ୍ରତ ଅବସ୍ଥାରେ ଦିହେଁ ପରସ୍ପରକୁ କାଦୁଅ ଛିଟା ପକେଇବାକୁ ଆରମ୍ଭ କରିଛନ୍ତି ।

 

‘ଆଚ୍ଛା ! ବାପା ଟେପ୍‌ରେକର୍ଡ଼ର ଭଳି କିଛି ଖୋଲି ରଖିଦଉ ନାହାନ୍ତି ତ ? ତାଙ୍କ ଅନୁପସ୍ଥିତିରେ ସବୁ ରେକର୍ଡ଼ିଂ ହୋଇଯାଉଥିବ ?’

 

‘ଶୁଣ ଲଜ୍ଜା ! ବାପା ମୋର ପୁଲିସ ବିଭାଗରେ ଚାକିରୀ କରି ନ ଥିଲେ କିମ୍ବା ଡାକୁ ଚୋର ନ ଥିଲେ, ତେଣୁ ଏସବୁ ତାଙ୍କ ମୁଣ୍ଡକୁ ପଶିବା ଅବାନ୍ତର ।’

 

‘ତା’ ସତ, କିନ୍ତୁ ବାପା ନିଶ୍ଚୟ ଏଗୁଡ଼ା ଜାଣିଥିଲେ ନହେଲେ ଡାକୁ ଚୋର ବହି ଲେଖୁଥିଲେ କେମିତି ?’

 

‘ଧନ୍ୟ ତମେ, ମୋ ଅବେଳରେ ମଜ୍ଜା ଦେଖୁଚ । ହଁ, କହିବନି କାହିଁକି ? ମୋ ବାପା ସିନା ଜାଣିଲେ ହେଲେ ତମ ମମି ତ’ ଜାଣି ନାହାଁନ୍ତି; ତେଣୁ ଡରିବାର କିଛି ନାହିଁ ।’

 

‘ଡରି କ’ଣ କରିବ ଶୁଣେ ?’

 

‘ଆତ୍ମହତ୍ୟା କରିବା ଛଡ଼ା ଆଉ କିଛି ଉପାୟ ମୁଁ ଦେଖନି ।’

 

‘ତେବେ ଚାଲ, ମମିକୁ ଏକାଥରେ ଜଣେଇ ଦେଇ ଦିହେଁ ଚାଲିଯିବା ସମୂଦ୍ରକୂଳକୁ ।’

 

‘ସେଇଠୁ ?’

 

‘ମମି କହିବ ହଉ ଯାଅ । ଆମେ ସମୁଦ୍ର କୂଳକୁ ଆତ୍ମହତ୍ୟା କରିବାକୁ ଗଲାବେଳେ ବାପା ସେଠି ହାତବାଡ଼ି ଧରି ଛୋଟ କଙ୍କଡ଼ା ଗାତରେ ଖେଞ୍ଚି ଖେଞ୍ଚି ନିଜ ବୟସକୁ ଠକୁଥିବେ । ଆମକୁ ଦେଖି କହିବେ କିରେ କୁଆଡ଼େ ଯାଉଚ ? ମୁଁ କହିବି ଆମେ ଆତ୍ମହତ୍ୟା କରିବାକୁ ଯାଉଚୁ, ସେଇଠୁ ସେ ହସିବେ । ପଚାରିବେ କିରେ ତୁମ ଦୁହିଁଙ୍କର ଆତ୍ମା ତ ନାହିଁ ଆଉ ହତ୍ୟା କରିବ କ’ଣ-। ସେଇଠୁ ତମେ ମୂର୍ଖଙ୍କଭଳି ପଚାରିବ–ଆତ୍ମା ନାହିଁ ମାନେ ? ସେ କହିବେ ଦୁହେଁ ତ ଆତ୍ମବଳି ପରସ୍ପର ପାଖରେ ଦେଇସାରିଚ । ଫେରିଯାଅ–ତିନିନମ୍ବର ରୁମ୍‌ କାନ୍ଦିବ । ନିକଟରେ ଦେଖିଥିବା ସିନେମାରେ ସେ ଦୃଶ୍ୟଟା–ବାଥ୍‌ଟବ୍‌ ଭିତରେ ହିରୋଇନ୍‌ ପଶି ଗାଧୋଇବା ବେଳର ଦୃଶ୍ୟଟା ସେ ତିନିନମ୍ବର ରୁମ୍‌ର ବାଥ୍‌ରୁମ୍‌ ଭିତରେ ଅଭିନୟ କରିବ ଯାଅ... ।’

 

‘ଲଜ୍ଜା !’

 

ଚିତ୍କାର କରି ଉଠିଲା ସଂବିତ୍‌ । ରାଗରେ ବହିପତ୍ର ଫୋପାଡ଼ିବାକୁ ଆରମ୍ଭ କଲା, ସେଇ ଅନୁପାତରେ ଖିଲଖିଲ ହେଇ ହସିଉଠିଲା ଲଜ୍ଜା । ବୁଝିଲା ସେ, ସଂବିତ୍‌ ଚିଡ଼ି ଯାଇଚି । ତାକୁ ଶାନ୍ତ କରିବାକୁ ପଡ଼ିବ, ଏଇ ସମୟରେ ଚା’ନେଇ ଭିତରକୁ ଆସିଲା ବେହେରା ।

 

ଲଜ୍ଜା ମୁଣ୍ଡକୁ ଗୋଟାଏ ବୁଦ୍ଧି ଜୁଟିଲା ।

 

‘ଆଚ୍ଛା ! ଏଇ ଲୋକ ଭିତରୁ କେହି କହିଥିବା ସ୍ୱାଭାବିକ ।’

 

କଥାଟା ସଂବିତ୍‌ର ମନକୁ ପାଇଗଲା । ଆଉ କେହି ତା’ ଆଖିକୁ ଦେଖାଗଲେ ନାହିଁ । ରାଜେନ୍‌ବାବୁଙ୍କ ସହିତ ବାପାଙ୍କ ଆତ୍ମୀୟତା ହୁଏତ ୟାର କାରଣ ହେଇପାରେ, ବେହେରା ହାତରେ ଖବର ଦେଲା ରାଜେନ୍‌ବାବୁଙ୍କୁ ଆସିବାକୁ ।

 

ସାଙ୍ଗେ ସାଙ୍ଗେ ରାଜେନ୍‌ବାବୁ ଆସି ପହଞ୍ଚିଲେ । ଏବଂ ଅତି ଅଳ୍ପକେ ସବୁକଥା ଜେରା କଲାଭଳି କହିଯାଇ ଗୋଟିଏ ପ୍ରଶ୍ନ ପଚାରିଲା ସଂବିତ୍‌–

 

‘ଆପଣ ନିଶ୍ଚୟ ବାବୁଙ୍କୁ କହିଚନ୍ତି ତାଙ୍କ ନରହିବା ବେଳେ ମୁଁ ଏବଂ ଲଜ୍ଜା....... ।’

 

‘ଦେଖନ୍ତୁ ସାର୍‌ ! ଆପଣ ଆସିଚନ୍ତି ମୋର ହାକିମ ଭାବରେ । ହେଲେ ବାବାଙ୍କ ସହିତ ପରିଚୟ ମୋର ଖୁବ୍‌ ଅନ୍ତରଙ୍ଗ । ସେ ମୋର ବନ୍ଧୁ । ଆପଣଙ୍କୁ ମଧ୍ୟ ମୁଁ ଜାଣେ । ଏ ହୋଟେଲ ଚାକିରୀ କରିବାର ଅଭିଜ୍ଞତାରୁ ଏତିକି ମାତ୍ର ଆମେ ଶିଖିଚୁ ଯେ ଏ ରୁମ୍‌ କଥା ସେ ରୁମ୍‌ ଜାଣିବେନି, ଏ ମୁହଁକଥା ସେ କାନ ଜାଣିବନି । ମୁଁ କେବେହେଲେ ଏକଥା ବାବାଙ୍କୁ କହିପାରିବି ନାହିଁ ।’

 

‘ରାଜେନ୍‌ବାବୁ ! ମତେ ମିଛ କହିବାକୁ ଚେଷ୍ଟା କରୁଛନ୍ତି, ମୁଁ ଯଦି ଚାହିଁବି ତେବେ ଆପଣଙ୍କର ଲଜିଂ ସର୍ବସ୍ୱାନ୍ତ ହେଇଯିବ ଏକଥା ଆପଣ ଜାଣନ୍ତି । ତଥାପି ଆପଣ ମତେ ଠକିବାକୁ ଆରମ୍ଭ କରିଛନ୍ତି ।’

 

‘ସାର ! ଆପଣ ମତେ ସବୁ କହିପାରନ୍ତି । କିନ୍ତୁ ଠକ କହିବେ ନାହିଁ ବୋଲି ମୋର ବିଶ୍ୱାସ । ଠକିବାର ଲକ୍ଷ୍ୟଥିଲେ ଏତେବର୍ଷ ଧରି ମୁଁ କେବଳ କେୟାରଟେକର ହେଇ ରହି ନଥାନ୍ତି-। ଏ ହୋଟେଲକୁ ମୁଁ ମୋର ନିଜର କରି ସାରନ୍ତିଣି । ଆପଣ ବୋଧହୁଏ ବାବାଙ୍କୁ ଆଜିଯାଏ ଚିହ୍ନିଲେ ନାହିଁ । ଗୋଟିଏ ଛୋଟ ପ୍ରଶ୍ନର ଉତ୍ତର ଦେବେ ? କେତେବେଳେ ମୋର ଏଥର ଆସିବାରେ ବାବାଙ୍କ ସହିତ ଆଳାପ ହୋଇଛି ? ତା’ଛଡ଼ା ବାବାଙ୍କର ଏ ହୋଟେଲ ପ୍ରତି କେତେ ମମତା ଆପଣ ଜାଣନ୍ତି ନାହିଁ । କାହିଁକି କେଜାଣି ସେ ଏଇ ହୋଟେଲର ପ୍ରତ୍ୟେକଟି ବସ୍ତୁକୁ ଆପଣାର ବୋଲି ଭାବନ୍ତି ।’

 

ଏତିକି କହି ରାଜେନ୍‌ବାବୁ କେମିତି ହଠାତ୍‌ ଚୁପ୍‌ ହେଇଗଲେ । ସଂବିତ୍‌ ଆଉ ଲଜ୍ଜା କ୍ରମେ ଆହୁରି ମନଯୋଗ ଦେଇ ଶୁଣିବା ଆରମ୍ଭ କରିଥା’ନ୍ତି ତାଙ୍କୁ । ସଂବିତ୍‌ ବୋଧ କଲା ଏତେ ନିଷ୍କପଟତା ଭିତରେ ଅବିଶ୍ୱାସର କାରଣ ନାହିଁ ।

 

ଲଜ୍ଜା କହିଉଠିଲା–‘ହଠାତ୍‌ ରହିଗଲେ ?’

 

‘ନାଁ ଆପଣମାନଙ୍କର ଚା’ ଥଣ୍ଡା ହେଇଗଲା ।’

 

ଲଜ୍ଜା ସମସ୍ତଙ୍କ ପାଇଁ ଚା’ ଢାଳିଲା, ଚା’ରେ ମୁହଁ ଲଗେଇ ପୁଣି ଆରମ୍ଭ କଲେ ରାଜେନ୍‌ବାବୁ ।

 

‘ଏଇ କାଲିକାର ଛୋଟ ଘଟଣା ଗୋଟାଏ ଶୁଣିବେ ? ସକାଳୁ ଉଠି ମୁହଁ ଧୋଇ ରୁମ୍‌ ଭିତରେ ବାବା ଚା’ ଖାଉଥିଲେ । ହଠାତ୍‌ ଜଣେ ଭଦ୍ରମହିଳା ବୁଲୁ ବୁଲୁ ପଶି ଆସିଲେ ଫାଟକ ଭିତରକୁ । ବଗିଚାରେ ବୁଲିଲାବେଳେ ଯାଇ ସେ କ୍ରୋଟନ୍‌ ଗଛମୂଳେ ଠିଆହୋଇ ସେଇ ବୁଦାଗୁଡ଼ାକୁ ଦେଖିଲେ । ବାବା ବେହେରାକୁ ଡାକି କହିଲେ ଗଲୁ ପଚାରି ଆସିବୁ ସେ କିଏ ଏବଂ ତାଙ୍କ ନାଁ କ’ଣ ?’

 

‘ଆଶ୍ଚର୍ଯ୍ୟ ! କ’ଣ ପାଇଁ ?’ ପଚାରି ଉଠିଲା ଲଜ୍ଜା । ଅତି ସହଜ ଭାବରେ ଉତ୍ତର ଦେଲେ ରାଜେନ୍‌ବାବୁ ।

 

‘କିଛି ନୁହେଁ । ଖେୟାଲି ଲୋକ, ଏଇ କ୍ରୋଟନ୍‌ ଗଛରେ ତାଙ୍କର ଭାରି ସଉକ୍‌ । ଆପଣମାନେ ନଥିଲାବେଳେ ମୁଁ ଏଇଠି ତାଙ୍କୁ ସେ ଇଜି ଚେୟାରଟା ପକେଇ ଦିଏ, ସେ ଘଣ୍ଟା ଘଣ୍ଟା ଧରି ବସନ୍ତି ଆଉ ଇଚ୍ଛାହେଲେ କିଛି ଲେଖନ୍ତି । ସେଇଥିପାଇଁ ସେ ଲନ୍‌ଟାକୁ ମୁଁ ଆହୁରି ବଡ଼ କରି ଦେଇଚି । ହୁଏତ କେବେ କିଏ କେତେଆଡ଼ୁ ଟ୍ରାଭଲାର ଆସନ୍ତି ଏଠିକି, ଆଉ ଆସିଲାବେଳେ ଏଇ ହତା ଭିତରେ ବୁଲିଯା’ନ୍ତି ।’

 

‘କାରଣ ଏଇଟା ତ ଗୋଟାଏ ଲଜିଂଭଳି ଦେଖାଯାଏନା, ବରଂ କିଛି ଗୋଟାଏ ଘରୋଇ ଅନୁଷ୍ଠାନ ଭଳି ଦେଖାଯାଏ ।’ କହିଲା ସଂବିତ୍‌ ।

 

‘ହଁ ତେଣୁ ସେ ଭଦ୍ରମହିଳା ପଶିଆସିଚନ୍ତି । ବେଶ୍‌ ବୟସ୍କା, ତଥାପି ରୁଚିଶୀଳା । ସେଇ ଲନ୍‌ ପାଖକୁ ସେ ଯାଇ ଠିଆହେଲେ । ବାବାଙ୍କୁ ଭିତରୁ ଏତେ ଦୂରକୁ ତ ଭଲ ଦେଖା ଯାଏନି ତେଣୁ ପଚାରି ପଠେଇଲେ ନାଁ’ଟା...’

 

‘ଉଦ୍ଦେଶ୍ୟ... ?’

 

‘ନିଜ ପସନ୍ଦକୁ ପସନ୍ଦ କଲାଭଳି ଆଉ ଜଣେ କାହାକୁ ଦେଖିଲେ ଖୁସି ଲାଗେ । ଭାବୁକ ଲୋକ ତ......’

 

‘ତା’ପରେ... ?’

 

‘ତା’ପରେ ସେ ବେହେରା ଯାଇ କହିଲା ଯେ ତାଙ୍କ ନାଁ... କଳ୍ପନାଦେବୀ...’

 

‘ସେଇଠୁ... ?’

 

‘କିଛି ନାହିଁ–ହସିଦେଲେ ଖାଲି ଗୋଟାଏ ତୃପ୍ତିର ହସ । ଟିକିଏ ପରେ ଭଦ୍ରମହିଳା ପୁଣି ବାହାରି ଚାଲିଗଲେ ।’

 

ଅପତିଭ ବୋଧକଲା ସଂବିତ୍‌ ବୋଧହୁଏ ବାପାଙ୍କର ଏତାଦୃଶ ଆଚରଣରେ । ମତ ପ୍ରକାଶ କଲା–

 

‘ଇସ୍‌ ! ସେ ଭଦ୍ରଭହିଳା କ’ଣ ଭାବିଥିବେ । ଏମିତି ତାଙ୍କୁ ନାଁ ପଚାରିବା...’

 

‘ଆପଣ ପାଗଳ ହେଲେ ସାର୍‌ ! ସତରେ କ’ଣ ସେ ନାଁ ପଚାରିଚି ? ମତେ ଆସି ବେହେରା କହିଲା ଯେ ବାବା ଏକଥା କହୁଚନ୍ତି, ମୁଁ କହିଲି ଯା’ କହିଦବୁ କଳ୍ପନାଦେବୀ–ସେ କହିଦେଲା କଳ୍ପନାଦେବୀ । ତାଙ୍କୁ ନାଁ ପଚାରିଥିଲେ ସେ ଖରାପ ଭାବିବେନି ?’

 

‘ରକ୍ଷା...’ ସଂବିତ୍‌ ନିଶ୍ୱାସ ମାରିଲା ।

 

ରାଜେନ୍‌ବାବୁ ଚା’ କପ୍‌ ଥୋଇ ପୁଣି କହିବାକୁ ଲାଗିଲେ ।

 

‘ଦେଖନ୍ତୁ ! ମୋର କହିବାର ଉଦ୍ଦେଶ୍ୟ ହେଲା ବାବା କେତେ ସରଳ । ହୁଏତ ମୋ ଯାଗାରେ ଜଣେ ପୁଲିସ ଅଫିସର ଥିଲେ ଏଇ କଥାରୁ କେତେ ଖିଅ ଧରିଥା’ନ୍ତା । ସେଇ ଯାଗାରେ ବାବା ବସନ୍ତି ସବୁବେଳେ–ଆଉ ଜଣେ ଅପରିଚିତା ଭଦ୍ରମହିଳା ସେଇଠିକି ଆସି ଠିଆ ହେଲେ, ତେବେ ସେ ଗଛତଳେ କିଛି ପୋତା ଯାଇଚିକି ? ଇତ୍ୟାଦି ଇତ୍ୟାଦି–କିନ୍ତୁ ମୁଁ ଜାଣେ ସେ ଗଛତଳେ କାହାରି ଶବ ପୋତା ଯାଇନି କି ବାବାଙ୍କର କିଛି ସ୍ମୃତି ସେଠି ନାହିଁ । ଖାଲି ତାଙ୍କୁ ଭଲ ଲାଗେ ସେ ବୁଦାଗୁଡ଼ା ଆଉ ସେତକ କହି ସେ କରେଇଛନ୍ତି । ତେଣୁ ଆପଣ ବୁଝନ୍ତୁ ! ଏ ପ୍ରକାର ଲୋକ ଯିଏ ସେ କେବେହେଲେ ମତେ ଡକେଇ ତାଙ୍କ ଗଲାପରେ ଆପଣ ଏଠି କ’ଣ କରୁଛନ୍ତି, ସେ କଥା କେବେ ପଚାରିବା ସମ୍ଭବ ?’

 

କକ୍ଷଟି ଭିତରେ ଏକ ଅହେତୁକ ନୀରବତା, କେହି ଯେମିତି ଆଉ କାହାରିକୁ କିଛି କହିବାର ନାହିଁ । ଲଜ୍ଜା ବୁଝିଲା–ଆଜିର ସକାଳଟା ଦୁହିଁଙ୍କ ପାଇଁ ବ୍ୟର୍ଥ ହେଇଗଲା । ଆଉ ସଂବିତ୍‌ର ମୁଡ଼୍‌ ଫେରିବାର ନାହିଁ । ବରଂ ମମି ସିଆଡ଼େ ବ୍ୟସ୍ତ ହେଇ ଉଠିବେଣି । ସଂବିତ୍‌ ମଧ୍ୟ ଭୁଲିଯାଉଚି ବାପାଙ୍କ ଫେରିବା ସମୟ ହେଇଚି ଲଞ୍ଚଖାଇ ବିଶ୍ରାମ ନେବାପାଇଁ ।

 

ଉଠିଲା ଲଜ୍ଜା, ସଂବିତ୍‌ ମଧ୍ୟ ବଳେଇ ଦେଇ ଆସିବାକୁ ଗଲା, ଗଲାବେଳେ ଚିନ୍ତାକୁଳ ସଂବିତ୍‌କୁ ଖାଲି ଏତିକି କହିଗଲା–

 

‘ଏଇଟା ଏକରକମ୍‌ ଶୁଭ ଲକ୍ଷଣ । କାହାଣୀଟା ବାପା ଶେଷ କରନ୍ତୁ । ସେଇଥିରୁ ବୁଝାପଡ଼ିବ ବାପାଙ୍କର ଉଦ୍ଦେଶ୍ୟ କ’ଣ ! ଆ’ମ ଦୁହିଁଙ୍କର ଶେଷ ପରିଣତି ସେ କ’ଣ ଚାହାଁନ୍ତି ।’

 

କଥାଟା ବିଶେଷ ଭାବରେ ମନକୁ ପାଇଲା ସଂବିତ୍‌ର ।

 

ସମସ୍ତେ ଉଠିଲେ, ଅନେକ ଚିନ୍ତା ମନରେ ନେଇ ସଂବିତ୍‌ ମଧ୍ୟ ବାହାରିଲା, ତାକୁ କିଛିଟା ସରକାରୀ କାମ କରିବାକୁ ତ ପଡ଼ିବ ।

 

ପରଦିନ......... ।

 

ବେଶ୍‌ ସକାଳୁ ‘ସି’ସାଇଟ୍‌’ର ଫାଟକ ଟପି ଭିତରକୁ ପ୍ରବେଶ କଲା ଲଜ୍ଜା । ସନ୍ତର୍ପଣରେ ରାଜେନ୍‌ବାବୁଙ୍କ ଠାରୁ ଜାଣିନେଲା ଯେ ବାପା ଚାଲିଗଲେଣି ବୁଲିବାକୁ । ତାକୁ ଆଉ ସଂବିତ୍‌ର ରୁମକୁ ଯିବାକୁ ଦରକାର ପଡ଼େନି । କାରଣ ସେ ଜାଣେ ଯେ ବାବା ଗଲାମାତ୍ରେ ସଂବିତ୍‌ ଯାଇ ସେଇ ବିଛଣାରେ ପଡ଼ିଯାଏ ତିନି ନମ୍ବରରେ, ଏବଂ ସେଠି ଟିକେ ଗଡ଼େଇ ତଡ଼େଇ ହେଲାପରେ ସେଇ ବାଥ୍‌ରୁମ୍‌ରେ ନିଜର ନିତ୍ୟକର୍ମ ସାରେ ।

 

ଲଜ୍ଜା ଦେଖିଲା–ସଂବିତ୍‌ ଉଠିନାହିଁ । ଏପର୍ଯ୍ୟନ୍ତ ବିଛଣାରେ ପଡ଼ିଚି । ପରଦା ଆଡ଼େଇ ଭିତରକୁ ଗଲା ଲଜ୍ଜା ।

 

‘ଆଜି ବହୁତ ସକାଳୁ...... ?’

 

‘କାମ ଶୀଘ୍ର ସରିଗଲା, ସବୁଦିନ ମମି ଆଗ ନିତ୍ୟକର୍ମ ସାରିଲା ପରେ ମୁଁ ଯାଏ । କିନ୍ତୁ ତା’ର ଶୋଉ ଶୋଉ ବେଶୀ ରାତି ହେଇଗଲା । ଆଜି କହୁଚି ସକାଳୁ ଦେହ ଟିକେ ଭଲ ଲାଗୁନି–ଶୋଇଚି, ତାକୁ ଚା’ କରି ଦେଇ ଚାଲି ଆସିଲି ।’

 

‘ବେଶି ରାତି କାଇଁକି ହେଲା ?’

 

‘ବହି ପଢ଼ୁଥିଲା । ମଧ୍ୟରାତ୍ରିର କାହାଣୀ ।’

 

‘ଓଁ.......ଆଚ୍ଛା ଲଜ୍ଜା । ଗୋଟାଏ କଥା ପଚାରିବି । ମୁଁ ଯେତେବେଳେ ତମକୁ ଗୋପାଳପୁର ଆସିବା ପ୍ରସ୍ତାବ ଦେଲି ମମି କ’ଣ କହିଲେ ?’

 

‘କିଛି ନାହିଁ, ମୁଁ କହିଲି ସେ ଅଫିସ୍‌ ଇନ୍‌ସପେକ୍‌ସନ୍‌ରେ ବାପା ଆଉ ତମେ ଆସୁଚ–ଆଉ ମତେ କହୁଚ ଯେ ମମିକୁ କୁହ ଯଦି ଯା’ନ୍ତେ ଭଲ ହୁଅନ୍ତା ।’

 

‘ସେଇଠୁ.......... ?’

 

‘ସେଇଠୁ କ’ଣ ? ସେତିକି କ’ଣ ବୁଝିବା ପାଇଁ ଯଥେଷ୍ଟ ନୁହେଁ ? ସେ କହିଲା ଯେ ହଉ ସେ ତାଙ୍କ ଗାଡ଼ିରେ ଯାନ୍ତୁ, ଆମେ ଆମର ଯିବା । ଆମେ ଆସିଲୁ, ସେଇ ହୋଟେଲ୍‌ରେ ରହିଲୁ ।

 

‘ଆଚ୍ଛା ଆମେ ଏଇ ଲଜ୍‌ରେ ରହୁଚୁ–ଏକଥା ମମି ଜାଣନ୍ତି ?’

 

‘ନାଁ କୋଉ ଲଜ୍‌ରେ ତମେ ଅଛ ସେ କଥା କାଣେନି । କେବେ ସେ ପଚାରେନି ମଧ୍ୟ । ଭାରି ଅଦ୍ଭୁତ ସେ । ମତେ କୌଣସି କଥାରେ ଖୋଳି ତାଡ଼ି ପଚାରିବା–ଏକଥା ନାହିଁ । ପଦେ କହିଲେ ସେ ପଦକରୁ ଅଧିକା ଜାଣିବାକୁ ଚାହିଁବନି । ଏତେଦିନର ସମ୍ପର୍କ ଆମ ଦୁହିଁଙ୍କର । ସବୁ ସେ ଜାଣେ । ତମ ନାଁ ଜାଣିଚି, ହେଲେ ଥରେ ବି କେବେ ତମ ଘରଦ୍ୱାର, ବାପାଙ୍କ ନାଁ ଏସବୁ ପଚାରେନି । ମତେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ଅନ୍ତତଃ ତମ ଘର ଦ୍ୱାର ବା ବାପାଙ୍କ ନାଁ ଏସବୁ ବିଷୟରେ ବି କେମିତି ତା’ର ଜାଣିବାକୁ ଇଚ୍ଛା ହୁଏନି । ମୋ ଉପରେ କେମିତି ଅଦ୍ଭୁତ ଭରସା ତା’ର ।’

 

‘ଆଉ ମୋ ସମ୍ପର୍କରେ.........’

 

‘ଯେତିକି ମୋଠାରୁ ଶୁଣିଚି–ବିଶ୍ୱାସ କରିଚି’

 

‘ଯଦି ମୁଁ କେବେ ଠକି ଦିଏ ?’

 

‘ସେ ଆଶ୍ଚର୍ଯ୍ୟ ହେବନି.........’

 

‘ମାନେ...... ?’ କଥାରେ ବିଛଣାରୁ ଉଠି ବସି ପଡ଼ିଲା ସଂବିତ୍‌ । କିନ୍ତୁ ଠିକ୍‌ ସେମିତି ଉତ୍ତର ଦେଲା ଲଜ୍ଜା ।

 

‘ସେ ଆଶ୍ଚର୍ଯ୍ୟ ହେବନି । କାରଣ ବହୁତ ପଢ଼ାପଢ଼ି କରେ ତ ସେ । ସେଥିରୁ ଜାଣିଚି–ଯେ କୌଣସି ଶସ୍ତା ଉପନ୍ୟାସର ନାୟିକାର ଏମିତି ପରିଣତି ହୁଏ ।’

 

‘ଓ, ମୁଁ ତା’ହେଲେ ଶସ୍ତା ଉପନ୍ୟାସର ନାୟକ ?’

 

‘ନାୟକ ଆଉ କେମିତି ହବ ? ଠକି ଚାଲିଗଲେ ଖଳ ନାୟକ ହବ ନାଁ......’

 

‘ହୁଁ......’

 

ଲଜ୍ଜା ବୁଝିଲା ଏ ହଁଟା ଭଲ ହଁ ନୁହେଁ । ବର୍ତ୍ତମାନ ବେଶ୍‌ କିଛି ସମୟ ଧରି କେବଳ ସବୁ ପ୍ରଶ୍ନର ଜବାବ୍‌ ‘ହୁଁ’ ରେ ହିଁ ମିଳିବ । ତେଣୁ ଗୋଟାଏ ମଝିରେ ଇଣ୍ଟରଭାଲ୍‌ ଦରକାର । ଜବରଦସ୍ତି ତାକୁ ବାସୀକାମ ସାରିବାକୁ ଗାଧୁଆ ଘର ଭିତରକୁ ଠେଲି ଠେଲି ପଠେଇ ଦେଲା । ଚା’ ଆଉ ଜଳଖିଆର ଆୟୋଜନ କଲା । ଅଳ୍ପ ସମୟ ଭିତରେ ସଂବିତ୍‌ ନିତ୍ୟକର୍ମ ସାରି ଫେରିଲା । ଦିହେଁ ଜଳଖିଆ ଆରମ୍ଭ କରୁ କରୁ ଲଜ୍ଜା ଆରମ୍ଭ କଲା–

 

‘କାଇଁ ଦେଖି ସେ ଲେଖାଟା ? ସେଇଥି ପାଇଁ ଆଜି ଏତେ ସକାଳୁ ମୁଁ ଉଠି ଚାଲି ଆସିଚି, ସେ କାହାଣୀର ଶେଷଟା କ’ଣ ହବ ବୋଲି । ତମେ ଭାବନି ଯେ ତମକୁ ଦେଖିବାକୁ ଚାଲି ଆସିଲି ।’

 

ସଂବିତ୍‌ ହସିଲା ।

 

‘ମୁଁ ବି ସକାଳୁ ସେଇ ଲେଖାକୁ ଖୋଜୁଚି ଲଜ୍ଜା, ହେଲେ ପାଉନି । ଗଲାବେଳେ ବାପାଙ୍କ ହାତରେ କିଛି କାଗଜ ମୋଡ଼ାମୋଡ଼ି ହେଇ ଥିବାର ଦେଖିଲି । ଆଉ ତାଙ୍କ କଲମଟା ମଧ୍ୟ ନାହିଁ, ତେଣୁ.......’

 

‘ବୋଧହୁଏ ଶେଷ ହେଇନି ! ନେଇଗଲେ ସବୁଦ୍ର କୂଳରେ ବସି ଲେଖିବେ । ହଁ, ମମି କହିଚି ତମ ଲଞ୍ଚ୍‌ ଆଜି ଆମର ସେ ହୋଟେଲରେ ।’

 

‘ହଉ......’

 

‘ତା ଛଡ଼ା ତମ ପ୍ରୋଗ୍ରାମ କ’ଣ କୁହ ତ ।’

 

‘ମତେ ଆଜି ଅନେକ କାମ କରିବାକୁ ହବ । ଏ ଲଜିଂର ଲଗ୍‌ ବୁକ୍‌ ଗୁଡ଼ାକ ଅଡ଼ିଟ୍‌ ଇତ୍ୟାଦି ଶେଷ କରିବାକୁ ପଡ଼ିବ । ଦୀପତଳ ଅନ୍ଧାର ଭଳି ଅନ୍ୟ ସବୁ ଆଡ଼ୁ କିଛି କିଛି କାମ ତୁଟେଇଲିଣି, ଏଇଟା ରହିଯାଇଚି ।’

 

‘ଏତିକିବେଳେ ରାଜେନ୍‌ବାବୁ ଆସି କହିଲେ–

 

‘ସାର୍‌ ! ଲଗ୍‌ବୁକ୍‌ଗୁଡ଼ା ସବୁ ଏଇ ରୁମ୍‌କୁ ପଠେଇବି ?’

 

‘ହଁ...... ।’

 

ଅଳ୍ପ ସମୟରେ ବେଶ୍‌ ମୋଟା ମୋଟା ଖାତା ଆଣି ବେହେରା ଆସିଲା ଏବଂ ସେ ଟେବୁଲ୍‌ ଉପରେ ରଖିଲା, ଲଜ୍ଜା ଦେଖି ପରିହାସରେ ପଚାରିଲା–

 

‘ଆଚ୍ଛା ! ଏତେ ଗୁଡ଼ାଏ ଖାତା ଦେଖିବ, ତମକୁ ବିରକ୍ତ ଲାଗିବ ନାହିଁ ?’

‘ନାଁ, ଏଇ ଧରାଯାଉ କାମଟା ବିରକ୍ତକର ବୋଲି ଜାଣି ଯଦି ତା’ ଦେହରେ ଟିକେ ଆନନ୍ଦ ଉପଭୋଗ କରାଯାଇ ପାରେ–ଧର, ମୁଁ ବର୍ତ୍ତମାନ ଏଇ ବହି ଭିତରୁ ତମ ନାଁ ଥିବା ନାଁ ଗୋଟାଏ ଖୋଜିବି......ତେବେ ଏତେ ଖରାପ୍‌ ଲାଗିବନି ।’

 

‘ମୋ ନାଁ ଭଳି ନାଁ ଗୋଟାଏ ମିଳିବ ନି ।’

 

‘ନାଁ, କେବଳ ତମର ଏମିତି ନାଁ ଟାଏ ଅଛି । ପ୍ରଥମ କରି ହେଲା । ଆଉ କ’ଣ କାହାର ଥିଲା କି ?

 

‘ନାଁ, ଆଉ କାହାର ନଥିଲା ।’

 

‘କ’ଣ ହେଲା ? ରାଜେନବାବୁ ! ରାଜେନ୍‌ବାବୁ !’

 

ସଂବିତ୍‌ ଡାକ ପକେଇଲା ରାଜେନ୍‌ବାବୁଙ୍କୁ । ଆଦେଶ ଦେଲା, ସବୁ ଲଗ୍‌ ବୁକ୍‌ତକ ଆଣିବାକୁ । ରାଜେନ୍‌ବାବୁ ଜାଣିପାରିଲେନି ଗଲାବର୍ଷର ଇନ୍‌ସପେକ୍‌ସନ୍‌ ସରିଥିବା ଦଶବର୍ଷର ବହି କ’ଣ ଦରକାର । କିନ୍ତୁ ଉପାୟ ନାହିଁ ତାଙ୍କୁ ଆଦେଶ ମତେ କୋଡ଼ିଏ ପଚିଶବର୍ଷର ସବୁ ବହି ଆଣିବାକୁ ହବ ।

 

ରାଜେନ୍‌ବାବୁ ଭାବିଲେ–ଗଲା କାଲିର ରାଗ ସଂବିତ୍‌ର ମନେ ପଡ଼ିଛି । ଅଳ୍ପ ହସି ପଚାରିଲେ ଏକାଥରକେ ଆଣିବେ ନା ଥର ଥର କରି ଆଣିବେ । ସଂବିତ୍‌ ଯାହା ବୁଝେଇଲା ଏବଂ ରାଜେନ୍‌ବାବୁ ଯାହା ବୁଝିଲେ ସେଇଟା ହେଲା–

 

ଯେତେବେଳେ ଯାକେ ଲଜ୍ଜା ନାଁଟା ନମିଳିବ ସେତେବେଳଯାକେ ଇନକ୍ୱାରୀ ଚାଲିଥିବ-

 

ଏକଥା ରେ ହୋ ହୋ ହୋଇ ହସି ଉଠିଲେ ରାଜେନ୍‌ବାବୁ । ମନେ ମନେ ଭାବିଲେ ବାପ ଆଉ ପୁଅ ଦିହେଁ ସମାନ ପରିମାଣରେ ଖେୟାଲୀ, ଜିଦ୍‌ଖୋର ଆଉ ଉଚ୍ଚ ମିଞ୍ଜାସୀ ।

 

ଜିଦ୍‌ରେ ଖାତା ଖୋଜା ଚାଲିଲା । ରାଜେନ୍‌ବାବୁ ପରିବେଶକୁ ଆହୁରି କମନୀୟ କରିବାକୁ କିଛି ଭଲ ଚା’ ଆଉ ଉଚ୍ଚଦରର ଜଳଖିଆ ଆୟୋଜନରେ ଚାଲିଗଲେ ।

 

ପ୍ରାୟ ଦୁଇଖଣ୍ଡ ଖଣ୍ଡେ ଲଗ୍‌ବୁକ୍‌ ସରିଲାପରେ ପୁଡ଼ିଂର ବଡ଼ ପ୍ଲେଟ୍‍ଟା ଯେତେବେଳେ ବେହେରା ଆଣି ଦେଇଗଲା ସେତେବେଳେ ସଂବିତ୍‌କୁ ଆଗ ସେତକ ଶେଷ କରିବାକୁ ଲଜ୍ଜା ଅନୁରୋଧ କଲା । ଏବଂ ନିଜେ କାଟି ବସିଲା । ଠିକ୍‌ ଦୁଇ ଭାଗ କରି କାଟି ଦୁଇଟ ପ୍ଲେଟକୁ ବାଣ୍ଟିବା ବେଳେ ହିଁ ଦୁହେଁ ହଠାତ୍‌ ଚମକି ପଡ଼ିଲେ । ସାମନା ପରଦା ଟେକି ଭିତରକୁ ପ୍ରବେଶ କଲେ ରାଜେନ୍‌ବାବୁ, ତାଙ୍କ ମୁହଁରେ ସାମାନ୍ୟ ବ୍ୟଗ୍ରତା ଏବଂ ରୁମ୍‌ର ପଛପଟେ ପରଦା ଦେଇ ଭିତରକୁ ପ୍ରବେଶ କଲେ ଜଣେ ଭଦ୍ରମହିଳା ।

 

‘ମମି.........’

 

‘ଏ ପଛପଟ ଦରଜାଟା କାହିଁକି ଯେ ତମେମାନେ ସବୁବେଳେ ଖୋଲା ରଖ, ମୁଁ ଜାଣି ପାରେନି । ଅବଶ୍ୟ ବତୀଖୁଣ୍ଟର ଦୃଶ୍ୟ ଦେଖିବା ପାଇଁ ପଛ ପଟର ଦରଜାରୁ ବେଶ୍‌ ସୁବିଧା । ହେଲେ ଏଇଟା ବନ୍ଦ ରଖିବା ଉଚିତ୍‌ ।

 

‘ଆପଣ ଜାଣିଥିଲେ ଆମେ ଏଇ ଲଜ୍‌ରେ ଅଛୁ ବୋଲି ?’

 

‘ନାଁ, ତେବେ ଅନୁମାନ କରୁଥିଲି ।’

 

‘ମମି ! ତତେ ରାଜେନ୍‌ବାବୁ ବୋଧଡୁଏ କହିଲେ ଏଇ ରୁମ୍‌ ନମ୍ବର କଥା, ନହେଲେ ତ ଏଇଟା ତାଙ୍କ ବାପାଙ୍କ ରୁମ୍‌ । ୟାଙ୍କ ରୁମ୍‌ଟା ପାଞ୍ଚ ।’

 

‘ନାଁ ଆଜ୍ଞା ମୁଁ କିଛି କହନି । ବରଂ ମୁଁ ଚିହ୍ନିନି । ଆଉ ଆଜି ଯେତେବେଳେ ଆସି ସେ ବଗିଚା ଭିତରକୁ ପଶିଲେ ମୁଁ ଆପଣଙ୍କୁ କହିବାକୁ ଆସୁଥିଲି–ପଅରଦିନ ସକାଳୁ ଏଇ ଆସି ବଗିଚାରେ ବୁଲୁଥିଲେ ବୋଧହୁଏ ?’

 

‘ହଁ...ହଁ । ନାଁ ଲଜ୍ଜା, ସେ ମତେ ତମେମାନେ ଏ ରୁମ୍‌ରେ ଅଛି ବୋଲି କହି ନାହାନ୍ତି । ବରଂ ମୁଁ ଭାବୁଥିଲି । ଆଉ ଠିକ୍‌ ଭାବୁଥିଲି ତମେମାନେ ପଛ କବାଟଟା ବନ୍ଦ କରିବାକୁ ଭୁଲି ଯାଇଥିବ ।’

 

କଥାଟା ବରଂ ରାଜେନ୍‌ବାବୁଙ୍କ ପାଇଁ ଆଉଟିକେ ସହଜ ହେଇ ଉଠିଲା । ଲଜ୍ଜାର ମା ଏ ଭଦ୍ରମହିଳା, ତେଣୁ ପହରଦିନ ବୁଲି ଆସିଥିଲେ, ଆଜି ବି ଆସିଚନ୍ତି । ଲଜ୍ଜା ନ କହିଲେ ବି ସଂବିତ୍‌ କହିଥିବ ରୁମ୍‌ ନମ୍ବର ବିଷୟରେ । ତେଣୁ ସେ ହାଲକା ମନରେ ତାଙ୍କ ସ୍ଥାନକୁ ଫେରିଗଲେ-

 

ସଂବିତ୍‌ ମମିଙ୍କ ହାତକୁ ବଢ଼େଇଲା ନିଜ ପୁଡ଼ିଂ ପ୍ଲେଟଟା । ସଂଭ୍ରମତା ରକ୍ଷା କରି ।

 

‘ନାଁ ତମେ ଖାଅ । ମୁଁ ଖାଲି କପେ ଚା’...’

 

‘ତୋ ଦିହ ଭଲ ଲାଗୁଚି ?’

 

‘ହଁ, କିଛି ହେଇନି ତ । କାଲି ତତେ କହିଥିଲି ସଂବିତ୍‌କୁ ଡାକିବାକୁ ସେଠି ଖାଇବା ପାଇଁ-। କାଳେ ତୁ ଭୁଲି ଯାଇଥିବୁ ମୁଁ କହିବାକୁ ଚାଲି ଆସିଲି ।’

 

କିଏ ଉତ୍ତର ଦେବେ, କ’ଣ ଦେବେ ବୋଲି ଉଭୟେ ଚୁପ୍‌ ରହିଲେ, ଚା’ ଖାଉ ଖାଉ ରୁମ୍‌ଟା ପ୍ରତି ଆଖି ବୁଲେଇ ନଉନଉ ଦେଖିଲେ ସେ ମୋଟା ମୋଟା ଖାତା ଗୁଡ଼ାକ । ହସିଲେ ଟିକିଏ–

 

‘କଣ ଇନ୍‌ସପେକ୍‌ସନ୍‌ରେ ଲଜ୍ଜା ସାହାଯ୍ୟ କରୁଚି ?’

 

‘ମମି ! ଜାଣିନୂ କି ? ମୋ ନାଁ ଖୋଜା ଚାଲିଚି । ମୁଁ କହିଲି ଯେ ବାଛି ବାଛି ମୋ ନାଁ ମମି ଦେଇଚି । ଏମିତି ନାଁ ଆଉ ନାହିଁ । ଏକା ଜିଦ୍‌ ଧରିଚନ୍ତି ଯେ ଅଲବତ ବହୁତ ପୁରୁଣା ଖାତା ଭିତରୁ ମୋ ନାଁ ଗୋଟାଏ ବାହାର କରି ପ୍ରମାଣ କରିବେ ଯେ ମୋ ନାଁଟା ନୂଆ ନୁହେଁ ପୁରୁଣା ।’

 

‘ମିଛ କଥା ! ମୁଁ ତମରି ନାଁ ସକାଶେ ପରିଶ୍ରମ କରୁଚି ? ଆଜ୍ଞା, ସେ ମିଛ କହୁଚି । ମତେ କହିଲା ଯେ ମମିଙ୍କ ନାଁ ଭଳି ଗୋଟାଏ ନାଁ ବାହାର କରିଦିଅ । ମୁଁ ଆପଣଙ୍କ ନାଁ ସକାଶେ ପରିଶ୍ରମ କରୁଚି ନାଁ...’

 

ଖୁବ୍‌ ଜୋରରେ ହସି ଉଠିଲେ ମମି । ମନେହେଲା, ସେମାନେ ପ୍ରାପ୍ତ ବୟସ୍କ ଯୁବକ ଯୁବତୀ ନୁହଁନ୍ତି । ପ୍ରାଇମେରୀ ସ୍କୁଲର ଦୁଇଟି ସାଥି । ହସି ହସି ଚା’ଟା ତଣ୍ଟିରେ ଲାଗିଲା । କାଶ ଉଠିବାରୁ ଲଜ୍ଜା ଉଠି ତାଳୁ ଥାପୁଡ଼େଇଲା ।

 

‘କିଏ ମନେ କରୁଚି ବୋଧହୁଏ... ।’

 

ଟିକିଏ ସାଷ୍ଟମ ହେଇ ମମି କହିଲେ–

 

‘ତମେ କି ଅଫିସର ହେଇଚ ସଂବିତ୍‌ ? କି ତଦନ୍ତ କରିବ ତମେ ? ହଇହେ ଲଜ୍ଜା ନାଁ ନିଖୋଜ ବରଂ ତମ ନିଜ ନାଁ ଖୋଜ । ଠିକ୍‌ ସେମିତି, ମୋ ନାଁ କୁଆଡ଼ୁ ଆସିବ ? ଜଣେ ନାରୀ ଆଉ ଜଣେ ପୁରୁଷ ସାଥିରେ ଆସିଲେ ସେ ପୁରୁଷର ନାଁ ରହିବା ସ୍ୱଶଭାବିକ ଏବଂ ତା’ ସହିତ ଅମୁକ ଏଣ୍ଡ୍‍ ଫେମିଲି ଅର୍ଥାତ୍‌ ସେ ଓ ତା’ ପରିବାର ବୋଲି ଲେଖା ଥାଇପାରେ । ତେଣୁ ଲଜ୍ଜା ନାଁ ବା ମୋ ନାଁ କୁଆଡ଼ୁ ଥିବ ? ବରଂ ନିଜ ନାଁ ଖୋଜନ୍ତ ଯଦି ତେବେ ମିଳିବାର ସମ୍ଭାବନା ଅଛି...ବା ତମର...’

 

ଏତିକି କହି କଥା ଅଧାରଖି କପ୍‌ପ୍ଲେଟ ଆଉ ଖାଲି ହେଇ ଯାଇଥିବା ପୁଡ଼ିଂ ପ୍ଲେଟ ଧରି ଉଠିଗଲେ ଗାଧୁଆଘର ଭିତରକୁ । ସତେ ଯେମିତି ସେ ଆସୁ ଆସୁ ଜାଣି ଯାଇଚନ୍ତି, ସେ ଘରର ଡ୍ରେସିଂ ଟେବୁଲଠାରୁ ବାଥ୍‌ରୁମ୍‌ ପର୍ଯ୍ୟନ୍ତ କିଛି କହିବାକୁ ପଡ଼ୁନି । ଟିକିଏ ପରେ କପ୍‌ପ୍ଲେଟ ଗୁଡ଼ା ଧୋଇ ରଖି ଦେଇ ସେ ଉଭୟଙ୍କୁ ଠିକ୍‌ ସମୟରେ ଯିବା ପାଇଁ କହି ବାହାରିଗଲେ ରାସ୍ତାକୁ ।

 

ଓଃ, ରକ୍ଷା... ।

 

ଲଜ୍ଜାର ମମି ଯଦି କହି ଦେଇ ଥାନ୍ତେ ଯେ ତାଙ୍କ ନାଁ ବା ଲଜ୍ଜାର ନାଁ ନ ଖୋଜି ତମ ନାଁ ବା ତମ ବାପାଙ୍କ ନାଁ ଖୋଜ ବୋଲି ତା’ହେଲେ... ?

 

ଯଦି ପ୍ରକୃତରେ ଉଭୟେ ଉଭୟଙ୍କ ବାପାଙ୍କ ନାଁ ଖୋଜି ବସିଥା’ନ୍ତେ ତେବେ... ?

 

ନାଁ...ବ୍ୟସ୍ତ ହବାର ନାହିଁ ।

 

ହୁଏତ କୋଡ଼ିଏବର୍ଷ ପରେ କେବେ ଗୋଟାଏ ଏମିତି ଘଟଣା ଘଟିପାରେ ଏଇ ସମ୍ଭାବ୍ୟ ଚିନ୍ତାରେ ଏତେଟା ଆତଙ୍କିତ ହେବାର କିଛି ମାନେ ହୁଏନା ।

 

କେମିତି କେଜାଣି ଗୋଟାଏ ଅହେତୁକ ଆଶଙ୍କାରେ ମଧ୍ୟରାତ୍ରିରେ ମଧ୍ୟ ସମୁଦ୍ର କୂଳରେ ପବନରେ କପାଳରୁ ଟୋପା ଟୋପା ଝାଳ ବାହାରି ଆସୁଚି ।

 

ନିଶିଅର୍ଦ୍ଧର କାହାଣୀ ନାମକ ଅଶୁଭ ଚିନ୍ତନକୁ ଏଇଠି ରଖି ତିନିନମ୍ବର କକ୍ଷକୁ ଫେରିବା ଉଚିତ ।

 

ଏ କାହାଣୀ ଏଇଠି ଶେଷ ହେବା ବିଧେୟ ।

Image